/odisha-reporter/media/post_attachments/uploadimage/library/16_9/16_9_0/PM_Modi_1716187528.jpg)
PM Modi
ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ପୁଣି ଥରେ ଅନୁଗୋଳ ସଭାରେ ସିଧାସଖଳ ହମଲା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପୂର୍ବରୁ ଓଡ଼ିଶାର ଜିଲ୍ଲା କେତୋଟି ଓ କଣ୍ଟାବାଞ୍ଜିର ୧୦ଟି ଗାଁ ନାଁ କହିବା ପାଇଁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ମୋଦି ଆଜି ନବୀନଙ୍କ ପାରିଷଦକୁ ଶାଣିତ ସମାଲୋଚନା କରିଛନ୍ତି। କହିଛନ୍ତି, ବିଜେଡି ସରକାର ପୂରା ଭ୍ରଷ୍ଟାଚାରୀଙ୍କ ଦ୍ୱାରା ଘେରି ରହିଛି। କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କ ନିବାସ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପୂରା ଘେରି ରହିଛନ୍ତି। ବିଜେଡିର ଛୋଟ ଛୋଟ ନେତା କୋଟି କୋଟି ଟଙ୍କାର ମାଲିକ।
ସେ ଆହୁରି କହିଛନ୍ତି, ଓଡ଼ିଶାବାସୀ ବିଜେଡି ଉପରେ ୨୫ ବର୍ଷ ହେବ ଭରସା କରିସାରିଲେଣି। ଏହି୨୫ ବର୍ଷରେ ଓଡ଼ିଶା ଲୋକଙ୍କୁ କ’ଣ ମିଳିଛି? ଆଜି ବି ଚାଷୀ, ଯୁବବର୍ଗ କଷ୍ଟରେ ରହିଛନ୍ତି। କାମଧନ୍ଦା ପାଇଁ ହଜାର ହଜାର ଯୁବକ ବାହାରକୁ ଯାଉଛନ୍ତି। ଓଡ଼ିଶାର ଗରିବୀ ଦେଖି ମୋ ହୃଦୟକୁ ବହୁତ କଷ୍ଟ ହେଉଛି। ପ୍ରାକୃତିକ ସଂପଦରେ ଭରପୁର ଓଡ଼ିଶାରେ ଏ ଜୀବନଯୁଦ୍ଧ କାହିଁକି? ମୋ ଓଡ଼ିଶାକୁ କିଏ ଏମିତି ବରବାଦ କରିଦେଲା? ସବୁ ବରବାଦୀର କାରଣ ହେଉଛି ବିଜେଡି ସରକାର।
ଓଡ଼ିଶାରେ ମଧ୍ୟ ପ୍ରଥମ ଥର ଡବଲ ଇଂଜିନ ସରକାର ହେବ। ଓଡ଼ିଶାର ବିକାଶ ଓଡ଼ିଶା ମାଟିର ପୁଅ ହିଁ କେବଳ କରିପାରିବ। ବିଜେପିକୁ ଭୋଟ ଦିଅନ୍ତୁ, ମୋଦି ଆଜି ଗ୍ୟାରେଣ୍ଟି ଦେଉଛି ଯେ ଓଡ଼ିଶାର ପୁଅ କିମ୍ବା ଝିଅକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଯିବ। ୧୦ ଜୁନ୍ରେ ଓଡ଼ିଶାରେ ଡବଲ ଇଂଜିନ ସରକାରର ଶପଥ ଗ୍ରହଣ ହେବ। ଏ ସରକାର ଯିବା ନିଶ୍ଚିତ। ବିଜେଡିକୁ ମୌକା ଦେଇଛନ୍ତି, ଏବେ ତାର ଯିବା ସମୟ ଆସିଯାଇଛି। ମନ୍ଥର ବିଜେଡିକୁ ଛାଡ଼ି ଦ୍ରୁତ ବେଗବାନ ବିଜେପିକୁ ସୁଯୋଗ ଦିଅନ୍ତୁ ବୋଲି ମୋଦି କହିଛନ୍ତି।
ଏଥିସହ ବିଜେଡି ସରକାରର ଅଧିକାଂଶ ପ୍ରକଳ୍ପ ଅଧୁରା ପଡ଼ିରହିଛି। ବିଜେଡି ନେତା ଧାନଚାଷୀଙ୍କୁ ମଣ୍ଡିରେ ଲୁଟୁଛନ୍ତି। ବିଜେପି ସରକାର ଆସିଲେ ଓଡ଼ିଶାରେ ଧାନ ୩୧ଶହ ହେବ। ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଧାନ ପଇସା ବ୍ୟାଙ୍କ ଖାତାରେ ମିଳିଯିବ। କଟନୀଛଟନୀରୁ ମୁକ୍ତି ଦେବାକୁ ମଣ୍ଡିରେ ଇଲେକ୍ଟ୍ରି ମେସିନ ଲାଗିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ବିଜେଡିର କଳାକାରନାମାର ଚିଠା ସାମ୍ନାକୁ ଆସିଗଲାଣି। ବିଜେଡି ସରକାର ବନଜାତ ଦ୍ରବ୍ୟର ପ୍ରକୃତ ମୂଲ୍ୟ ମଧ୍ୟ ଦେଉନି। ଆଦିବାସୀଙ୍କ ପାଇଁ ପେସା ଆଇନ ମଧ୍ୟ ଲାଗୁ କରୁନି ନବୀନ ସରକାର ।ଓଡ଼ିଶାକୁ ଡିଏମ୍ ଏଫ୍ ଭାବେ ୨୬ ହଜାର କୋଟି ଟଙ୍କା ଦେଇଛୁ। ହେଲେ ବିଜେଡି ଶାସନରେ ଓଡ଼ିଶା ସଂପଦ, ସଂସ୍କୃତି ସବୁ ଅସୁରକ୍ଷିତ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
