BJP
ରାଜ୍ୟରେ ବିପୁଳ ପ୍ରାକୃତିକ ସମ୍ପଦ, ପ୍ରତିଭା ସମ୍ପନ୍ନ ମାନବ ସମ୍ବଳ ଓ ଦୀର୍ଘବର୍ଷ ଧରି ସ୍ଥାୟୀ ସରକାର ଥିଲେ ସୁଦ୍ଧା ନବୀନ ପଟ୍ଟନାୟକଙ୍କ ରୁଗଣ ନେତୃତ୍ୱ ଯୋଗୁ ସ୍ୱାଧୀନତାର ଅମୃତକାଳରେ ଐତିହାସିକ ଭାବେ ଓଡ଼ିଶା ଏକ ପଛୁଆ ରାଜ୍ୟ ହୋଇ ରହିଯିବ। ବର୍ତ୍ତମାନର ଅଭିବୃଦ୍ଧି ହାରରେ ଓଡ଼ିଶାକୁ ୨୦୭୦ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ବାସ୍ତବରେ କିଛି କାର୍ଯ୍ୟ ନକରି ଏକ କପିପେଷ୍ଟ ସରକାର ଭଳି ହୋଇଛି ନବୀନ ପଟ୍ଟନାୟକ ସରକାର। ଇଣ୍ଡିଆ ରେଟିଙ୍ଗସ୍ ଆଣ୍ଡ ରିସର୍ଚ୍ଚର ଆକଳନ ଆଧାରରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରକୁ ଆଜି ରାଜ୍ୟ ବିଜେପି ଏଭଳି କଡ଼ା ସମାଲୋଚନା କରିଛି।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ଯେ, ସ୍ୱାଧୀନତାର ଅମୃତକାଳରେ ଓଡ଼ିଶା ଐତିହାସିକ ଭାବେ ଏକ ପଛୁଆ ରାଜ୍ୟ ହୋଇ ରହିଯିବ। ଛଳନା, ଅହଂକାର, ଭ୍ରଷ୍ଟାଚାର ଓ ଦିବା ସ୍ୱପ୍ନର ଚାରିଛକ ଉପରେ ଓଡ଼ିଶାକୁ ଛିଡ଼ା କରିଛି ବିଜେଡି ସରକାର। ‘ଅପାର ସୁଯୋଗ'କୁ ‘ସମ୍ଭାବନା'ରେ ପରିଣତ କରିବାରେ ବିଫଳ ହୋଇଥିବା ବିଜେଡି ସରକାର କାରଣରୁ ରାଜ୍ୟର ଅର୍ଥନୀତି ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଏକ ପାଂଚ ଟ୍ରିଲିଅନ ଡଲାରର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ଧାର୍ଯ୍ୟ କଲେ। ସଙ୍ଗେସଙ୍ଗେ ଆମ କପି ପେଷ୍ଟ ମୁଖ୍ୟମନ୍ତ୍ରୀ ମଧ୍ୟ ଖୁବଶୀଘ୍ର ଓଡ଼ିଶାକୁ ଏକ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବାର ଘୋଷଣା କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଫାଳନ ପଛର ବାସ୍ତବିକତା କେତେ ବୋଲି ସେ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି ଯେ, ସ୍ୱପ୍ନ ରାଇଜରେ ବିଚରଣ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଏକ ଟ୍ରିଲିୟନ ଡଲାର ଅର୍ଥନୀତି ରାଜ୍ୟ ଭାବେ ପରିଣତ କରିବେ ବୋଲି ପ୍ରଥମେ ୨୦୧୯ ମସିହା ଏବଂ ପରେ ୨୦୨୨ ମସିହାରେ ‘ମେକ୍ ଇନ୍ ଓଡିଶା କନକ୍ଲେଭ' ଅବସରରେ କହିଥିଲେ। ‘ମେକ୍ ଇନ୍ ଓଡିଶା କନ୍କ୍ଲେଭ'ରେ ପ୍ରତିଶ୍ରୁତି ମିଳିଥିବା ୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶରୁ ମାତ୍ର ୬ ହଜାର କୋଟି ଟଙ୍କାର ଅର୍ଥାତ ମାତ୍ର ଏକ ପ୍ରତିଶତ କାର୍ଯ୍ୟକାରୀ ହୋଇପାରିଛି ଓ ୭ ଲକ୍ଷରୁ ଉର୍ଦ୍ଧ୍ୱ ନିଯୁକ୍ତିରୁ ୫୮୦୦ ଅର୍ଥାତ ମାତ୍ର ୦.୭୯ ପ୍ରତିଶତ ନିଯୁକ୍ତି ସମ୍ଭାବନା ପୂରଣ ହୋଇପାରିଛି। ଦେଶରେ ୮୮ହଜାର ଷ୍ଟାର୍ଟଅପ୍ ମଧ୍ୟରୁ ଓଡ଼ିଶାରେ ମାତ୍ର ୧୪୩୪ଟି ପଞ୍ଜୀକୃତ ହୋଇଛି। ୧୦୦କୋଟି ଡଲାରର ଷ୍ଟାର୍ଟ୍ଅପ୍ ବା ୟୁନିକର୍ଣ୍ଣ ସଂଖ୍ୟା ଦେଶରେ ୧୦୦ ହୋଇଥିଲାବେଳେ ଓଡ଼ିଶାରେ ଗୋଟିଏ ମଧ୍ୟ ୟୁନିକର୍ଣ୍ଣ ସମ୍ଭବ ହୋଇପାରିନାହିଁ। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଦୃଷ୍ଟିକୋଣରୁ ସମୃଦ୍ଧ ରାଜ୍ୟମାନଙ୍କ ହିସାବ ତ ଦୂରର କଥା ଆମେ ଦାଦ୍ରା ହାବେଳି-ଡାମନ ଡିୟୁଠାରୁ ମଧ୍ୟ ପଛରେ ଅଛୁ। ନବସୃଜନକୁ ଆକଳନ କଲେ ଓଡ଼ିଶାର ସ୍ଥାନ ଅନ୍ୟାନ୍ୟ ରାଜ୍ୟମାନଙ୍କ ତାଲିକାରେ ସବୁଠାରୁ ତଳେ। ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ସ୍ୱନିର୍ବାସନରୁ ବାହାରକୁ ଆସି ତାଙ୍କ ଘୋଷିତ ଏକ ଟ୍ରିଲିଅନ ଡଲାର ଅର୍ଥନୀତିର ରୋଡ଼ମ୍ୟାପ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିବାକୁ ବିଜେପି ଆହ୍ୱାନ ଦେଇଛି।
ଇଣ୍ଡିଆ ରେଟିଙ୍ଗସ ଆଣ୍ଡ ରିସର୍ଚ୍ଚର ଆକଳନ ଅନୁଯାୟୀ କର୍ଣ୍ଣାଟକ ରାଜ୍ୟ ୨୦୧୬ ରୁ ୨୦୨୩ ଭିତରେ ହାରାହାରି ୮.୪ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଛି ଏବଂ ଏହି ହାରରେ ଏକ ଟ୍ରିଲିୟନ ଡଲାର ରାଜ୍ୟ ହେବା ପାଇଁ ୨୦୩୯ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ସେହିପରି ୫.୫ ପ୍ରତିଶତ ଅଭିବୃଦ୍ଧି ମହାରାଷ୍ଟ୍ର ଏବଂ ୮.୩ ପ୍ରତିଶତ ଅଭିବୃଦ୍ଧି ରାଜ୍ୟ ଗୁଜୁରାଟକୁ ମଧ୍ୟ ୨୦୩୯ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ୭.୨ ପ୍ରତିଶତ ଅଭିବୃଦ୍ଧି ହାରରେ ତାମିଲନାଡୁକୁ ୨୦୪୧ ମସିହା, ୭.୧ପ୍ରତିଶତର ହାରାହାରି ଅଭିବୃଦ୍ଧି ରାଜ୍ୟ ଉତ୍ତରପ୍ରଦେଶକୁ ୨୦୪୨ମସିହା ସୁଦ୍ଧା, ୯.୩ପ୍ରତିଶତ ଅଭିବୃଦ୍ଧି ମଧ୍ୟପ୍ରଦେଶ, ୯ ପ୍ରତିଶତ ତେଲେଙ୍ଗାନା ଏବଂ ୮.୩ ପ୍ରତିଶତ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ୨୦୪୭ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହି ଆଠଟି ରାଜ୍ୟକୁ ବାଦ୍ ଦେଲେ ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ୨୦୪୭ସୁଦ୍ଧା ଏକ ଟ୍ରିଲିଅନ ଅର୍ଥନୀତି ପାଖାପାଖି ପହଂଚିବାର ସମ୍ଭାବନା ଦେଖିନାହିଁ ଇଣ୍ଡିଆ ରେଟିଙ୍ଗସ୍ ଆଣ୍ଡ ରିସର୍ଚ୍ଚ ସଂସ୍ଥା। ଓଡ଼ିଶା ସେହି ହତଭାଗା ରାଜ୍ୟମାନଙ୍କରୁ ଅନ୍ୟତମ। ଅର୍ଥାତ୍ ଗତ ୭ବର୍ଷର ହାରାହାରି ଅଭିବୃଦ୍ଧି ବଜାୟ ରଖିଲେ ଓଡ଼ିଶା ୨୦୭୦ବେଳକୁ ଏକ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହୋଇପାରିବ। ତାହେଲେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ଏଭଳି ଛଳନାତ୍ମକ ଘୋଷଣା କାହା ସ୍ୱାର୍ଥରେ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି।
ଯେଉଁ ରାଜ୍ୟରେ ୪୦ଲକ୍ଷ ଯୁବକଙ୍କୁ ବାହାର ରାଜ୍ୟରେ ଦାଦନ ଖଟିବାକୁ ପଡ଼େ, ଗାଁର ସ୍କୁଲ କାନ୍ଥକୁ ରଙ୍ଗ କରି ସରକାରୀ ବଡ଼ ପଣ୍ଡାମାନଙ୍କ ପକେଟ୍ ଗରମ ହୁଏ, ବିଦ୍ୟାଳୟରେ ଶିକ୍ଷକଙ୍କୁ ନିଯୁକ୍ତି ମିଳେ ନାହିଁ, ଡାକ୍ତରଖାନାରେ ଡାକ୍ତରତ ଦୂରର କଥା ପାରାମେଡିକାଲ ଷ୍ଟାପ୍ଙ୍କ ଦର୍ଶନ ମିଳେ ନାହିଁ, ବିଜୁ ସ୍ୱାସ୍ଥ୍ୟ କାର୍ଡ ନାଁରେ କର୍ପୋରେଟ୍ ହସ୍ପିଟାଲକୁ ଅଯାଚିତ୍ ଅର୍ଥ ପ୍ରଦାନ କରାଯାଏ, ସେହି ରାଜ୍ୟକୁ ଏକ ଟ୍ରିଲିଅନ୍ ଡଲାର ଅର୍ଥନୀତିରେ ପରିଣତ କରିବା ସକାଶେ ଏବେର ଶାସନ ବ୍ୟବସ୍ଥାର ପରିବର୍ତନ ପାଇଁ "ବିଜେପିର ଡବଲ ଇଞ୍ଜିନର ସରକାର’ଆବଶ୍ୟକ। ଏ ଦୁଃସ୍ଥିତି ପାଇଁ ଆସନ୍ତା ନିର୍ବାଚନରେ ନବୀନ ବାବୁ ଓ ତାଙ୍କର ବିଜୁ ଜନତା ଦଳକୁ ଉପଯୁକ୍ତ ଜବାବ ଦେବା ପାଇଁ ଜନସାଧାରଣଙ୍କୁ ବିଜେପି ଆହ୍ୱାନ କରିଛି।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ, ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJP_1712852092.jpeg)