Advertisment

ମନୀଷ ସିସୋଦିଆଙ୍କ ଜାମିନକୁ ସତ୍ୟର ବିଜୟ କହିଲା ଆପ୍, ବିଜେପି କହିଲା ବେଶି ଖୁସି ହୁଅନି

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି।

author-image
Debibandita Barick
Manish Sisodia

Manish Sisodia

ପାଖାପାଖି 18 ମାସ ପରେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡି ତାଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଆଜି ସୁପ୍ରିମକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି।

Advertisment

ସିସୋଦିଆଙ୍କୁ ଜାମିନ ପରେ ଆପ୍ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଆପ୍ ଏହାକୁ 'ସତ୍ୟର ବିଜୟ' କହି ଥିବାବେଳେ ବିଜେପି କହିଛି 'ବେଶି ଖୁସି ହୁଅନି'। 

ଆପ୍ ରାଜ୍ୟସଭା ସାଂସଦ ରାଘବ ଚଢା ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି କହିଛନ୍ତି, "ଦିଲ୍ଲୀ ଶିକ୍ଷା ବିପ୍ଳବର ହିରୋ ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ଆଜି ସମଗ୍ର ଦେଶ ଆନନ୍ଦିତ।" 

Advertisment

ସେହିପରି ଆପ୍ ନେତ୍ରୀ ଆତିଶୀ କହିଛନ୍ତି, "17 ମାସ ପରେ ମନୀଷ ସିସୋଦିଆ ଜାମିନ ପାଇଛନ୍ତି। ଏହା ସତ୍ୟର ବିଜୟ। ତାଙ୍କୁ ମିଥ୍ୟା ମାମଲାରେ ଫସା ଯାଇଥିଲା... ଏବେ ଆମେ ଅପେକ୍ଷା କରିଛୁ ଦିଲ୍ଲୀର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବେଲରେ ଆସିବେ। ଏହାହିଁ ଦିଲ୍ଲୀ ଜନତାଙ୍କ ବିଜୟ..." 

ସେହିପରି ପୂର୍ବରୁ ଏହି ମାମଲାରେ ଗିରଫ ହୋଇ ଜାମିନ ପାଇଥିବା ଆପ୍ ସାଂସଦ ସଞ୍ଜୟ ସିଂହ କହିଛନ୍ତି, ମନୀଷ ସିସୋଦିଆଙ୍କ ଜାମିନ କେନ୍ଦ୍ରର ଏକଛତ୍ରବାଦ ଶାସନକୁ ଶକ୍ତ ଚାପୁଡ଼ା।

ସେପଟେ ବିଜେପି ଏହାର ପ୍ରତିକ୍ରିୟା ରଖିଛି। ଦିଲ୍ଲୀ ୟୁନିଟ ମୁଖ୍ୟ ବିରେନ୍ଦ୍ର ସଚ୍ଚଦେବ କହିଛନ୍ତି, ମଦ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ବିଜେପି ସର୍ବଦା କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ କରେ... କିନ୍ତୁ ଜଣେ ଅଭିଯୁକ୍ତ ଜାମିନ ପାଇବାର ଅର୍ଥ ନୁହେଁ, ସେ ମାମଲାରୁ ମୁକ୍ତ ହୋଇଗଲେ। ବର୍ତ୍ତମାନ ତଦନ୍ତ ଚାଲିଛି... କୋର୍ଟ ପ୍ରମାଣ ଦେଖିବେ।"

ସେହିପରି ବିଜେପି ସାଂସଦ ଯୋଗେନ୍ଦ୍ର ଚନ୍ଦୋଲିଆ କହିଛନ୍ତି, "କେହି ଜଣେ ଅଭିଯୁକ୍ତ ଜାମିନ ପାଇବେ କି ନାହିଁ ତାହା କୋର୍ଟ ଅଧୀନରେ ଆସେ। ସେ 17-18 ମାସ ଜେଲରେ ଥିଲେ ଏବଂ କ୍ରମାଗତ ଭାବେ ବେଲ୍ ପାଇଁ ଚେଷ୍ଟା କରୁଥିଲେ... ବର୍ତ୍ତମାନ କେଉଁ ସର୍ତ୍ତରେ ସେ ଜାମିନ ପାଇଛନ୍ତି ତାହା ଜଣାପଡିବ। ମୁଁ ଆପକୁ କେବଳ ଏତିକି କହିବି ବେଶି ଖୁସି ହୁଅ ନାହିଁ। ଜାମିନ କେବଳ ଏକ ଆସ୍ୱସ୍ଥି... ଏହା ଅଳ୍ପ ସମୟ ପାଇଁ ଆରାମ ଅଟେ। ଏହି ମାମଲା କୋର୍ଟରେ ଚାଲିବ... ଏଜେନ୍ସି ପାଖରେ ପ୍ରମାଣ ଅଛି।"

Bjp AAP Manish Sisodia Delhi Liquor Policy Scam