Advertisment

ଶେଷଦିନରେ ଜିତୁ ମିତ୍ର ଓ ଶ୍ରୀମୟୀଙ୍କୁ ଅସ୍ତ୍ର କଲେ ଅପରାଜିତା: ବ୍ୟାକଫୁଟରେ ବିଜେଡି, ଆଶଙ୍କାରେ ପ୍ରାର୍ଥୀ

ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଜି ପ୍ରଚାରର ଶେଷଦିନରେ ‘ଓଡ଼ିଶା ରିପୋର୍ଟର’କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ବିଜେଡିର କଟାଘା’ରେ ଚୂନ ଲଗାଇବାକୁ ପ୍ରୟାସ କରିଛନ୍ତି।

Politics

Politics

Advertisment

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଜି ପ୍ରଚାରର ଶେଷଦିନରେ ଦୁଇଟି ବଡ଼ ମାଷ୍ଟରଷ୍ଟ୍ରୋକ୍ ମାରିଛନ୍ତି। ଯାହା ବିଜେଡି ଶିବିର ବିଶେଷକରି ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କଠୁ ବିଜେଡି ଭୋଟ୍ ଛଡ଼ାଇ ଆଣିବାରେ ସକ୍ଷମ ହେବ ବୋଲି ଚର୍ଚ୍ଚା ହେଉଛି। ବିଜେଡିର ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କୁ ଧରି ବିଶାଳ ରୋଡ୍ ଶୋ’ କରିବା ଏବଂ ଶ୍ରୀମୟୀଙ୍କ ପ୍ରତି ସମବେଦନା ଜଣାଇ ବିଜେଡିର ଭୋଟବ୍ୟାଙ୍କରେ ଛିଦ୍ର କରିବାରେ ସକ୍ଷମ ହେବାର ସମ୍ଭାବନା ରହିଛି।

Advertisment

ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଜି ପ୍ରଚାରର ଶେଷଦିନରେ ‘ଓଡ଼ିଶା ରିପୋର୍ଟର’କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ବିଜେଡିର କଟାଘା’ରେ ଚୂନ ଲଗାଇବାକୁ ପ୍ରୟାସ କରିଛନ୍ତି। ବିଜେଡିର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ଟିପ୍ପଣୀ ଦେଇ ‘ବିଜେଡିର ମହିଳା ସମ୍ମାନ’କୁ କଟାକ୍ଷ କରିଛନ୍ତି ଓ ମହିଳା ଭୋଟ୍ ହାତେଇବା ପାଇଁ ଇମୋସନାଲ କାର୍ଡ ଖେଳିବାକୁ ପଛାଇ ନାହାନ୍ତି। ଏହାସହିତ ବିଜେଡିର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପ୍ରତି ସମବେଦନା ଦେଖାଇ ବିଜେଡିର ମହିଳା ଭୋଟରଙ୍କୁ ପ୍ରଭାବିତ ନିମନ୍ତେ ଇମୋସନାଲ କାର୍ଡ ଖେଳିବାକୁ ପଛାଇ ନାହାନ୍ତି। ଅପରାଜିତା କହିଛନ୍ତି ଯେ, ବିଜେଡି ଯେଭଳି ଶ୍ରୀମୟୀ ମିଶ୍ରଙ୍କ ପ୍ରତି ଆଚରଣ କଲେ ତାହା କଦାପି ଠିକ୍ ନୁହେଁ । ଆମ ଦଳ(ବିଜେପି) ଏଭଳି କେବେବି ମୋ’ ପ୍ରତି କିମ୍ବା କୌଣସି ମହିଳାଙ୍କ ପ୍ରତି ଆଚରଣ କରିବ ନାହିଁ । ଶ୍ରୀମୟୀ ସାଂସଦ ପ୍ରାର୍ଥୀ ବୋଲି ଅଶୋକ ପଣ୍ଡା ଘୋଷଣା କଲେ । ଏନେଇ ଦଳ ଅଶୋକ ପଣ୍ଡାଙ୍କୁ ଅନୁମତି ଦେଇଥିବ ବୋଲି ହିଁ ସେ ଘୋଷଣା କଲେ । ଶ୍ରୀମୟୀ ମିଶ୍ର ୬ମାସ ବୁଲିଲେ, ଆଉ ତା’ପରେ ତାଙ୍କୁ ପ୍ରତ୍ୟାହାର କରିନିଆଗଲା । ଏଇଟା ଠିକ୍ ହେଲା କି? ଶ୍ରୀମୟୀ ମିଶ୍ର ଜଣେ ଭଦ୍ର ଓ ଭଲ ମହିଳା । ତାଙ୍କୁ କେଉଁଠି ଫୋପାଡ଼ି ଦେଇଛନ୍ତି । ତାଙ୍କୁ ଖରାପ ଲାଗୁଥିବ ସେ ବାହାରୁ ନାହାନ୍ତି । ମହିଳା ହିସାବରେ ମୋତେ ଏହା ଖୁବ୍ ବାଧିଛି । ସେମାନେ(ବିଜେଡି) ମହିଳାଙ୍କ ପ୍ରତି ସମ୍ମାନକୁ ନେଇ ବଡ଼ବଡ଼ କଥା କହୁଛନ୍ତି । ଇଏ କିପ୍ରକାରର ମହିଳାଙ୍କ ପ୍ରତି ସମ୍ମାନ । କେବଳ ଭୋଟ୍ ପାଇଁ ଏମାନେ ମହିଳା ସମ୍ମାନ କଥା କହି ଭୁଆଁ ବୁଲାଉଛନ୍ତି । ମହିଳାଙ୍କୁ ଭୋଟବ୍ୟାଙ୍କ ହିସାବରେ ନଦେଖନ୍ତୁ । ମହିଳାଙ୍କ ସଙ୍ଗେ ସମ୍ମାନର ସହ ବ୍ୟବହାର କରନ୍ତୁ ବୋଲି ଅପରାଜିତା ବିଜେଡିକୁ ପରାମର୍ଶ ଦେଇଛନ୍ତି।

ଅପରାଜିତାଙ୍କର ଶ୍ରୀମୟୀଙ୍କ ପ୍ରତି ଏଭଳି ସମବେଦନା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଶ୍ରୀମୟୀଙ୍କ ପ୍ରତି ସହାନୁଭୂତି ଦେଖାଇ ଓ ବିଜେଡିକୁ କଟାକ୍ଷ କରି ଅପରାଜିତା ବିଜେଡିର ମହିଳା ଭୋଟବ୍ୟାଙ୍କରେ ଛିଦ୍ର ପାଇଁ ପ୍ରୟାସ କରିଛନ୍ତି । ଶ୍ରୀମୟୀଙ୍କୁ ତାଙ୍କ ଦଳ ଏପର୍ଯ୍ୟନ୍ତ ପ୍ରଚାର ମଇଦାନକୁ ଓହ୍ଲାଇପାରିନି । ମନ୍ମଥ ରାଉତରାୟ ପ୍ରାର୍ଥୀ ହେବାଦିନଠୁ ଶ୍ରୀମୟୀଙ୍କ ଖୋଜଖବର ନାହିଁ । ବିଜେଡିର ଆଗଧାଡ଼ିର ମହିଳା ଚେହେରା ଶ୍ରୀମୟୀଙ୍କୁ ପଛରୁ ଛୁରାମାଡ଼ କରି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ କରିଥିବାରୁ ଦଳର ମହିଳା ଭୋଟରମାନେ ଗତ କିଛିଦିନ ଧରି ଖୋଲାଖୋଲି ନିଜର ଅସନ୍ତୋଷକୁ ଦଳୀୟ ବିଧାୟକ ପ୍ରାର୍ଥୀମାନଙ୍କ ଆଗରେ ଉପସ୍ଥାପନ କରିସାରିଛନ୍ତି । ଆଉ ଆଜି ଅପରାଜିତାଙ୍କ ବୟାନ ବିଜେଡି ମହିଳା ଭୋଟବ୍ୟାଙ୍କରେ ଛିଦ୍ର କରାଇବାରେ ସକ୍ଷମ ହେବ ଓ ବିଜେଡିର ବିଧାୟକ ପ୍ରାର୍ଥୀମାନଙ୍କ ଭୋଟ୍ ପ୍ରଭାବିତ କରିବ ବୋଲି ଚର୍ଚ୍ଚା।

Advertisment

ସେହିପରି ଗତକାଲି ଖୋର୍ଦ୍ଧା ହାବେଳି ପଡ଼ିଆରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭାକୁ ଦଳର ସ୍ଥାନୀୟ ବିଧାୟକ ଜିତୁ ମିତ୍ରଙ୍କୁ ଡକାନଯିବା ମଧ୍ୟ ବିଜେଡିକୁ ମହଙ୍ଗା ପଡ଼ିଛି। ଶ୍ରୀ ମିତ୍ର ଆଜି ନାଟକୀୟ ଢଙ୍ଗରେ ଅପରାଜିତାଙ୍କ ରୋଡ୍ ଶୋ’ରେ ସାମିଲ ହେବା ଖୋର୍ଦ୍ଧାରେ ବିଜେଡିର ଭୋଟବ୍ୟାଙ୍କରେ ଘଳିଆ ପକାଇଛି।

ଏପଟେ ଜଟଣୀରେ ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟ ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସମର୍ଥକମାନଙ୍କ ମଧ୍ୟରେ ତୀବ୍ର ଗୋଷ୍ଠୀକନ୍ଦଳ  ଓ ଛକାପଞ୍ଝା, ଏପରିକି ଦୁଇ ପ୍ରାର୍ଥୀ ଭିନ୍ନ ଭିନ୍ନ ପ୍ରଚାର ଅଫିସ୍ କରିଥିବା ଯୋଗୁ ସେଠାରେ ଉଭୟ ପ୍ରାର୍ଥୀଙ୍କ ସପକ୍ଷରେ ଆଶାନୁରୂପ ଭୋଟ୍ ପଡ଼ିବାର ସମ୍ଭାବନା କ୍ଷୀଣ । ଜଟଣୀରେ ବିଧାୟକ ସୁର ରାଉତରାୟଙ୍କ ଭୋଟବ୍ୟାଙ୍କ ରହିଛି ବୋଲି ବିଜେଡି ଯେଉଁ ଆକଳନ କରିଥିଲା ତାହା ଏବେ ଭୁଲ୍ ପ୍ରମାଣିତ ହୋଇଛି । ସ୍ଥିତି ଏଭଳି ହୋଇଛି ଯେ, ବିଜେଡି ଚାପରେ ସୁରଙ୍କୁ ଗତ ଦୁଇଦିନ ହେଲା ଗଣମାଧ୍ୟମ ସମ୍ମୁଖରେ ଦେଖିବାକୁ ବି ମିଳୁନି।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ତୀବ୍ର ଗୋଷ୍ଠୀକନ୍ଦଳ ଏବଂ ପରାଜୟର ଆଶଙ୍କାକୁ ଦେଖି ଯୁଦ୍ଧକାଳୀନ ଭିତ୍ତିରେ ଭୋଟ୍ ମ୍ୟାନେଜ୍ ପାଇଁ ବିଜେଡି ଏବେ ଜିଲ୍ଲାର ମହିଳା ଏସଏଚଜି ନେତ୍ରୀମାନଙ୍କୁ ଡାକି ତାଗିଦ୍ ଓ ସୁବିଧାସୁଯୋଗ ବନ୍ଦ କରିଦିଆଯିବାର ଚେତାବନୀ ଦେବାକୁ ପଛାଇ ନାହିିଁ । ମିଶନ ଶକ୍ତି ବିଭାଗର ଜଣେ ଯୁଗ୍ମ ସଚିବ ପାହ୍ୟାର ଅଫିସର(ଜେନାବାବୁ ଯାହାଙ୍କ ନାଁରେ ବିଜେପି ପୂର୍ବରୁ ଅଭିଯୋଗ କରିଛି) ମଧ୍ୟ ଏବେ ଜିଲ୍ଲାର ମିଶନଶକ୍ତି ବିଭାଗର ଅଧିକାରୀମାନଙ୍କ ଉପରେ ଚାପ ପକାଇ ବିଜେଡି ସପକ୍ଷରେ ମହିଳା ଭୋଟ ସଂଗ୍ରହ ନିମନ୍ତେ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି।

2024 Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe