Advertisment

ଦିନେ ଥିଲେ ବନ୍ଧୁକଧାରୀ ମାଓବାଦୀ, ଏବେ ବନିଲେ ମନ୍ତ୍ରୀ

ନିକଟରେ ଶେଷ ହୋଇଥିଲା ତେଲଙ୍ଗାନା ବିଧାନସଭା ନିର୍ବାଚନରେ ୫୨ ବର୍ଷୀୟ ସୀତାକ୍କା ମୁଲୁଗ ଆସନରୁ ପୁଣି ବିଧାୟକ ହୋଇଛନ୍ତି।

author-image
Hemant Lenka
Minister

Minister

ପ୍ରଥମେ ବନ୍ଧୁକ ଧରି ଲୋକଙ୍କୁ ଭୟଭୀତ କରୁଥିଲେ। କୁଖ୍ୟାତ ମାଓବାଦୀ ଭାବେ ପରିଚୟ ହାସଲ କରିଥିଲେ। କିନ୍ତୁ ସମୟକ୍ରମେ ମୁଖ୍ୟସ୍ରୋତକୁ ଫେରି ଓକିଲ ବନିଲେ। ଏହାପରେ ସେ ବିଧାୟକ ହେଲେ। ଏବେ ସେ ତେଲଙ୍ଗାନାରେ କ୍ଷମତା ଦଖଲ କରିଥିବା କଂଗ୍ରେସ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମାଓବାଦୀରୁ ମନ୍ତ୍ରୀ ହୋଇଥିବା ବିଧାୟକ ଜଣଙ୍କ ହେଲେ ଦାନାସାରି ଅନସୂୟା ଓରଫ ସୀତାକ୍କା।

Advertisment

ଆଜି ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସୀତାକ୍କା ଏଲବି ଷ୍ଟାଡିୟମରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ନେବାକୁ ତାଙ୍କ ନାଁ ଡକାଯିବା ମାତ୍ରେ ସେ ପୂରା ଭାବବିହ୍ୱଳ ହୋଇଯାଇଥିଲେ। ସେ ଷ୍ଟେଜ ଆଡ଼କୁ ଯିବା ବେଳେ କରତାଳିରେ ପୂରା ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା।

ସେ ଏହାକୁ କିଛି ସମୟ ଛିଡ଼ା ହୋଇ ଉପଭୋଗ କରିଥିଲେ। ସମସ୍ତଙ୍କୁ ହାତ ଯୋଡ଼ି ଧନ୍ୟବାଦ ଜଣାଇଥିଲେ। ଶେଷରେ ରାଜ୍ୟପାଳ ତାମିଲସାଇ ସୌନ୍ଦରାଜନ ତାଙ୍କୁ ଶପଥ ପାଠ କରିବାକୁ କହିଥିଲେ।

Advertisment

ଶପଥ ନେବା ପରେ ସେ ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କ ସହ ହାତ ମିଳାଇଛନ୍ତି। ରେବନ୍ଥ ତାଙ୍କୁ ସବୁବେଳେ ଭଉଣୀ ବୋଲି କହି ଆସୁଥିଲେ। ରେବନ୍ଥଙ୍କ ପାଖରୁ ସେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଓ ସୋନିଆ ଗାନ୍ଧିଙ୍କ ପାଖକୁ ଯାଇ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ସୋନିଆ ତାଙ୍କୁ ଛିଡ଼ା ହୋଇ କୁଣ୍ଢାଇବା ସହ ଶୁଭେଚ୍ଛା ଜଣାଇଥିଲେ। ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ରାହୁଲ ଗାନ୍ଧିଙ୍କ ସହ ମଧ୍ୟ ସେ ହାତ ମିଳାଇବାର ଦୃଶ୍ୟ ସାମ୍ନାକୁ ଆସିଛି।

ନିକଟରେ ଶେଷ ହୋଇଥିଲା ତେଲଙ୍ଗାନା ବିଧାନସଭା ନିର୍ବାଚନରେ ୫୨ ବର୍ଷୀୟ ସୀତାକ୍କା ମୁଲୁଗ ଆସନରୁ ପୁଣି ବିଧାୟକ ହୋଇଛନ୍ତି। ଏହି ଆସନଟି ଅନୁସୂଚିତ ଜାତି ବର୍ଗର ଲୋକଙ୍କ ପାଇଁ ସଂରକ୍ଷିତ ରହିଥିଲା।

କୋୟା ଆଦିବାସୀ ବର୍ଗରୁ ଆସିଥିବା ସୀତାକ୍କା ଯୁବାବସ୍ଥାରେ ହିଁ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ। ଉକ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସେ ସଶସ୍ତ୍ର ବାହିନୀର ନେତୃତ୍ୱ ନେଇଥିଲେ। ପୁଲିସ୍‌ ସହ ହୋଇଥିବା ଅନେକ ଗୁଳି ବିନିମୟ ଘଟଣାରେ ସୀତାକ୍କା ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଗୁଳି ବିନିମୟ ସମୟରେ ସେ ତାଙ୍କ ସ୍ୱାମୀ ଓ ଭାଇଙ୍କୁ ମଧ୍ୟ ହରାଇଥିଲେ।

୧୯୯୪ରେ ସାଧାରଣ କ୍ଷମା ନୀତି ବଳରେ ସୀତାକ୍କା ମାଓବାଦୀ ସଂଗଠନରୁ ଦୂରେଇ ଯାଇଥିଲେ ଓ ସରକାରଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ। ବନ୍ଧୁକ ଛାଡ଼ିବା ପରେ ତାଙ୍କ ଜୀବନର ଗତିପଥର ବଦଳି ଯାଇଥିଲା। ସେ ପାଠ ପଢ଼ିବା ସହ ଆଇନ ବିଭାଗରେ ଡିଗ୍ରୀ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଡିଗ୍ରୀ ହାସଲ କରିବା ପରେ ସେ ୱାରାଙ୍ଗଲ ଜିଲ୍ଲାରେ ଗୋଟିଏ କୋର୍ଟରେ ଓକିଲାତି ଅଭ୍ୟାସ କରିଥିଲେ।

ପରବର୍ତ୍ତୀ ଅବସ୍ଥାରେ ସେ ଟିଡିପିରେ ସାମିଲ ହୋଇ ୨୦୦୪ରେ ମୁଲୁଗ ଆସନରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ କଂଗ୍ରେସ ଲହର ଯୋଗୁ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। ୨୦୦୯ରେ ସେ ସମାନ ଆସନରୁ ଆଉ ଥରେ ନିର୍ବାଚନ ଲଢ଼ି ବାଜିମାତ କରିଥିଲେ। ୨୦୧୪ରେ ତାଙ୍କୁ ହାରିବାକୁ ପଡ଼ିଥିଲା।

୨୦୧୭ରେ ସେ ଟିଡିପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ। ୨୦୧୮ରେ ଟିଆରଏସ(ଏବେ ବିଆରଏସ)ର ଦବଦବା ସତ୍ତ୍ୱେ ସୀତାକ୍କା ତାଙ୍କ ଗଡ଼ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ। ମହାମାରୀ କରୋନା ବେଳେ ଉପାନ୍ତ ଗାଁ ଗୁଡ଼ିକରେ ପହଞ୍ଚି ସେ ଲୋକଙ୍କୁ ସାହାଯ୍ୟ କରି ବେଶ ଚର୍ଚ୍ଚାକୁ ଆସିଥିଲେ।

ସୀତାକ୍କା ନିଜ କାନ୍ଧରେ ବଡ଼ବଡ଼ ବସ୍ତା ଓ ଟିଫିନ ରଖି ପାହାଡ଼ିଆ ରାସ୍ତା ଓ ଝରଣାକୁ ଅତିକ୍ରମ କରି ଲକଡାଉନ ବେଳେ ଲୋକଙ୍କ ପାଖରେ ପହଞ୍ଚିଥିଲେ। ଯେଉଁ ଜଙ୍ଗଲରେ ସେ ୧୯୮୦ ଓ ୧୯୯୦ରେ ମାଓବାଦୀ ସାଜି ବୁଲୁଥିଲେ, ତାକୁ ଅତିକ୍ରମ କରି ସେ ଲୋକଙ୍କ ପାଇଁ ଜରୁରୀ ଜିନିଷ ଧରି ପହଞ୍ଚି ଯାଇଥିଲେ। ପୂର୍ବରୁ ସେ ଜଙ୍ଗଲରେ ବନ୍ଧୁକ ଧରି ବୁଲୁଥିଲେ କିନ୍ତୁ କରୋନା ବେଳେ ସେ ଲୋକଙ୍କ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ଜିନିଷ ଧରି ଯାଇଥିଲେ।

ଗତବର୍ଷ ଓସମାନିଆ ବିଶ୍ୱବିଦ୍ୟାଳୟରୁ ସୀତାକ୍କା ରାଜନୀତି ବିଜ୍ଞାନରେ ପିଏଚଡି ହାସଲ କରିଛନ୍ତି। ସୀତାକ୍କା କହିଛନ୍ତି, “ମୁଁ ପିଲାବେଳେ କେବେ ହେଲେ ମାଓବାଦୀ ହେବି ବୋଲି ଭାବି ନଥିଲି। ମୁଁ ମାଓବାଦୀ ହେବା ପରେ କେବେ ହେଲେ ଓକିଲ ହୋଇପାରିବି ବୋଲି ଭାବି ନଥିଲି। ବିଧାୟକ ହେବା ପରେ ମୁଁ ପିଏଚ୍‌ଡି କରିପାରିବି ବୋଲି ଆଶା କରି ନଥିଲି। ହେଲେ ଏବେ ଆପଣମାନେ ମୋତେ ଡ. ଅନସୂୟା ସୀତାକ୍କା କହିପାରିବେ। ଲୋକଙ୍କ ସେବା କରିବା ଓ ଜ୍ଞାନ ହାସଲ କରିବା ମୋ ଅଭ୍ୟାସ। ଏହି କାମ ପୁଁ ଶେଷ ନିଃଶ୍ୱାସ ଯାଏ ଜାରି ରଖିବି।”

Congress Telangana Assembly Election Telangana Polls Telangana Politics