Advertisment

ଅଜୟ କୁମାରଙ୍କ ଫତୱା: ମିଡିଆରେ ଦଳର ଆଭିମୁଖ୍ୟ ରଖିପାରିବେ କେବଳ ୪ କଂଗ୍ରେସ ନେତା

ସାଧାରଣ ନିର୍ବାଚନରେ ଟିକେଟ୍ ଅନିୟମିତତା ଓ ଦଳର ପ୍ରଦର୍ଶନକୁ ନେଇ ତୀବ୍ର ଅସନ୍ତୋଷକୁ ଚାପିବା ନିମନ୍ତେ ପିସିସିର ସମସ୍ତ କମିଟିକୁ ଗତ ମାସରେ ଏଆଇସିସି ଭାଙ୍ଗି ଦେଇଥିଲେ ।

author-image
Ordigital Desk
Ajay Kumar

Ajay Kumar

ରାଜ୍ୟରେ କଂଗ୍ରେସର ନୂଆ ଷ୍ଟିୟରିଂ କମିଟିକୁ ନେଇ ଦଳୀୟ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବାବେଳେ ଦଳର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଆଜି ଏକ ଫତୱା ଜାରି କରିଛନ୍ତି । କଂଗ୍ରେସ ପକ୍ଷରୁ ଗଣମାଧ୍ୟମକୁ ଆନୁଷ୍ଠାନିକ ବୟାନ ଦଳର ୪ଜଣ ନେତା ହିଁ ଦେଇପାରିବେ ବୋଲି ଅଜୟ କୁମାରଙ୍କ ଦସ୍ତଖତରେ ପ୍ରେସ୍ ରିଲିଜ୍ ଜାରି ହୋଇଛି । ଯାହାକୁ ନେଇ ଦଳରେ ବଢ଼ୁଥିବା ଅସନ୍ତୋଷ ତୀବ୍ର ରୂପ ନେବାର ଆଶଙ୍କା ରହିଛି ।

Advertisment

ଆଜି ଏଆଇସିସିର ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କ ଦସ୍ତଖତରେ ଜାରି ଏକ ପ୍ରେସ୍ ରିଲିଜ ଜାରି ହୋଇଛି । ଯେଉଁଥିରେ ଦଳର ୪ଜଣ ନେତା- ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା, ଶ୍ରୀକାନ୍ତ ଜେନା ଓ ବିଶ୍ୱରଞ୍ଜନ ମହାନ୍ତିଙ୍କୁ ମିଡିଆରେ ଆନୁଷ୍ଠାନିକ ବୟାନ ଦେବା ପାଇଁ ଏଆଇସିସି(ଅଖିଳ ଭାରତୀୟ କଂଗ୍ରେସ କମିଟି) ଦ୍ୱାରା ନିଯୁକ୍ତି ଦିଆଯାଇଥିବା ନେଇ ଉଲ୍ଲେଖ ରହିଛି । ଅର୍ଥାତ୍ ଦଳର ଅନ୍ୟ ବରିଷ୍ଠ ନେତାମାନେ ଗଣମାଧ୍ୟମକୁ ଯେଉଁ ବୟାନ ଦେବେ ତାହା କଂଗ୍ରେସର ମତ ଭାବେ ବିବେଚନା କରାଯିବ ନାହିଁ ବୋଲି ପରୋକ୍ଷରେ ଚେତାଇ ଦେବାକୁ ପ୍ରୟାସ କରିଛନ୍ତି ଅଜୟ କୁମାର ।

ଅନ୍ୟପକ୍ଷରେ ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାଧାରଣ ନିର୍ବାଚନରେ ଟିକେଟ୍ ଅନିୟମିତତା ଓ ଦଳର ପ୍ରଦର୍ଶନକୁ ନେଇ ତୀବ୍ର ଅସନ୍ତୋଷକୁ ଚାପିବା ନିମନ୍ତେ ପିସିସିର ସମସ୍ତ କମିଟିକୁ ଗତ ମାସରେ ଏଆଇସିସି ଭାଙ୍ଗି ଦେଇଥିଲେ । ତେବେ ଗତ ୩ଦିନ ତଳେ ଓଡ଼ିଶା ପାଇଁ ୧୪ଜଣ ନେତାଙ୍କୁ ନେଇ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି, ଯେଉଁଥିରେ ଅଜୟ କୁମାର ଅଧ୍ୟକ୍ଷ ରହିଛନ୍ତି ଓ ଏହି କମିଟି  ସାଂଗଠନିକ କାର୍ଯ୍ୟକ୍ରମର ତଦାରଖ କରିବେ । ମାତ୍ର ଏହି ଷ୍ଟିୟରିଂ କମିଟିରେ ବରିଷ୍ଠ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ତାରାପ୍ରସାଦ ବାହିନୀପତି ପ୍ରମୁଖଙ୍କ ଭଳି ନେତାଙ୍କୁ ସାମିଲ କରାଯାଇନଥିବାରୁ ଦଳ ଭିତରେ ଅସନ୍ତୋଷ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଏପରିକି ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ ଦଳରେ ତାଙ୍କର ଆବଶ୍ୟକତା ନଥିବା ସେ ଅନୁଭବ କରୁଥିବା କଥା କହି ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହିପରି ପିସିସିର ପୂର୍ବତନ ପ୍ରଚାରକମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ମଧ୍ୟ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

Advertisment

ଯଦିଓ କ୍ୟାମେରା ସମ୍ମୁଖରେ ଦଳର ବରିଷ୍ଠ ନେତାମାନେ ନିଜର ଅସନ୍ତୋଷକୁ ବ୍ୟକ୍ତ କରୁନାହାନ୍ତି, କିନ୍ତୁ ସେମାନେ ଦଳରେ ଅଜୟ କୁମାରଙ୍କ କାର୍ଯ୍ୟଧାରାକୁ ନାପସନ୍ଦ କରୁଥିବା ଜଣାପଡ଼ିଛି । ସାଧାରଣ ନିର୍ବାଚନରେ ଅଜୟ କୁମାରଙ୍କ ତ୍ରୁଟିପୂର୍ଣ୍ଣ ରଣନୀତି ଓ ନିଷ୍ପତ୍ତି ଯୋଗୁ ଦଳ ବହୁ ସ୍ଥାନରେ ସଠିକ୍ ସମୟରେ ଯୋଗ୍ୟ ପ୍ରାର୍ଥୀ ଦେଇପାରିଲା ନାହିଁ ବୋଲି ଅଭିଯୋଗ ହେଉଛି ।

କଂଗ୍ରେସ ରାଜ୍ୟରେ ନିଜର ନିର୍ବାଚନୀ ବିପର୍ଯ୍ୟୟର ସମୀକ୍ଷା ବରିଷ୍ଠ ନେତାମାନଙ୍କ ଦ୍ୱାରା କରିନଥିବାବେଳେ ଅଜୟ କୁମାର ଏକତରଫା ଭାବେ ଓଡ଼ିଶା ପିସିସିକୁ ନିଜ ନିୟନ୍ତ୍ରଣରେ ରଖିବାକୁ କରିଥିବା ଗୋଟିଚାଳନାକୁ ଦୃଢ଼ ବିରୋଧ ପାଇଁ ରାଜ୍ୟ କଂଗ୍ରେସର ଏକ ବୃହତ୍ ଗୋଷ୍ଠୀ ସଜବାଜ ହେଉଥିବା ଜଣାପଡ଼ିଛି ।

Congress Dr Ajoy Kumar