/odisha-reporter/media/post_attachments/uploads/2018/08/Rajashree-Bishnu.jpg)
Rajashree-Bishnu
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ବିଜେଡିରେ ଗୋଷ୍ଠୀକନ୍ଦଳ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଜିଲ୍ଲା ସଭାପତି ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇ ମାସକ ତଳେ ଗଠନ ହୋଇଥିବା ଦଳର ‘ଜିଲ୍ଲା ମହିଳା ପଦାଧିକାରୀ କମିଟି’ରେ ପରିବର୍ତ୍ତନ କରାଯାଇଛି।
ଜିଲ୍ଲା ବିଜେଡି ମହିଳା ୱିଙ୍ଗର ସଭାନେତ୍ରୀ ତଥା ବିଧାୟିକା ଡା. ରାଜଶ୍ରୀ ମଲ୍ଲିକଙ୍କ ୩ ଜଣ ସମର୍ଥକଙ୍କୁ ବ୍ଲକ୍ ସଭାନେତ୍ରୀ ପଦରୁ ବିଦା କରାଯାଇ ବିଷ୍ଣୁଙ୍କ ସମର୍ଥିତ ନେତ୍ରୀମାନଙ୍କୁ ଅବସ୍ଥାପିତ କରାଯାଇଛି। ଏନେଇ ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ପ୍ରମିଳା ମଲ୍ଲିକ ବିଧିବଦ୍ଧ ଚିଠି ଲେଖି ବିଷ୍ଣୁଙ୍କୁ ଅବଗତ କରିଛନ୍ତି।
ତେବେ ପ୍ରାୟ ଦେଢ଼ମାସ ପୂର୍ବରୁ ଗଠିତ ଦଳର ଜିଲ୍ଲା ମହିଳା ସଂଗଠନରେ ଏଭଳି ଅଚାନକ ପରିବର୍ତ୍ତନକୁ ନେଇ ରାଜଶ୍ରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ରାଜଶ୍ରୀ ପୂର୍ବରୁ ନିଜ ଟିମ୍ରେ ଜଗତସିଂହପୁର ବ୍ଲକ୍ ସଭାନେତ୍ରୀ ଭାବେ ସୁକାନ୍ତି ଚୌଧୁରୀ, ଜଗତସିଂହପୁର ପୌରାଞ୍ଚଳ ସଭାନେତ୍ରୀ ଭାବେ ସୁପ୍ରିୟା ବିଶ୍ୱାଳ ଓ ନାଉଁଗା ବ୍ଲକ୍ ସଭାନେତ୍ରୀ ଭାବେ ଶାନ୍ତିଲତା ନାୟକଙ୍କୁ ନିଯୁକ୍ତି ଦେଇଥିଲେ। ବିଷ୍ଣୁଙ୍କ ଅଜାଣତରେ ଏହି ସମସ୍ତ ନେତ୍ରୀଙ୍କୁ ନିଯୁକ୍ତି ମିଳିଥିଲା।
[caption id="attachment_266638" align="aligncenter" width="816"]
କିରଣବାଳା ସାସମଲ, ରୀତା ମହାନ୍ତି ଓ ସମିମା ବେଗମ୍[/caption]
ଏହି ନିଯୁକ୍ତିକୁ ବିରୋଧ କରି ବିଷ୍ଣୁଙ୍କ ସମର୍ଥକମାନେ ଗତ ସପ୍ତାହରେ ଜିଲ୍ଲା ସର୍କିଟ ହାଉସ୍ରେ ବୈଠକ କରି ଦଳର ସାଂଗଠନିକ କାର୍ଯ୍ୟରେ ଅସହଯୋଗ ଓ ରାଜ୍ୟ ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ବାସଭବନ ଘେରାଉ ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ଘଟଣାକୁ ନେଇ ବିଷ୍ଣୁ ଓ ରାଜଶ୍ରୀ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ମୁହାଁମୁହିଁ ହୋଇଥିଲେ ତଥା ଜିଲ୍ଲାର ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ ମଧ୍ୟ ଏଥିରେ ବିଷ୍ଣୁଙ୍କ ଭୂମିକାକୁ କଡ଼ା ସମାଲୋଚନା କରିଥିଲେ।
ତେବେ ବିଷ୍ଣୁ ଜିଲ୍ଲା ସଂଗଠନରେ ତାଙ୍କୁ ଏଭଳି ଅଣଦେଖା କରାଯିବା ବିରୋଧରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ଆପତ୍ତି ଅଭିଯୋଗ କରିବା ପରେ ମଙ୍ଗଳବାର ରାଜଶ୍ରୀଙ୍କ ଦ୍ୱାରା ବ୍ଲକ୍ ସଭାନେତ୍ରୀ ନିଯୁକ୍ତିକୁ ରଦ୍ଦ କରାଯାଇ ଜଗତସିଂହପୁର ପୌରାଞ୍ଚଳ ସଭାନେତ୍ରୀ ପଦରେ ସମିମା ବେଗମ୍, ଜଗତସିଂହପୁର ବ୍ଲକ୍ ସଭାନେତ୍ରୀ ଭାବେ କିରଣବାଳା ସାସମଲ ଓ ନାଉଁଗା ବ୍ଲକ୍ ସଭାନେତ୍ରୀ ଭାବେ ରୀତା ମହାନ୍ତିଙ୍କୁ ଅବସ୍ଥାପିତ କରାଯାଇଛି।
ଏହି ନୂଆ ନିଯୁକ୍ତି ଉପରେ ପ୍ରତିକ୍ରିୟା ଦେଇ ରାଜଶ୍ରୀ କହିଛନ୍ତି, “ବିଷ୍ଣୁ ଦାସଙ୍କ ଅସହଯୋଗ ଯୋଗୁ ଦଳର ଜିଲ୍ଲା ମହିଳା କମିଟି ୨ ବର୍ଷ ପର୍ଯ୍ୟନ୍ତ ଗଠନ ହୋଇପାରିଲା ନାହିଁ। କମିଟି ଗଠନ ହୋଇସାରିବା ପରେ ‘ବିକୃତ ମାନସିକତା’ ରଖି ସେ ବିଶୃଙ୍ଖଳା କଲେ। ରାଜ୍ୟ ସଭାନେତ୍ରୀଙ୍କୁ ପ୍ରମିଳା ମଲ୍ଲିକଙ୍କୁ ୟାଡୁ ସାଡ଼ୁ ଭାଷା ପ୍ରୟୋଗ କରି ଅସଦ୍ ବ୍ୟବହାର କଲେ। ଦଳର ଶୃଙ୍ଖଳା ଦୃଷ୍ଟିରୁ ତାଙ୍କ କଥା ରଖାଯାଇଛି। ତେବେ ଗୋଟିଏ ଦିନ ଅପେକ୍ଷା କରନ୍ତୁ, ଦେଖିବେ କ’ଣ ହେଉଛି” ବୋଲି ରାଜଶ୍ରୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
