Advertisment

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ନବୀନ ଲେଖିଛନ୍ତି, ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଜାତିର ମୁରବୀ। ଆମ ବିଶ୍ୱାସର କେନ୍ଦ୍ରବିନ୍ଦୁ। ଏହି ପରିପ୍ରେକ୍ଷୀରେ ମୁଁ ଆପଣଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ଆପଣ ନିଜେ ଦାୟିତ୍ଵ ନେଇ ଏଭଳି ଅଘଟଣ ଯେଭଳି ପୁନରାବୃତ୍ତି ନ ଘଟିବ ତାହା ସୁନିଶ୍ଚିତ କରିବେ।

author-image
Manoranjan Sial
ଅଦ୍ୟତନ ହୋଇଛି
BJP

BJP

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶ୍ରୀକ୍ଷେତ୍ରରେ ପହଣ୍ଡି ଅଘଟଣକୁ ନେଇ ସେ ଚିଠି ଲେଖିଛନ୍ତି। ନବୀନ ଚିଠିରେ ଲେଖିଛନ୍ତି, ପହଣ୍ଡି ଅଘଟଣ ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି। ମୁଁ ମଧ୍ୟ ଏହି ଘଟଣା ପାଇଁ ଅତ୍ୟନ୍ତ ମର୍ମାହତ ବୋଲି ନବୀନ ଲେଖିଛନ୍ତି।

Advertisment

ନବୀନ ପଟ୍ଟନାୟକ ଚିଠିରେ ଲେଖିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଅସ୍ମିତାର ପ୍ରତୀକ। ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ। ସେ ହେଉଛନ୍ତି ଏ ଜାତିର ମଉଡମଣି। ଜଗତର ନାଥ ଜଗନ୍ନାଥ। ମହାପ୍ରଭୁଙ୍କ ରଥଯାତ୍ରାରେ ଭାଗ ନେବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ଆସି ପୁରୀ ଧାମରେ ସମ୍ମିଳିତ ହୋଇଥାନ୍ତି ବୋଲି ଲେଖିଛନ୍ତି।

ସେ ଆହୁରି ଲେଖିଛନ୍ତି, ଚଳିତବର୍ଷ ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା, ତାହା ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବରେ ବ୍ୟଥିତ କରିଛି। ମୁଁ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ। ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଜାତିର ଇଷ୍ଟ। ତାଙ୍କର ପହଣ୍ଡି ବେଳେ ଏଭଳି ଅଘଟଣ ଅଶୃତପୂର୍ବ। ଚାରମାଳରେ ପହଣ୍ଡି ସମୟରେ ବଡ ଠାକୁର ମୁହଁ ମାଡି ପଡି ଯିବାର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ରଥଯାତ୍ରାର ହଜାର ହଜାର ବର୍ଷର ପରମ୍ପରାରେ ଏଭଳି ଘଟଣା କେବେ ଘଟି ନଥିଲା। ଆଖିରେ ଦେଖି ମଧ୍ୟ ଏଭଳି ଅଘଟଣକୁ ବିଶ୍ୱାସ କରି ହେଲାନାହିଁ। ଏଭଳି ସ୍ପର୍ଶକାତର ବିଷୟରେ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ଯେଭଳି ହାଲୁକା ମନ୍ତବ୍ୟ ଦେଲେ, ତାହା ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ୱି’ଗୁଣିତ କରିଛି। ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି। ସରକାରଙ୍କର ଏଭଳି ଅଭିମୁଖ୍ୟ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତ କରିବାରେ ସମର୍ଥ ହେଲାନାହିଁ ବୋଲି ନବୀନ ଚିଠିରେ ଲେଖିଛନ୍ତି।

Advertisment

ନବୀନ ଲେଖିଛନ୍ତି, ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଜାତିର ମୁରବୀ। ଆମ ବିଶ୍ୱାସର କେନ୍ଦ୍ରବିନ୍ଦୁ। ଏହି ପରିପ୍ରେକ୍ଷୀରେ ମୁଁ ଆପଣଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ଆପଣ ନିଜେ ଦାୟିତ୍ଵ ନେଇ ଏଭଳି ଅଘଟଣ ଯେଭଳି ପୁନରାବୃତ୍ତି ନ ଘଟିବ ତାହା ସୁନିଶ୍ଚିତ କରିବେ। ମୋର ବିଶ୍ୱସ ଏ ଦିଗରେ ଆପଣଙ୍କ ଦୃଷ୍ଟାନ୍ତମୂଳକ ପଦକ୍ଷେପ କୋଟି କୋଟି ଭକ୍ତଙ୍କୁ ଆଶ୍ୱସ୍ତ କରିବାରେ ସହାୟକ ହେବ ବୋଲି ଚିଠିରେ ନବୀନ ଲେଖିଛନ୍ତି।

Naveen Patnaik Bjp BjD Mohan Charan Majhi Ratha Yatra