Advertisment

ନିର୍ବାଚନୀ ବଣ୍ଡ ଜରିଆରେ ବିଜେପି ଦୁର୍ନୀତି କରିଥିବା ଅଭିଯୋଗ କଲେ ବିରୋଧୀ, ସ୍ୱତନ୍ତ୍ର ତଦନ୍ତ ଦାବି

କ୍ଷମତାର ଅପବ୍ୟବହାର କରି ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କ ଠାରୁ ବିଜେପି ନିର୍ବାଚନୀ ବଣ୍ଡ ଜରିଆରେ ଟଙ୍କା ହାସଲ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି।

author-image
Hemant Lenka
 electoral bonds

electoral bonds

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୁରୁବାର ସନ୍ଧ୍ୟାରେ ନିର୍ବାଚନ କମିଶନ ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ କରିଛନ୍ତି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ କ୍ଷମତାସୀନ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ। ନିର୍ବାଚନୀ ବଣ୍ଡରୁ ବିଭିନ୍ନ ରାଜନୀତିକ ଦଳ ପାଇଥିବା ମୋଟ ଚାନ୍ଦାର ୫୦%ରୁ ଅଧିକ ୬.୦୬୦.୫ କୋଟି ଟଙ୍କା ପାଇଛି।

Advertisment

କ୍ଷମତାର ଅପବ୍ୟବହାର କରି ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କ ଠାରୁ ବିଜେପି ନିର୍ବାଚନୀ ବଣ୍ଡ ଜରିଆରେ ଟଙ୍କା ହାସଲ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି। କଂଗ୍ରେସର କହିବା କଥା ଯେ ବିଜେପିର ଦୁର୍ନୀତି ରଣକୌଶଳ ନିର୍ବାଚନୀ ବଣ୍ଡ ତଥ୍ୟ ସାମ୍ନାକୁ ଆସିବା ପରେ ପର୍ଦ୍ଦାଫାସ ହୋଇଯାଇଛି। ବିଭିନ୍ନ କମ୍ପାନୀର ବେଆଇନ କାର୍ଯ୍ୟକଳାକୁ ଲୁଚାଇବା ପାଇଁ ବିଜେପି ଚାନ୍ଦା ଆଦାୟ କରିଥିବା ଦଳ ଅଭିଯୋଗ କରିଛି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିର୍ବାଚନୀ ବଣ୍ତ ଜରିଆରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି। ଏଥିସହ ସେ ଏହାର ସ୍ୱତନ୍ତ୍ର ତଦନ୍ତ ପାଇଁ ଦାବି କରିଛନ୍ତି। ତଦନ୍ତ ଶେଷ ନ ହେବା ଯାଏ ବିଜେପିର ପାଣ୍ଠିକୁ ଅଚଳ କରିବାକୁ ମଧ୍ୟ ସେ କହିଛନ୍ତି।

Advertisment

ସେ କହିଛନ୍ତି, “ବିଜେପି ନିର୍ବାଚନୀ ବଣ୍ଡ ଜରିଆରେ କୋଟି କୋଟି ଟଙ୍କା ପାଇଛି। କଂଗ୍ରେସ ମଧ୍ୟ ଚାନ୍ଦା ପାଇଛି। କିନ୍ତୁ ଆମ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରି ଦିଆଯାଇଛି। ଯଦି ବିରୋଧୀ ଦଳଗୁଡ଼ିକର ଆକାଉଣ୍ଟକୁ ଫ୍ରିଜ କରି ଦିଆଯିବ, ତା’ହେଲେ ଆମେ କେମିତି ନିର୍ବାଚନ ଲଢ଼ିବୁ?”

ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି କହୁଥିଲେ ନା ଖାଉଙ୍ଗା, ନା ଖାନେ ଦୁଙ୍ଗା। ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ ବିଜେପି ନିର୍ବାଚନୀ ବଣ୍ଡ ଜରିଆରେ ଟଙ୍କା ପାଇଛି। ନା ଖାଉଙ୍ଗା, ନା ଖାନେ ଦୁଙ୍ଗ, କେବଳ ମୋ ପାର୍ଟିକୁ ସବୁ ଖୁଆବି ନୀତି ଆପଣା ଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଯାହା ବି କରିଛନ୍ତି, ସେସବୁ ନିଜର ଓ ଦଳର ଫାଇଦା ପାଇଁ ହିଁ କରିଛନ୍ତି।”

ଶିବସେନା(ୟୁବିଟି) ସାଂସଦ ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ଗେମିଂ ଓ ଜୁଆ ଖେଳିବାକୁ ପ୍ରୋତ୍ସାହିତ କରୁଥିବା କମ୍ପାନୀ କିଣିଥିବା ନିର୍ବାଚନୀ ବଣ୍ଡରୁ ବିଜେପି କୋଟି କୋଟି ଟଙ୍କା ପାଇଛି। ଦେଶର ସବୁଠାରୁ ବଡ଼ ଦୁର୍ନୀତିରେ ବିଜେପି ସାମିଲ ହୋଇଥିବା ସେ କହିଛନ୍ତି।

ବିଜେପି ନିର୍ବାଚନୀ ବଣ୍ଡରୁ ପାଇଥିବା ଟଙ୍କା ସ୍ୱାଧୀନତା ପରେ ସବୁଠାରୁ ବଡ଼ ଦୁର୍ନୀତି ବୋଲି ତାମିନାଡୁ କଂଗ୍ରେସ ସଭାପତି କେ ସେଲଭାପେରୁନଥାଗାଇ କହିଛନ୍ତି। ସେ କହିଛନ୍ତି ଯେ Qwik Supply Chains Pvt Ltd ବିଜେପିକୁ ୪୦୦ କୋଟି ଟଙ୍କା ଦେଇଛି। କିନ୍ତୁ କମ୍ପାନୀର ବାର୍ଷିକ ଆୟ ମାତ୍ର ୫୦୦ କୋଟି ଟଙ୍କା।

ସେହିପରି Future Gaming and Hotel Services Pvt Ltd ବିଜେପିକୁ ୧୩୮୬ କୋଟି ଟଙ୍କା ଦେଇଛି। କିନ୍ତୁ କମ୍ପାନୀର ଟର୍ଣ୍ଣ ଓଭର ୫୦୦ କୋଟି ଟଙ୍କା। କେମିତି ୫୦୦ କୋଟି ଆୟ କରୁଥିବା କମ୍ପାନୀ ୧୩୮୬ କୋଟି ଟଙ୍କା ଦେଲା? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉତ୍ତର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ବିରୋଧୀଙ୍କ ସମସ୍ତ ଅଭିଯୋଗ କେବଳ ଗୋଟିଏ ଆକଳନ ଉପରେ ପର୍ଯ୍ୟବେସିତ। ଚାନ୍ଦା ସହ କେନ୍ଦ୍ରୀୟ ଏଜେନ୍ସର ରେଡର କୌଣସି ଲିଙ୍କ ନାହିଁ ବୋଲି ନିର୍ମଳା କହିଥିଲେ। ଏହାକୁ କଂଗ୍ରେସ ନେତା ଜୟରାମ ରମେଶ କାଉଣ୍ଟର କରିବା ସହ ଯଦି ଲିଙ୍କ ନାହିଁ, ତା’ହେଲେ କେଉଁ କମ୍ପାନୀ କେତେ ଟଙ୍କା କେଉଁ ଦଳକୁ ଦେଇଛି, ତା’ର ତଥ୍ୟ ସାର୍ବଜନୀନ କରାଯାଉ ବୋଲି ସେ ଚ୍ୟାଲେଞ୍ଜ ଦେଇଛନ୍ତି।

Bjp Congress Electoral Bonds Scheme Electoral Bond