Advertisment

ଟିକେଟ ଦେଲାନି ସିନ୍ଦେ ସେନା, କାନ୍ଦିବା ପରେ ନିଖୋଜ ହୋଇଗଲେ ବିଧାୟକ

ହଠାତ୍‌ ଭାଙ୍ଗା ସୋମବାର ସନ୍ଧ୍ୟାରୁ ନିଖୋଜ ହୋଇଯାଇଛନ୍ତି। ସେ ତାଲସରି ସ୍ଥିତ ନିଜ ଘରୁ କେଉଁ ଆଡ଼େ ନିଖୋଜ ହୋଇଯାଇଥିବା ବେଳେ ପୁଲିସ୍‌ ତା’କୁ ଠାବ କରିବାକୁ ପ୍ରୟାସ କରୁଛି।

author-image
Hemant Lenka
ଅଦ୍ୟତନ ହୋଇଛି
Vanga

Vanga

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାସକ ମାହାୟୁତି ମେଣ୍ଟରେ ବିଦ୍ରୋହ ତେଜିବାରେ ଲାଗିଛି। ବିଜେପି-ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ମିଳିତ ଭାବେ ନିର୍ବାଚନ ଲଢ଼ୁଛନ୍ତି। ହେଲେ ସବୁ ଦଳ ମଧ୍ୟରେ ଟିକେଟ ବଣ୍ଟାକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି।

Advertisment

ଏହିକ୍ରମରେ ପାଲଘରରୁ ବିଧାୟକ ହୋଇଥିବା ଶ୍ରୀନିବାସ ଭାଙ୍ଗାଙ୍କୁ ସିନ୍ଦେଙ୍କ ଶିବସେନା ଟିକେଟ ଦେଇ ନାହିଁ। ସେ ଟିକେଟ ପାଇବାରୁ ବଞ୍ଚିତ ହେବା ପରେ କାନ୍ଦିଥିଲେ। ଏଥିସହ ସିନ୍ଦେଙ୍କ ସହ ମିଶି ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହେବା ବଡ଼ ଭୁଲ ଥିଲା ବୋଲି କହିଥିଲେ।

ଏହାକୁ ନେଇ ରାଜ୍ୟରେ ତମ୍ଭିତୋଫାନ ଚାଲିଥିବା ବେଳେ ହଠାତ୍‌ ଭାଙ୍ଗା ସୋମବାର ସନ୍ଧ୍ୟାରୁ ନିଖୋଜ ହୋଇଯାଇଛନ୍ତି। ସେ ତାଲସରି ସ୍ଥିତ ନିଜ ଘରୁ କେଉଁ ଆଡ଼େ ନିଖୋଜ ହୋଇଯାଇଥିବା ବେଳେ ପୁଲିସ୍‌ ତା’କୁ ଠାବ କରିବାକୁ ପ୍ରୟାସ କରୁଛି।

Advertisment

ରବିବାର ଶିବସେନେ ପକ୍ଷରୁ ପୂର୍ବତନ ସାଂସଦ ରାଜେନ୍ଦ୍ର ଗାବିତଙ୍କୁ ପାଲଘରରୁ ପ୍ରାର୍ଥୀ କରାଯାଇଥିଲା। ରାଜେନ୍ଦ୍ର ଏଠାରୁ ନିର୍ବାଚନ ଲଢ଼ିବେ ବୋଲି ବିଜେପି ଛାଡ଼ି ସିନ୍ଦେ ସେନାକୁ ଆସିଥିଲେ। ତାଙ୍କୁ ଟିକେଟ ମିଳିବାରୁ ୪୨ ବର୍ଷୀୟ ଭାଙ୍ଗା କାନ୍ଦି ପକାଇଥିଲେ।

ଉଦ୍ଧବ ବାଲାସାହେବ ଠାକରେ(ୟୁବିଟି) ଛାଡ଼ିବା ଭୁଲ ଥିଲା ବୋଲି ସ୍ୱୀକାର କରିଥିଲେ। ଏହାବାଦ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦଳର ବିଶ୍ୱସ୍ତ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିପାରି ନଥିବା ମଧ୍ୟ ସେ କହିଥିଲେ।

ଏହାକୁ ନେଇ ବିବାଦ ଚାଲିଥିବା ବେଳେ ସୋମାବର ସନ୍ଧ୍ୟାରୁ ସେ ଅନ୍ତର୍ଧାନ ହୋଇଯାଇଛନ୍ତି। ପରିବାର ଲୋକଙ୍କ ସହ ମଧ୍ୟ ସେ ଯୋଗାଯୋଗରେ ନାହାନ୍ତି। ପୁଲିସ୍‌ ଟିମ ତାଙ୍କ ଘରେ ଯାଞ୍ଚ କରିବା ପରେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଖୋଳତାଡ଼ କରୁଛି। ସମୟ ବିତିବା ସହ ପରିବାର ଲୋକ ମଧ୍ୟ ଅନେକ ଆଶାଙ୍କାରେ ରହିଛନ୍ତି।

ଭାଙ୍ଗାଙ୍କ ପତ୍ନୀ ସୁମନଙ୍କ କହିବା କଥା ଯେ ସୋମବାର ସନ୍ଧ୍ୟା ୭ଟାରୁ ତାଙ୍କ ଫୋନ ଲାଗୁନାହିଁ। ତାଙ୍କ ପାଖରେ ଥିବା ଦୁଇଟି ଯାକ ମୋବାଇଲ ଅଫ ରହିଛି। ଭାଙ୍ଗା ଘର ଛାଡ଼ିବା ବେଳେ ଗୋଟିଏ ବ୍ୟାଗ ସାଙ୍ଗରେ ନେଇଛନ୍ତି। ସମ୍ଭବତଃ କିଛି ପୋଷାକ ଏଥିରେ ରହିଥିଲା। ତେଣୁ ସେ ସହର ଛାଡ଼ି ଥିବା ଆଶଙ୍କା କରାଯାଉଛି।

ଭାଙ୍ଗାଙ୍କ ନିଖୋଜ ଖବର ପ୍ରଚାର ହେବା ପରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଫୋନ ଯୋଗେ ସୁମନଙ୍କ ସହ କଥା ହୋଇଛନ୍ତି। ଟିକେଟ ନ ମିଳିବାରୁ ତାଙ୍କ ସ୍ୱାମୀ ମାନସିକ ଅବସାଦ ମଧ୍ୟରେ ଥିଲେ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଟିକେଟ ନ ମିଳିବାରୁ ଭାଙ୍ଗା ଗୋଟିଏ ରୁମରେ ନିଜକୁ ବନ୍ଦ କରି ଛୋଟ ପିଲାଙ୍କ ଭଳି କାନ୍ଦିଥିଲେ।

ଅନ୍ୟପକ୍ଷରେ ଉଦ୍ଧବ ସେନାର ନେତା ପଙ୍କଜ ଦେଶମୁଖ ମଙ୍ଗଳବାର ସକାଳୁ ଭାଙ୍ଗାଙ୍କ ଘରେ ପହଞ୍ଚି ସୁମନଙ୍କ ସହ କଥା ହୋଇଛନ୍ତି। କ୍ୟାମେରାର ଆଗରେ ଭାଙ୍ଗା କାନ୍ଦୁ ଥିବା ଦେଖି ଉଦ୍ଧବ ଠାକରେ ପୂରା ବ୍ୟସ୍ତ ହୋଇ ପଡ଼ିଥିବା ସେ ସୁମନଙ୍କୁ ଜଣାଇଛନ୍ତି। ଭାଙ୍ଗା କ୍ୟାମେରା ଆଗରେ ଉଦ୍ଧବ ସେନା ଛାଡ଼ିଥିବାରୁ ଉଦ୍ଧବ ଠାକରେଙ୍କୁ କ୍ଷମା ମଧ୍ୟ ମାଗିଥିଲେ।

Maharashtra Maharashtra Politics