Advertisment

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କଥାରେ ବିଡିଓ ପ୍ରକଳ୍ପ ଚୟନ କରୁଛନ୍ତି! ଧାରଣାରେ ବସିଲେ ଜନପ୍ରତିନିଧି

ଧାରଣାରେ ବସିଥିବା ସରପଞ୍ଚଙ୍କ ଅଭିଯୋଗ ଅନୁସାରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାରେ ରାଜ୍ୟ ସରକାର ଅସ୍ତରଙ୍ଗ ବ୍ଲକର ୧୫ଟି ପଞ୍ଚାୟତକୁ ୭ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ହେଲେ ପ୍ରକଳ୍ପ ଚୟନରେ ଅନିୟମିତତା କରାଯାଇଛି।

ଅଦ୍ୟତନ ହୋଇଛି
Konark

Konark

Advertisment

ବିଡିଓଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ସେ କୁଆଡ଼େ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପ୍ରରୋଚନାରେ ପ୍ରକଳ୍ପ ଚୟନ କରୁଛନ୍ତି! ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୧୫ ଜଣ ସରପଞ୍ଚ ଓ ସମିତି ସଭ୍ୟ ଏପରି ସାଙ୍ଘାତିକ ଅଭିଯୋଗ ଆଣି ଧାରଣା ଦେଇଥିଲେ। ଯେଉଁଥିପାଇଁ ହୋଇପାରିଲା ନାହିଁ ଜନ ଅଭିଯୋଗ ଶୁଣାଣି ଶିବିର। ଗୁହାରୀ କରିବା ପାଇଁ ଆସି ଦୀର୍ଘ ସମୟ ଧରି ଅପେକ୍ଷା କରି କେବଳ ଦାବିପତ୍ର ଦେଇ ଫେରିଗଲେ ଲୋକେ।

Advertisment

ଆଜି ଅସ୍ତରଙ୍ଗ ବ୍ଲକ୍‌ ସଭାଗୃହରେ ଜନ ଅଭିଯୋଗ ଶୁଣାଣି ଶିବିର ହୋଇଥିଲା। ଏଥିରେ ପୁରୀ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏଡିଏମ୍‌ କୈଳାଶ ଚନ୍ଦ୍ର ବେହେରା ଓ ସମସ୍ତ ବିଭାଗୀୟ ଅଧିକାରୀମାରିମାନେ ଯୋଗଦେଇଥିଲେ। ଅସ୍ତରଙ୍ଗ ବିଡିଓ ବେବିତା ମଞ୍ଜରୀ ନାୟକ ମଧ୍ୟ ଉପସ୍ଥିତ ଥିଲେ। ଜନ ଅଭିଯୋଗ ଶୁଣାଣି ଆରମ୍ଭ ହେବା ପୂର୍ବରୁ ଅସ୍ତରଙ୍ଗ ବିଡିଓଙ୍କ ଉପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ବ୍ଲକ୍‌ର ୧୫ ଜଣ ସରପଞ୍ଚ ଓ ସମିତି ସଭ୍ୟମାନେ ବିଡିଓଙ୍କୁ ତୀବ୍ର ବିରୋଧ କରିଥିଲେ। ଏଡିଏମ୍‌ ଓ ଅନ୍ୟ ଅଧିକାରୀଙ୍କ ଆଗରେ ସଭା ଗୃହରେ ଧାରଣାରେ ବସିଥିଲେ ସରପଞ୍ଚ ଓ ସମିତି ସଭ୍ୟମାନେ। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଧାରଣାରେ ବସିଥିବା ସରପଞ୍ଚଙ୍କ ଅଭିଯୋଗ ଅନୁସାରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାରେ ରାଜ୍ୟ ସରକାର ଅସ୍ତରଙ୍ଗ ବ୍ଲକର ୧୫ଟି ପଞ୍ଚାୟତକୁ ୭ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ହେଲେ ପ୍ରକଳ୍ପ ଚୟନରେ ଅନିୟମିତତା କରାଯାଇଛି। ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ଅଣଦେଖା କରାଯାଉଛି। ସ୍ଥାନୀୟ ବିଧାୟକ ତଥା ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପ୍ରରୋଚନାରେ ବିଡିଓ ପ୍ରକଳ୍ପ ଚୟନ କରୁଥିବା ସରପଞ୍ଚମାନେ ଅଭିଯୋଗ କରିଛନ୍ତି। ଯଦି ମନ୍ତ୍ରୀଙ୍କ ଇଶାରାରେ ପଞ୍ଚାୟତରେ ପ୍ରକଳ୍ପ କାର୍ଯ୍ୟକାରୀ ହେବ, ତାହା ହେଲେ ସରପଞ୍ଚ ଓ ସମିତି ସଭ୍ୟଙ୍କ ଭୂମିକା କ’ଣ ବୋଲି ପ୍ରଶ୍ନ କରିଛନ୍ତି।

Advertisment

ନୂଆଗଡ଼ ସରପଞ୍ଚ ଜିତେନ୍ଦ୍ର ସ୍ୱାଇଁ କହିଛନ୍ତି, ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ ହାଇଜାକ୍‌ କରିଛନ୍ତି ବିଡିଓ। ଆମେ ଦେଇଥିବା ପ୍ରକଳ୍ପ ତାଲିକାକୁ କାର୍ଯ୍ୟକାରୀ ନକରି ମନଇଚ୍ଛା ପ୍ରକଳ୍ପ ଚୟନ କରୁଛନ୍ତି। ବିଡିଓ ସରକାରୀ ଏଜେଣ୍ଟ ସାଜି ବିରୋଧୀ ଦଳ ଭୁମିକା ନିଭାଉଛନ୍ତି। ଜନ ପ୍ରତିନିଧିଙ୍କର କୌଣସି କଥା ଶୁଣୁନାହାନ୍ତି। ସରପଞ୍ଚ ଓ ସମିତି ସଭ୍ୟମାନେ ଦେଇଥିବା ପ୍ରକଳ୍ପ ତାଲିକାକୁ କାର୍ଯ୍ୟକାରୀ କରିବା ଦରକାର। ପାତର ଅନ୍ତର ନୀତି ଅବଲମ୍ୱନ କରୁଥିବା ବିଡିଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ସ୍ୱାଇଁ ଦାବି କରିଛନ୍ତି।

ସେପଟେ ସରପଞ୍ଚ ଓ ସମିତି ସଭ୍ୟଙ୍କ ଧାରଣା ଯୋଗୁ ଜନ ଅଭିଯୋଗ ଶୁଣାଣି ହୋଇପାରିନଥିଲା। ଗୁହାରୀ କରିବାକୁ ଆସିଥିବା ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ମାମଲା ସାମାଧାନ ହେଉନଥିବାରୁ ଅସ୍ତରଙ୍ଗ ତହସିଲ୍‌ଦାର ଓ ଆଡିସିନାଲ୍‌ ତହସିଲ୍‌ଦାର ଲୋକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ହେଲେ କୌଣସି ଅଭିଯୋଗ ଶୁଣାଣି ହୋଇପାରିଲା ନାହିଁ।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

BjD Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe