ବିଜେଡିକୁ ଘାରିଛି ଭୟ: ଦଳୀୟ ନେତାଙ୍କୁ ଆଶ୍ୱାସନା ଦେଲେ ପାଣ୍ଡିଆନ

ଜାତୀୟସ୍ତରର ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଶନିବାର ରାତିରୁ ଚଳିତ ନିର୍ବାଚନ ଫଳାଫଳକୁ ନେଇ କରିଥିବା ବିଭିନ୍ନ ଏକଜିଟ୍ ପୋଲ୍ ରିପୋର୍ଟ ଜାରି କରି ବିଜେଡିର ଦୁର୍ବଳ ପ୍ରଦର୍ଶନର ସନ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ ଭିକେ ପାଣ୍ଡିଆନ

  • Published: Monday, 03 June 2024
  • , Updated: 03 June 2024, 09:55 PM IST

ଆସନ୍ତାକାଲି ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଜାତୀୟ ସଂସ୍ଥାଗୁଡ଼ିକ ଦ୍ୱାରା ଜାରି ଏକଜିଟ୍ ପୋଲ୍ ରିପୋର୍ଟ ବିଜେଡିର ଚିନ୍ତା ବଢ଼ାଇଛି । ଗତ ଦୁଇଦିନ ଧରି ଜାତୀୟସ୍ତରର ଅଧିକାଂଶ ଏକଜିଟ୍ ପୋଲ୍ ରିପୋର୍ଟଗୁଡ଼ିକ ବିଜେଡିର ନୈରାଶ୍ୟଜନକ ପ୍ରଦର୍ଶନକୁ ଇଙ୍ଗିତ କରୁଥିବାରୁ ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରିଛନ୍ତି। ଏହି ଆଲୋଚନାବେଳେ ଏକଜିଟ୍ ପୋଲ୍ ରିପୋର୍ଟକୁ ବିଶ୍ୱାସକୁ ନନେବା ପାଇଁ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେବା ସହ ବିଜେଡି ଅତିକମରେ ୧୧୦ ବିଧାନସଭା ଆସନ ଜିଣିବ ବୋଲି ପାଣ୍ଡିଆନ ଭରସା ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଜାତୀୟସ୍ତରର ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଶନିବାର ରାତିରୁ ଚଳିତ ନିର୍ବାଚନ ଫଳାଫଳକୁ ନେଇ କରିଥିବା ବିଭିନ୍ନ ଏକଜିଟ୍ ପୋଲ୍ ରିପୋର୍ଟ ଜାରି କରି ବିଜେଡିର ଦୁର୍ବଳ ପ୍ରଦର୍ଶନର ସନ୍ଦେଶ ଦେଇଛନ୍ତି। ବିଜେପିର ଆଖିଦୃଶିଆ ଭଲ ପ୍ରଦର୍ଶନକୁ ନେଇ ଏକଜିଟ୍ ପୋଲ୍ ସଂସ୍ଥାଗୁଡ଼ିକ ମତ ଦେବାପରେ ବିଜେଡି ଶିବିରରେ ଛନକା ପଶିଛି। ବିଶେଷକରି ଦଳୀୟ ପ୍ରାର୍ଥୀମାନେ ଅଧିକ ଆଶଙ୍କା ମଧ୍ୟରେ ରହିଥିବା ଦେଖିବାକୁ ମିଳିଛି। ତେବେ ବିଜେଡି ନେତା ଶ୍ରୀ ପାଣ୍ଡିଆନ ଗତକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଳର ୧୦ରୁ ୧୨ଜଣ ବରିଷ୍ଠ ନେତାଙ୍କ ସହ ନିର୍ବାଚନ ଫଳାଫଳ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ବିଜେଡି ନେତାମାନେ ନିଜ ନିଜର ଆକଳନ ସମ୍ପର୍କରେ ମତ ଦେଇଥିଲେ। କିନ୍ତୁ ପାଣ୍ଡିଆନ ଚଳିତ ନିର୍ବାଚନରେ ବିଜେଡି ସର୍ବନିମ୍ନ ୧୧୦ ବିଧାନସଭା ଆସନ ଜିତିବ ବୋଲି ଦଳୀୟ ନେତାମାନଙ୍କୁ ଭରସା ଦେଇଥିବା ଓ ଦଳର ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ଆଧାରରେ ସେ ଏହି ପରିମାଣର ଆସନ ଜିତିବାକୁ ନେଇ ଆଶ୍ୱସ୍ତ ବୋଲି କହିଥିବା ଜଣାପଡ଼ିଛି। ପାଣ୍ଡିଆନ ୭ଟି ସର୍ଭେ ମାଧ୍ୟମରେ ଏହି ନିର୍ବାଚନୀ ଫଳାଫଳକୁ ନେଇ ଆଶ୍ୱସ୍ତ ଥିବା ନେତାମାନଙ୍କୁ ସୂଚନା ଦେଇଥିବା ଚର୍ଚ୍ଚା ହେଉଛି।

ତେବେ ରାଜ୍ୟରେ ବିଜେଡି ଓ ବିଜେପିକୁ କେତେ ଆସନ ମିଳିବ ତାକୁ ନେଇ ବିଭିନ୍ନ ସଂସ୍ଥା ନିଜକୁ ସୁହାଇବା ଭଳି ଏକଜିଟ୍ ପୋଲ୍ ରିପୋର୍ଟ ଦେବାରେ ଲାଗିଛନ୍ତି । ବିଜେଡି ସମର୍ଥିତ ଗଣମାଧ୍ୟମ ସଂସ୍ଥା ବିଜେଡିକୁ ବିଧାନସଭାରେ ଦୁଇ ତୃତୀୟାଂଶରୁ ଅଧିକ ଆସନ ମିଳିବ ବୋଲି ଦମ୍ଭୋକ୍ତି ବାଢ଼ିଥିବାବେଳେ ଲୋକସଭାରେ ସର୍ବନିମ୍ନ ୧୨ଟି ଆସନ ମିଳିବାର ଆକଳନ କରିଛନ୍ତି । ଅନ୍ୟପଟେ ଗୋଟିଏ ଦୁଇଟି ସଂସ୍ଥାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜାତୀୟସ୍ତରର ଏକଜିଟ୍ ପୋଲ୍ ରିପୋର୍ଟ ରାଜ୍ୟରେ ବିଜେଡିର ଦୁର୍ବଳ ପ୍ରଦର୍ଶନକୁ ଇଙ୍ଗିତ କରିଥିବା ଓ ବିଜେପି ପ୍ରତି ଜନାଦେଶ ରହିଥିବା ନେଇ ସଙ୍କେତ ଦେଇଛନ୍ତି।

Related story