ସକ୍ରିୟ ରାଜନୀତିରୁ ଆତ୍ମଘୋଷିତ ସନ୍ୟାସୀ ତଥା ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ପୁଣି ଥରେ ଚର୍ଚ୍ଚାରେ । ଶିଳ୍ପପତି ଗୌତମ ଅଦାନୀଙ୍କ ସାନପୁଅ ଜିତ୍ ଅଦାନୀଙ୍କ ରାଜସ୍ଥାନର ଉଦୟପୁରରେ ଆୟୋଜିତ ପ୍ରି-ୱେଡିଂ ଉତ୍ସବରେ ଗତକାଲି (ମଙ୍ଗଳବାର) ପାଣ୍ଡିଆନ ଯୋଗ ଦେଇଥିବା ଜଣାପଡ଼ିଛି । କେବଳ ଭୋଜିରେ ସାମିଲ ହୋଇନାହାନ୍ତି ବରଂ ଗୌତମ ଅଦାନୀଙ୍କ ବ୍ୟକ୍ତିଗତ ଅଫିସିଆଲଙ୍କ ସହ ପାଣ୍ଡିଆନ କୌଣସି ପ୍ରସଙ୍ଗରେ ଆଲୋଚନା କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।
ସୂଚନା ଅନୁସାରେ, ଦେଶର ବିଶିଷ୍ଟ ଶିଳ୍ପପତି ଗୌତମ ଅଦାନୀଙ୍କ ସାନପୁଅ ଜିତ୍ ଅଦାନୀଙ୍କ ଉଦୟପୁରରେ ଦୁଇଦିନ ଧରି ଆୟୋଜିତ ଭବ୍ୟ ‘ବିବାହପୂର୍ବ ଉତ୍ସବ’ରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ସାମିଲ ହୋଇଛନ୍ତି । ଜିତଙ୍କ ୨ଦିନ ଧରି ପ୍ରିୱେଡିଂ ଉତ୍ସବ ପାଇଁ ଅଦାନୀ ପରିବାର ପକ୍ଷରୁ ଉଦୟପୁରର ୩ଟି ବିଳାସପୂର୍ଣ୍ଣ ତାରକା ହୋଟେଲ ବୁକ୍ ହୋଇଥିଲା । ତେବେ ଉତ୍ସବର ଆରମ୍ଭ ‘ଲିଲା ପ୍ୟାଲେସ’ ହୋଟେଲରେ ଆୟୋଜିତ ‘ଭବ୍ୟ ମଧ୍ୟାହ୍ନଭୋଜନ’ କାର୍ଯ୍ୟକ୍ରମରୁ ହୋଇଛି । ଯେଉଁଠି ଦେଶବିଦେଶର ବିଭିନ୍ନ କ୍ଷେତ୍ରର ପ୍ରାୟ ୩୦୦ଜଣ ଭିଭିଆଇପି ଯୋଗ ଦେଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ପାଣ୍ଡିଆନ ଏହି ଉତ୍ସବରେ ସାମିଲ ହୋଇଥିବା ସୂଚନା ମିଳିଛି । ପାଣ୍ଡିଆନ ଏହି ଉତ୍ସବରେ ଯୋଗ ଦେବା ସହ ଅଦାନୀ ଗ୍ରୁପର ବରିଷ୍ଠ ଅଫିସିଆଲ ଏବଂ ଅନ୍ୟ ରାଜନୀତିକ ଦଳର କିଛି ବରିଷ୍ଠ ନେତାଙ୍କ ସହ ମଧ୍ୟ ଅଣଆନୁଷ୍ଠାନିକ ଆଲୋଚନା କରିଥିବା ଜଣାପଡ଼ିଛି ।
ତେବେ ଶିଳ୍ପପତି ଶ୍ରୀ ଅଦାନୀଙ୍କ ପୁଅ ବିବାହ ଉତ୍ସବକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ନଯାଇ କାହିଁକି ନିଜର ପ୍ରତିନିଧି ଭାବେ ପାଣ୍ଡିଆନଙ୍କୁ ପଠାଇଲେ ତାକୁ ନେଇ ବିଜେଡିରେ ଚର୍ଚ୍ଚା ଜୋର ଧରିଛି । ରାଜ୍ୟରେ ବିଜେଡିର ବିପର୍ଯ୍ୟୟର ମୁଖ୍ୟ ସୂତ୍ରଧର ଖୋଦ୍ ପାଣ୍ଡିଆନ ହୋଇଥିଲେ ମଧ୍ୟ ନବୀନ ତାଙ୍କୁ କୋଳେଇ ଧରି ବିଜେଡିକୁ ତଳିତଳାନ୍ତ କରିବାରେ ଲାଗିଥିବା ଦଳୀୟ ନେତାମାନେ ଅନୁଭବ କରୁଛନ୍ତି । ନିଜ ସ୍ୱାର୍ଥ ପାଇଁ ପାଣ୍ଡିଆନ ବିଜେଡିକୁ ଅନ୍ୟତ୍ର ବନ୍ଧା ପକାଇ ଦେଇଥିବା ମଧ୍ୟ ବିଜେଡି ମହଲରେ ଚର୍ଚ୍ଚା ହେଉଛି ।