/odisha-reporter/media/post_attachments/uploadimage/library/16_9/16_9_0/BJD_1721408848.jpg)
BJD
ରାଜ୍ୟରେ ସୁଦୃଢ଼ ସଂଗଠନ ଥାଇ ମଧ୍ୟ ୨୪ବର୍ଷର ସରକାରର ପତନ ପଛର କାରଣ ଖୋଜିବା ଓ ଆତ୍ମମନ୍ଥନ କରୁନଥିବା ବିଜେଡିରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟର ଖଳନାୟକ ବୋଲି ଚର୍ଚ୍ଚା ହେଉଥିବା ଦଳର ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଆତ୍ମଘୋଷିତ କ୍ରୀତଦାସ ପ୍ରଣବପ୍ରକାଶ ଦାସ(ବବି) ଏବେ ଦଳର ନୂଆ ସାଂଗଠନିକ କମିଟିକୁ ଚୂଡ଼ାନ୍ତ ରୂପ ଦେଉଥିବା ଜଣାପଡ଼ିଛି । ଆସନ୍ତା ୨-୩ଦିନ ମଧ୍ୟରେ ବିଜେଡିର ଏହି ନୂଆ କମିଟି ଘୋଷଣା ହେବ ବୋଲି ସୂଚନା ମିଳିଛି । ଏପଟେ ସାଂଗଠନିକ କମିଟି ଗଢ଼ାକୁ ନେଇ ଦଳର ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରାନଯିବା ତଥା ନିଜ ଟିମ୍ ଧରି ପାଣ୍ଡିଆନ ଓ ବବି ହିଁ ପୂର୍ବଭଳି ସଂଗଠନ ଉପରେ ହାକିମାତି ଜାରି ରଖିଥିବାରୁ ତାକୁ ନେଇ ଦଳରେ ବଢ଼ୁଥିବା ଅସନ୍ତୋଷ ଯେକୌଣସି ମୁହୂର୍ତ୍ତରେ ବିସ୍ଫୋରକ ରୂପ ନେବାର ଆଶଙ୍କା ଦେଖାଦେଇଛି । ପାଣ୍ଡିଆନ ଓ ବବିଙ୍କୁ ନେଇ ଦଳୀୟ ନେତା-କର୍ମୀମାନଙ୍କ ମଧ୍ୟରେ ଆକ୍ରୋଶକୁ ଦୃଷ୍ଟିରେ ରଖି ଦଳର ଆଗଧାଡ଼ିର ନେତା ସଞ୍ଜୟ ଦାସବର୍ମା, ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଏବେ ଏକଜୁଟ ହୋଇ ସଂଗଠନକୁ କବଜା କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି । ଆଉ ବିଜେଡିର ଏହି ତ୍ରିମୂର୍ତ୍ତିଙ୍କୁ ଦଳର ସବୁବର୍ଗର ବରିଷ୍ଠ ଓ ଯୁବ ନେତାମାନଙ୍କ ସମର୍ଥନ ରହିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାର୍ଦ୍ଧଜ୍ୟଜନିତ ନିଷ୍କ୍ରିୟତାର ଫାଇଦା ଉଠାଇ ସଂଗଠନକୁ ପୁଣିଥରେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ତାମିଲନାଡୁ ଜନ୍ମିତ ଭିକେ ପାଣ୍ଡିଆନ । ନିର୍ବାଚନରେ ଦଳର ବିପର୍ଯ୍ୟୟକୁ ନେଇ କର୍ମୀ-ନେତାମାନଙ୍କ ମଧ୍ୟରେ ବଢ଼ୁଥିବା ଆକ୍ରୋଶରୁ ବର୍ତ୍ତିବା ପାଇଁ ‘ଧର୍ମକୁ ଆଖିଠାର ମାରିବା ଭଳି’ ରାଜନୀତିକ ସନ୍ୟାସ ଘୋଷଣା କରିଥିବା ପାଣ୍ଡିଆନ ପୁଣିଥରେ ବବିଙ୍କୁ ଧରି ବିଜେଡି ସଂଗଠନ ସହ ଜଡ଼ିତ ନିଷ୍ପତ୍ତି ନେବାରେ ଲାଗିଥିବା ଜଣାପଡ଼ିଛି । ପାଣ୍ଡିଆନ ନବୀନ ନିବାସରେ ରହି ଗତ ୪-୫ଦିନ ଧରି ସନ୍ତୃପ୍ତ ମିଶ୍ର(କର୍ପୋରେଟ ଜଗତରୁ ପାଣ୍ଡିଆନଙ୍କ ଆମଦାନୀ) ଓ ବବିଙ୍କ ସହ ମିଶି ବିଜେଡିର ନୂଆ କମିଟି ଗଠନ କରିଛନ୍ତି । ଯାହା ଖୁବଶୀଘ୍ର ଘୋଷଣା ହେବାର ସମ୍ଭାବନା ରହିଛି । ତେବେ ନବୀନ ଗତ ୧୨ଦିନ ପୂର୍ବରୁ ଦଳର ସମସ୍ତ ରାଜ୍ୟସ୍ତରୀୟ କମିଟିକୁ ଭାଙ୍ଗିବା, ୧୯ଜଣିଆ ମୁଖପାତ୍ର ଟିମ୍ ଗଠନ, ଗୋପବନ୍ଧୁ ଦାଶଙ୍କ ସ୍ଥାନରେ ରାଜନୀତିରେ ‘ର’ ଅକ୍ଷର ଜାଣିନଥିବା ସନ୍ତୃପ୍ତ ମିଶ୍ରଙ୍କୁ ନିଜର ରାଜନୀତିକ ସଚିବ ନିଯୁକ୍ତି ଦେବା ଓ ‘ଛାୟା କ୍ୟାବିନେଟ’ ଗଢ଼ି ଦଳର ସମସ୍ତ ୫୦ବିଧାୟକଙ୍କୁ ବିଭିନ୍ନ ବିଭାଗଗୁଡ଼ିକ ଆବଂଟନ କରିବା ଭଳି ନିଷ୍ପତ୍ତି ନେଇଥିଲେ ମଧ୍ୟ ଦଳର କୌଣସି ବରିଷ୍ଠ ନେତାମାନଙ୍କ ସହ ଏନେଇ ବିଚାରବିମର୍ଶ କରିନଥିବା ଜଣାପଡ଼ିଛି । ଆଉ ଦଳ ସହ ଜଡ଼ିତ ଏ ସମସ୍ତ କାର୍ଯ୍ୟକୁ ପାଣ୍ଡିଆନ ନିଜର ପୁରୁଣା ଟିମକୁ ଧରି ସମ୍ପାଦିତ କରୁଥିବା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି । ସବୁଠୁ ଆଶ୍ଚର୍ଯ୍ୟର କଥା, ଦଳର ନିର୍ବାଚନ ପରାଜୟ ପରେ ନବୀନ ନିବାସ ଯାଇ ଦଳୀୟ ନେତାମାନେ ଯେଭଳି ନବୀନଙ୍କୁ ଭେଟି ପାରୁଥିଲେ ତାହା ମାତ୍ର ୮-୧୦ ଦିନ ଚାଲିବା ପରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ନବୀନ ନିଜେ ଦଳୀୟ ନେତାମାନଙ୍କ ସହ କଥା ହେବା ପରିବର୍ତ୍ତେ ‘ଯାହା ଅଛି ଲେଖିକି ଦିଅ’ କହୁଥିବାରୁ ତାହା ପରୋକ୍ଷରେ ପାଣ୍ଡିଆନଙ୍କ ନଜରକୁ ଯିବ ବୋଲି ଦଳର ନେତାମାନେ ଅନୁଭବ କରି ଚୁପ୍ ରହିବାକୁ ବାଧ୍ୟ ହୋଇଛନ୍ତି । ଏପରିକି ଦଳର ପରାଜୟର ସମୀକ୍ଷା ନିମନ୍ତେ ଦଳୀୟ ନେତାମାନେ ବାରମ୍ବାର ଦାବି କରିଥିଲେ ମଧ୍ୟ ପାଣ୍ଡିଆନଙ୍କ ଚାପରେ ନବୀନ ସେଥିପ୍ରତି କର୍ଣ୍ଣପାତ କରିନଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ରାଜ୍ୟରେ ବିଜେଡିର ସୁଦୃଢ଼ ସଂଗଠନ ଓ ନବୀନଙ୍କ ଲୋକପ୍ରିୟତା ଥାଇ ମଧ୍ୟ ଦଳ ଯେଉଁ କିଛି କାରଣ ପାଇଁ ବିପର୍ଯ୍ୟରୟ ସମ୍ମୁଖୀନ ହେଲା ତାହା ଉପରେ ବିଲକୁଲ ଆଲୋଚନା ନହେବା ଦଳୀୟ ନେତା-କର୍ମୀଙ୍କୁ ଆଶ୍ଚର୍ଯ୍ୟ କରୁଛି । ବିଶେଷକରି ନବୀନଙ୍କ ନିରବତାର ସୁଯୋଗ ନେଇ ପାଣ୍ଡିଆନ ଯେଭଳି ଭାବେ ବିଜେଡିର ସାଂଗଠନିକ କାର୍ଯ୍ୟରେ ଅଫିସରରାଜ୍ ଚଳାଇଲେ, ଅପରିପକ୍ୱ ବ୍ୟକ୍ତିମାନଙ୍କ ଦ୍ୱାରା ନିର୍ବାଚନୀ ରଣନୀତି ପ୍ରସ୍ତୁତ ସହ ନବୀନଙ୍କୁ ‘ସଖିକଣ୍ଢେଇ’ ଭଳି ରାଜ୍ୟବାସୀଙ୍କ ପାଖରେ ଉପସ୍ଥାପିତ କଲେ ତାକୁ ଓଡ଼ିଶାବାସୀ ନାପସନ୍ଦ କଲେ । ଆଉ ପାଣ୍ଡିଆନ ଓ ତାଙ୍କ ଟିମର ଅହଙ୍କାରକୁ ଜବାବ ଦେବାକୁ ବିଜେପିକୁ କ୍ଷମତାକୁ ଆଣିଲେ । ମାତ୍ର ଏସବୁ ସତ୍ତ୍ୱେ ନବୀନଙ୍କ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସିଲା ନାହିଁ କି ଅଦୃଶ୍ୟ କାରଣ ପାଇଁ ପାଣ୍ଡିଆନ ନିଜର ପୁରୁଣା ଟିମକୁ ଛାଡ଼ିପାରୁନଥିବା ଜଣାପଡ଼ିଛି ।
ଦଳୀୟ ନେତୃତ୍ୱଙ୍କ ଏଭଳି ଅଦୂରଦର୍ଶୀ ଆଭିମୁଖ୍ୟ, ପୁଣିଥରେ ପାଣ୍ଡିଆନ-ବବିଙ୍କ ମାମଲାତି ସହ ପତିଆରା ଦେଖାଇବା ଭଳି ଆଚରଣ ଓ ଦଳକୁ ନିଜସ୍ୱାର୍ଥ ପାଇଁ ବନ୍ଧା ପକାଇଦେବାର ସେମାନଙ୍କର ମାନସିକତାକୁ ନାପସନ୍ଦ କରି ବିଜେଡିର କିଛି ପୁରୁଖା ଓ ବରିଷ୍ଠ ନେତା ଏବେ ଆଗକୁ ଆସିବାକୁ ସଜବାଜ ହେଉଥିବା ଜଣାପଡ଼ିଛି । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଘରେ ବନ୍ଧୁମିଳନ ଆଳରେ ଦଳର କିଛି ପୁରୁଖା ନେତା ଗତ ମାସରେ ଏକଜୁଟ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନି । ଏପଟେ ସଞ୍ଜୟ-ଅରୁଣ ଓ ଅତନୁ ବାରମ୍ବାର ବୈଠକ କରି ସଂଗଠନକୁ ସୁଦୃଢ଼ କରିବା ପାଇଁ ବାଟ ଖୋଜୁଥିବା ଜଣାପଡ଼ିଛି । ରାଜ୍ୟବ୍ୟାପୀ ବିଜେଡିରେ ଏହି ତ୍ରିମୂର୍ତ୍ତିଙ୍କ ଗ୍ରହଣୀୟତା ରହିଛି ତଥା ସେମାନଙ୍କୁ ଦଳର ଅଧିକାଂଶ ବରିଷ୍ଠ ନେତା ଓ ଯୁବନେତୃତ୍ୱ ସମର୍ଥନ କରୁଛନ୍ତି । ତେଣୁ ପାଣ୍ଡିଆନ-ବବି ଚୂଡ଼ାନ୍ତ କରିଥିବା ଦଳୀୟ ରାଜ୍ୟସ୍ତରୀୟ କମିଟି ଘୋଷଣା ପରେ ହିଁ ଅସନ୍ତୋଷ ଉଗ୍ରରୂପ ଧାରଣ ଧରି ସଂଗଠନରେ ବିରାଟ ବିସ୍ଫୋରଣ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।
ଉଲ୍ଲେଖଯୋଗ୍ୟ, ନବୀନ ରାଜ୍ୟସ୍ତରୀୟ କମିଟିକୁ ଭଙ୍ଗ କରିଥିଲେ ମଧ୍ୟ ବବି ଏବେବି ଦଳର ସାଂଗଠନିକ ସମ୍ପାଦକ ଥିବା ତାଙ୍କ ଭେରିଫାଏଡ଼ ‘ଏକ୍ସ’ରେ ଉଲ୍ଲେଖ ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
