/odisha-reporter/media/post_attachments/uploadimage/library/16_9/16_9_0/Pandian_1756306324.jpg)
Pandian
ଦୀର୍ଘ ପ୍ରାୟ ୮ମାସ ବ୍ୟବଧାନରେ ବିଜେଡି ନିଜର ଯୁବ ଓ ଛାତ୍ର ସଂଗଠନ ସଭାପତିଙ୍କ ନାଁ ଘୋଷଣା କରିବା ପରେ ଦଳରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଦଳର କୋର ଟିମ୍ ସଦସ୍ୟମାନଙ୍କ ସହ ବିଚାରବିମର୍ଶ ନକରି ନବୀନ ନିବାସ ଏହି ଦୁଇ ସଭାପତିଙ୍କ ନାଁ ଘୋଷଣା କରିବା ଘଟଣାକୁ ଦଳୀୟ କର୍ମୀ-ନେତା ସହଜରେ ହଜମ କରିପାରୁନଥିବାବେଳେ ଏହାକୁ ନେଇ ଦଳରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଆଭ୍ୟନ୍ତରୀଣ କନ୍ଦଳ ଓ ଛକାପଞ୍ଝାକୁ ଦୃଷ୍ଟିରେ ରଖି କୋର ଟିମ ସହ ବିଚାରବିମର୍ଶ ନକରି ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ(ବବି) ଉଭୟ ମିଳିତ ଭାବେ ଏଭଳି ପୃଷ୍ଠଭୂମି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି ।
କାହିଁକି ଦଳରେ ବିସ୍ଫୋରକ ସ୍ଥିତି ଓ ଅବିଶ୍ୱାସର ମାହୋଲ୍
ଦୀର୍ଘ ପ୍ରାୟ ୮ମାସ ପରେ ବିଜେଡି ନିଜର ଯୁବ ସଂଗଠନର ସଭାପତି ଭାବେ ଚିନ୍ମୟ ସାହୁ ଓ ଛାତ୍ର ସଂଗଠନ ସଭାପତି ପଦରେ ଇପସିତା ସାହୁଙ୍କୁ ଅବସ୍ଥାପିତ କରିଛି । ଉଭୟ ଯୁବ ଓ ଛାତ୍ର ସଂଗଠନର ତଦାରଖ ପାଇଁ ୪ଜଣ ଲେଖାଏଁ ବରିଷ୍ଠ ନେତାଙ୍କୁ ମଧ୍ୟ ଦାୟିତ୍ୱ ନ୍ୟସ୍ତ ହୋଇଛି । ତେବେ ଏହି ତାଲିକା କାହା ସହ ବିଚାରବିମର୍ଶ କରି ନବୀନ ନିବାସ ଜାରି କଲା ତାହା ଏବେ ଦଳୀୟ ମହଲରେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି । ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ରଙ୍କ ନେତୃତ୍ୱାଧୀନ କୋର ଟିମ୍ ସଦସ୍ୟମାନଙ୍କ ସହ ମଧ୍ୟ ଏହି ସଭାପତି ଘୋଷଣା ନେଇ କୌଣସି ପରାମର୍ଶ ହୋଇନଥିବା କୁହାଯାଉଛି । ଏପରିକି ଦଳର ଆଗ ଧାଡ଼ିର କୌଣସି ନେତାଙ୍କ ସହ ମଧ୍ୟ ଏନେଇ ମତାମତ ଲୋଡ଼ାଯାଇନଥିବା ଜଣାପଡ଼ିଛି ।
ସୂତ୍ର ଅନୁସାରେ, ପାଣ୍ଡିଆନ ଏବେ ଆମେରିକା ଗସ୍ତରେ ଓ ବବି ନିଜ ଜିଲ୍ଲାର ବନ୍ୟାଂଚଳ ଗସ୍ତରେ ଥିବାବେଳେ ଏହି ଘୋଷଣା ହୋଇଛି । କେଉଁ ପରିସ୍ଥିତିରେ ଏହି ଦୁଇଜଣଙ୍କ ନାଁ ଘୋଷଣା ହେଲା ତାକୁ ନେଇ ଏବେ ବବିଙ୍କୁ ଦଳର ଆଗଧାଡ଼ିର ଯୁବ ଓ ଛାତ୍ର ନେତାମାନେ ଭେଟି ପ୍ରଶ୍ନବାଣରେ ଘାଇଲା କରୁଛନ୍ତି । ଆଉ ବବି ବେଶ୍ ସୁଚିନ୍ତିତ ଢଙ୍ଗରେ ଏହି ନିଷ୍ପତ୍ତି ତାଙ୍କର ଅଜାଣତରେ ନିଆଯାଇଛି ବୋଲି କହି ସମସ୍ତଙ୍କୁ ‘ମ୍ୟାନେଜ୍’ କରୁଥିବା ସୂଚନା ମିଳିଛି । ବବିଙ୍କ ଏଭଳି ଆଭିମୁଖ୍ୟ ଓ ଆଚରଣକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଏପରିକି ବବିଙ୍କ ଖାସ୍ ଅନୁଗତ ଯୁବ-ଛାତ୍ର ନେତାମାନେ ମଧ୍ୟ ତାଙ୍କୁ ଅବିଶ୍ୱାସ କରିବା ସହ ସେମାନଙ୍କୁ ପଛରୁ ଛୁରିମାଡ଼ କରିବାରେ ବବି ପଛାଉନାହାନ୍ତି ବୋଲି ସେମାନେ ଏବେ କହି ବୁଲୁଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।
ବବିଙ୍କ ଅଜାଣତରେ ପାଣ୍ଡିଆନ କୌଣସି ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ନିଷ୍ପତ୍ତି ନେବାର ସମ୍ଭାବନା କ୍ଷୀଣ । ନିଜର ଅତୀତର ଅପକର୍ମଗୁଡ଼ିକ ପାଇଁ ପାଣ୍ଡିଆନ ଓ ବବି ପରସ୍ପର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ତଥା କେହି କାହାକୁ ଛାଡ଼ିବା ମଧ୍ୟ ସମ୍ଭବପର ନୁହେଁ ବୋଲି ଦଳୀୟ ମହଲରେ ଚର୍ଚ୍ଚା । ପୂର୍ବରୁ ପାଣ୍ଡିଆନ ଓ ବବି ଏଭଳି ବହୁ ସାଂଗଠନିକ ନିଷ୍ପତ୍ତି ଏହି ଫର୍ମୂଲାରେ ନେଇଥିବାରୁ ବବିଙ୍କୁ ମଧ୍ୟ ତାଙ୍କ ଖାସ୍ ସହଯୋଗୀ ଓ ଅନୁଗତମାନେ ଆଉ ବିଶ୍ୱାସକୁ ନେଉନଥିବା ଜଣାପଡ଼ିଛି । ଏପଟେ ଯୁବ ଓ ଛାତ୍ର ସଭାପତି ଘୋଷଣାକୁ ନେଇ ଦଳରେ ବଢ଼ୁଥିବା ଆଭ୍ୟନ୍ତରୀଣ କନ୍ଦଳ ଓ ତୀବ୍ର ଅସନ୍ତୋଷକୁ ସାମ୍ନା କରିବା ପରିବର୍ତ୍ତେ ବବି ସମସ୍ତଙ୍କୁ ମ୍ୟାନେଜ୍ କରିବାରେ ଲାଗିପଡ଼ିଥିବାରୁ ତାଙ୍କ ପ୍ରତି ବଢ଼ୁଥିବା ସନ୍ଦେହର ଧୀରେଧୀରେ ଅଧିକ ସୁଦୃଢ଼ ହେବାରେ ଲାଗିଛି ।
ଦୁଇ ସଭାପତିଙ୍କୁ ଧରି ଘରକୁ ଘର ବୁଲୁଛନ୍ତି ପ୍ରତାପ ଜେନା
ଯୁବ ଓ ଛାତ୍ର ସଭାପତି ଘୋଷଣା ପରେ ଦଳରେ ବଢ଼ୁଥିବା ଅସନ୍ତୋଷକୁ ଦେଖି ନବୀନ ନିବାସ ପକ୍ଷରୁ ଦଳର ମିଡିଆ କମିଟି ମୁଖ୍ୟ ପ୍ରତାପ ଜେନାଙ୍କୁ ସାମ୍ନାକୁ ଅଣାଯାଇଛି । ସେ ଦଳର ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାପତି ଇପସିତା ସାହୁଙ୍କୁ ସାଙ୍ଗରେ ଧରି ବରିଷ୍ଠ ନେତାମାନଙ୍କ ଘରକୁ ଯାଇଥିବା ସୂଚନା ମିଳିଛି । ଏହି ଦୁଇ ସଭାପତିଙ୍କ ପ୍ରତି ସମର୍ଥନ ଜୁଟାଇବା ସହ ଦଳୀୟ ନିଷ୍ପତ୍ତିକୁ ସମୟୋପଯୋଗୀ ଓ ଯଥାର୍ଥ ଦର୍ଶାଇବା ଉଦ୍ଦେଶ୍ୟରେ ଶ୍ରୀ ଜେନାଙ୍କୁ ଏହି ଦାୟିତ୍ୱ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି ।
ଏପଟେ କଂଗ୍ରେସରୁ ବିଜେଡିକୁ ଡିଆଁ ମାରିଥିବା ଚିନ୍ମୟ ସାହୁ ବାଣୀବିହାର କ୍ୟାମ୍ପସ ରାଜନୀତି ସହ ଜଡ଼ିତ ଥିବାବେଳେ ତାଙ୍କର ବିଜେଡିର ରାଜ୍ୟତମାମ ଆଭ୍ୟନ୍ତରୀଣ ସାଂଗଠନିକ ସମୀକରଣକୁ ନେଇ ଅଭିଜ୍ଞତା ମଧ୍ୟ ନାହିଁ କି ସେ ନିଜକୁ ଏପର୍ଯ୍ୟନ୍ତ ରାଜ୍ୟ ବିଜେଡିର ଆଭ୍ୟନ୍ତରୀଣ ସାଂଗଠନିକ ଭୂଗୋଳ-ଇତିହାସ ସହ ଖାପ୍ ଖୁଆଇବାରେ ସକ୍ଷମ ହୋଇପାରିନଥିବା ଚର୍ଚ୍ଚା ହେଉଛି । ଶ୍ରୀ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କୁ ଯେଉଁ ପଦ ଦିଆଯାଇଛି, ଏହା ଅଳଙ୍କାର ନୁହେଁ, ଏହା ଦାୟିତ୍ୱ ଓ ଆହ୍ୱାନ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆସ୍ଥାକୁ ତୃଣମୂଳ ସ୍ତରରେ ପହଂଚାଇବାକୁ ଉଦ୍ୟମ ରହିବ । ବରିଷ୍ଠଙ୍କ ଅଭିଜ୍ଞତା ଓ ଯୁବମାନଙ୍କ ଉତ୍ସାହକୁ ନେଇ କାମ ହେବ । ସଂଗ୍ରାମ, ଝଡ଼, ଲଢେଇ ଘରୁ ଘରୁ ଆରମ୍ଭ ହେବ ବୋଲି ଶ୍ରୀ ସାହୁ କହିଛନ୍ତି ।
ସେହିପରି ଛାତ୍ର ସଭାପତି ପଦରେ ପ୍ରଥମଥର ପାଇଁ ଜଣେ ନେତ୍ରୀଙ୍କୁ ଅବସ୍ଥାପିତ କରାଯିବାକୁ ମଧ୍ୟ ଆଶାୟୀ ଦୌଡ଼ରେ ଥିବା କେତେକ ଛାତ୍ରନେତା ବିରୋଧ କରିବା ଆରମ୍ଭ କରିଛନ୍ତି। ଏସମ୍ପର୍କରେ ଇପସିତା ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ , ମତାନ୍ତର-ମନାନ୍ତର କିଛି ନାହିଁ । ଦଳ ଭିତରେ ଅନେକ ଆଶାୟୀ ରହିବା ସ୍ୱାଭାବିକ । ମନାନ୍ତର ବି ରହିବ । କିନ୍ତୁ ଆମେ ସମସ୍ତଙ୍କୁ ନେଇ ଚାଲିବୁ । କୌଣସି ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ଗୁରୁତ୍ୱ ଦିଆଯାଉନାହିଁ । ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରଥମ ଥର ଜଣେ ଝିଅକୁ ଏତେ ବଡ଼ ଦାୟିତ୍ୱ ଦେଇଛନ୍ତି। ଯାହା ଆସ୍ଥା ସେ ରଖିଛନ୍ତି, ତାକୁ କାର୍ଯ୍ୟରେ ପରିଣତ କରିବି । କ୍ୟାଂପସ ସୁରକ୍ଷା ପାଇଁ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି ।
ପାଣ୍ଡିଆନ-ବବିଙ୍କ ଖେଳ, ନେତାଙ୍କୁ କାଳ
ଦୀର୍ଘ ଏକ ଦଶନ୍ଧି ଧରି ବିଜେଡିର ନେତୃତ୍ୱକୁ ହାଇଜ୍ୟାକ୍ କରିଥିବା ପାଣ୍ଡିଆନ-ବବି ଯୋଡ଼ି ଏବେବି ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି । ଦଳରେ ପାଣ୍ଡିଆନଙ୍କ ମାମଲାତିକୁ ବିରୋଧ ହେଉଥିବାରୁ ଏହି ଯୁବ-ଛାତ୍ର ସଭାପତି ନାଁ ଘୋଷଣା ହେବାର ବାହାଦୁରୀ ଉଭୟ ନେବାକୁ ପଛଘୁଂଚା ଦେଉଛନ୍ତି । ବବିଙ୍କ ବିନା ପାଣ୍ଡିଆନ ନିଷ୍ପତ୍ତି ନେବା ସମ୍ଭବପର ନଥିବା ସମସ୍ତେ ଜାଣିଛନ୍ତି । ତେଣୁ ବବି ଏବେ ଯେତେ ନିଜକୁ ସଫେଇ ଦେଲେ ମଧ୍ୟ କେହି ତାଙ୍କୁ ବିଶ୍ୱାସ କରିବା ସ୍ଥିତିରେ ନଥିବା ଜଣାପଡ଼ିଛି । ପୂର୍ବରୁ ଏଭଳି ଏକାଧିକ ଅବିଶ୍ୱାସ ଓ ଛୁରୀମାଡ଼ ଉଭୟ ବବି-ପାଣ୍ଡିଆନ ଯୋଡ଼ି କରିଥିବାର ନଜିର ରହିଛି । ଦଳର କୋର ଟିମ୍ ସଦସ୍ୟମାନେ ମଧ୍ୟ ବବିଙ୍କ ବିନା ଜାଣତରେ ଏହି ସଭାପତି ନାଁ ଘୋଷଣା ହୋଇଥିବାକୁ ସହଜରେ ହଜମ କରିପାରୁନାହାନ୍ତି । କୋର ଟିମରେ ଦେବୀଙ୍କ ସମେତ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରତାପ ଜେନା, ପ୍ରତାପ କେଶରୀ ଦେବ ପ୍ରମୁଖ ରହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
