Advertisment

ବିଜେଡି ପୋଷ୍ଟରରେ ବିଜୁବାବୁଙ୍କ ସ୍ଥାନ ହାଇଜାକ୍ କଲେଣି ପାଣ୍ଡିଆନ: ପିସିସି ପ୍ରଭାରୀ

ଦିବଂଗତ ବିଜୁବାବୁଙ୍କୁ ଓଡ଼ିଶାବାସୀ ସମ୍ମାନ ଓ ଭଲପାଆନ୍ତି । ବିଜେଡି ପୋଷ୍ଟରରୁ ବିଜୁବାବୁଙ୍କ ହଟାଇ ଦିଆଯିବା ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ ବୋଲି କହିଛନ୍ତି ପିସିସି ପ୍ରଭାରୀ ଅଜୟ କୁମାର।

Ajay Kumar

Ajay Kumar

Advertisment

ବିଜୁବାବୁଙ୍କ ନାଁରେ ଗଢ଼ା ଯାଇଥିବା ଦଳ ବିଜେଡିର ପୋଷ୍ଟରରୁ ଏବେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ଗାଏବ ହୋଇଗଲାଣି । ପ୍ରଶାସକରୁ ରାଜନେତା ପାଲଟିଥିବା ଭିକେ ପାଣ୍ଡିଆନ ଏବେ ସେହି ସ୍ଥାନକୁ ହାଇଜାକ୍ କରିନେଲେଣି । ବିଜେଡି ପୋଷ୍ଟରରେ ଏବେ ବିଜୁବାବୁଙ୍କ ଫଟୋ ବଦଳରେ ପାଣ୍ଡିଆନଙ୍କ ଫଟୋ ଲାଗୁଛି । ଆଉ କିଛିଦିନ ପରେ ଯଦି ନବୀନ ପଟ୍ଟନାୟକଙ୍କ ଫଟୋ ବି ବିଜେଡି ପୋଷ୍ଟରରୁ ଗାଏବ ହୋଇଯିବ । ଆଜି ଏମିତି କିଛି ଢଙ୍ଗରେ ବିଜେଡିର ଦ୍ୱିତୀୟ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି କଂଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ।

Advertisment

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ପ୍ରଭାରୀ ଅଜୟ କୁମାର କଡ଼ା ଭାଷାରେ ବିଜେଡିକୁ କଟାକ୍ଷ କରି କହିଛନ୍ତି ଯେ, ଦିବଂଗତ ବିଜୁବାବୁଙ୍କୁ ଓଡ଼ିଶାବାସୀ ସମ୍ମାନ ଓ ଭଲପାଆନ୍ତି । ବିଜେଡି ପୋଷ୍ଟରରୁ ବିଜୁବାବୁଙ୍କ ହଟାଇ ଦିଆଯିବା ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ । ଯଦି ବିଜୁବାବୁଙ୍କ ଫଟୋକୁ ବିଜେଡି ପୋଷ୍ଟରରୁ ହଟାଇ ଦିଆଯାଉଛି ତା’ହେଲେ ଓଡ଼ିଆ ଅସ୍ମିତା କେଉଁଠି ଅଛି । ଓଡ଼ିଶା କେବଳ ଓଡ଼ିଆଙ୍କର । ଆମେ ବିରୋଧୀ ଦଳରେ ଥାଇ ବି ବିଜୁବାବୁଙ୍କ ପ୍ରତି ସମ୍ମାନବୋଧ ରହିଛି । ବିଜୁବାବୁଙ୍କ ଫଟୋକୁ ହଟାଯିବା ଆମକୁ ବି ଆଘାତ ଦେଇଛି । ବିଜୁବାବୁ ଓଡ଼ିଶା ସୁଯୋଗ୍ୟ ସନ୍ତାନ । ସେହି ମହାନ ନେତାଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାର ସୁଯୋଗ ସେ ଥରେ ପାଇଛନ୍ତି । ପାଟନାରେ ବିରୋଧୀ ଦଳଗୁଡ଼ିକର ରାଲିରେ ସେ ବିଜୁବାବୁଙ୍କୁ ଭେଟିଥିଲେ ବୋଲି ଶ୍ରୀ କୁମାର କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ କିଛିଦିନ ମଧ୍ୟରେ ସେ ଓଡ଼ିଶାରେ ପ୍ରାୟ ୧୧୦୦କିମି ବୁଲିଲେଣି । ବିଜୁବାବୁଙ୍କ ଫଟୋ ବିଜେଡି ପୋଷ୍ଠରରୁ ବାଦ୍ ଦିଆଯାଇ ପାଣ୍ଡିଆନଙ୍କ ଫଟୋ ଲାଗିଥିବାର ସ୍ଥିତି ଚାରିଆଡ଼େ ଦେଖିବାକୁ ମିଳିଲା । ଯଦି ଆଗାମୀ ଦିନରେ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ବଦଳରେ କେବଳ ପାଣ୍ଡିଆନଙ୍କ ଫଟୋ ବିଜେଡି ପୋଷ୍ଟରରେ ରୁହେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିବ ନାହିଁ ବୋଲି ସେ କଟାକ୍ଷ କରିଛନ୍ତି ।

Advertisment

ବିଜୁବାବୁଙ୍କ ଫଟୋକୁ କାଢ଼ି ପାଣ୍ଡିଆନଙ୍କ ଫଟୋକୁ ପୋଷ୍ଟରରେ ସ୍ଥାନ ଦିଆଯିବାକୁ ଓଡ଼ିଶାର ଲୋକେ କଦାପି ଗ୍ରହଣ କରିବେ ନାହିଁ । ଓଡ଼ିଶା ଓ ଓଡ଼ିଆଙ୍କ ସ୍ୱାଭିମାନ-ଅସ୍ମିତା ହେଉଛି କଂଗ୍ରେସ ପାଇଁ ଗୁରୁତ୍ୱପୂର୍ଣ୍ଣ । ବିଜେଡି ପୋଷ୍ଟରରେ ମହାନ ଜନନେତା ବିଜୁବାବୁଙ୍କୁ ଏଭଳି ଅଣଦେଖା ଓ ଅସମ୍ମାନ ଆମକୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସହପ୍ରଭାରୀ ଖ୍ରୀଷ୍ଟୋଫର ତିଲକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ପିସିସି ମିଡିଆ ସେଲ୍ ମୁଖ୍ୟ ବିଶ୍ୱରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

BjD Congress Vk Pandian Ajoy Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe