ପାଣ୍ଡିଆନଙ୍କ ଓଡ଼ିଶା ଇତିହାସ ସମ୍ପର୍କରେ ଜ୍ଞାନ ନାହିଁ,ବାଚାଳମୀ କରୁଛନ୍ତି : ବିଜେପି

ପାଣ୍ଡିଆନ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଆକ୍ଷେପ କରି କହିବା ପରେ ବିଜେପି ନେତା ଶ୍ରୀ ମିଶ୍ର ଗଣମାଧ୍ୟମକୁ ବିବୃତ୍ତି ଜାରି କରି କହିଚନ୍ତି ଯେ ଓଡ଼ିଶା ରାଜନୀତି ଓ ଇତିହାସ ଉପରେ ଅଜ୍ଞ ଥିବା ଲୋକମାନେ ଏବେ ବାଚାଳମୀ କରିବା ଆରମ୍ଭ କରିଛନ୍ତି

ବିଜେପି ନେତା ଜୟନାରାୟଣ ମିଶ୍ର

  • Published: Friday, 10 May 2024
  • , Updated: 10 May 2024, 10:43 PM IST

ବିଜେଡି ନେତା ଭିକେ ପାଣ୍ଡିଆନଙ୍କର ଓଡ଼ିଶାର ଇତିହାସ ସମ୍ପର୍କରେ ଜ୍ଞାନ ନାହିଁ ତେଣୁ ଏପରି ବାଚାଳମୀ କରୁଛନ୍ତି ବୋଲି ବିଜେପି କହିଛି । ପାଣ୍ଡିଆନ ଓଡ଼ିଶାର ରାଜନୀତି ଓ ଇତିହାସ ଉପରେ ଜ୍ଞାନ ଆହରଣ କରନ୍ତୁ । ହାରିଲେ କେହି ରାଜନୀତି ଛାଡ଼ନ୍ତି ନାହିଁ । ବିଜୁବାବୁ ୧୯୭୧ରେ ଏକସଙ୍ଗେ ୫ଟି ଆସନରେ ଲଢ଼ି ହାରିଥିଲେ। ସେ କ’ଣ ରାଜନୀତି ଛାଡ଼ି ଦେଇଥିଲେ କି ବୋଲି ବିଜେପି ପ୍ରଶ୍ନ କରିବା ସହ ପାଣ୍ଡିଆନ କେବଳ ନିଜ ଭାଷଣ ଶୁଣି ଆତ୍ମସନ୍ତୋଷ ଲାଭ କରୁଥିବା ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି।

ପାଣ୍ଡିଆନ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଆକ୍ଷେପ କରି କହିବା ପରେ ବିଜେପି ନେତା ଶ୍ରୀ ମିଶ୍ର ଗଣମାଧ୍ୟମକୁ ବିବୃତ୍ତି ଜାରି କରି କହିଚନ୍ତି ଯେ ଓଡ଼ିଶା ରାଜନୀତି ଓ ଇତିହାସ ଉପରେ ଅଜ୍ଞ ଥିବା ଲୋକମାନେ ଏବେ ବାଚାଳମୀ କରିବା ଆରମ୍ଭ କରିଛନ୍ତି । ବିଜେଡି ନେତା ପାଣ୍ଡିଆନ ଓଡ଼ିଶା ରାଜନୀତି ଓ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ପୂର୍ବରୁ ଓଡ଼ିଶାର ରାଜନୀତି ଓ ଇତିହାସ ଉପରେ ଜ୍ଞାନ ଆହରଣ କଲେ ଭଲହୁଅନ୍ତା । ଯେଉଁ ବିଜୁ ପଟ୍ଟନାୟକଙ୍କ ନାଁରେ ବିଜେଡି ଗଠନ ହୋଇଛି ସେହି ବିଜୁବାବୁ ୧୯୭୧ ମସିହାରେ ଏକସଙ୍ଗେ ୫ଟି ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ଏତେ ଆସନରୁ ହାରିବା ପରେ ବି ସେ ରାଜନୀତି ଛାଡ଼ିନଥିଲେ । ହାରିଲେ କେହି ରାଜନୀତି ଛାଡ଼ି ଯାଏନି । ବିଜେପି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦିଙ୍କ ନେତୃତ୍ୱ ଓ ଆଦର୍ଶରେ ବିଶ୍ୱର ସର୍ବବୃହତ ରାଜନୀତିକ ଦଳରେ ପରିଣତ ହୋଇପାରିଛି। ଗୁମାସ୍ତା ସାଜିଥିବା ରାଜ୍ୟ ବାହାରର ପାଣ୍ଡିଆନ କେବଳ ନିଜ ଭାଷଣ ଶୁଣି ଆତ୍ମସନ୍ତୋଷ ହେଉଛନ୍ତି । ସାଧାରଣ ଲୋକ କିମ୍ବା ତାଙ୍କ ଦଳର ନେତା କେହି ସନ୍ତୁଷ୍ଟ ନାହାନ୍ତି । ପାଣ୍ଡିଆନଙ୍କର ରାଜନୀତିକ ପରିପକ୍ୱତା କେବେ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ପାଣ୍ଡିଆନ ଓଡ଼ିଶାରେ ଚାକିରି କରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଅଛନ୍ତି। ରାଜନୀତିକ ଜୀବନରେ ସେ ଯାହା ହୋଇଛନ୍ତି ଓ ଓଡ଼ିଶା ପାଇଁ କରିଛନ୍ତି ତାକୁ ବର୍ଣ୍ଣନା କରିହେବ ନାହିଁ । ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ହେବାପରେ ପାରାଦୀପ ରିଫାଇନାରୀର ବ୍ୟାପକ ସମ୍ପ୍ରସାରଣ କରିଥବଲେ । ତାଙ୍କ ପାଇଁ ପାରାଦୀପ ଓ ଧାମରା ଏବେ ପୂର୍ବଭାରତ ତୈଳ ଓ ଗ୍ୟାସ ହବରେ ପରିଣତ ହୋଇଛି । ରାଜ୍ୟରେ ୫୦୪୭୯କୋଟି ଟଙ୍କା ମୂଲ୍ୟର ୪୩ଟି ତୈଳ ଓ ଗ୍ୟାସ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଥିବାବେଳେ ୧.୪୫ଲକ୍ଷ କୋଟିର ୩୬ଟି ପ୍ରକଳ୍ପରେ କାମ ଜାରି ରହିଛି । ବରଗଡ଼ରେ ଇଥାନଲ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ଅବସ୍ଥାରେ ଅଛି । ସମ୍ବଲପୁର ଆଇଆଇଏମ୍‌, ଭୁବନେଶ୍ୱର ଏସଡିଆଇ, ମୁମ୍ବାଇ ଆଇସିଟି, ଭୁବନେଶ୍ୱରରେ ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ , ବ୍ରହ୍ମପୁର ଆଇଜର, ସମ୍ବଲପୁର ଆଇଆଇଏମରେ ରଙ୍ଗବତୀ ସେଂଟର ପ୍ରତିଷ୍ଠା ସେ କରିଛନ୍ତି । ତାଙ୍କ ସମୟରେ ଓଡ଼ିଶାର ବିଶ୍ୱବିଦ୍ୟାଳୟକୁ ୬୦୦କୋଟି ଟଙ୍କାର ଅନୁଦାନ ଆସିଛି । ତେଣୁ ପାଣ୍ଡିଆନ ଏପରି କହି ବାଚାଳମୀ ଦେଖାନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ସେହିପରି ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ଯେ, ଅଣଓଡ଼ିଆ ନେତା ଭିକେ ପାଣ୍ଡିଆନଙ୍କର ରାଜନୀତିକ ଅଭିଳାଷକୁ ଚରିତାର୍ଥ କରିବା ପାଇଁ ବିଜେଡିର ଇସ୍ତାହାର ତିଆରି ହୋଇଛି । ବିଜେଡିର ଏହି ଇସ୍ତାହାର ପାଣ୍ଡିଆନଙ୍କ ଦ୍ୱାରା, ପାଣ୍ଡିଆନଙ୍କର ଓ ପାଣ୍ଡିଆନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଭଳି ମନେ ହେଉଛି । ଫାଇଭ-ଟି ଲାଗୁ କରିବା ପାଇଁ ଏହି ଇସ୍ତାହାରରେ କୁହାଯିବା ଅର୍ଥ ଓଡ଼ିଶାରେ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଲାଗୁ କରିବା, ଦୁର୍ନୀତିକୁ ଆହୁରି ବ୍ୟାପକ କରିବା, ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଟ୍ରାଫିକ ପୁଲିସ ଓ କ୍ରୀତଦାସ ସଜାଇବା ଏବଂ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନକୁ ହତ୍ୟା କରିବା ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ୨୪ବର୍ଷର ଶାସକ ବିଜେଡି ଏବେ ରିପୋର୍ଟ କାର୍ଡ ଦେଖାଇବା କଥା । ୨୦୦୯,୨୦୧୪,୨୦୧୯ ନିର୍ବାଚନରେ ବିଜେଡି ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତା’ର ୯୦ ପ୍ରତିଶତ ପୂରଣ ହୋଇପାରିନି ।  ଝିଅମାନଙ୍କୁ କେଜିରୁ ପିଜି, ଗରିବ ପରିବାରର ଝିଅ ବାହାଘର ପାଇଁ ୨୫ହଜାର ଟଙ୍କାର ଆର୍ଥିକ ସହାୟତା ଭଳି ଅନେକ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

Related story