/odisha-reporter/media/post_attachments/uploadimage/library/16_9/16_9_0/IMAGE_1676392140.jpeg)
Sujata R. Karthikeyan
ବିଜେଡିର ନମ୍ବର-ଟୁ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନଙ୍କ ବିରୁଦ୍ଧରେ ଆଜି ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି ବିଜେପି। କ୍ଷମତାର ଦୁରୂପଯୋଗ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଧମକଚମକ ଦେଇ ବିଜେଡି ସପକ୍ଷରେ ଭୋଟ୍ କରିବା ନିମନ୍ତେ ସୁଜାତା ପାଣ୍ଡିଆନ ପ୍ରୟାସ କରୁଛନ୍ତି। ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ନିର୍ବାଚନ ସରିବା ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟରୁ ନିବୃତ୍ତ ରଖିବାକୁ ବିଜେପିର ସେଂଟ୍ରାଲ ଟିମ୍ ଦାବି କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ , ବିଜେପିର ବରିଷ୍ଠ ନେତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା ରାଜୀବ ଚନ୍ଦ୍ରଶେଖର, ସୁଧାଂଶୁ ତ୍ରିବେଦୀ ଓ ଓମ୍ ପାଠକ ଆଜି ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟି ଆଇଏଏସ୍ ସୁଜାତା ପାଣ୍ଡିଆନ କିଭଳି ଖୋଲାଖୋଲି ଭାବେ ସରକାରୀ କଳ ଓ କ୍ଷମତାର ଦୁରୂପଯୋଗ କରିବା ସହ ବିଜେଡି ସପକ୍ଷରେ ଭୋଟ୍ କରାଇବା ନିମନ୍ତେ ଅପଚେଷ୍ଟା କରୁଛନ୍ତି ସେ ନେଇ ଲିଖିତ ଅଭିଯୋଗ କରିଛନ୍ତି। ନିଜ ସ୍ୱାମୀ ଭିକେ ପାଣ୍ଡିଆନଙ୍କ ଦ୍ୱାରା ପ୍ରଭାବିତ ହୋଇ ଏଭଳି ଅନୈତିକ କାର୍ଯ୍ୟରେ ଲିପ୍ତ ଅଛନ୍ତି। ଓଡ଼ିଶା ସରକାର ପ୍ରାୟ ୭୦ହଜାର ମହିଳାଙ୍କୁ ଏହି ଏସଏଚଜିରେ ସାମିଲ କରିଛନ୍ତି। ଆଉ ସେମାନଙ୍କ ମାଧ୍ୟମରେ ସୁଜାତା ପାଣ୍ଡିଆନ ଏବେ ଭୋଟରଙ୍କୁ ପ୍ରଭାବିତ କରିବା କାର୍ଯ୍ୟ କରିବାରେ ଲାଗିଛନ୍ତି। ଭୋଟରଙ୍କୁ ସଚେତନ କରାଇବା ପାଇଁ ଜାତୀୟ ନିର୍ବାଚନ କମିଶନ ଏସଭିଇଇପି(ସିଷ୍ଟମେଟିକ ଭୋଟର୍ସ ଏଜୁକେସନ ଆଣ୍ଡ ଇଲେକ୍ଟ୍ରୋରାଲ ପ୍ରାଟିସପେକ୍ସନ) ଭଳି ଫ୍ଲାଗସିପ୍ କାର୍ଯ୍ୟକ୍ରମ କରୁଛନ୍ତି।
ମାତ୍ର ଆଇଏଏସ୍ ସୁଜାତା ପାଣ୍ଡିଆନ ଏବେ ସମ୍ପୃକ୍ତ ୭୦ହଜାର ମହିଳାଙ୍କ ମାଧ୍ୟମରେ ଏହି ‘ଏସଭିଇଇପି’ର ଦୁରୂପଯୋଗ କରି ମିଶନଶକ୍ତି ସହ ଜଡ଼ିତ ମହିଳାମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ପ୍ରବର୍ତ୍ତାଉଛନ୍ତି। ଏପରିକି ବିଜେଡିକୁ ଭୋଟ୍ ନଦେଲେ ମିଶନ ଶକ୍ତି ବିଭାଗ ଯୋଗାଉଥିବା ସରକାରୀ ସୁବିଧା ବନ୍ଦ କରିଦିଆଯିବ ବୋଲି ଧମକ ଦେବାକୁ ମଧ୍ୟ ପଛାଉନାହାନ୍ତି। ଯାହାକି ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଘଂନ।
ତେଣୁ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ତୁରନ୍ତ ସୁଜାତାଙ୍କୁ ମିଶନ ଶକ୍ତି କମିଶନର ପଦବୀରୁ ହଟାଇ ଦେଇ ନିର୍ବାଚନ ସରିବା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସରକାରୀ କାର୍ଯ୍ୟରୁ ନିବୃତ୍ତ ରଖିବାକୁ ବିଜେପି ଦାବି କରିଛି।
ସୂଚନାଯୋଗ୍ୟ, ଗତମାସରେ ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ସୁଜାତାଙ୍କ ବିରୁଦ୍ଧରେ ଅନୁରୂପ ଅଭିଯୋଗ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
