Advertisment

ପାଣ୍ଡିଆନ ତାଙ୍କ ସୀମା ଭିତରେ ରୁହନ୍ତୁ: ଅପରାଜିତା

‘ପାଣ୍ଡିଆନ ବାବୁ ଆଜି ପର୍ଯ୍ୟନ୍ତ ୱାର୍ଡ ମେମ୍ବର ନିର୍ବାଚନ ଲଢ଼ି ନାହାନ୍ତି, ସେ ପଚାରୁଛନ୍ତି ଅପରାଜିତା ଷଡ଼ଙ୍ଗୀ ୫ ବର୍ଷରେ କ’ଣ କାମ କଲେ? ପ୍ରଥମେ ଶାନ୍ତ ମନରେ ମୋ ରିପୋର୍ଟ କାର୍ଡ ପଢ଼ନ୍ତୁ, ଉତ୍ତର ପାଇଯିବେ।’

author-image
Jitendra Garnayak
Aparajita Sarangi

Aparajita Sarangi

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଉପରେ ନକାରାତ୍ମକ ଟିପ୍ପଣୀ ଦେଉଥିବା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଔକାତ୍ ଓ ଦମ୍ ଭଳି ଶବ୍ଦ ପ୍ରୟୋଗ କରୁଥିବା ପାଣ୍ଡିଆନ ବାବୁ ନିଜ ସୀମା ଭିତରେ ରହିବା ଉଚିତ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

Advertisment

ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ସେ (ଭି.କେ ପାଣ୍ଡିଆନ) ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ। ମସୁରୀରେ ଆଇଏଏସ୍ ଏକାଡେମୀରେ ଶିଷ୍ଟାଚାର ଉପରେ ଟ୍ରେନିଂ ଦିଆଯାଏ। ସେ ଏତିକି ତ ଶିଷ୍ଟାଚାର ରଖିବା କଥା ଯେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ପର୍ଯ୍ୟଟକ ନୁହନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ନକାରାତ୍ମକ ଟିପ୍ପଣୀ ନକରନ୍ତୁ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଂପର୍କରେ ଔକାତ୍ ଓ ଦମ୍ ଶବ୍ଦର ପ୍ରୟୋଗ କରିବା ଓ ତାଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ କରିବା ପୂର୍ବତନ ଆଇଏଏସ୍ ଅଫିସର ପାଣ୍ଡିଆନ ବାବୁଙ୍କୁ ଶୋଭା ଦେଉ ନାହିଁ। ସେ ନିଜର ସୀମା ଭିତରେ ରହିବା ଦରକାର। ସେ ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର କରିବା କଥା।

ସେ ଆହୁରି କହିଛନ୍ତି, ମୋତେ ସେ (ଭି.କେ ପାଣ୍ଡିଆନ) ପଚାରୁଛନ୍ତି, ମୁଁ ୫ ବର୍ଷରେ କ’ଣ କାମ କରିଛି। ଏହା ସମ୍ବନ୍ଧରେ ମୁଁ ତାଙ୍କୁ ପଚାରିବାକୁ ଚାହିଁବି ଯେ ବିଜେଡିର ଯଦି ସତ୍‌ସାହସ ଅଛି, ତାଙ୍କର ୧୨ ଜଣ ସାଂସଦଙ୍କର ରିପୋର୍ଟ କାର୍ଡ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାନ୍ତୁ। ପ୍ରସନ୍ନ ପାଟ୍ଟଶାଣୀ ୨୫ ବର୍ଷ ପାଇଁ ବିଜୁ ଜନତା ଦଳ ତରଫରୁ ସାଂସଦ ଥିଲେ। ତାଙ୍କର ୨୫ ବର୍ଷର ରିପୋର୍ଟ କାର୍ଡ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାନ୍ତୁ। ରଖି ପାରିବେ କି? ଭର୍ତ୍ତୃହରି ମହତାବ, ଅନୁଭବ ମହାନ୍ତି ଓ ପିନାକୀ ମିଶ୍ର ଲୋକସଭାରେ ଉପସ୍ଥିତ ରହୁଥିଲେ ଓ ଆଲୋଚନାରେ ଭାଗ ନେଉଥିଲେ। ଆଉ ବିଜେଡି ତରଫରୁ ସେମାନଙ୍କୁ ଏଥର ପୁରସ୍କାର ଦିଆଗଲା। ସେମାନଙ୍କୁ ଟିକେଟ ଦିଆଗଲା ନାହିଁ। ତାଙ୍କର ଅନ୍ୟ ୧୨ ଜଣ ସାଂସଦଙ୍କ ମଧ୍ୟରୁ କିଏ ରିପୋର୍ଟ କାର୍ଡ ବାହାର କରିଛନ୍ତି। ଯଦି ସେମାନେ ରିପୋର୍ଟ କାର୍ଡ ବାହାର କରିଛନ୍ତି, ତା’ହେଲେ ସେଗୁଡ଼ିକୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଇବେ କି ପାଣ୍ଡିଆନ ବାବୁ?

Advertisment

ପାଣ୍ଡିଆନ ବାବୁ ଆଜି ପର୍ଯ୍ୟନ୍ତ ୱାର୍ଡ ମେମ୍ବର ନିର୍ବାଚନ ଲଢ଼ି ନାହାନ୍ତି, ସେ ପଚାରୁଛନ୍ତି ଅପରାଜିତା ଷଡ଼ଙ୍ଗୀ ୫ ବର୍ଷରେ କ’ଣ କାମ କଲେ? ପ୍ରଥମେ ଶାନ୍ତ ମନରେ ମୋ ରିପୋର୍ଟ କାର୍ଡ ପଢ଼ନ୍ତୁ, ଉତ୍ତର ପାଇଯିବେ। ମୋର ରାଜନୀତିକ କ୍ୟାରିୟର ତାଙ୍କ ମତାମତ ଉପରେ ନିର୍ଭର କରୁ ନାହିଁ। ମୁଁ ରିପୋର୍ଟ କାର୍ଡ ଦେଇଛି। ଲୋକଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରାଯାଇଛି ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ।

Aparajita Sarangi Vk Pandian