ବିଦେଶରେ ଅୟସ କରୁଥିଲେ ମାଳମାଳ ଆଇଏଏସ୍‌: ପାଣ୍ଡିଆନ ବିଦେଶରେ ବିତାଇଛନ୍ତି ୨୭ଦିନ, ଜାଣିପାରିନି ଜିଏ ବିଭାଗ

ବିଜେଡିର ଅଘୋଷିତ ସର୍ବେସର୍ବା ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପୂର୍ବରୁ ୨୦୨୨ ଓ ୨୦୨୩ ମସିହାରେ ମୋଟ ୪ଥର ବିଦେଶ ଗସ୍ତ କରି ୨୭ଦିନ ବିତାଇଥିଲେ ମଧ୍ୟ ସାଧାରଣ ପ୍ରଶାସନ(ଜିଏ) ବିଭାଗ କିଭଳି ଏହାର ଟେର୍ ପାଇନି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ହୋଇଛି । ଆଉ ୨୦୨୧ ମସିହା ଅଗଷ୍ଟ ମାସରୁ ଜିଏ ବିଭାଗ ଦାୟତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାରଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି ।

VK Pandian

ଭି.କେ ପାଣ୍ଡିଆନ

Ordigital Desk
  • Published: Wednesday, 05 February 2025
  • , Updated: 05 February 2025, 08:56 PM IST

କରୋନା ମାହାମାରୀ ପରେ ରାଜ୍ୟର ବରିଷ୍ଠ ଆଇଏଏସ୍ ଅଫିସରମାନେ ବିଦେଶରେ ମାସମାସ ଧରି ସମୟ ବିତାଉଥିଲେ । କିଏ ସରକାରୀ କାର୍ଯ୍ୟରେ ତ କିଏ ବ୍ୟକ୍ତିଗତ ଛୁଟିରେ ବିଦେଶ ବୁଲୁଥିଲେ । କିନ୍ତୁ ଏସବୁର ତଥ୍ୟ ରାଜ୍ୟରେ ଆଇଏଏସ ଅଫିସରଙ୍କ କ୍ୟାଡ଼ର ନିୟନ୍ତ୍ରଣ କରୁଥିବା ‘ସାଧାରଣ ପ୍ରଶାସନ’ ବିଭାଗ ପାଖରେ ନାହିଁ । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ୮ମାସ ବିତିଯାଇଥିଲେ ସୁଦ୍ଧା ରାଜ୍ୟ ପ୍ରଶାସନରେ ଭିକେ ପାଣ୍ଡିଆନଙ୍କ ଦବଦବା କାଏମ ରହିଛି । ବିଶେଷକରି ପାଣ୍ଡିଆନଙ୍କ ବିଦେଶ ଗସ୍ତ ସଂକ୍ରାନ୍ତ ତଥ୍ୟକୁ ସାଧାରଣ ପ୍ରଶାସନ ବିଭାଗ ଯେଭଳି ଢଙ୍ଗରେ ଲୁଚାଇ ରଖିଛି ସେଥିରୁ ଏଭଳି ଆଶଙ୍କା ସ୍ପଷ୍ଟ ହେବାରେ ଲାଗିଛି । ବିଜେଡିର ଅଘୋଷିତ ସର୍ବେସର୍ବା ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପୂର୍ବରୁ ୨୦୨୨ ଓ ୨୦୨୩ ମସିହାରେ ମୋଟ ୪ଥର ବିଦେଶ ଗସ୍ତ କରି ୨୭ଦିନ ବିତାଇଥିଲେ ମଧ୍ୟ ସାଧାରଣ ପ୍ରଶାସନ(ଜିଏ) ବିଭାଗ କିଭଳି ଏହାର ଟେର୍ ପାଇନି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ହୋଇଛି । ଆଉ ୨୦୨୧ ମସିହା ଅଗଷ୍ଟ ମାସରୁ ଜିଏ ବିଭାଗ ଦାୟତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଓ ତତ୍କାଳୀନ ମୁଖ୍ୟ ସଚିବମାନଙ୍କର ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି ।

ସନ୍ଦେହଘେରରେ ସାଧାରଣ ପ୍ରଶାସନ ବିଭାଗର ଭୂମିକା

ସାଧାରଣ ପ୍ରଶାସନ ବିଭାଗ ଚଳିତମାସ ୧ତାରିଖରେ ଦେଇଥିବା ତଥ୍ୟ ଅନୁସାରେ ୨୦୧୯ ମେ’ ୧ରୁ ୨୦୨୪ ଜୁନ୍ ୩୦ତାରିଖ ମଧ୍ୟରେ ରାଜ୍ୟର ୪୬ଜଣ ଆଇଏଏସ୍ ଅଫିସର ବ୍ୟକ୍ତିଗତ ଭାବେ ୭୩ ଥର ଓ ୩୧ଜଣ ଆଇଏଏସ୍ ସରକାରୀ କାର୍ଯ୍ୟରେ ୪୧ ଥର ବିଭିନ୍ନ ଦେଶକୁ ଗସ୍ତ କରିଛନ୍ତି । କିନ୍ତୁ ବିଦେଶ ଗସ୍ତ କରିଥିବା ଏହି ଅଫିସରମାନଙ୍କ ତାଲିକାରେ ଭିକେ ପାଣ୍ଡିଆନଙ୍କ ନାଁ କେଉଁଠି ବି ନାହିଁ । ଏପରିକି ଉକ୍ତ ଅବଧି ମଧ୍ୟରେ ପାଣ୍ଡିଆନ ଯେଉଁ ୪ଥର ବିଦେଶ ଗସ୍ତ କରିଛନ୍ତି ଓ ତାଙ୍କ ସହ ଯେଉଁ ଅଫିସରମାନେ ବିଦେଶ ଯାଇଛନ୍ତି ତା’ର ତଥ୍ୟ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ ପାଖରେ ନାହିଁ । ରାଜ୍ୟରେ ଆଇଏଏସ୍ ଅଫିସରଙ୍କ କ୍ୟାଡ଼ର କଂଟ୍ରୋଲ ଦାୟିତ୍ୱରେ ଥିବା ସାଧାରଣ ପ୍ରଶାସନ ବିଭାଗ ସମସ୍ତ ଅଫିସରଙ୍କ ବିଦେଶ ଗସ୍ତର ତାଲିକା ଦେଇଥିବାବେଳେ ପାଣ୍ଡିଆନଙ୍କ ବିଦେଶ ଗସ୍ତ ସହ ଜଡ଼ିତ ତଥ୍ୟଗୁଡ଼ିକୁ କାହିଁକି ଓ କାହା ନିର୍ଦ୍ଦେଶରେ ଲୁଚାଇଛି ତାହା ଜଣାପଡ଼ିନି ସତ । କିନ୍ତୁ ମୁଖ୍ୟ ସଚିବଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ କାହିଁକି ଏହି ତଥ୍ୟକୁ ସାର୍ବଜନୀନ କରୁନି ଓ କାହା ଅନୁମତିରେ ପାଣ୍ଡିଆନ ଏବଂ ତାଙ୍କ ଟିମ ବିଦେଶ ଯାଇଥିଲେ, ତା’ହା ଏବେ ବି ବଡ଼ ପ୍ରଶ୍ନବାଚୀ ହୋଇଛି। 

ପାଣ୍ଡିଆନ ଓ ତାଙ୍କ ଟିମ୍ ବିଦେଶ ମାଟିରେ ୨୦୨୨ ମସିହାରେ  ୧୦ଦିନ ଏବଂ ୨୦୨୩ ମସିହାରେ ୧୭ଦିନ ବିତାଇଥିଲେ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ କିଭଳି ତା’ର ଟେର ପାଇଲା ନାହିଁ । ଗଣମାଧ୍ୟମଠୁ ଆରମ୍ଭ କରି ସବୁଆଡ଼େ ଏସବୁ ବିଦେଶ ଗସ୍ତର ବ୍ୟାପକ ପ୍ରଚାର ହେଲା କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସାଧାରଣ ପ୍ରଶାସନ ବିଭାଗର ରେକର୍ଡରେ ଏସବୁ ଖବର ନାହିଁ । ଏହା ବିଶ୍ୱାସଯୋଗ୍ୟ ନହେଲେ ମଧ୍ୟ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ପ୍ରସନ୍ନ କୁମାର ପଟ୍ଟନାୟକ ୪ଦିନ ପୂର୍ବରୁ ଅର୍ଥାତ୍ ଫେବୃୟାରୀ ୧ତାରିଖରେ ସୂଚନା କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଦେଇଥିବା ତଥ୍ୟ ହିଁ ଏହା ଦର୍ଶାଉଛି । ଆଉ ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଥ୍ୟ ନଦେବା କିମ୍ବା ଏହି ଅବଧି ମଧ୍ୟରେ ପାଣ୍ଡିଆନ ଛୁଟିରେ ରହିଥିଲେ ବୋଲି ତଥ୍ୟ ନଦେବା ମଧ୍ୟ ସାଧାରଣ ପ୍ରଶାସନ ବିଭାଗ ଅଫିସରମାନଙ୍କ ଭୂମିକାକୁ ସନ୍ଦେହଘେରକୁ ଟାଣିଆଣିଛି । ଯଦିଓ ସଂସଦୀୟ ବ୍ୟାପାର ବିଭାଗ, ଆଇଟି ବିଭାଗର ତଥ୍ୟ କହୁଛି ପାଣ୍ଡିଆନ ୪ଥର ବିଦେଶ ଗସ୍ତରେ ଯାଇ ୨୭ଦିନ ବିତାଇଛନ୍ତି ।

ବିଦେଶରେ ମଉଜ କରୁଥିଲେ ଅଫିସର

୨୦୧୯ ମେ’ ୨୯ରେ ନବୀନ ପଟ୍ଟନାୟକ ସରକାର କ୍ରମାଗତ ପଂଚମଥର ପାଇଁ କ୍ଷମତାକୁ ଆସିବା ପରେ ରାଜ୍ୟରେ ପ୍ରଶାସନିକ ଅରାଜକତା ଚରମସୀମାରେ ପହଂଚିଥିଲା । ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ‘ପାଣ୍ଡିଆନକେନ୍ଦ୍ରିକ’ ହୋଇପଡ଼ିଥିଲା ତଥା ପାଣ୍ଡିଆନ ଓ ତାଙ୍କ ଟିମ୍ ହିଁ ‘ଧରାକୁ ସରା’ ମଣି ମନମୁଖୀ କାର୍ଯ୍ୟ ଜାରି ରଖିଥିଲେ । କରୋନା ମହାମାରୀ କଟକଣା ମଧ୍ୟ ସେମାନଙ୍କ ପାଇଁ ‘ସୋନେପେ ସୁହାଗା’ ହୋଇଥିଲା । କରୋନା ଯୋଗୁ ସାମୟିକ ବିଦେଶ ଗସ୍ତ ଉପରେ ସମଗ୍ର ଦେଶରେ କଟକଣା ରହିଥିଲା । ମାତ୍ର ଏହି କଟକଣା ହଟିବା ପରେ ଅଫିସରମାନେ ମନଇଚ୍ଛା ବିଦେଶ ଗସ୍ତ କରିଛନ୍ତି । ୪୬ଜଣ ଆଇଏଏସ୍ ଅଫିସର ବ୍ୟକ୍ତିଗତ କାରଣରୁ ମୋଟ ୭୩ଥର ବିଦେଶ ଗସ୍ତ କରିଛନ୍ତି । ୩୧ଜଣ ସରକାରୀ କାର୍ଯ୍ୟରେ ୪୧ଥର ବିଦେଶ ଗସ୍ତ କରିଥିବା ସାଧାରଣ ପ୍ରଶାସନ ବିଭାଗ କହିଛି ।

ଶକ୍ତି ଓ ଆଇଟି ସଚିବ ବିଶାଳ ଦେବ ତ ବ୍ୟକ୍ତିଗତ କାରଣ ଦର୍ଶାଇ ସର୍ବାଧିକ ୧୦ଥରରେ ୯୧ଦିନ ଆମେରିକା, ସିଙ୍ଗାପୁର, କତାର, ତାଞ୍ଜାନିଆ, ତୁର୍କୀ ଭଳି ରାଷ୍ଟ୍ରରେ ଛୁଟି ବିତାଇଛନ୍ତି । ୨୦୧୯ ମସିହାରେ ୨ଥରେ ୧୮ଦିନ, ୨୦୨୨ ମସିହାରେ ୩ଥରରେ ୨୫ଦିନ, ୨୦୨୩ ମସିହାରେ ୩ଥରରେ ୪୧ଦିନ ଓ ୨୦୨୪ ଜୁନ୍ ମଧ୍ୟରେ ୨ଥରେ ୭ଦିନ ସେ ବ୍ୟକ୍ତିଗତ କାରଣରୁ ବିଦେଶ ଯାଇଛନ୍ତି । ଏହାବାଦ୍ ସରକାରୀ ଗସ୍ତରେ ସେ ଥରେ ମାତ୍ର ୪ଦିନ ପାଇଁ ଫ୍ରାନ୍ସ ଯାଇଥିଲେ । ସେହିପରି  ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବ କାନାଡ଼ା, ଆମେରିକା, ଦୁବାଇ, ଶ୍ରୀଲଙ୍କାକୁ ୫ଥର ବ୍ୟକ୍ତିଗତ ଗସ୍ତରେ ଯାଇ ସେଠାରେ ମୋଟ୍ ୬୫ଦିନ ବିତାଇଛନ୍ତି । ସରକାରୀ ଗସ୍ତରେ ସେ ମାତ୍ର ଥରେ ୨୦୧୯ ମସିହାରେ ୫ଦିନ ପାଇଁ ଆମେରିକା ଯାଇଥିଲେ । ଅର୍ଥାତ୍ ସେ ମୋଟ ୭୦ଦିନ ବିଦେଶରେ ବିତାଇଛନ୍ତି । ଜିଏ ସଚିବ ସୁରେନ୍ଦ୍ର କୁମାର ୨୦୨୩ ମସିହାରେ ୨ଥରରେ ୨୦ଦିନ ଦୁବାଇ ଓ ତୁର୍କୀରେ ଛୁଟି ବିତାଇଛନ୍ତି ।

୨୦୨୪ରେ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ସେ ମେ’ ୨୪ରୁ ୩୧ତାରିଖ ପର୍ଯ୍ୟନ୍ତ କଜାକସ୍ତାନରେ ଛୁଟି ବିତାଇଥିଲେ । ତେବେ ୨୦୧୯ ମସିହା ସେପ୍ଟେମ୍ବରରେ ସେ ସରକାରୀ ଗସ୍ତରେ ମାତ୍ର ୩ଦିନ ପାଇଁ ରୁଷ୍ ଯାଇଥିବା ତାଙ୍କ ବିଭାଗ କହିଛି । କେବଳ ବିଶାଳ ଦେବ, ସୁରେନ୍ଦ୍ର କୁମାର ନୁହଁନ୍ତି ରାଜସ୍ୱ ସଚିବ ଦେଓରଞ୍ଜନ ସିଂ ଥରେ ୨୦୧୯ ମସିହାରେ ଡିସେମ୍ବର ୨୧ରୁ ୩୧ତାରିଖ ପର୍ଯ୍ୟନ୍ତ ଥାଇଲ୍ୟାଣ୍ଡ ଓ ସିଙ୍ଗାପୁରରେ ବ୍ୟକ୍ତିଗତ ଛୁଟି ବିତାଇଥିବାବେଳେ ସରକାରୀ ଗସ୍ତରେ ସେ ଦୁବାଇ,ୟୁକେ,ଅଷ୍ଟ୍ରେଲିଆ, ରୁଷ୍‌, ଜର୍ମାନୀ, ଫ୍ରାନ୍ସ ଓ ସ୍ୱିଜରଲ୍ୟାଣ୍ଡକୁ ୫ଥର ଗସ୍ତ କରି ମୋଟ ୨୬ଦିନ ବିତାଇଛନ୍ତି । ବିଶାଳ ଦେବଙ୍କ ଭଳି ଅଫିସରଙ୍କୁ କିଭଳି ବର୍ଷକୁ ୨-୩ଥର ଲେଖାଏଁ ବିଦେଶ ଗସ୍ତ ପାଇଁ ରାଜ୍ୟ ସରକାର ଅନୁମତି ଦେଉଥିଲେ ତାହାବି ଚର୍ଚ୍ଚାର ବିଷୟ ।

ନବୀନ ଓ ଶ୍ରଦ୍ଧାଙ୍କ ସହିତ ଭିକେ ପାଣ୍ଡିଆନ
ପଣ୍ଡିଆନଙ୍କ ବିଦେଶରେ ୨୭ଦିନ, ଜିଏ ବିଭାଗ ଜାଣିପାରିଲାନି

୨୦୨୩ ଅକ୍ଟୋବର ୨୪ତାରିଖରେ ସରକାରୀ ଚାକିରିରୁ ଅବସର ନେଇଥିବା ତତକାଳୀନ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ୨୦୨୨ ଜୁନ୍ ୨୦ରୁ ୩୦ତାରିଖ ପର୍ଯ୍ୟନ୍ତ ଇଟାଲୀ ଓ ଦୁବାଇ ଗସ୍ତ କରିଥିଲେ । ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଗସ୍ତରେ ପାଣ୍ଡିଆନଙ୍କ ସହ  ଆଇଏଏସ୍ ଅନୁ ଗର୍ଗ, ମନୋଜ କୁମାର ମିଶ୍ର(ତତକାଳୀନ ଆଇଟି ସଚିବ), ଆଇପିଏସ୍ ରବିକାନ୍ତ, ଆଇଏଏସ୍ ଆର.ଭିନିଲକ୍ରିଷ୍ଣା ସରକାରୀ ଭାବେ ଯାଇଥିଲେ । ଏହି ଗସ୍ତବାବଦରେ ମୋଟ ୮୨ଲକ୍ଷ ୯୨ହଜାର ୪୪୯ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସଂସଦୀୟ ବ୍ୟାପାର ବିଭାଗ ସୂଚନା ଦେଇଛି । ଅବଶ୍ୟ ଏହି ଗସ୍ତବେଳେ ପାଣ୍ଡିଆନ ନିଜର ଖାସ୍ ସହଯୋଗୀ ‘ଶ୍ରଦ୍ଧା’ଙ୍କୁ ନେଇଥିଲେ ଓ ପୋପଙ୍କୁ ଭେଟିବା ପାଇଁ ନବୀନ ଖରାରେ ଧାଡ଼ିବାନ୍ଧି ଠିଆ ହେବା ନେଇ ମଧ୍ୟ ସେତେବେଳେ ବିବାଦ ଉଠିଥିଲା । ଅତନୁ ସବ୍ୟସାଚୀ ନାୟକ,ଦେବୀ ମିଶ୍ର,ସୁଜିତ୍ କୁମାର ଓ ଆକାଶଦାସ ନାୟକଙ୍କୁ ଏହି ଗସ୍ତର ଶେଷଭାଗ(ଦୁବାଇ)ରେ ସାମିଲ କରାଯାଇଥିଲା ।

୨୦୨୩ ଏପ୍ରିଲ ୪ରୁ ୧୧ତାରିଖରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଜାପାନ ଗସ୍ତ କରିଥିଲା । ଟିମରେ ନବୀନଙ୍କ ସହ ତତକାଳୀନ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ସଚିବ ପିକେ ଜେନା,ହେମନ୍ତ ଶର୍ମା,ମନୋଜ ମିଶ୍ର, ଆର. ଭିନିଲକ୍ରିଷ୍ଣା,ରବିକାନ୍ତ, ଭୂପିନ୍ଦର ସିଂ ପୁନିଆ ଯାଇଥିଲେ । ପାଣ୍ଡିଆନ ମଧ୍ୟ ସେହି ବିଦେଶ ଗସ୍ତରେ ନବୀନଙ୍କ ସହ ଛାଇଭଳି ରହିଥିଲେ । ଏହି ଗସ୍ତ ବାବଦରେ ୬୭ଲକ୍ଷ ୬୫ହଜାର ୫୭୬ଟଙ୍କା ଖର୍ଚ୍ଚ ହୋଇଥିବା ସଂସଦୀୟ ବ୍ୟାପାର ବିଭାଗରୁ ସୂଚନା ମିଳିଛି ।

୨୦୨୩  ମେ’ ୧୫ତାରିଖରେ ପାଣ୍ଡିଆନ ଓ ତାଙ୍କ ଟିମ୍ ଦୁବାଇ ଗସ୍ତ କରିଥିଲା । ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ କରିଥିଲା ଓ ସେଥିରେ ପାଣ୍ଡିଆନ ଓ ତାଙ୍କ ଟିମ୍ ସମେତ ବିଜେଡିର ବହୁ ନେତା ଛୁଟି ବିତାଇବାକୁ ଦୁବାଇ ଯାଇଥିଲେ । ପାଣ୍ଡିଆନ ସେଠାରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଥିଲେ । ପାଣ୍ଡିଆନଙ୍କ ସହ ଏହି ଟିମରେ ଅନୁ ଗର୍ଗ, ଆର. ଭିନିଲକ୍ରିଷ୍ଣା, ମନୋଜ ମିଶ୍ର ,ରବିକାନ୍ତ ପ୍ରମୁଖ ଥିଲେ । ଏହି ଗସ୍ତବାବଦରେ କେତେ ଖର୍ଚ୍ଚ ତାହା ଜଣାପଡ଼ିନି ।

୨୦୨୩ ଜୁଲାଇ ୨୨ରୁ ୩୦ତାରିଖ ମଧ୍ୟରେ ତତକାଳୀନ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ମୋହରା କରି ପାଣ୍ଡିଆନ ଓ ତାଙ୍କ ଟିମ୍ ୮ଦିନିଆ ସାନଫ୍ରାନ୍ସିସ୍କୋ ଗସ୍ତରେ ଯାଇଥିଲେ । ପାଣ୍ଡିଆନଙ୍କ ସହ ଅନୁ ଗର୍ଗ,ମନୋଜ ମିଶ୍ର, ରବିକାନ୍ତ, ଭିନିଲକ୍ରିଷ୍ଣା ଯାଇଥିଲେ । ଏହି ଗସ୍ତ ପାଇଁ ରାଜକୋଷରୁ ମୋଟ ୧କୋଟି ୩୭ଲକ୍ଷ ୭୩ହଜାର ୧୬୯ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଆଇଟି ବିଭାଗ ଓ ଓକାକର ତଥ୍ୟରୁ ଜଣାପଡ଼ିଛି ।

କାହିଁକି ସନ୍ଦେହରେ ଜିଏ ବିଭାଗ

ମୁଖ୍ୟସଚିବଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହୁଥିବା ତଥା ଆଇଏଏସ୍ ଅଫିସରଙ୍କ କ୍ୟାଡ଼ର କଂଟ୍ରୋଲ ଡିପାର୍ଟମେଂଟ ଭାବେ ପରିଚିତ ସାଧାରଣ ପ୍ରଶାସନ ବିଭାଗ(ଜିଏ) କିଭଳି  ନିଜର ଅଫିସରମାନଙ୍କ ଅବସ୍ଥିତି ସମ୍ପର୍କରେ ଅବଗତ ହେଲାନି । ପାଣ୍ଡିଆନ ଯେଉଁ ୪ଥର ବିଦେଶ ଗସ୍ତ କରିଛନ୍ତି ଓ ସେମାନଙ୍କ ସହ ଅନ୍ୟ ଯେଉଁ ଅଫିସରମାନେ ବିଦେଶ ଗସ୍ତ କରିଥିଲେ ସେମାନେ କ’ଣ ମୁଖ୍ୟ ସଚିବଙ୍କ ବିନା ଅନୁମତିରେ ବିଦେଶ ଯାଇଥିଲେ କି? ପାଣ୍ଡିଆନ ନିଜର ପ୍ରଭାବ ବିସ୍ତାର କରି ଏହି ଅଫିସରମାନଙ୍କୁ ସାଙ୍ଗରେ ବିଦେଶ ନେଇଥାଇପାରନ୍ତି କିନ୍ତୁ କୌଣସି ଅଫିସର ବିଦେଶ ଯିବା ପାଇଁ ସାମାନ୍ୟତମ ସରକାରୀ ପ୍ରକ୍ରିୟା କିଭଳି ପାଳନ କରାଗଲାନି । ଜିଏ ବିଭାଗର ଅଗୋଚରରେ କ’ଣ ଅଫିସରମାନେ ମାସମାସ ଧରି ବିଦେଶରେ ବିତାଇ ପାରୁଛନ୍ତି କି? ସଂସଦୀୟ ବ୍ୟାପାର ବିଭାଗ ତଥ୍ୟ ଦେଉଥିବାବେଳେ ଜିଏ ବିଭାଗ କାହିଁକି ତଥ୍ୟକୁ ଲୁଚାଇ ରଖୁଛି । କ୍ୟାଡ଼ର ନିୟନ୍ତ୍ରଣକାରୀ ବିଭାଗ ହୋଇ ମଧ୍ୟ ଜିଏ ବିଭାଗ ଜାଣିଶୁଣି ତଥ୍ୟ ଦେଇନି ନା ପାଣ୍ଡିଆନଙ୍କ ଇକୋସିଷ୍ଟମରୁ ଏବେବି ଜିଏ ବିଭାଗ ବାହାରି ପାରିନି ତାକୁ ନେଇ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ, ବିଜେଡି ସିନା ନିଜର ପରାଜୟର ସମୀକ୍ଷା କରିପାରୁନି କିନ୍ତୁ  ଦଳର ଶୋଚନୀୟ ପରାଜୟର ଯେଉଁ କିଛି କାରଣକୁ ଏବେ ଡି-କୋଡ୍ କରାଯାଇଛି ସେଥିରେ ସବୁଠୁ ଆଗରେ ରାଜ୍ୟ ପ୍ରଶାସନିକ କଳରେ ଅରାଜକତା ଓ ସ୍ୱେଚ୍ଛାଚାରିତା । ପାଣ୍ଡିଆନକେନ୍ଦ୍ରିକ ଶାସନ ଓ ତୋଷାମଦ । ନବୀନ ପଟ୍ଟନାୟକଙ୍କ ପଂଚମ ପାଳିର ସରକାରରେ ରାଜ୍ୟ ପ୍ରଶାସନ କିଭଳି ଆତଙ୍କ,ଅରାଜକତା, ଭ୍ରଷ୍ଟାଚାର ଓ ବେଆଇନ ଗତିବିଧିର ଚରମସୀମାକୁ ଛୁଇଁଥିଲା ଯାହାକୁ ରାଜ୍ୟବାସୀ ନିରବର ସହ ଅନୁଭବ କରିଥିଲେ ଓ ୨୦୨୪ ସାଧାରଣ ନିର୍ବାଚନରେ ନିଜର ମତାଧିକାର ମାଧ୍ୟମରେ ତା’ର ଜବାବ ମଧ୍ୟ ଦେଇଥିଲେ । ରାଜ୍ୟରେ ବିଜେପିକୁ ଶାସନଭାର ଦେଇଥିବା ରାଜ୍ୟବାସୀ ମଧ୍ୟ ପାଣ୍ଡିଆନ ଇକୋସିଷ୍ଟମରେ ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ରାଜ୍ୟ ସରକାର କିଭଳି ପଦକ୍ଷେପ ନେଉଛନ୍ତି ତାହା ଉପରେ ବି ତୀକ୍ଷ୍ଣ ନଜର ରଖିଥିବା ଜଣାପଡ଼ିଛି ।

Related story