Advertisment

ଦିଲ୍ଲୀର ତାଜ୍ ହୋଟେଲରେ ଡେରା ପକାଇଛନ୍ତି ପାଣ୍ଡିଆନ, ଓଡ଼ିଶା ନିବାସରେ କୁଟ୍ଟେ ହଟହଟା

ପାଣ୍ଡିଆନ କାହିଁକି ଦିଲ୍ଲୀ ଯାଇଛନ୍ତି ତାହା ଜଣାପଡ଼ିନି । ମାତ୍ର ଅସମର୍ଥିତ ସୂତ୍ର ଅନୁସାରେ ପାଣ୍ଡିଆନ ନିଜକୁ ବିଜେଡିଠୁ ଦୂରେଇ ରଖିବେ ବୋଲି ଦଳର ନେତାମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

author-image
Ordigital Desk
TEG

TEG

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆତ୍ମଘୋଷିତ ଉତ୍ତରାଧିକାରୀ ହୋଇ ଉଭୟ ଦଳ ଓ ସରକାରରେ ଏକଛାତ୍ରବାଦୀ ଚଳାଇଥିବା ଭିକେ ପାଣ୍ଡିଆନଙ୍କ ପତ୍ତା ମିଳିଛି । ଗତ ୪ତାରିଖରେ ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରଠୁ ପାଣ୍ଡିଆନ ସର୍ବସାଧାରଣରେ ନିଖୋଜ ହୋଇଯାଇଥିଲେ। ପାଣ୍ଡିଆନଙ୍କ ରାଜନୀତିକ ମହତ୍ୱାକାଂକ୍ଷା ଓ ଭୁଲ୍ ନିର୍ବାଚନୀ ରଣନୀତି ଯୋଗୁ ବିଜେଡିର ଦୁର୍ଗକୁ ଧୂଳିସାତ କରିବାରେ ବିଜେପି ସକ୍ଷମ ହୋଇଛି। ସେହିପରି ବିଜେଡିର ବିପର୍ଯ୍ୟୟର ଅନ୍ୟତମ ଖଳନାୟକ ଡିଏସ କୁଟ୍ଟେଙ୍କୁ ମଧ୍ୟ ଓଡ଼ିଶା ନିବାସରେ ହଟହଟା ହେବାକୁ ପଡ଼ିଥିବା ଚର୍ଚ୍ଚା।

Advertisment

ଚଳିତ ସାଧାରଣ ନିର୍ବାଚନରେ ବିଜେଡିକୁ ଶକ୍ତ ଝଟକା ଦେଇ ରାଜ୍ୟରେ ବିଜେପି ଆସନ୍ତା ୧୦ତାରିଖରେ ଏକାକୀ ସରକାର ଗଠନ କରିବାକୁ ଯାଉଛି। ସାଧାରଣ ନିର୍ବାଚନ ଫଳାଫଳ ବିଜେଡି ପାଇଁ ଅପ୍ରତ୍ୟାଶିତ ହୋଇଛି । ଆଉ ନବୀନଙ୍କୁ ଢ଼ାଲ କରି ବିଜେଡିର ନେତୃତ୍ୱ ନେଉଥିବା ପାଣ୍ଡିଆନ ଦଳର ଏହି ନିର୍ବାଚନୀ ବିପର୍ଯ୍ୟୟ ପରଠୁ ନିଖୋଜ ହୋଇଯାଇଛନ୍ତି । ଗଣମାଧ୍ୟମ ସାମ୍ନାକୁ ଆସୁନାହାନ୍ତି କିମ୍ବା ନିଜର ପ୍ରତିକ୍ରିୟା ଦେଉନଥିବାରୁ ସେ କେଉଁଠି ଅଛନ୍ତି ତାକୁ ନେଇ ନାନାଦି କଳ୍ପନାଜଳ୍ପନା ଲାଗି ରହିଥିଲା।

ତେବେ ମିଳିଥିବା ସୂଚନା ଅନୁସାରେ, ପାଣ୍ଡିଆନ ୪ତାରିଖ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ଭୁବନେଶ୍ୱରରେ ଥିଲେ । ସେ ୪ ଓ ୫ତାରିଖ ଦୁଇଦିନ ଧରି କିଛି ସମୟ ପାଇଁ ନବୀନ ନିବାସକୁ ଯାଇଥିଲେ।  ୫ତାରିଖ ରାତି ସାଢ଼େ ୮ଟାରେ ଭିସ୍ତାରା ଏୟାରଲାଇନ୍ସ ଯୋଗେ ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟସ୍ଥ ‘ତାଜ୍ ପ୍ୟାଲେସ୍‌’ରେ ରହୁଥିବା ସୂଚନା ମିଳିଛି।

Advertisment

ତେବେ ପାଣ୍ଡିଆନ କାହିଁକି ଦିଲ୍ଲୀ ଯାଇଛନ୍ତି ତାହା ଜଣାପଡ଼ିନି । ମାତ୍ର ଅସମର୍ଥିତ ସୂତ୍ର ଅନୁସାରେ ପାଣ୍ଡିଆନ ନିଜକୁ ବିଜେଡିଠୁ ଦୂରେଇ ରଖିବେ ବୋଲି ଦଳର ନେତାମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପାଣ୍ଡିଆନ ନିଜକୁ ବିଜେଡି ଓ ସରକାରର ସର୍ବେସର୍ବା ଭାବି ନିଷ୍ପତ୍ତି ନେବା ସହ ମନମୁଖୀ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ଯୋଗୁ ବିଜେଡିକୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି । ପାଣ୍ଡିଆନ ନିଜର ସହଯୋଗୀ ପ୍ରଣବପ୍ରକାଶ ତାସ, ଡିଏସ କୁଟ୍ଟେ, ମାନସ ମଙ୍ଗରାଜ, ଆର ଭିନିଲ କ୍ରିଷ୍ଣା,ଆଶୀଷ ସିଂ ଓ ମନୋଜ ମିଶ୍ରଙ୍କ ଭଳି କିଛି ହାତଗଣତି ତୋଷାମଦକାରୀଙ୍କୁ ଧରି ମନମୁଖୀ କାର୍ଯ୍ୟ କରିବା ବିଜେଡିକୁ ମହଙ୍ଗା ପଡ଼ିଛି । ଦଳର ବିପର୍ଯ୍ୟୟ ହେବା ସହ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କ୍ଷମତାଚ୍ୟୁତ ହେବାକୁ ପଡ଼ିଛି । ନବୀନଙ୍କ ଏଭଳି ଲଜ୍ୟାଜନକ ବିଦାୟ ଓ ବିଜେଡିର ବିପର୍ଯ୍ୟୟ ପାଇଁ ଦଳର ଲକ୍ଷ ଲକ୍ଷ କର୍ମୀ ଏବଂ ସାଧାରଣ ଜନତା ସିଧାସଳଖ ପାଣ୍ଡିଆନ ଓ ତାଙ୍କର ଏହି ତୋଷାମଦକାରୀ ଟିମକୁ ଦାୟୀ କରୁଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ ଛାଟ ଯୋଗୁ ଚାକିରିରୁ ନିଲମ୍ବିତ ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ଓଡ଼ିଶା ନିବାସରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିବା ଚର୍ଚ୍ଚା ହେଉଛି। ଗତ ୨୯ତାରିଖରୁ ଓଡ଼ିଶା ନିବାସର ଗୋଟିଏ ମହଲାକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖି ନିଜେ ଗୋଟିଏ ରୁମରେ ଶ୍ରୀ କୁଟ୍ଟେ ରହିବା ସହ ଅନ୍ୟ ରୁମରେ ନିଜର ପୋଷା କୁକୁରକୁ ଏସି ଲଗାଇ ରଖିଥିବା ଚର୍ଚ୍ଚା ହେଉଛି । ତେବେ ନିର୍ବାଚନ ଫଳାଫଳ ଆସିବା ପରେ ତାଙ୍କୁ ଏଥିପାଇଁ ନିବାସର କର୍ମଚାରୀଙ୍କ ରୋଷର ଶିକାର ହେବାକୁ ପଡ଼ିଛି । ଶ୍ରୀ କୁଟ୍ଟେଙ୍କୁ ଗୋଟିଏ ରୁମ୍ ଛାଡ଼ିବାକୁ ପଡ଼ିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ ମେ’ ୨୮ତାରିଖରେ ଶ୍ରୀ କୁଟ୍ଟେଙ୍କୁ ନିର୍ବାଚନ କମିଶନ ଚାକିରିରୁ ନିଲମ୍ବନ କରି ୨୯ତାରିଖ ଅପରାହ୍ନ ୩ଟା ସୁଦ୍ଧା ନୂଆଦିଲ୍ଲୀସ୍ଥିତ ଓଡ଼ିଶା ସରକାରଙ୍କ ଆବାସିକ କମିଶନର କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ ଯୋଗୁ ସେ ୨୯ତାରିଖରୁ ଓଡ଼ିଶା ନିବାସରେ ରହିଛନ୍ତି ।

BjD Vk Pandian