Advertisment

ବିଜେଡିରେ ପାଣ୍ଡିଆନ ଝଡ଼: ନୂଆ ଆଂଚଳିକ ଦଳ ଗଠନକୁ ନେଇ ସଜବାଜ ଆରମ୍ଭ

ବିଜେଡିରେ ନବୀନଙ୍କ ନିରବତା ଓ ପାଣ୍ଡିଆନଙ୍କ ହାକିମାତି ଯୋଗୁ ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯେଉଁ ପାଣ୍ଡିଆନ ଓ ତାଙ୍କ ଟିମ୍ ଯୋଗୁ ଦଳକୁ ୨୪ବର୍ଷ ପରେ କ୍ଷମତାଚ୍ୟୁତ ହେବାକୁ ପଡ଼ିଲା, ସେମାନେ ଏବେବି ଦଳରେ ହାକିମାତି ଜାହିର କରୁଥିବାରୁ ବରିଷ୍ଠ ନେତାମାନେ ନିଜକୁ ଅଣନିଶ୍ୱାସୀ ମନେ କରିବାରେ ଲାଗିଛନ୍ତି ।

author-image
Ordigital Desk
Naveen And Pandian

Naveen And Pandian

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅସୁସ୍ଥତା, ସାଂଗଠନିକ କାର୍ଯ୍ୟରେ ଅନାଗ୍ରହ  ଓ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ମାମଲାତି ଏବେ ତାଙ୍କ ଦଳକୁ ବିଭାଜନ ଆଡ଼େ ଟାଣିନେଇଛି । ଦଳର ୨୪ବର୍ଷର ସରକାର ପତନରେ ପ୍ରମୁଖ ଭୂମିକା ନେବା ସତ୍ତ୍ୱେ ପାଣ୍ଡିଆନ ନିଜର ହାକିମାତି ଜାରି ରଖିଥିବାରୁ ବିଜେଡିରେ ଅସନ୍ତୁଷ୍ଟ  ନେତାଙ୍କ ସଂଖ୍ୟା ଲମ୍ବିବାରେ ଲାଗିଛି । ଗତକାଲି ବରିଷ୍ଠ ନେତା ତଥାଗତ ସତପଥୀ ଏବଂ ଆଜି ଅମର ଶତପଥୀ ଓ ପଂଚାନନ କାନୁନଗୋଙ୍କ ମନ୍ତବ୍ୟ ପରେ ରାଜ୍ୟରେ ଆଂଚଳିକ ଦଳ ଗଠନ ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ଏକରକମ ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ ବିଜେଡି ବ୍ୟତୀତ ଅନ୍ୟ କୌଣସି ଆଂଚଳିକ ଦଳ ଓଡ଼ିଶାରେ ସଫଳ ହୋଇନି ବୋଲି ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି ।

Advertisment

ନୂଆ ଆଂଚଳିକ ଦଳ ଗଠନର ସମ୍ଭାବନା

ବିଜେଡିରେ ନବୀନଙ୍କ ନିରବତା ଓ ପାଣ୍ଡିଆନଙ୍କ ହାକିମାତି ଯୋଗୁ ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯେଉଁ ପାଣ୍ଡିଆନ ଓ ତାଙ୍କ ଟିମ୍ ଯୋଗୁ ଦଳକୁ ୨୪ବର୍ଷ ପରେ କ୍ଷମତାଚ୍ୟୁତ ହେବାକୁ ପଡ଼ିଲା, ସେମାନେ ଏବେବି ଦଳରେ ହାକିମାତି ଜାହିର କରୁଥିବାରୁ ବରିଷ୍ଠ ନେତାମାନେ ନିଜକୁ ଅଣନିଶ୍ୱାସୀ ମନେ କରିବାରେ ଲାଗିଛନ୍ତି । ଯେଉଁଥିପାଇଁ ଦକ୍ଷିଣ ଓଡ଼ିଶାର ପ୍ରଭାବଶାଳୀ ନେତା ଏନ ଭାସ୍କରରାଓ ଓ ଲାଲବିହାରୀ ହିମିରିକାଙ୍କ ସମେତ ୪୦ରୁ ଅଧିକ ଆଗାଧାଡ଼ିର ନେତା ବିଜେଡି ଛାଡ଼ିଛନ୍ତି । ରାଜ୍ୟତମାମ ବିଭିନ୍ନ ଜିଲ୍ଲାରେ ମଧ୍ୟ ନିର୍ବାଚିତ ଜନପ୍ରତିନିଧିମାନେ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବାରେ ଲାଗିଛନ୍ତି । ଆଉ ଏସବୁ ମଧ୍ୟରେ ବିଜେଡିର ଦୁଇ ପୂର୍ବତନ ବରିଷ୍ଠ ନେତା ଅମର ସତପଥୀ ଓ ଅମର ଶତପଥୀଙ୍କ ବୟାନ ବେଶ୍ ଗୁରୁତ୍ୱ ବହନ କରୁଛି । ଉଭୟ ନେତା ଓଡ଼ିଶାରେ ବିଜେଡି ନୂଆ ରୂପରେ ଆସୁଥିବାର ସଙ୍କେତ ଦେଇଛନ୍ତି ।

କ’ଣ କହିଲେ ଅମର ଓ ପଂଚାନନ

ବିଜେଡି ନୂଆ ନାମ,ରୂପ ଓ ଆକାରରେ ଆସିବାର ସମ୍ଭାବନା ରହିଛି ବୋଲି ଗତକାଲି ବରିଷ୍ଠ ନେତା ତଥାଗତ ସତପଥୀ କହିବା ପରେ ଆଜି ତାକୁ ସମର୍ଥନ କରିଛନ୍ତି ଅମର ଶତପଥୀ । ସେ କହିଛନ୍ତି ଯେ, ବିଜେଡି ନୂଆ ଭାବେ ଗଢ଼ି ଉଠିବ । ବିଜେଡ଼ି ଲୋକେ ହିଁ ନୂଆ ବିଜେଡ଼ି ଗଠନ କରିବେ । ଲୋକ ଓ କର୍ମୀଙ୍କ ଠାରୁ ବର୍ତ୍ତମାନର ବିଜେଡ଼ି ଦୂରେଇ ଯାଉଛି । ଏବେ ବିଜେଡିରେ ଯାହା ଘଟୁଛି, ନିର୍ଦ୍ଦିିଷ୍ଟ ନୀତି ଓ ବିଚାରଧାରାରେ ଦଳ ନଚାଲିଲେ ଆଗକୁ ଆହୁରି ନେତା ଓ କର୍ମୀ ଦୂରେଇ ଯିବେ । ବିଜେଡ଼ିରେ କିଏ ହେବେ ଏକନାଥ ସିନ୍ଧେ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, “ ଏବେ ସିଏ ଗୋପରେ ବଢ଼ୁଛି କି ମଥୁରାକୁ ଆସିଗଲେଣି ତାହା ପରବର୍ତ୍ତୀ କଥା । । ଭାସ୍କର ରାଓଙ୍କ ଭଳି ଜଣେ ଟାଣୁଆ ନେତା ଯେଉଁ ନିଷ୍ପତ୍ତି ନେଇଛନ୍ତି ତାଙ୍କୁ ଶ୍ରୀ ଶତପଥୀ ଶୁଭେଚ୍ଛା ଜଣାଇବା ସହ ବିଜେଡିରେ ଆଭ୍ୟନ୍ତରୀଣ ସଂଘର୍ଷ ବଢ଼ିବାର ଆଶଙ୍କା ଭବିଷ୍ୟତରେ ଥିବା କହିଛନ୍ତି ।

Advertisment

ସେହିପରି ବରିଷ୍ଠ ନେତା ପଂଚାନନ କାନୁନଗୋ କହିଛନ୍ତି ଯେ, “ନବୀନ ପଟ୍ଟନାୟକ ବିଗତ କିଛିବର୍ଷ ଧରି ବିଜେପି ପାଖରେ ଆତ୍ମସର୍ମପଣ କରିଦେଇଛନ୍ତି । ଗତ ଉପରାଷ୍ଟ୍ରପତି ନିର୍ବାଚନରେ ଏହା ସ୍ପଷ୍ଟ ବି ହୋଇଗଲା । ବିଜେଡିର କିଛି ଯୁବକ ଆସିଥିଲେ,ସେମାନେ ମୋ’ଠାରୁ ବିଜେଡିର ସମ୍ବିଧାନର ଜେରକ୍ସ କପି ନେଇ କରି ଯାଇଛନ୍ତି । ସେମାନେ ନୂଆ ଆଂଚଳିକ ଦଳ ଗଢ଼ିବାର ସମ୍ଭାବନା ରହିଛି । ତେବେ ଏହି ନୂଆ ଦଳ ଗଠନ ହେଲେ କଂଗ୍ରେସକୁ ଫରକ ପଡ଼ିବ ନାହିଁ । ବରଂ ବିଜେପି ଓ ବିଜେଡି ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

ଗତକାଲି ବିଜେଡିର ପୂର୍ବତନ ସାଂସଦ ତଥାଗତ ସତପଥୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ବିଜେଡ଼ି ଓଡ଼ିଆ ଲୋକଙ୍କର ଦଳ, କାହା ପୈତୃକ ସମ୍ପତ୍ତି ନୁହେଁ । ବିଜେଡ଼ି ନୂଆ ନାମ, ନୂଆ ରୂପ ଓ ନୂଆ ଆକାରରେ ଆସିବାର ସମ୍ଭାବନା ଅଛି । କଂଗ୍ରେସକୁ ଓଡ଼ିଶା ଲୋକ ଚାହୁଁନାହାନ୍ତି । କିଏ ଆସିବ ସିଏ ଗୋପରେ ବଢ଼ୁଛି । ଯେତେବେଳେ ଓଡ଼ିଶାବାସୀ ସୁଯୋଗ ପାଇଛନ୍ତି ସେତେବେଳେ ଆଂଚଳିକ ଦଳକୁ ସମର୍ଥନ କରି ଆସିଛନ୍ତି । ସବୁ ଜିନିଷର ଏକ୍ସପାରୀ ଡେଟ୍ ଥାଏ । ପ୍ରତି ଔଷଧ ଓ ରାଜନୈତିକ ଚିନ୍ତାଧାରାର ଏକ୍ସପାରୀ ଡେଟ୍ ଥାଏ । ଠିକ୍ ସେମିତି ବିଜେଡ଼ିର ବି ଏକ୍ସପାରୀ ଡେଟ୍ ପଳେଇଲାଣି ।

ବିଜେଡିର ଖଣ୍ଡନ, କହିଲା ସଫଳ ହେବେନି

ରାଜ୍ୟରେ ନୂଆ ଦଳ ଗଠନକୁ ନେଇ ଅଙ୍କକଷା ଓ ବରିଷ୍ଠ ନେତାମାନଙ୍କ ବୟାନବାଜି ମଧ୍ୟରେ ବିଜେଡି ନେତା ପ୍ରତାପ ଜେନା ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ,  ବିଜେଡ଼ିକୁ ଛାଡ଼ି ଓଡ଼ିଶାରେ କୌଣସି ଆଂଚଳିକ ଦଳ ସଫଳ ହୋଇନାହିଁ । ପୂର୍ବରୁ ଅନେକ ଆଂଚଳିକ ଦଳ ଗଠନ ହୋଇଛି । ଅମର ବାବୁ ମଧ୍ୟ ଓଜିପି ଭଳି ଆଂଚଳିକ ଦଳରେ ଥିଲେ, ହେଲେ ତା’ର ଅବସ୍ଥା କ’ଣ ହେଲା ସମସ୍ତେ ଜାଣନ୍ତି । ବିଜେଡ଼ିକୁ ଛାଡ଼ି ବିଜୁଙ୍କ ନାମରେ ଯାହା ବି ସଂଗଠନ ହୋଇଛି ସେସବୁ ଜାଲ୍ ବୋଲି ଶ୍ରୀ ଜେନା କହିଛନ୍ତି । ତେବେ ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ ଓ ବୟାନବାଜି ଯେଭଳି ବଢ଼ିବାରେ ଲାଗିଛି ତାକୁ ନିୟନ୍ତ୍ରଣ କରିବା ଦଳ ପକ୍ଷରେ ଆଉ ସହଜ ଭଳି ପ୍ରତୀତ ହେଉନଥିବା ଜଣାପଡ଼ିଛି ।

BjD Vk Pandian