Advertisment

ଶେଷରେ ନବୀନଙ୍କୁ ବି ଛାଡ଼ିଲେନି ପାଣ୍ଡିଆନ, କହିଲେ ଓଡ଼ିଶାରେ ଓଡ଼ିଆ କହିବା ଜରୁରୀ

ବିଜେଡିର ପ୍ରତିଷ୍ଠା ଦିବସର ଠିକ୍ ଦିନକ ପୂର୍ବରୁ ଏଭଳି ପୋଷ୍ଟ କରାଗଲା କାହିଁକି? ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ କ’ଣ ପୁଣିଥରେ ବିଜେଡିରେ ସକ୍ରିୟ ହୋଇ ଆଗକୁ ଆସିବାକୁ ଚାହୁଁଛନ୍ତି କି?

Patnaik and Pandian

Patnaik and Pandian

Advertisment

ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଶେଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବି ଛାଡ଼ିଲେନି ।  ନବୀନଙ୍କୁ ନିଜର ଗୁରୁ ତଥା ଆଦର୍ଶ କହୁଥିବା ପାଣ୍ଡିଆନ ଶେଷରେ ତାଙ୍କୁ ବି କଟାକ୍ଷ କରିବାକୁ ପଛାଇନାହାନ୍ତି । ପୁଣିଥରେ ସକ୍ରିୟ ରାଜନୀତିକୁ ଫେରିବାର ମହତ୍ୱାକାଂକ୍ଷା ଓ ବିଜେପିର ଆକ୍ରୋଶରୁ ବର୍ତ୍ତିବା ପାଇଁ ବୋଧହୁଏ ପାଣ୍ଡିଆନ ନିଜର ଶେଷ ଚାଲ୍ ଭାବେ  ନିଜ ଗୁରୁ ‘ନବୀନଙ୍କ ଭାବମୂର୍ତ୍ତିକୁ ବାଜି ଲଗାଇଥିବା’ ଚର୍ଚ୍ଚା ହେଉଛି । ବିଜେଡି ସରକାରର ପତନକୁ ନିଜର ଭୁଲ୍ ବୋଲି ପରୋକ୍ଷରେ ସ୍ୱୀକାର କରି କ୍ଷମା ମାଗିବା ସହ ଓଡ଼ିଶାରେ ଓଡ଼ିଆ କହିବା ଓ ଓଡ଼ିଆଙ୍କ ସୁଖଦୁଃଖର ସାଥି ହେବା ଆବଶ୍ୟକ ବୋଲି ପାଣ୍ଡିଆନ ତାଙ୍କ ସୋସିଆଲ ମିଡିଆରେ ଉଲ୍ଲେଖ କରିଥିବା ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ, ସୋସିଆଲ ମିଡିଆ ‘ଏକ୍ସ’ର ‘କାର୍ତ୍ତିକ ପାଣ୍ଡିଆନ’ ଆକାଉଣ୍ଟରୁ ଆଜି ଦିନ ୧୨ଟା ୧୫ମିନିଟରେ ଓଡ଼ିଆ ଭାଷାରେ ଏଭଳି ପୋଷ୍ଟ ହୋଇଛି, ଯାହା ପାଣ୍ଡିଆନଙ୍କ ଅନୁଶୋଚନା ଓ ଭବିଷ୍ୟତ ମହତ୍ୱାକାଂକ୍ଷାର ପ୍ରମାଣ ଦେଇଛି । ନିଜର ‘ଏକ୍ସ’ ଆକାଉଣ୍ଟରେ ପାଣ୍ଡିଆନ ଦର୍ଶାଇଛନ୍ତି ଯେ “ଭୁଲ୍ ସମସ୍ତଙ୍କ ଜୀବନରେ ହୋଇଥାଏ, ଯଦି କାହାର କିଛି ଅସୁବିଧା ହେଇଛି ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା । ଓଡ଼ିଶାରେ ଜନ୍ମ ହେବା ଯେତିକି ଜରୁରୀ ନୁହେଁ ଓଡ଼ିଆ କହିବା ଏବଂ ଓଡ଼ିଆଙ୍କ ସୁଖଦୁଃଖର ସାଥି ହେବା ଆବଶ୍ୟକ ।” ପାଣ୍ଡିଆନଙ୍କ ଏହି ପୋଷ୍ଟ ଉପରେ ବିଭିନ୍ନ ଲୋକେ ନିଜ ନିଜର ମତାମତ ଦେବାରେ ଲାଗିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ବିଜେଡିର ପ୍ରତିଷ୍ଠା ଦିବସର ଠିକ୍ ଦିନକ ପୂର୍ବରୁ ଏଭଳି ପୋଷ୍ଟ କରାଗଲା କାହିଁକି? ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ କ’ଣ ପୁଣିଥରେ ବିଜେଡିରେ ସକ୍ରିୟ ହୋଇ ଆଗକୁ ଆସିବାକୁ ଚାହୁଁଛନ୍ତି କି? ନିର୍ବାଚନରେ ଦଳର ଶୋଚନୀୟ ପରାଜୟର କାରଣ ଜାଣିବା ପାଇଁ ସମୀକ୍ଷା ବୈଠକ କରୁନଥିବା ବିଜେଡିର ଗୋଟିଏ ଗୋଷ୍ଠୀ ଏବେ ନିର୍ବାଚନ ଆୟୋଗଙ୍କ ଉପରେ ଦୋଷଲଦି ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ କରିବାରେ ଲାଗିଛି । ଆଉ ଠିକ୍ ଏହି ସମୟରେ ପାଣ୍ଡିଆନ ନିଜର ‘ଏକ୍ସ’ରେ ଏଭଳି ପୋଷ୍ଟ କରିବା ବିଜେଡି ନେତାମାନଙ୍କ(ପାଣ୍ଡିଆନଙ୍କୁ ବିଜେଡି ବିପର୍ଯ୍ୟୟର କାରଣ ବୋଲି ଭାବୁଥିବା) ‘କଟା ଘା’ରେ ଚୂନ ଦେବା’ ସଦୃଶ ହୋଇଛି । କେବଳ ସେତିକି ନୁହେଁ ‘ଏକ୍ସ’ରେ ଥିବା ‘ଭିକେ ପାଣ୍ଡିଆନ ଫ୍ୟାନ୍ କ୍ଲବ’ ପକ୍ଷରୁ ଆଜି ରାତି ସାଢ଼େ ୮ଟାରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘ଚର୍ଚ୍ଚା’ ହୋଇଥିଲା । ଯାହା ପାଣ୍ଡିଆନଙ୍କ ଭାବମୂର୍ତ୍ତିକୁ ସୁଧାରିବା ତଥା ନେତୃତ୍ୱର ପରିପ୍ରକାଶ ନିମନ୍ତେ ଉଦ୍ଦିଷ୍ଟ ଥିଲାଭଳି ଲାଗିଲା । ଏହି ଚର୍ଚ୍ଚାର ଯିଏ ହୋଷ୍ଟ୍ ଥିଲେ ସିଏ ନିଜର ପରିଚୟକୁ ଗୋପନ ରଖିବା ସହ ପାଣ୍ଡିଆନଙ୍କୁ ସାକ୍ଷାତ କରିଥିବା ଦାବି କରିଛନ୍ତି । ଆଉ ପାଣ୍ଡିଆନଙ୍କୁ ସମସ୍ତେ ଅନୁରୋଧ କଲେ ସେ ପୁଣିଥରେ ସକ୍ରିୟ ରାଜନୀତିକୁ ଫେରିପାରନ୍ତି ବୋଲି ‘ହୋଷ୍ଟ’ ଦାବି କରିଛନ୍ତି ।

Advertisment

‘ଏକ୍ସ’ରେ ‘କାର୍ତ୍ତିକ ପାଣ୍ଡିଆନ’ ଆକାଉଣ୍ଟରୁ ଯାହା ଉଲ୍ଲେଖ କରାଯାଇଛି ସେଥିରୁ ଜଣାପଡ଼ୁଛି ଯେ, ପାଣ୍ଡିଆନ ନିଜର ଭୁଲକୁ ସ୍ୱୀକାର କରି ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି । ଆଉ ଓଡ଼ିଶାରେ ସିଏ ଜନ୍ମ ହୋଇନାହାନ୍ତି ସତ କିନ୍ତୁ ଓଡ଼ିଆ କହୁଛନ୍ତି ଓ ଓଡ଼ିଆଙ୍କ ସୁଖଦୁଃଖର ସାଥି ବୋଲି ନିଜକୁ ଦର୍ଶାଇବାକୁ ପ୍ରୟାସ କରିଛନ୍ତି । ଅନ୍ୟପକ୍ଷରେ ଗତ ସପ୍ତାହରେ ବିଜେଡିରୁ ବହିଷ୍କୃତ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ଓଡ଼ିଆ ଭାଷା ଶିଖିପାରିଲେ ନାହିଁ ବୋଲି କହି କଟାକ୍ଷ କରିଥିଲେ । ପୂର୍ବରୁ ସାଧାରଣ ନିର୍ବାଚନବେଳେ ବିଜେପି ମଧ୍ୟ ‘ଓଡ଼ିଆ ଅସ୍ମିତା’ କଥା ଉଠାଇ ନବୀନ ଓଡ଼ିଆ କହିପାରୁନଥିବା ଓ ପାଣ୍ଡିଆନଙ୍କ ତାମିଲ୍ ପ୍ରସଙ୍ଗ ଉଠାଇଥିଲା ।

ଏବେ ପାଣ୍ଡିଆନ ସେହି ସମାନ କଥା ଉଠାଇ ଓଡ଼ିଶାରେ ଓଡ଼ିଆ କହିବା ଆବଶ୍ୟକ ବୋଲି କହିଛନ୍ତି । ଅର୍ଥାତ୍ ନବୀନ ଓଡ଼ିଆ ଠିକ୍ ଭାବେ କହିପାରୁନଥିବା ସମସ୍ତେ ଜାଣନ୍ତି । ଏଭଳି କରି ପରୋକ୍ଷରେ ସେ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି । ଆଉ ନିଜ ସ୍ୱାର୍ଥ ପାଇଁ ଗୁରୁଙ୍କ ଉପରେ ପ୍ରୟୋଗ ମଧ୍ୟ କରିଥିବା ଚର୍ଚ୍ଚା ହେଉଛି ।

ଏବେ ପ୍ରଶ୍ନ ଉଠିପାରେ, ‘ଏକ୍ସ’ ହ୍ୟାଣ୍ଡଲରେ ‘କାର୍ତ୍ତିକ ପାଣ୍ଡିଆନ’ ଆକାଉଣ୍ଟ ଫେକ୍ ନୁହେଁ ତ? କିନ୍ତୁ ଖୋଳତାଡ଼ରୁ ଜଣାପଡ଼ିଛି ଯେ, ୨୦୨୩ ନଭେମ୍ବର ମାସରେ ପାଣ୍ଡିଆନ ବିଜେଡିର ସଦସ୍ୟତା ଗ୍ରହଣ କରିବା ପରେ ହିଁ ଏହି ଆକାଉଣ୍ଟ ଖୋଲାଯାଇଛି । ଯେଉଁଥିରେ ୨୨୩୦୦ ଫଲୋଅର ଅଛନ୍ତି । ଆଉ ଏହି ଆକାଉଣ୍ଟରେ ନିୟମିତ ଭାବେ ବିଭିନ୍ନ ପ୍ରସଙ୍ଗରେ ପାଣ୍ଡିଆନଙ୍କୁ ସୁହାଇବା ପାଇଁ ପୋଷ୍ଟ୍ କରାଯାଉଛି । ଯାହାକି ପାଣ୍ଡିଆନଙ୍କ ଜଣେ ଘନିଷ୍ଠ ସହଯୋଗୀ ପରିଚାଳନା କରୁଛନ୍ତି ଓ ଏହି ଆକାଉଣ୍ଟର ଫଲୋଅର ତାଲିକାରେ ତାଙ୍କର ପୂର୍ବତନ ସହଯୋଗୀ ଆଇଏଏସ୍ ରୂପାରୋଶନ ସାହୁ ଓ ଖଣି ବ୍ୟବସାୟୀ ପ୍ରଭାକରନ୍ ମଧ୍ୟ ରହିଛନ୍ତି । ତା’ଛଡ଼ା ପାଣ୍ଡିଆନ କେବେ ବି ଏହି ଆକାଉଣ୍ଟକୁ ନିଜର ନୁହେଁ ବୋଲି ପ୍ରତ୍ୟାଖ୍ୟାନ କରିନାହାନ୍ତି । ଭିକେ ପାଣ୍ଡିଆନ ନିଜର ନାମ ସମ୍ଭବତଃ ପରିବର୍ତ୍ତନ କରିସାରିଛନ୍ତି । କାରଣ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଦାଖଲ କରିଥିବା ନିର୍ବାଚନୀ ଖର୍ଚ୍ଚର ହିସାବରେ ଷ୍ଟାର ପ୍ରଚାରକ ଭାବେ ପାଣ୍ଡିଆନଙ୍କ ନାଁ ‘କାର୍ତ୍ତିକ ପାଣ୍ଡିଆନ’ ହିଁ ଦର୍ଶାଯାଇଥିବା ଜଣାପଡ଼ିଛି ।

Naveen Patnaik Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe