Advertisment

ପାଣ୍ଡିଆନଙ୍କ ଔଦ୍ଧତ୍ୟ: ଭକ୍ତ ଓ ରାଜାଙ୍କୁ କଲେ ଅସମ୍ମାନ, ଦେଲେ ଖୋଲା ଧମକ, ବିଜେଡି ନେତା ଜଳକା

‘ଆଇ ଆମ୍ ଡାଉନ୍‌, ବଟ୍ ନଟ୍ ଆଉଟ୍ ଅଫ ଦ ପାର୍ଟି। ଏଠି ପଲଟିକ୍ସ କରିବ ତ ଗୋଟିଏ କଲ୍‌ରେ ଦଳରୁ ଚୁଟକି ମାରି ବିଦା କରିଦେବି।’ ଏଭଳି କିଛି ଢଙ୍ଗରେ ଦଳର ପ୍ରାୟ ୭୦-୮୦ ଜଣରୁ ଅଧିକ ଆଗଧାଡ଼ିର ନେତାମାନଙ୍କୁ ଧମକାଇଥିଲେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ। ତା’ ପୁଣି ରାଜଧାନୀ ଭୁବନେଶ୍ୱରର ସମ୍ ଅଲଟିମେଟ୍ ମେଡିକେୟାର ହସ୍ପିଟାଲ ପରିସରରେ ନିଜର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଯାଇଥିବା ନେତାମାନଙ୍କୁ।

author-image
Debendra Prusty
ଅଦ୍ୟତନ ହୋଇଛି
BJD Leaders In The Hospital To See Naveen Patnaik

BJD Leaders In The Hospital To See Naveen Patnaik

ଭୁବନେଶ୍ୱର: ‘ଆଇ ଆମ୍ ଡାଉନ୍‌, ବଟ୍ ନଟ୍ ଆଉଟ୍ ଅଫ ଦ ପାର୍ଟି। ଏଠି ପଲଟିକ୍ସ କରିବ ତ ଗୋଟିଏ କଲ୍‌ରେ ଦଳରୁ ଚୁଟକି ମାରି ବିଦା କରିଦେବି।’ ଏଭଳି କିଛି ଢଙ୍ଗରେ ଦଳର ପ୍ରାୟ ୭୦-୮୦ ଜଣରୁ ଅଧିକ ଆଗଧାଡ଼ିର ନେତାମାନଙ୍କୁ ଧମକାଇଥିଲେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ। ତା’ ପୁଣି ରାଜଧାନୀ ଭୁବନେଶ୍ୱରର ସମ୍ ଅଲଟିମେଟ୍ ମେଡିକେୟାର ହସ୍ପିଟାଲ ପରିସରରେ ନିଜର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଯାଇଥିବା ନେତାମାନଙ୍କୁ। କେବଳ ସେତିକି ନୁହେଁ, ହସ୍ପିଟାଲ ପରିସରରେ ପିସିସି ସଭାପତି ଭକ୍ତଚରଣ ଦାସ ଓ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା)ଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପାଣ୍ଡିଆନ ପଛାଇ ନଥିଲେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଏପରିକି ନବୀନଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ହସ୍ପିଟାଲ ଯାଇଥିବା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମଧ୍ୟ ପାଣ୍ଡିଆନଙ୍କ ଇଙ୍ଗିତରେ ସାକ୍ଷାତ କରିବାର ସୁଯୋଗ ମିଳିନଥିବା ଜଣାପଡ଼ିଛି।

Advertisment

ଭକ୍ତ ଓ ରାଜାଙ୍କୁ ର୍ଦ୍ୟୁବହାର କଲେ ପାଣ୍ଡିଆନ

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ ବିଜେଡି ସୁପ୍ରିମୋ-ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁତର ଅବସ୍ଥାରେ ସମ୍ ହସ୍ପିଟାଲରେ ଆଡମିଶନ ହୋଇଥିବା ଖବର ପ୍ରଚାରିତ ହେବା ପରେ ମାନବିକତା ଦୃଷ୍ଟିକୋଣରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ନିଜ ବିଧାୟକ ପୁଅ ସାଗର ଦାସଙ୍କ ସହ ଯାଇଥିଲେ ପିସିସି ସଭାପତି ଭକ୍ତଚରଣ ଦାସ। ନବୀନଙ୍କୁ ଟିକେ କାଚ ବାହାରୁ ଦେଖିବେ ବୋଲି ଡାକ୍ତରୀ ଟିମକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ନିଜର ଅକ୍ଷମତା ବ୍ୟକ୍ତ କରିଥିଲେ। ଡାକ୍ତରମାନଙ୍କ ସହ ଭକ୍ତଙ୍କ ଏଭଳି ଆଲୋଚନାକୁ ସେଠାରେ ଉପସ୍ଥିତ ଥିବା ପାଣ୍ଡିଆନ ହଜମ କରିପାରିନଥିଲେ।

ସେ ସିଧାସଳଖ ଭକ୍ତଙ୍କୁ ଟାର୍ଗେଟ୍ କରି ‘କାହିଁକି ଡାକ୍ତରମାନଙ୍କୁ ହଇରାଣ କରୁଛନ୍ତି ଓ ଚାପ ପକାଉଛନ୍ତି’ ବୋଲି ପ୍ରଶ୍ନ କରିଥିଲେ। ତେବେ ଭକ୍ତ ଦାସ ‘ନବୀନ ପଟ୍ଟନାୟକ ରାଜ୍ୟର ସମ୍ପତ୍ତି, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଜାଣିବାର ଅଧିକାର ଅଛି’ କହିବା ସହ ‘ତୁମକୁ ମୁଁ ମୋ’ ଜିଲ୍ଲାରେ ସବକଲେକ୍ଟର ଥିବାବେଳୁ ଜାଣେ’ ବୋଲି ପାଣ୍ଡିଆନଙ୍କୁ କହିଥିଲେ। ଯାହା ପାଣ୍ଡିଆନଙ୍କୁ ବାଧି ଯାଇଥିଲା। ଆଉ ପାଲଟା ଜବାବ ଦେଇ ପାଣ୍ଡିଆନ କଟାକ୍ଷ କରି କହିଥିଲେ ଯେ, ସେତେବେଳେ ବି ଆପଣ ନିର୍ବାଚନ ହାରିଯାଇଥିଲେ। ପିସିସି ସଭାପତି ଶ୍ରୀ ଦାସଙ୍କୁ ଅତ୍ୟନ୍ତ ରୁକ୍ଷ ଓ ଅପମାନିତ ଢଙ୍ଗରେ ଏଭଳି କିଛି କଟୁ ସମାଲୋଚନା କରିଥିଲେ ପାଣ୍ଡିଆନ। ଗୋଟିଏ ଜାତୀୟ ରାଜନୀତିକ ଦଳର ରାଜ୍ୟ ସଭାପତିଙ୍କୁ ଏଭଳି ଦୁର୍ବ୍ୟବହାର କିଭଳି ପାଣ୍ଡିଆନ କରିପାରିଲେ ଓ ତାଙ୍କ ଦଳ ଏସବୁକୁ କିପରି ହଜମ କରିଛି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

କେବଳ ସେତିକି ନୁହେଁ, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରାଜା ସ୍ୱାଇଁଙ୍କୁ ମଧ୍ୟ ବାଧିବା ଭଳି କିଛି କଟୁ ମନ୍ତବ୍ୟ ପାଣ୍ଡିଆନ ଦେଇଥିବା ଜଣାପଡ଼ିଛି। ରାଜାଙ୍କ ଭୂମିକା ଏତିକି ଥିଲା ଯେ, ସେ ହସ୍ପିଟାଲକୁ ଯାଇ ସେଠାରେ ନବୀନଙ୍କ ସ୍ୱାସ୍ଥ୍ୟ ବିଷୟରେ ହସ୍ପିଟାଲ ତୁରନ୍ତ ବୁଲେଟିନ୍ ଜାରି କରୁ ବୋଲି ଦାବି କରିଥିଲେ। ଆଉ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ମଧ୍ୟ ‘କାହିଁକି ଦୁଇ ଦିନ ଧରି ଅସୁସ୍ଥ ଆମମାନଙ୍କ ନେତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିନଥିଲ’ ବୋଲି ପ୍ରଶ୍ନ କରିଥିଲେ। ପତ୍ନୀଙ୍କୁ ଏଭଳି ଢଙ୍ଗରେ ପ୍ରଶ୍ନ କରିବାକୁ ପାଣ୍ଡିଆନ ସହଜରେ ନେଇନଥିଲେ ଓ ତଳକୁ ଆସି ଦଳୀୟ ନେତାମାନଙ୍କୁ ଖୋଲା ଧମକ ଦେଇଥିଲେ।

ଅବଶ୍ୟ ଏ ସମ୍ପର୍କରେ ଉଭୟ ଭକ୍ତ ଓ ରାଜାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ତଳକୁ ଆସି ଦେଲେ ଖୋଲା ଧମକ

ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ହସ୍ପିଟାଲ ଯାଇ ପ୍ରଥମ ମହଲରେ ଅପେକ୍ଷା କରିଥିବା ଦଳର ଆଗଧାଡ଼ିର ନେତାମାନଙ୍କୁ ଶୁଣାଇ ଖୋଲା ଚେତାବନୀ ଦେଇଥିଲେ ପାଣ୍ଡିଆନ। ସେ ଯାହାକୁ ଚାହିଁବେ ତାଙ୍କୁ ଚୁଟକିରେ ଓ ଗୋଟିଏ କଲରେ ଦଳରୁ ବିଦା କରିଦେବେ ବୋଲି ଧମକ ଦେଇଥିଲେ। ‘ମୁଁ ଡାଉନ୍ ଅଛି କିନ୍ତୁ ଦଳରୁ ବାହାରି ଯାଇନାହିଁ’ ବୋଲି କହି ନିଜର ଔଦ୍ଧତ୍ୟ ଦେଖାଇବାକୁ ପଛାଇ ନଥିଲେ। ତେବେ ଆଶ୍ଚର୍ଯ୍ୟର କଥା ପାଣ୍ଡିଆନ ନିଜର ଔଦ୍ଧତ୍ୟ ଓ ଏଭଳି କଡ଼ା ଶବ୍ଦ ପ୍ରୟୋଗ କରିଥିଲେ ମଧ୍ୟ ଏସବୁ ଶୁଣି ଦଳର ୭୦ରୁ ଅଧିକ ନେତା ପୂରା ନିସ୍ତବ୍ଧ ହୋଇ ବସି ରହିଥିଲେ। କେହି ମୁହଁ ଖୋଲିବାକୁ ବି ସାହାସ କରିପାରିନଥିଲେ। ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ, ବିଶ୍ୱରଞ୍ଜନ ମଲ୍ଲିକଙ୍କଠୁ ଆରମ୍ଭ କରି ଦଳର ଯୁବ ଓ ଛାତ୍ର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି।

ଅବଶ୍ୟ ପାଣ୍ଡିଆନ ସେଠାରୁ ଯିବା ପରେ ଏହି ନେତାମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦଳର ଏତେ ବିପର୍ଯ୍ୟୟ ପରେ ମଧ୍ୟ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ପାଣ୍ଡିଆନଙ୍କ ଔଦ୍ଧତ୍ୟ ଏବେବି କାଏମ୍ ରହିଛି ଓ ଏଭଳି ଆଚରଣ ସତ୍ତ୍ୱେ କାହିଁକି ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଦଳୀୟ ନେତାମାନେ ପରସ୍ପରକୁ ପ୍ରଶ୍ନ କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ହସ୍ପିଟାଲ ପରିସରରେ ସମସ୍ତଙ୍କ ସମ୍ମୁଖରେ ପାଣ୍ଡିଆନଙ୍କ ଏଭଳି ଆଚରଣ ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଏହି ବିଜେଡି ନେତାମାନେ ରାଜନୀତିରେ ବଂଚି ରହିବା ପାଇଁ କିଭଳି ନିଜର ପୁରୁଷାର୍ଥ ଓ ଆତ୍ମମର୍ଯ୍ୟାଦାକୁ ଭୂଲୁଣ୍ଠିତ କରିବାକୁ ପଛାଉ ନାହାନ୍ତି ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟର ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ନିଜ ଆଡ଼ୁ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରୁନଥିବାବେଳେ ପାଣ୍ଡିଆନ ନିଜ ଇନଷ୍ଟାଗ୍ରାମରେ ମାତ୍ର ୧୩ ସେକେଣ୍ଡର ଭିଡିଓ ଅପଲୋଡ୍ କରି ନବୀନ ସୁସ୍ଥ ଥିବାର ସନ୍ଦେଶ ଦେବାକୁ ପ୍ରୟାସ କରିଛନ୍ତି।

BjD Congress Naveen Patnaik Bhakta Das Raja Swain Vk Pandian