ଓଡ଼ିଶା ଛାଡ଼ିବେ ପାଣ୍ଡିଆନ: ବିଜେଡି ସମ୍ଭାଳିବେ ବବି, ନେତାଙ୍କ ତୁଣ୍ଡରେ ତୁଣ୍ଡି

ଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ଦଳରେ ପଂଚାୟତଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ତୀବ୍ର ଗୋଷ୍ଠୀକନ୍ଦଳ ଲାଗି ରହିଥିବାରୁ ପାଣ୍ଡିଆନଙ୍କ ପ୍ରସ୍ତୁତ ଏହି ଇକୋସିଷ୍ଟମ ଓ ରିମୋଟ୍ କଂଟ୍ରୋଲରେ ନିୟନ୍ତ୍ରଣ କେତେ ପ୍ରଭାବୀ ହୋଇପାରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

naveen

ପାଣ୍ଡିଆନ, ନବୀନ ଓ ବବି (ଫାଇଲ ଫଟୋ)

Ordigital Desk
  • Published: Friday, 21 March 2025
  • , Updated: 21 March 2025, 08:37 PM IST

ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓଡ଼ିଶା ଛାଡ଼ିବେ । ତାଙ୍କର ଖାସ୍ ଅନୁଗତ ତଥା ତାଙ୍କ ଆତ୍ମଘୋଷିତ‘କ୍ରୀତଦାସ’ ପ୍ରଣବପ୍ରକାଶ ଦାସ ଓରଫ ବବି ଆନୁଷ୍ଠାନିକ ଭାବେ ବିଜେଡି ସମ୍ଭାଳିବେ । ବୟସାଧିକ୍ୟ ଯୋଗୁ ଦଳୀୟ ସାଂଗଠନିକ କାର୍ଯ୍ୟରେ ବିଶେଷ ରୁଚି ଦେଖାଉନଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେଡିକୁ ପରଦା ପଛରେ ରହି ପାଣ୍ଡିଆନ ପୂର୍ବଭଳି ନିୟନ୍ତ୍ରଣ କରିବେ । ଏଭଳି ରଣନୀତିକୁ ଆଖିରେ ରଖି ପାଣ୍ଡିଆନ ଗତ କିଛିଦିନ ଧରି ଦଳର ଆଗଧାଡ଼ିର ନେତାମାନଙ୍କୁ ନବୀନ ନିବାସ ଡାକି ଆଲୋଚନା କରିବା ସହ ସେ ଓଡ଼ିଶା ଛାଡ଼ୁଥିବାର ସନ୍ଦେଶ ଦେଇଥିବା ଜଣାପଡିଛି ।

ତେବେ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ଦଳରେ ପଂଚାୟତଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ତୀବ୍ର ଗୋଷ୍ଠୀକନ୍ଦଳ ଲାଗି ରହିଥିବାରୁ ପାଣ୍ଡିଆନଙ୍କ ପ୍ରସ୍ତୁତ ଏହି ଇକୋସିଷ୍ଟମ ଓ ରିମୋଟ୍ କଂଟ୍ରୋଲରେ ନିୟନ୍ତ୍ରଣ କେତେ ପ୍ରଭାବୀ ହୋଇପାରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ପାଣ୍ଡିଆନଙ୍କ ଏଭଳି ଲୁଚକାଳି ଖେଳ ବିଜେଡି ପାଇଁ ଅଧିକ କାଳ ହୋଇପାରେ ଓ ଦଳରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିଲେ ମଧ୍ୟ ଆଗଧାଡ଼ିର ନେତାମାନେ ମୁହଁରେ ତୁଣ୍ଡି ବାନ୍ଧି ପରିସ୍ଥିତି ଉପରେ ନଜର ରଖିଥିବା ସୂଚନା ମିଳିଛି ।

କୁଆଡ଼େ ଯିବେ ପାଣ୍ଡିଆନ?

ନବୀନ ନିବାସର ସୂତ୍ରକୁ ଯଦି ବିଶ୍ୱାସ କରାଯାଏ ତା’ହେଲେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ‘ଓଡ଼ିଆ ନବବର୍ଷ’ ଅର୍ଥାତ୍ ପଣାସଂକ୍ରାନ୍ତି ପରେ ଓଡ଼ିଶା ଛାଡ଼ିବାର ସମ୍ଭାବନା ରହିଛି । ସେ ଲଣ୍ଡନରେ ଥିବା ବିଲ୍ ଆଣ୍ଡ ମିରିଣ୍ଡା ଗେଟସ୍ ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଜୋଏ କେରେଲଙ୍କ ଟିମରେ ‘ଗଭର୍ଣ୍ଣମେଂଟ୍ ରିଲେସନ୍ ଆଣ୍ଡ ପଲିସି’ କ୍ଷେତ୍ରରେ ସହାୟକ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ । ଆଉ ସେ ନିୟମିତ ଭାବେ ପ୍ରତିମାସରେ ଓଡ଼ିଶା ଓ ଦିଲ୍ଲୀ ଆସି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ । ନବୀନଙ୍କ ବ୍ୟକ୍ତିଗତ ଦାୟିତ୍ୱ ମଧ୍ୟ ସେ ବିଦେଶରୁ ରହି ତୁଲାଇବେ ବୋଲି ଜଣାପଡ଼ିଛି ।

କାହିଁକି ଓଡ଼ିଶା ଛାଡ଼ୁଛନ୍ତି ପାଣ୍ଡିଆନ?

ସାଧାରଣ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରାଯାଉଛି । ଦଳର ବରିଷ୍ଠ ନେତାମାନେ ବିଭିନ୍ନ ସ୍ଥାନରେ ଖୋଲାଖୋଲି ଭାବେ ପାଣ୍ଡିଆନଙ୍କ ତ୍ରୁଟିପୂର୍ଣ୍ଣ ରଣନୀତି ଓ ମାତ୍ରାଧିକ କ୍ଷମତା ନିଶା ଯୋଗୁ ବିଜେଡିକୁ ନିର୍ବାଚନରେ ପରାଜୟ ହେବାକୁ ପଡ଼ିଲା ବୋଲି ଦଳର ନେତାମାନେ କହିବାରେ ଲାଗିଛନ୍ତି । ଯଦିଓ ପାଣ୍ଡିଆନ ନିଜେ ପରାଜୟକୁ ସ୍ୱୀକାର କରି ୨୦୨୪ ଜୁନ୍ ମାସରେ ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ କିନ୍ତୁ ନବୀନ ନିବାସରେ ସେ ନବୀନଙ୍କ ପାଖରେ ଛାଇ ଭଳି ରହୁଥିବାରୁ ତାଙ୍କର ଭୂମିକା ‘ଚଟୁ ଆମିଷ ବେଂଟ ନିରାମିଷ’ ସଦୃଶ ହୋଇଥିବା ଚର୍ଚ୍ଚା ହେଉଛି । ଯଦିଓ ପାଣ୍ଡିଆନ ବିଜେଡିର କୌଣସି ନେତାଙ୍କୁ ବିଶ୍ୱାସ କିମ୍ବା ଭରସାକୁ ନେଉନାହାନ୍ତି ତେଣୁ ନିଜର ଅପେକ୍ଷାକୃତ ଅନୁଗତ ବବିଙ୍କ ମାଧ୍ୟମରେ ସଂଗଠନକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିବା ଜଣାପଡ଼ିଛି ।

ଦଳର ନେତାମାନେ ଆଉ କୌଣସି ପରିସ୍ଥିତିରେ ସିଧାସଳଖ ପାଣ୍ଡିଆନଙ୍କ ନେତୃତ୍ୱକୁ ଗ୍ରହଣ କରିବା ମୁଡରେ ନାହାନ୍ତି । ତେଣୁ ପାଣ୍ଡିଆନ ନିଜେ ଆଗକୁ ନଆସି ବବିଙ୍କୁ ପୁଣିଥରେ ଆଗକୁ ଆଣିବାର ରଣନୀତି ପ୍ରସ୍ତୁତ କରିଛନ୍ତି ।  ଗତ ସପ୍ତାହରେ ଡିଏମକେ ନେତାମାନେ ନବୀନ ନିବାସ ଆସି ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କୁ ଭେଟିବାବେଳେ ବବିଙ୍କ ଉପସ୍ଥିତି ହିଁ ପାଣ୍ଡିଆନଙ୍କ ଏହି ରଣନୀତିର ଅଂଶବିଶେଷ ବୋଲି କୁହାଯାଉଛି । ଦଳର ନିର୍ବାଚନୀ ବିପର୍ଯ୍ୟୟ ପରଠୁ ବବିଙ୍କୁ ନବୀନ ନିବାସରେ ଏଭଳି କୌଣସି ପ୍ଲାଟଫର୍ମ ନବୀନ ଦେଇନଥିଲେ । ଏବେ ପାଣ୍ଡିଆନଙ୍କ କଥାରେ ହିଁ ଉକ୍ତ ବୈଠକରେ ବବି ଓ ତାଙ୍କର ନୂଆ ଚାଟୁକାର ନେତା ସଞ୍ଜୟ ଦାସବର୍ମା ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି । ନିର୍ବାଚନୀ ବିପର୍ଯ୍ୟୟ ସତ୍ତ୍ୱେ ପାଣ୍ଡିଆନଙ୍କୁ ଦୂରେଇବାକୁ ସାହାସ କରିପାରିନଥିବା ନବୀନ ଏବେବି ପାଣ୍ଡିଆନଙ୍କ କଥାରେ ଉଠବସ୍ ହେଉଛନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ।

ଯଦିଓ  ପାଣ୍ଡିଆନ ନିଜେ ଦଳର ଆଗଧାଡ଼ିର କିଛି ନେତାମାନଙ୍କୁ ତାଙ୍କର ଏହି ଓଡ଼ିଶା ଛାଡ଼ିବା ସମ୍ପର୍କରେ ଆଭାସ ଦେବା ସହ ଏବେ ସକ୍ରିୟ ରାଜନୀତିକୁ ଫେରିବେ ନାହିଁ ବୋଲି ରୋକଠୋକ୍ ଜଣାଇସାରିଛନ୍ତି । ସମ୍ଭବତଃ ଦଳର ନେତା-କର୍ମୀ ଓ ଶାସକ ଦଳର ନେତାମାନଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ପାଣ୍ଡିଆନ ନିଜକୁ କିଛିମାସ ଦୂରେଇ ରଖିବାକୁ ଚାହୁଁଥିବାରୁ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

ବବି ଗଢ଼ୁଛନ୍ତି ନିଜ ଟିମ୍ , ନେତାଙ୍କ ତୁଣ୍ଡରେ ତୁଣ୍ଡି

ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଏବେ ଜାରି ରହିଛି । ଆଉ ବବି ନିଜର ପତିଆରା ଦେଖାଇ ଦଳର ବିଭିନ୍ନ ଜିଲ୍ଲା,ବ୍ଲକ ଓ ଏପରିକି ପଂଚାୟତ ସଭାପତି ପଦବୀରେ ନିଜର ଲୋକମାନଙ୍କୁ ଥଇଥାନ କରାଇବାରେ ସକ୍ଷମ ହେଉଛନ୍ତି । ଯଦିଓ ଦଳର ଆଗଧାଡ଼ିର ନେତାମାନେ ଶଙ୍ଖଭବନରେ ସାଂଗଠନିକ ନିର୍ବାଚନ ପ୍ରସଙ୍ଗରେ ବିଭିନ୍ନ ଜିଲ୍ଲାର ନେତାମାନଙ୍କ ସହ ବିଚାରବିମର୍ଶ କରୁଛନ୍ତି । କିନ୍ତୁ କିଏ ସାଂଗଠନିକ ପଦପଦବୀରେ ରହିବ ତାହା ବବି ଚୂଡ଼ାନ୍ତ କରୁଥିବା ଜଣାପଡ଼ିଛି । ଏହି ବୈଠକଗୁଡ଼ିକରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଦେବ ପ୍ରମୁଖ ଉପସ୍ଥିତ ରହୁଛନ୍ତି କିନ୍ତୁ ସେମାନଙ୍କ ସମସ୍ତଙ୍କ ଉପରେ ବବି ନିଜର ହାକିମାତି ଜାହିର କରିବାରେ ସକ୍ଷମ ହେଉଛନ୍ତି ।

‘ସାର ୱିଲ୍ ଟେକ୍ ଏ କଲ୍‌’ କହି ନିଷ୍ପତ୍ତିକୁ ନବୀନ ନିବାସ ଟ୍ରାନ୍ସଫର କରାଇ ଦେଉଛନ୍ତି । ଆଉ ସେଠାରେ ଥିବା ନିଜର ଗଡ଼ଫାଦର ପାଣ୍ଡିଆନଙ୍କ ମାଧ୍ୟମରେ ନବୀନଙ୍କ ମୁହଁରେ ନିଜ ମନମୁତାବକ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇବାରେ ସଫଳ ହେଉଥିବା ଜଣାପଡ଼ିଛି । ନିଜର ଅସ୍ତିତ୍ୱ ରକ୍ଷା ପାଇଁ ବବିଙ୍କୁ ଏବେ ପ୍ରତାପ ଜେନା, ସଞ୍ଜୟ ଦାସବର୍ମା ଓ ପ୍ରତାପ ଦେବଙ୍କ ଭଳି ନେତାମାନେ ସମର୍ଥନ କରୁଥିବା ଓ ଅନ୍ୟ ନେତାମାନେ ନିରବ ରହୁଥିବାରୁ ସେ ଏସବୁ କରିବାରେ ବି ସଫଳ ହେଉଥିବା ସୂଚନା ମିଳିଛିା

ବବି-ପାଣ୍ଡିଆନଙ୍କ ଭବିଷ୍ୟତ ଯୋଜନା

ସୂଚନା ଅନୁସାରେ, ଦଳକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ପାଣ୍ଡିଆନ ଓ ବବି ମିଳିତ ଭାବେ ନିଜର ରଣନୀତିକୁ କାର୍ଯ୍ୟକାରୀ କରିବାରେ ଲାଗିଛନ୍ତି । ନିକଟ ଭବିଷ୍ୟତରେ କୌଣସି ନିର୍ବାଚନ ହେବାର ନାହିଁ । ଦଳ ଯେଭଳି ଢଙ୍ଗରେ ବିଗତ ୯ମାସ ଧରି ପରିଚାଳିତ ହେଉଛି, ଅତିକମରେ ଆଉ ବର୍ଷେ ସେଭଳି ଚାଲୁ ବୋଲି ବବି-ପାଣ୍ଡିଆନ ଚାହୁଁଛନ୍ତି । ଯେହେତୁ ସେମାନଙ୍କ ନିୟନ୍ତ୍ରଣରେ ଦଳର ସମସ୍ତ ପାଣ୍ଠି ରହିଛିି ଓ ଯେତେବେଳେ ଯାହା ଚାହୁଁଛନ୍ତି ନବୀନଙ୍କ ମାଧ୍ୟମରେ ସେହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇ ପାରୁଛନ୍ତି ତେଣୁ ଦଳୀୟ ନେତାମାନେ ସ୍ୱର ଉଠାଇବାର ସାହାସ ଜୁଟାଇ ପାରୁନାହାନ୍ତି । ବବି ମଧ୍ୟ ଖୋଲାଖୋଲି ତାଙ୍କ ପାଖରେ ପାଣ୍ଠି ଅଛି, କିଏ କୁଆଡ଼େ ଯିବ ଯାଆନ୍ତୁ କହି ଅନ୍ୟ ବରିଷ୍ଠ ନେତାମାନଙ୍କୁ ଚୁପ୍ ରହିବାକୁ ଏକରକମ ବାଧ୍ୟ କରାଉଛନ୍ତି ।

କିଛି ଚାଟୁକାର ନେତାଙ୍କୁ ହାତବାରିସି କରି ବବି ଏବେ ସଂଗଠନରେ ସକ୍ରିୟ ହୋଇଛନ୍ତି । ଚଳିତ ସାଂଗଠନିକ ନିର୍ବାଚନରେ ଜିଲ୍ଲାସ୍ତରରେ ନିଜର ଅନୁଗତମାନଙ୍କୁ ଥଇଥାନ କରୁଥିବାରୁ ସେ ନିଜ ପାଇଁ ‘କାର୍ଯ୍ୟକାରୀ ସଭାପତି’ କିମ୍ବା ‘ରାଜନୀତିକ ବ୍ୟାପାର କମିଟି ଅଧ୍ୟକ୍ଷ’ ଭଳି ପଦବୀ ହାତେଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ସହଯୋଗରେ ଓ ତାଙ୍କର ପୁରୁଣା ଇକୋସିଷ୍ଟମ ମାଧ୍ୟମରେ ବବି ଦଳକୁ ନିଜ କବଜାରେ ରଖିବାକୁ ଜୋରଦାର ଉଦ୍ୟମ କରୁଥିବା ତଥା ଆଗଧାଡ଼ିର ନେତାମାନଙ୍କୁ ଧମକଚମକ ଦେବାକୁ ପଛାଉ ନଥିବା ଚର୍ଚ୍ଚା ହେଉଛି ।

Related story