ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟର ଦେଢ଼ବର୍ଷ ପରେ ମଧ୍ୟ ବିଜେଡି ନିଜର ସାଂଗଠନିକ ସ୍ଥିତିକୁ ସଜାଡ଼ିବାରେ ସମ୍ପୂର୍ଣ୍ଣ ବିଫଳ ରହିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟସାଧିକ୍ୟ ଯୋଗୁ ସାଂଗଠନିକ କାର୍ଯ୍ୟରେ ଅନାଗ୍ରହ, ଦଳରେ ‘ନେତୃତ୍ୱ ଶୂନ୍ୟତା'କୁ ଉତ୍କଟ କଲାଣି । ନେତୃତ୍ୱ ପ୍ରତି ଆସ୍ଥାର ଅଭାବ ଓ ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା ପାଇଁ ତୃଣମୂଳସ୍ତରର ଦଳୀୟ ନେତା ଓ କର୍ମୀମାନେ ଖୋଲାଖୋଲି ଭାବେ ଶାସକ ବିଜେପି ଆଡ଼କୁ ଢ଼ଳିବାରେ ଲାଗିଲେଣି ।
ଏସବୁ ଭିତରେ ରାଜ୍ୟସଭା ଆସନ ପାଇଁ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ପ୍ରଭାବଶାଳୀ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଆଉ ଏହି ଛକାପଞ୍ଝା ଓ ତୀବ୍ର କନ୍ଦଳ ହିଁ ଦଳକୁ ଏବେ ଦୁଇଫାଳ କରାଉଥିବା ଚର୍ଚ୍ଚା ହେଉଛି ।
ରାଜ୍ୟସଭା ପାଇଁ ଦେବୀ ଓ ବବିଙ୍କ ମଧ୍ୟରେ ଶୀତଳଯୁଦ୍ଧ
ଆସନ୍ତା ମାର୍ଚ୍ଚ ମାସରେ ରାଜ୍ୟରେ ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ବିଧାନସଭାରେ ସଂଖ୍ୟା ଗଣିତ ଦୃଷ୍ଟିରୁ ବିଜେପିକୁ ୨ଟି ଓ ବିଜେଡିକୁ ଗୋଟିଏ ସିଟ୍ ନିଶ୍ଚିତ ମିଳିବ । ମାତ୍ର ଏହି ଗୋଟିଏ ଆସନକୁ ନେଇ ଏବେଠୁ ଦଳ ଭିତରେ ଛକାପଞ୍ଝା ତୀବ୍ର ହେବାରେ ଲାଗିଛି । ବିଗତ ଦେଢ଼ବର୍ଷ ଧରି ଦଳର ସାଂଗଠନିକ ଦାୟିତ୍ୱରେ ଥିବା ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ଏବେ ତାଙ୍କ କୋରଟିମ୍ ସଦସ୍ୟମାନଙ୍କ ଚାଟୁକାରିତା ପାଇଁ ଦଳର ରାଜ୍ୟସଭା ପ୍ରାର୍ଥୀ ନିମନ୍ତେ ପ୍ରମୁଖ ଦାବିଦାର ହୋଇଛନ୍ତି ।
ତେବେ ଦେବୀଙ୍କ ରାଜ୍ୟସଭା ଆସନ ଉପରେ ନଜରକୁ ଦେଖି ଦଳର ଅନ୍ୟତମ ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ମଧ୍ୟ ନିଜର ଅନୁଗତମାନଙ୍କୁ ଧରି ଗୋଟିଚାଳନା ଆରମ୍ଭ କରିଛନ୍ତି । ଯଦିଓ ଦେବୀଙ୍କ ଗୋଷ୍ଠୀରେ ପ୍ରତାପ ଜେନା, ଅତନୁ ସବ୍ୟସାଚୀ ଓ ସଞ୍ଜୟ ଦାସବର୍ମାଙ୍କ ଭଳି ପୁରୁଖା ନେତାମାନେ ରହି ବବିଙ୍କୁ ଚେକ୍ ଦେବାକୁ ଚେଷ୍ଟା କରୁଛନ୍ତି । ତଥାପି ବବି ସିଧାସଳଖ ସାମ୍ନାକୁ ନଆସି ପାଣ୍ଡିଆନବିରୋଧୀ ନେତାଙ୍କୁ ଏକଜୁଟ କରାଇବା ସହ ନେତୃତ୍ୱ ଉପରେ ଚାପ ପକାଉଥିବା ଜଣାପଡ଼ିଛି । ବବିଙ୍କ ସମର୍ଥନରେ କିଛି ଦଳୀୟ ବିଧାୟକ ମଧ୍ୟ ରହିଥିବା ଚର୍ଚ୍ଚା ହେଉଛି ।
ବିଜେପିର ଦିଲ୍ଲୀ ମଡେଲ୍ ରଣନୀତି ଓ ଚତୁର୍ଥ ଆସନ ଉପରେ ନଜର
ସୂତ୍ର ଅନୁସାରେ, ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଏବେ ‘ଦିଲ୍ଲୀ ମଡେଲ୍' ଆପଣାଇବାକୁ ଯୋଜନା କରୁଛି । ବିଧାନସଭାରେ ସଂଖ୍ୟା ଗଣିତ ଦୃଷ୍ଟିରୁ ବିଜେପି ୨ଟି ଆସନ ପାଇବା ନିଶ୍ଚିତ ଥିବାବେଳେ ଦଳ ଏବେ ଚତୁର୍ଥ ଆସନଟିକୁ ମଧ୍ୟ ନିଜ ଦଖଲରେ ରଖିବାକୁ ଚାହୁଁଛି । ପଶ୍ଚିମବଙ୍ଗ, ଆସାମ ଓ ତାମିଲନାଡୁ ଭଳି ରାଜ୍ୟରେ ନିର୍ବାଚନ ଥିବାରୁ ବିଜେପି ଓଡ଼ିଶା କୋଟାରୁ ଜଣେ କିମ୍ବା ଦୁଇଜଣ ବାହାର ରାଜ୍ୟର ପୁରୁଖା ନେତାଙ୍କୁ ରାଜ୍ୟସଭା ପଠାଇବାର ସମ୍ଭାବନା ରହିଛି । ଧର୍ମେନ୍ଦ୍ର ପ୍ରଧାନ ଯେଭଳି ବିହାର ଓ ମଧ୍ୟପ୍ରଦେଶରୁ ପ୍ରତିନିଧିତ୍ୱ କରିଥିଲେ, ସେହି ଢଙ୍ଗରେ ବିଜେପି ନିଜର କେନ୍ଦ୍ରୀୟ ନେତାଙ୍କୁ ଓଡ଼ିଶା ମାଧ୍ୟମରେ ସଂସଦକୁ ପଠାଇବାକୁ ରଣନୀତି କରୁଛି, ଯାହା ବିଜେଡିର ଅଡୁଆ ଆହୁରି ବଢ଼ାଇ ଦେଇଛି। ବିଜେଡିର ଅଘୋଷିତ ସମର୍ପଣ ନୀତିର ଫାଇଦା ଉଠାଇ ବିଜେପି ଓଡ଼ିଶାରେ ୪ରୁ ୩ଟି ଆସନକୁ ନିଜ ଦଖଲରେ ରଖିବାରେ ସକ୍ଷମ ହେବ ବୋଲି ଚର୍ଚ୍ଚା ହେଉଛି
ଚୂଡ଼ାନ୍ତ ନିଷ୍ପତ୍ତି ପାଣ୍ଡିଆନଙ୍କ ହାତରେ: ଦଳ ବିଭାଜନମୁହାଁ
ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ ଚୟନ ଭଳି ଦଳର ରାଜ୍ୟସଭା ପ୍ରାର୍ଥୀ କିଏ ହେବ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ନେବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଯଦିଓ ନବୀନ କେବଳ ଏହି ପ୍ରାର୍ଥୀତ୍ୱ ସମ୍ପର୍କରେ ଘୋଷଣା କରିବେ । ସୂତ୍ର ଅନୁସାରେ, ପାଣ୍ଡିଆନ ଦଳର ଆଗଧାଡ଼ିର କୌଣସି ନେତାଙ୍କୁ ରାଜ୍ୟସଭା ପଠାଇ ବିଜେଡିରେ ନିଜର କ୍ଷମତା ଓ ପତିଆରାକୁ ହ୍ରାସ କରିବାକୁ ଚାହିଁବେ ନାହିଁ ।
ଦେବୀ କିମ୍ବା ବବିଙ୍କ ମଧ୍ୟରୁ କାହାରିକୁ ଟିକେଟ ଦେବା ପରିବର୍ତ୍ତେ ଅନ୍ୟ କୌଣସି ନେତାଙ୍କୁ ପ୍ରାର୍ଥୀ କରାଯିବ, ଯାହାକି ପାଣ୍ଡିଆନଙ୍କ ପତିଆରା କାଏମ ରହିଥିବାର ସ୍ପଷ୍ଟ ସନ୍ଦେଶ ଦେବ । ଆଉ ଯଦି ଏପରି ହୁଏ, ତେବେ ବାରମ୍ବାର ଅଣଦେଖା କରାଯାଉଥିବା ପୁରୁଖା ନେତାମାନେ ଏକାଠି ହୋଇ ଦଳ ବିରୋଧରେ ସ୍ୱର ଉତ୍ତୋଳନ କରିପାରନ୍ତି, ଯାହା ବିଜେଡିକୁ ଏକ ବଡ଼ ଧରଣର ବିଭାଜନ ମୁହଁକୁ ଠେଲି ଦେବ । ଅବଶ୍ୟ ଦଳର ବିଧାୟକମାନେ ଏବେ ବହୁଭାଗରେ ବିଭକ୍ତ ଅଛନ୍ତି । ରାଜ୍ୟସଭା ନିର୍ବାଚନରେ ଦଳୀୟ ହୁଇପ୍ ଲାଗୁ ହେଉନଥିବାରୁ ବିଧାୟକମାନେ ନିଜ ଇଚ୍ଛାରେ ଭୋଟ୍ ଦେବେ । ଯାହାର ଫାଇଦା ବିଜେପିକୁ ମିଳିବାର ସମ୍ଭାବନା ବି ରହିଛି ।
ପାଣ୍ଡିଆନଙ୍କ ‘ଭର୍ଚୁଆଲ୍' ନିୟନ୍ତ୍ରଣ, ପତିଆରା କାଏମ
ବୟସାଧିକ୍ୟ କାରଣରୁ ନବୀନ ଏବେ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହୁଥିଲେ ମଧ୍ୟ ନବୀନ ନିବାସର ବିନା ଅନୁମତିରେ ସାଂଗଠନିକ କାର୍ଯ୍ୟ ସମ୍ଭବପର ହେଉନଥିବା ଜଣାପଡ଼ିଛି । ଯଦିଓ ଦେବୀ ମିଶ୍ରଙ୍କ ନେତୃତ୍ୱାଧୀନ କୋରଟିମ୍ ସବୁକିଛି ତଦାରଖ କରୁଛି ବୋଲି ସନ୍ଦେଶ ଦିଆଯାଉଛି, ମାତ୍ର ନବୀନ ନିବାସରୁ ଆସୁଥିବା ନିର୍ଦ୍ଦେଶ ପରୋକ୍ଷ ଭାବେ ପାଣ୍ଡିଆନଙ୍କ ନିକଟରୁ ଆସୁଥିବା ଚର୍ଚ୍ଚା ହେଉଛି । ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଅଧିକାଂଶ ସମୟ ଭୁବନେଶ୍ୱର ବାହାରେ ରହୁଥିଲେ ମଧ୍ୟ ତାଙ୍କ ବିନା ଅନୁମତିରେ ଏବେବି ବିଜେଡିରେ ପତ୍ରଟିଏ ବି ଝଡ଼ିବା ସମ୍ଭବପର ହେଉନାହିଁ ।
ପାଣ୍ଡିଆନ ‘ଭର୍ଚୁଆଲ ମୋଡ'ରେ ନବୀନ ନିବାସକୁ ନିୟନ୍ତ୍ରଣ କରୁଥିବାବେଳେ ଜଣେ କାର୍ଯ୍ୟରତ ବରିଷ୍ଠ ଅଫିସର ହିଁ ତାଙ୍କର ଆଖିକାନ ପାଲଟିଛନ୍ତି । ତାଙ୍କ ବ୍ୟତୀତ ଅନ୍ୟ ତିନିଜଣ ଅବସରପ୍ରାପ୍ତ ପ୍ରଶାସକ ଅଜିତ୍ ମିଶ୍ର, ଗୋପବନ୍ଧୁ ଦାଶ ଓ ମନୋଜ ମିଶ୍ର ନିୟମିତ ଭାବେ ନବୀନ ନିବାସ ଯାଉଥିବା ମଧ୍ୟ ଜଣାପଡ଼ିଛି । ଦଳରେ ‘ସେକେଣ୍ଡ ଇନ୍ କମାଣ୍ଡ’ର ଅଭାବ ସମେତ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ନହେବା ଏବଂ ପାଣ୍ଡିଆନଙ୍କୁ ନେଇ ବଢ଼ୁଥିବା ଅସନ୍ତୋଷ ମଧ୍ୟ ବିଜେଡିକୁ ତଳିତଳାନ୍ତ କରିବାରେ ଲାଗିଛି ।
ଏପଟେ ଦଳୀୟ ସାଂଗଠନିକ ନିର୍ବାଚନ ସରିବାର ୭ ମାସ ବିତିଯାଇଥିଲେ ବି ପୂର୍ଣ୍ଣାଙ୍ଗ କର୍ମକର୍ତ୍ତା କମିଟି ଗଠନ ହେଇପାରୁନି କିମ୍ବା ଖୋର୍ଦ୍ଧା ଓ ବାଲେଶ୍ୱର ଭଳି ଜିଲ୍ଲାର ସଭାପତି ହେଉ ଅବାପୁଣି ୨୨ଟି ଜିଲ୍ଲାରେ କର୍ମକର୍ତ୍ତା କମିଟି ଚୂଡ଼ାନ୍ତ ନହେବା ମଧ୍ୟ ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇ ଦେଇଛି । ତଥାପି ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ସମ୍ଭାବ୍ୟ ଏଂଟ୍ରି ଚର୍ଚ୍ଚାକୁ ନେଇ ଏପର୍ଯ୍ୟନ୍ତ ପୂର୍ଣ୍ଣଚ୍ଛେଦ ପଡ଼ୁନଥିବା ଓ ଦଳ ଦୁଇଫାଳ ହେବା ବିଜେଡିକୁ ସଙ୍କଟ ଭିତରକୁ ଠେଲି ଦେଇଥିବା ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us