Advertisment

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ: ପ୍ରଥମ ବୈଠକ ପରେ କମିଟି ରଖିଲା ଏମିତି ମତ

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଗଠନ ହୋଇଥିବା କମିଟିକୁ ବିରୋଧୀ ମେଣ୍ଟ ଇଣ୍ଡିଆ ବିରୋଧ କରିଛି। ଏହା ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ଅପମାନ ବୋଲି ଇଣ୍ଡିଆ ପକ୍ଷରୁ କୁହାଯାଇଛି।

author-image
Hemant Lenka
one

one

ପ୍ରସ୍ତାବିତ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଗଠିତ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଆଜି କମିଟିର ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହାପରେ ୮ ଜଣିଆ କମିଟି ସର୍ବସମ୍ମତିକ୍ରମେ ବିଭିନ୍ନ ରାଜନୀତିକ ଦଳର ସଦସ୍ୟ ଓ ଆଇନ କମିଶନଙ୍କୁ ଏକକ ନିର୍ବାଚନ ଉପରେ ମତାମତ ରଖିବାକୁ ନିମନ୍ତ୍ରଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

Advertisment

ଆଜିର ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ଅର୍ଥ କମିଶନରର ପୂର୍ବତନ ଅଧ୍ୟକ୍ଷ ଏନକେ ସିଂହ, ଲୋକସଭାର ପୂର୍ବତନ ମହାସଚିବ ସୁଭାଷ ସି କଶ୍ୟପ ଓ ପୂର୍ବତନ ମୁଖ୍ୟ ଭିଜିଲାନ୍ସ କମିଶନରର ସଞ୍ଜୟ କୋଠାରୀ ପ୍ରମୁଖ ଯୋଗ ଦେଇଥିଲେ।

ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଭିଡିଓ ଲିଙ୍କରେ ବୈଠକରେ ସାମିଲ ହୋଇଥିଲେ। ତେବେ କମିଟିରେ ଥିବା କଂଗ୍ରେସର ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ବୈଠକରେ ଯୋଗ ଦେବେ ନାହିଁ ବୋଲି ପୂର୍ବରୁ କହି ସାରିଥିଲେ। ତେଣୁ ସେ ପ୍ରଥମ ବୈଠକରେ ଅନୁପସ୍ଥିତ ଥିଲେ।

Advertisment

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଗଠନ ହୋଇଥିବା କମିଟିକୁ ବିରୋଧୀ ମେଣ୍ଟ ଇଣ୍ଡିଆ ବିରୋଧ କରିଛି। ଏହା ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ଅପମାନ ବୋଲି ଇଣ୍ଡିଆ ପକ୍ଷରୁ କୁହାଯାଇଛି।

କମିଟି ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ ଅନୁମୋଦନପ୍ରାପ୍ତ ଜାତୀୟ ରାଜନୀତିକ ଦଳ, ରାଜ୍ୟରେ କ୍ଷମତାରେ ଥିବା ଦଳ, ସଂସଦରେ ନିଜର ପ୍ରତିନିଧି ରଖିଥିବା ଦଳ ଓ ରାଜ୍ୟସ୍ତରୀୟ ଦଳଗୁଡ଼ିକୁ ନିମନ୍ତ୍ରଣ କରିବାକୁ କମିଟି ନିଷ୍ପତ୍ତି ନେଇଛି।

ସେମାନେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେବାକୁ ଆହ୍ୱାନ କରାଯାଉଛି। ଏହାବାଦ ଏକକ ନିର୍ବାଚନ ପାଇଁ କମିଟି ଆଇନ କମିଶନଙ୍କୁ ମଧ୍ୟ ମତାମତ ଦେବାକୁ କହିଛି।

ପ୍ରସ୍ତାବ ଓ ମତାମତ ମିଳିବା ପରେ କମିଟି ସମ୍ବିଧାନ, ଲୋକପ୍ରତିନିଧି ଆଇନ ଓ ଅନ୍ୟାନ୍ୟ ଆଇନରେ ଆବଶ୍ୟକ ସଂଶୋଧନ ଉପରେ ବିଚାର କରିବ ଏବଂ ଏ ସଂକ୍ରାନ୍ତରେ ପ୍ରସ୍ତାବ ଦେବ ବୋଲି ବିବୃତିରେ କୁହାଯାଇଛି।

Ramnath Kovind One Nation One Election