Advertisment

ପାଣ୍ଡିଆନଙ୍କ ଔଦ୍ଧତ୍ୟକୁ ସମର୍ଥନ କରିଥିଲେ ବବି ଓ ସଞ୍ଜୟ: ନବୀନଙ୍କୁ ୪ଦିନ ପରେ ବି ଭେଟିପାରିଲେନି ଦଳୀୟ ନେତା

ରାତି ପ୍ରାୟ ୯ଟା ୫୦ମିନିଟବେଳେ ସମ୍ ଅଲଟିମେଟମ ମେଡିକେୟାର ହସ୍ପିଟାଲର ଗ୍ରାଉଣ୍ଡ ଫ୍ଲୋରକୁ ଆସିଥିଲେ ପାଣ୍ଡିଆନ । ନିଜ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଯାଇଥିବା ଦଳର କର୍ମୀ ଓ ନେତାମାନେ ସେଠାରେ ଅପେକ୍ଷା କରି ବସିଥିଲେ ।

author-image
Ordigital Desk
Naveen

Naveen

ଅଗଷ୍ଟ ୧୭ତାରିଖ ରାତିରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଔଦ୍ଧତ୍ୟର ନୂଆ ରୂପ ଦେଖିଥିଲେ ବିଜେଡିର ନେତା-କର୍ମୀ । ଭୁବନେଶ୍ୱର ସମ୍ ଅଲଟିମେଟମ୍ ମେଡିକେୟାର ହସ୍ପିଟାଲର ତଳମହଲାରୁ ତୃତୀୟ ମହଲା ପର୍ଯ୍ୟନ୍ତ ସବୁଠି ପାଣ୍ଡିଆନ ନିଜର ଅହଙ୍କାରକୁ ଜାହିର କରାଉଥିଲେ ।  ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କଠୁ ଆରମ୍ଭ କରି ଅନ୍ୟ ରାଜନୀତିକ ଦଳର ମୁଖିଆ ମଧ୍ୟ ତାଙ୍କ ଆକ୍ରୋଶ ଓ ଆତ୍ମବଡ଼ିମାରୁ ବାଦ୍ ପଡ଼ୁନଥିଲେ । ଆଉ ଚରମସୀମାରେ ଥିବା ପାଣ୍ଡିଆନଙ୍କ ଏଭଳି ଔଦ୍ଧତ୍ୟକୁ ସେଠାରେ ଉପସ୍ଥିତ ପ୍ରଣବପ୍ରକାଶ ଦାସ ଓରଫ ବବି ଓ ସଞ୍ଜୟ ଦାସବର୍ମାଙ୍କ ଭଳି ଆଗଧାଡ଼ିର ଦଳୀୟ ନେତା ଚାଟୁକାର ସାଜି ସମର୍ଥନ କରିବା ଏବେ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ଏପଟେ ନବୀନ ଚାରିଦିନ ଧରି ହସ୍ପିଟାଲରେ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଜଣେ ବି ବିଜେଡି ନେତା ଗୋଟିଏ ମିନିଟ୍ ପାଇଁ ମଧ୍ୟ ତାଙ୍କୁ ଭେଟିବାର ସୁଯୋଗ ପାଇପାରିନାହାନ୍ତି ଯଦିଓ ପାଣ୍ଡିଆନ ଦମ୍ପତି ଓ ତାଙ୍କର କିଛି ଖାସ୍ ଅଫିସରମାନେ ସହଜରେ ନବୀନଙ୍କୁ ସାକ୍ଷାତ କରିପାରୁଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି । ନବୀନ ହିଁ କେବଳ ପାଣ୍ଡିଆନ ଦମ୍ପତିଙ୍କ ସମ୍ପତ୍ତି ଓ ସେମାନେ ହିଁ ତାଙ୍କର ଏକମାତ୍ର କେୟାରଟେକର ବୋଲି ମଧ୍ୟ ସନ୍ଦେଶ ଦେବାକୁ ହୋଇଥିବା ପ୍ରୟାସ ମଧ୍ୟ ସୁଚିନ୍ତିତ ରଣନୀତିର ଅଂଶବିଶେଷ ବୋଲି କୁହାଯାଉଛି ।

କ୍ଷମତାରେ ନଥାଇ ମଧ୍ୟ ପାଣ୍ଡିଆନଙ୍କ ଔଦ୍ଧତ୍ୟ ଓ ଅହଙ୍କାର କେଉଁସ୍ତରରେ ରହିଥିଲା ସେଦିନର ସିସିଟିଭି କ୍ୟାମେରା ଫୁଟେଜରେ ରେକର୍ଡିଂ ହୋଇଥିବା ଦୃଶ୍ୟକୁ ଅନୁଧ୍ୟାନ କଲେ ଯେକେହି ସହଜରେ ବୁଝିପାରିବ । ଯଦିଓ ଏହି ରେକର୍ଡିଂ ଆମର ହସ୍ତଗତ ହୋଇନାହିଁ କିନ୍ତୁ ନାମଗୁପ୍ତ ରଖିବା ସର୍ତ୍ତରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଯାହା ଥିଲା ତାହା ରାଜ୍ୟର ଏକନମ୍ବର ରାଜନୀତିକ ଦଳ ବିଜେଡିର ନେତାମାନଙ୍କ ଅସହାୟତା, ଅର୍କମଣ୍ୟତା ଓ ଚାଟୁକାରିତାକୁ ପଦାରେ ପକାଇ ଦେଇଛି । ସମ୍ ଅଲଟିମେଟମର ତଳମହଲାରେ ସମସ୍ତ ବିଜେଡି ନେତା-କର୍ମୀଙ୍କ ଆଗରେ ପାଣ୍ଡିଆନ ନିଜର ଔଦ୍ଧତ୍ୟ ଜାହିର କରୁଥିବାବେଳେ ସେଠାରେ ଉପସ୍ଥିତ ବରିଷ୍ଠ ନେତା ବବି ଓ ସଞ୍ଜୟ ତାଙ୍କୁ ସମର୍ଥନ କରି ‘ହା ଜୀ ହା ଜୀ’ ହୋଇ ଓଲଟା ତାଙ୍କୁ ସାହାସ ଦେବା ଏବେ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ଆସନ୍ତୁ ଜାଣିବା ସେଦିନ ରାତିରେ କେମିତି ଥିଲା ପାଣ୍ଡିଆନଙ୍କ ଔଦ୍ଧତ୍ୟ

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ୧୭ତାରିଖ ରାତିରେ ପାଣ୍ଡିଆନଙ୍କ ଔଦ୍ଧତ୍ୟ ଓ ନୂଆରୂପ ଦେଖିଲା ବିଜେଡି । ଦ୍ୱିତୀୟ ମହଲାରେ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସହ ଯୁକ୍ତିତର୍କ କରିବା କ୍ଷୁବ୍ଧ ହୋଇ ତଳକୁ ଆସିଥିଲେ ପାଣ୍ଡିଆନ । ଆସିବା ପୂର୍ବରୁ ଦ୍ୱିତୀୟ ମହଲାରେ ଦଳର ବରିଷ୍ଠ ନେତା ଅରୁଣ ସାହୁଙ୍କୁ ଡାକି ରାଜାଙ୍କୁ ତୁରନ୍ତ ହସ୍ପିଟାଲରୁ ବାହାରକୁ ବିଦା କରିବାକୁ ମଧ୍ୟ କହିଥିଲେ । ରାତି ପ୍ରାୟ ୯ଟା ୫୦ମିନିଟବେଳେ ସମ୍ ଅଲଟିମେଟମ ମେଡିକେୟାର ହସ୍ପିଟାଲର ଗ୍ରାଉଣ୍ଡ ଫ୍ଲୋରକୁ ଆସିଥିଲେ ପାଣ୍ଡିଆନ । ନିଜ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଯାଇଥିବା ଦଳର କର୍ମୀ ଓ ନେତାମାନେ ସେଠାରେ ଅପେକ୍ଷା କରି ବସିଥିଲେ । ଆଉ କିଛି ମଧ୍ୟ ବାହାରେ ବୁଲୁଥିଲେ । ସମସ୍ତଙ୍କୁ ଡକାଇଥିଲେ ପାଣ୍ଡିଆନ । ଆଉ ଦେଖାଇଥିଲେ ନିଜର ଓଦ୍ଧତ୍ୟ ଓ ଆତ୍ମବଡ଼ିମାର ନୂଆ ରୂପ ଦେଖାଇ ମନଇଚ୍ଛା ବର୍ଷିଥିଲେ ଦଳୀୟ ନେତା ଓ କର୍ମୀଙ୍କ ଉପରେ ।

କ’ଣ କହିଥିଲେ ପାଣ୍ଡିଆନ.....

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ ପାଣ୍ଡିଆନ କହିଥିଲେ ଯେ,

-I am down, not out from the party

-You People better know how powerful I am

ହାତରେ ଚୁଟକି ମାରି କହିଥିଲେ ଯେ,

--I will call his brother and will thrown out of the party

you dont know how hard it is to handle the Sir(ନବୀନ ପଟ୍ଟନାୟକଙ୍କୁ ଇଙ୍ଗିତ କରି)

ଆଉ ପାଣ୍ଡିଆନ ଏସବୁ କହୁଥିବାବେଳେ ସମସ୍ତେ ସ୍ତବ୍ଧ ହୋଇ ତାଙ୍କର ଔଦ୍ଧତ୍ୟକୁ ସହ୍ୟ କରୁଥିଲେ । ବବି ଓ ସଞ୍ଜୟ ଉଭୟ ‘ସାର୍ ସାର୍‌....ଆଜ୍ଞା ଆଜ୍ଞା’ ହୋଇ ଅନୁନୟ ହେଉଥିବା ସୂଚନା ମିଳିଛି । ଆଉ ବବି ପାଦେ ଆଗେଇଯାଇ  ନିଜର ଚାଟୁକାରିତା ଦେଖାଇଥିଲେ । କହିଥିଲେ ସାର୍ ଆପଣଙ୍କ ଅନୁପସ୍ଥିତିରେ ଆଦିତ୍ୟକୁ ବହୁତ ସମସ୍ୟା ହୋଇଛି ସାରଙ୍କୁ ଖୁଆଇବାବେଳେ ।

ସାର ତ କେବଳ ଆପଣଙ୍କ କଥା ଶୁଣନ୍ତି... । ଆଦିତ୍ୟ ମହାପାତ୍ର ହେଉଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ଓଏଏସ୍ ଅଫିସର ଯିଏକି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି । ତାଙ୍କୁ ସର୍ବସାଧାରଣରେ ‘ତୁ..ତା’ କହି ବବି ସମ୍ବୋଧନ କରୁଥିଲେ ମଧ୍ୟ ଆଦିତ୍ୟ କେଉଁ ଅଦୃଶ୍ୟ କାରଣରୁ ତାଙ୍କର ଏଭଳି ଅପମାନକୁ ସହ୍ୟ କରୁଛନ୍ତି ତାହା ଜଣାପଡ଼ିନି ।

ତେବେ ପାଣ୍ଡିଆନ ଏସବୁ କହି ନିଜର ଆକ୍ରୋଶ ବ୍ୟକ୍ତ କରି ଯାଉଥିବାବେଳେ ବବି ତାଙ୍କୁ ଶୁଣାଇବା ଭଳି କହିଥିଲେ ଯେ “ଆମେ ଚାହୁଁଛୁ ଆପଣ ଏଭଳି ଷ୍ଟ୍ରଙ୍ଗ ହୁଅନ୍ତୁ, ଦଳ ବଂଚିବ । ଏମିତି କିଛି ଆକ୍ସନ ହେବା ଦରକାର ।”

ଆଉ ଏତିକି ଶୁଣି ପୁଣି ଫେରିଥିଲେ ପାଣ୍ଡିଆନ- କହିଥିଲେ “ ବବି ବାବୁ,  You know how powerful I am and what I can do if I want to ...

ହସ୍ପିଟାଲର ଗ୍ରାଉଣ୍ଡ ଫ୍ଲୋରରେ ପାଣ୍ଡିଆନ ନିଜର ଔଦ୍ଧତ୍ୟ ଦେଖାଇବାବେଳେ ଦଳର ଆଗଧାଡ଼ିର ଯୁବ-ଛାତ୍ର ନେତାମାନଙ୍କ ସମେତ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଦେବୀରଞ୍ଜନ ତ୍ରିପାଠୀ, ବିଶ୍ୱରଞ୍ଜନ ମଲ୍ଲିକ, କୈଳାସ ପାତ୍ର, ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ ଆଗଧାଡ଼ିର ନେତା ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ, ପାଣ୍ଡିଆନ ଦମ୍ପତି ଏକଛତ୍ରବାଦୀ ଆଭିମୁଖ୍ୟ ପୋଷଣ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ନିଜର ହକ୍ ଜାହିର କରିବା ସହ ଦଳୀୟ ନେତାମାନଙ୍କୁ ମଧ୍ୟ ତାଙ୍କଠୁ ଦୂରେଇ ରଖିବାରେ ସକ୍ଷମ ହୋଇଛନ୍ତି । ନବୀନଙ୍କ ଅସୁସ୍ଥତା ମଧ୍ୟରେ ପ୍ରଥମଥର ପାଇଁ ବିଜେଡି ନେତାଙ୍କ ସହ ସାମ୍ନାସାମ୍ନି ହୋଇ ଆଗକୁ ଆସିଛନ୍ତି ପାଣ୍ଡିଆନଙ୍କ ପତ୍ନୀ ସୁଜାତା ।

ଆଉ ସେ ମଧ୍ୟ ବିଜେଡି ରାଜନୀତିର ଗୋଟିଏ ପ୍ରମୁଖ ଅଂଶୀଦାର ବୋଲି ସନ୍ଦେଶ ଦେବାକୁ ଏବେଠୁ ପ୍ରୟାସ କରିବାରେ ଲାଗିଥିବା ଚର୍ଚ୍ଚା ହେଉଛି । ଚିକିତ୍ସାଧୀନ ନବୀନଙ୍କୁ ପାଣ୍ଡିଆନଙ୍କ ସହଯୋଗୀ ଥିବା କିଛି ଅଣରାଜନୀତିକ ବ୍ୟକ୍ତି ଭେଟିପାରୁଥିବାବେଳେ ବିଜେଡିର କାହିଁକି କୌଣସି ଜଣେ ନେତାଙ୍କୁ ସାକ୍ଷାତର ସୁଯୋଗ ମିଳୁନି ତାହା ଏବେ ଦଳୀୟ ମହଲରେ ଚର୍ଚ୍ଚା ଓ ଅସନ୍ତୋଷର କାରଣ ପାଲଟିଛି । ତେବେ ଏସମ୍ପର୍କରେ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା)ଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ।

ଏପଟେ, ଚିକିତ୍ସାଧୀନ ନବୀନଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ନବୀନଙ୍କୁ ବିଶ୍ରାମ ନେବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବା ସହ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ଦିଲ୍ଲୀ ଆସିଲେ ତାଙ୍କୁ ଭେଟିବାକୁ କହିଥିବା ଦଳ ପକ୍ଷରୁ ଜାରି ସୂଚନାରୁ ଜଣାପଡ଼ିଛି । ତେବେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଆଜି ହସ୍ପିଟାଲ ପକ୍ଷରୁ କିମ୍ବା ବିଜେଡି ପକ୍ଷରୁ ଖବର ଲେଖାହେବା ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ ।

Odisha BjD Naveen Patnaik