TDP
ଅଭିନେତାରୁ ଆନ୍ଧ୍ର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ହୋଇଥିବା ପବନ କଲ୍ୟାଣ ନିଜ ସହଯୋଗୀ ତଥା ମିଳିତ ଭାବେ ସରକାର ଗଠନ କରିଥିବା ଟିଡିପିର ଜଣେ ମନ୍ତ୍ରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଆନ୍ଧ୍ରରେ ଗୃହମନ୍ତ୍ରୀ ଭାବେ କାମ କରୁଥିବା ଟିଡିପି ନେତ୍ରୀ ଅନୀତାଙ୍କୁ ପବନ କଲ୍ୟାଣ ଖୋଲା ମଞ୍ଚରେ ସମାଲୋଚନା କରିଛନ୍ତି।
ନିଜର କର୍ତ୍ତବ୍ୟ କରିବାରେ ଅନୀତା ଅକ୍ଷମ ବୋଲି ପବନ କଲ୍ୟାଣ ଅଭିଯୋଗ କରି ତାଙ୍କ ଠାରୁ ମନ୍ତ୍ରୀ ପଦ ଛଡ଼ାଇ ନେବେ ବୋଲି ଧମକ ଦେଇଛନ୍ତି। ଯଦି ସେ ନିଜ କାମରେ ଉନ୍ନତି ନ ଆଣିପାରିବେ, ତା’ହେଲେ ପବନ କଲ୍ୟାଣ ବାଧ୍ୟ ହୋଇ ଗୃହ ବିଭାଗର ଦାୟିତ୍ୱ ନେବେ ବୋଲି କହିଛନ୍ତି।
ଏବେ ଆନ୍ଧ୍ରରେ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଛି। ଗତକାଲି ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ବଢ଼ୁଥିବା ଅପରାଧକୁ ଦୃଷ୍ଟିରେ ରଖି ପବନ କଲ୍ୟାଣ କହିଛନ୍ତି, “ଶାନ୍ତି ଓ ସୁରକ୍ଷା ଆନ୍ଧ୍ର ପ୍ରଦେଶରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ମୁଁ ଏକଥା ଗୃହମନ୍ତ୍ରୀ ଅନୀତାଙ୍କୁ ମଧ୍ୟ କହୁଛି। ଆପଣ ହେଉଛନ୍ତି ଏ ରାଜ୍ୟର ଗୃହମନ୍ତ୍ରୀ। ମୁଁ ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଆପଣ ଠିକ ଭାବେ ନିଜ କର୍ତ୍ତବ୍ୟ ସମ୍ପାଦକ କରନ୍ତୁ। ନଚେତ ମୁଁ ବାଧ୍ୟ ହୋଇ ଗୃହ ବିଭାଗର ଦାୟିତ୍ୱ ନେବି।”
ପିତାପୁରମ ରାଲିରେ ପବନ ଆହୁରି କହିଛନ୍ତି, “ଆପଣଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ଭଳି ହେବାକୁ ପଡ଼ିବ। ରାଜନୀତିକ ନେତା ଓ ବିଧାୟକମାନେ ଏଠାରେ କେବଳ ଭୋଟ ମାଗିବାକୁ ଆସି ନାହାନ୍ତି। ଆପଣମାନଙ୍କର ମଧ୍ୟ ଉତ୍ତରଦାୟିତ୍ୱ ରହିଛି। ସମସ୍ତେ ଚିନ୍ତା କରିବା ଦରକାର। ମୁଁ ପଚାରି ପାରିପାରିବ ନାହିଁ କିମ୍ବା ଗୃହ ବିଭାଗ ନେଇ ପାରିବି ନାହିଁ ବୋଲି ଭାବିବା କଥା ଏଠାରେ ପଡ଼ିନି। ଆମକୁ ଯୋଗୀ ଆଦିତ୍ୟନାଥଙ୍କ ଭଳି ହେବାକୁ ପଡ଼ିବ। ନଚେତ ସେମାନେ(ଅପରାଧୀ) ବଦଳିବେ ନାହିଁ। ତେଣୁ ଆପଣ ବଦଳିବେ କି ନାହିଁ ନିଷ୍ପତ୍ତି ନିଅନ୍ତୁ।”
ଖୋଲା ମଞ୍ଚରେ ପବନ କଲ୍ୟାଣଙ୍କ ଏପରି ସମାଲୋଚନା ଟିଡିପି ସହ ତାଙ୍କର ତିକ୍ତତା ସୃଷ୍ଟି ହୋଇଥିବା ଚର୍ଚ୍ଚାକୁ ବଢ଼ାଇଛି। କିନ୍ତୁ ଚନ୍ଦ୍ରବାବୁ ନାଇଡୁଙ୍କ କ୍ୟାବିନେଟରେ ଥିବା ଆଉ ଜଣେ ମନ୍ତ୍ରୀ ନାରାୟାଣ ଭିନ୍ନ କଥା କହିଛନ୍ତି। ସେ ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ କଥାକୁ ସମର୍ଥନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
