Advertisment

ବାରାମତିରେ ‘ପାୱାର’ ଲଢ଼େଇ: ସୁପ୍ରିୟା ବନାମ ସୁନେତ୍ରା

ସୁନେତ୍ରା ପ୍ରାର୍ଥୀ ହେବା ପରେ ବାରାମତିରେ ଏବେ ନଣନ୍ଦ-ଭାଉଜଙ୍କ ମଧ୍ୟରେ ଲଢ଼େଇ ହେବ।

ଅଦ୍ୟତନ ହୋଇଛି
NCP

NCP

Advertisment

ମହାରାଷ୍ଟ୍ରର ବାରାମତିରେ ହେବ ପାୱାର ଲଢ଼େଇ। ଗୋଟିଏ ପରିବାରର ଦୁଇ ଜଣ ପରସ୍ପରକୁ ଦେବେ ଟକ୍କର। ବାରାମତିର ସାଂସଦ ସୁପ୍ରିୟା ସୁଲେଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ସୁନେତ୍ରା ପାୱାର। ଅଜିତ ପାୱାରଙ୍କ ଏନସିପି ପକ୍ଷରୁ ସୁନେତ୍ରାଙ୍କୁ ବାରାମତି ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି।

Advertisment

ସୁନେତ୍ରା ପ୍ରାର୍ଥୀ ହେବା ପରେ ବାରାମତିରେ ଏବେ ନଣନ୍ଦ-ଭାଉଜଙ୍କ ମଧ୍ୟରେ ଲଢ଼େଇ ହେବ। କାରଣ ସୁପ୍ରିୟା ହେଉଛନ୍ତି ଅଜିତ ପାୱାରଙ୍କ ସମ୍ପର୍କୀୟ ଭଉଣୀ ତଥା ଶରଦ ପାୱାରଙ୍କ ଝିଅ।

ଅଜିତ ପାୱାର ବିଦ୍ରୋହ ଘୋଷଣା କରି ଏନସିପିର ଅଧିକାଂଶ ବିଧାୟକଙ୍କୁ ଧରି ବିଜେପି ସହ ହାତ ମିଳାଇଥିଲେ। ଏବେ ସେ ତାଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ଉଭଣୀ ସୁପ୍ରିୟାଙ୍କ ବିରୋଧରେ ଟିକେଟ ଦେଇଛନ୍ତି।

Advertisment

ପୂର୍ବରୁ ମଧ୍ୟ ବାରାମତିରେ ସୁପ୍ରିୟା ଓ ସୁନେତ୍ରାଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଉଥିଲା। କିନ୍ତୁ ଆଜି ଏନସିପି ନେତା ସୁନୀଲ ତାଟକାରେ ବିଧିବଦ୍ଧ ଭାବେ ସୁନେତ୍ରାଙ୍କ ପ୍ରାର୍ଥିତ୍ୱ ସମ୍ପର୍କରେ ଘୋଷଣା କରିଛନ୍ତି। ସୁନୀଲ ନାଁ ଘୋଷଣା କଲା ବେଳେ କହିଛନ୍ତି ଯେ ଏହା ପାରିବାରିବ ବିବାଦରୁ ସୃଷ୍ଟି ହୋଇଥିବା ଲଢ଼େଇ ନୁହେଁ। ଏହା ଆଦର୍ଶଗତ ଲଢ଼େଇ।

ସୁନେତ୍ରା ବାରାମତିରୁ ପ୍ରାର୍ଥୀ ହେବା ପୂର୍ବରୁ ଅଜିତ ପାୱାର ତାଙ୍କ ପାଇଁ ସେଠାରେ ପ୍ରଚାର କରୁଥିଲେ। ସୁନେତ୍ରା ମଧ୍ୟ ତାଙ୍କ ସହ ବେଶ ସକ୍ରିୟ ଭାବେ ସେଠାକୁ ଯାଇ ଲୋକଙ୍କ ସହ ମିଶୁଥିଲେ। ଏବେ ସେ ବାରାମତିରେ ଏନସିପି ପାଇଁ ଲଢ଼ିବେ।

ଏହାପୂର୍ବରୁ ଶରଦ ପାୱାରଙ୍କ ଏନସିପି ମହାରାଷ୍ଟ୍ରର ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ବାରାମତିରୁ ପୁଣିଥରେ ସୁପ୍ରିୟା ସୁଲେଙ୍କୁ ଟିକେଟ ମିଳିଛି। ଏହାବାଦ ଶରଦ ପାୱାରଙ୍କ ଦଳ ୱାର୍ଦ୍ଧା, ଦିନଦୋରି, ଶିରୁର ଓ ଅହମଦନଗର ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି।

ଦୀର୍ଘ ୫୫ ବର୍ଷ ହେଲାଣି ପାୱାର ପରିବାର ପାଖରେ ବାରାମତି ରହି ଆସିଛି। ୧୯୬୭ରେ ଶରଦ ପାୱାର ପ୍ରଥମଥର ପାଇଁ ବାରାମତି ବିଧାନସଭା ଆସନରୁ ଜିତି ଥିଲେ। ଏହାପରେ ସେ ୧୯୭୨, ୧୯୭୮, ୧୯୮୦, ୧୯୮୫ ଓ ୧୯୯୦ ବିଧାନସଭା ନିର୍ବାଚନରେ ମଧ୍ୟ ବାଜିମାତ କରିଥିଲେ।

୨୦୦୯ରୁ ସୁପ୍ରିୟା ସୁଲେ ଏଠାରୁ ଲୋକସଭାକୁ ନିର୍ବାଚିତ ହୋଇ ଚାଲିଛନ୍ତି। ଏବେ ସେହି ପାୱାର ପରିବାରର ଆଉ ଜଣେ ସଦସ୍ୟ ସୁପ୍ରିୟାଙ୍କୁ ଚ୍ୟାଲେଞ୍ଜ ଦେବାକୁ ଆସିଛନ୍ତି।

NCP Ajit Pawar Supriya Sule
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe