Advertisment

ନିଲମ୍ବନ ପ୍ରତ୍ୟାହାର ସପକ୍ଷରେ ନାହିଁ ପିସିସି: ଚିରଞ୍ଜିବ କରିବେ କ’ଣ?

କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ୱାଳଙ୍କ ନିଲମ୍ବନ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ସପକ୍ଷରେ ଏବେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ନଥିବା ଜଣାପଡ଼ିଛି।

Chiranjib Biswal

Chiranjib Biswal

Advertisment

କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ୱାଳଙ୍କ ନିଲମ୍ବନ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ସପକ୍ଷରେ ଏବେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ନଥିବା ଜଣାପଡ଼ିଛି। ସବୁ ପ୍ରୟାସ ସତ୍ତ୍ୱେ ଚିରଞ୍ଜିବଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେଉନଥିବାରୁ ତାଙ୍କର ଭବିଷ୍ୟତ ରାଜନୀତିକ କାର୍ଯ୍ୟପନ୍ଥାକୁ ନେଇ ଚିରଞ୍ଜିବଙ୍କ ସମର୍ଥକମାନେ ଚିନ୍ତାରେ ପଡ଼ିଛନ୍ତି । ଜୁଲାଇ ୧୫ତାରିଖରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ନିଲମ୍ବନ କରିଥିଲା । ଏବେ କେବଳ ମୋକିମଙ୍କ ଉପରୁ ଦଣ୍ଡାଦେଶ ପ୍ରତ୍ୟାହାର ପାଇଁ ପିସିସି ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

Advertisment

ପିସିସି ସୂତ୍ର ଅନୁସାରେ, ଚଳିତ ଡିସେମ୍ବର ମାସ ଶେଷ ସପ୍ତାହରେ ମୋକିମଙ୍କ ଉପରୁ ଦଳୀୟ କାର୍ଯ୍ୟାନୁଷ୍ଠାନକୁ ଏଆଇସିସି ନିରସ୍ତ୍ର କରିବେ । ଏଥିପାଇଁ ପିସିସି ପକ୍ଷରୁ ଗ୍ରୀନ୍ ସିଗନାଲ ଦିଆଯାଇଛି । ମାତ୍ର ଚିରଞ୍ଜିବଙ୍କ ଉପରୁ ଦଳୀୟ କାର୍ଯ୍ୟାନୁଷ୍ଠାନକୁ ନିରସ୍ତ୍ର କରିବା ସପକ୍ଷରେ ପିସିସିର କିଛି ବରିଷ୍ଠ ନେତା ଚାହୁଁନଥିବା ଜଣାପଡ଼ିଛି । ଚିରଞ୍ଜିବଙ୍କ ଉପରୁ କଂଗ୍ରେସ ଦଳୀୟ ଦଣ୍ଡାଦେଶ ପ୍ରତ୍ୟାହାର କରିବା ପରେ ସେ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଛି। ତେଣୁ କଂଗ୍ରେସ କେବଳ ବିଧାୟକ ମହମ୍ମଦ ମୋକିମଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ସପକ୍ଷରେ ଏଆଇସିସି ପାଖରେ ଯୁକ୍ତି ବାଢ଼ିଥିବା ସୂଚନା ମିଳିଛି।

ଆସନ୍ତା ଜାନୁୟାରୀ ମାସରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ଗସ୍ତରେ ଆସିବାର ଯୋଜନା ରହିଛି । ଏହି କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପରେଖ ଚଳିତମାସ ଶେଷସୁଦ୍ଧା ମିଳିବ । ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ଓ ଓଡ଼ିଶାରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ରାହୁଲ ଗାନ୍ଧି କିମ୍ବା ପ୍ରିୟଙ୍କା ଗାନ୍ଧି ମଧ୍ୟ ଫେବୃୟାରୀ ମାସରେ ଓଡ଼ିଶା ଗସ୍ତରେ ଆସିବାକୁ ପିସିସି ପକ୍ଷରୁ ପଦକ୍ଷେପ ନିଆଯାଉଛି । ତେଣୁ ଏଭଳି ସ୍ଥିତିରେ ଦଳରେ କୌଣସି ଗୋଷ୍ଠୀକନ୍ଦଳକୁ ବରଦାସ୍ତ କରିବା ସପକ୍ଷରେ ପିସିସି ନେତୃତ୍ୱ ନାହାନ୍ତି । ଚିରଞ୍ଜିବଙ୍କ ଉପରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର ହେଲେ ସେ ବିଜେଡିକୁ ଡିଆଁ ମାରିବାର ସମ୍ଭାବନାକୁ ଦେଖି ପିସିସି ନେତୃତ୍ୱ ଏବେ ସେଥିପାଇଁ ଆଗ୍ରହ ଦେଖାଉନାହାନ୍ତି ।

Advertisment

ଅନ୍ୟପକ୍ଷରେ, ଚିରଞ୍ଜିବ ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଚିରଞ୍ଜିବଙ୍କ ସମର୍ଥକଙ୍କ କହିବା ଅନୁସାରେ ସେ ଆସନ୍ତା ଜାନୁୟାରୀରୁ ପୁଣିଥରେ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ରାଜନୀତିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ନିକଟରେ ଜଗତସିଂହପୁର ପୌର ପରିଷଦରେ କାଉନସିଲର ଉପନିର୍ବାଚନରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ।

କିନ୍ତୁ ଚିରଞ୍ଜିବଙ୍କ ଉପରୁ ଦଳୀୟ ଶୃଙ୍ଖଳା ହଟି ନଥିବାରୁ କଂଗ୍ରେସ କର୍ମୀମାନେ ତାଙ୍କୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଦୋଛକିରେ ଥିବା ଚିରଞ୍ଜିବଙ୍କ ଆଗାମୀ ରାଜନୀତିକ ଭବିଷ୍ୟତ କ’ଣ ରହିବ ତାହା କେହି ଆକଳନ କରିପାରୁନାହାନ୍ତି । ଅବଶ୍ୟ ଚିରଞ୍ଜିବଙ୍କ ଜଣେ ଘନିଷ୍ଠ ସହଯୋଗୀ ତିର୍ତ୍ତୋଲ ବ୍ଲକର କଂଗ୍ରେସ ନେତା ଇତିମଧ୍ୟରେ ବିଜେଡିରେ ସାମିଲ ହୋଇସାରିଛନ୍ତି । ତେଣୁ ଚିରଞ୍ଜିବ ବିଜେଡି ଟିକେଟ୍ ପାଇଁ କଂଗ୍ରେସ ଦଳ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ମାତ୍ର କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବନ କରିଥିବାରୁ ବିଜେଡି ତାଙ୍କୁ ଦଳରେ ନେବାକୁ ଚାହୁଁନି । ଚିରଞ୍ଜିବଙ୍କ ରାଜନୀତିକ ପତିଆରା ମଧ୍ୟ ବିଶେଷ ପ୍ରଭାବୀ ହୋଇପାରୁନି । ଯେଉଁଥିପାଇଁ ଚିରଞ୍ଜିବ ଆଗାମୀ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବେ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଉ ପ୍ରଦେଶ କଂଗ୍ରେସ କମିଟି ଏବେ ଚିରଞ୍ଜିବଙ୍କ ବଦଳରେ ଜଗତସିଂହପୁର ବିଧାନସଭା ଆସନରୁ ଅନ୍ୟ ୩ଜଣ ଦଳୀୟ ନେତାଙ୍କ ନାଁକୁ ସମ୍ଭାବ୍ୟ ପ୍ରାର୍ଥୀ ନିମନ୍ତେ ସ୍କ୍ରିନିଂ କମିଟିକୁ ପଠାଇଥିବା ପିସିସିି ସୂତ୍ରରୁ ଜଣାପଡ଼ିଛି ।

Odisha Congress Chiranjib Biswal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe