ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକ ସରକାର ସବୁ ବର୍ଗକୁ ତୁଷ୍ଟ କଲା ଭଳି ୪ ଡଜନରୁ ଅଧିକ ନୂଆ ଘୋଷଣା କରିଛନ୍ତି। କାହାର ଦରମା ତ କାହାର ଭତ୍ତା ବଢ଼ାଇଲେ, ଆଉ ପୁଣି କାହାକୁ ଖୁସି କରିବାକୁ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା କଲେ। ରାଜକୋଷ ଉପରେ ଆଖି ଖୋସି ହେଲା ଭଳି ଆର୍ଥିକ ଚାପ ବି ପଡ଼ିଲା। କିନ୍ତୁ ମୌଳିକ ସୁବିଧାସୁଯୋଗ ଓ ହକରୁ ବଂଚିତ ଥିବା ରାଜ୍ୟର ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ନବୀନ ସରକାର ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି। ଏପରିକି ସାମ୍ବାଦିକମାନଙ୍କୁ ପେନସନ୍ ଦେବା ପାଇଁ ଗତ ୧୮ବର୍ଷ ତଳେ ସରକାରୀସ୍ତରରେ ଯେଉଁ ତତ୍ପରତା ଦେଖାଇଥିଲେ ତାକୁ ବି ନଥିତଳେ ଚାପି ରଖିବାକୁ ପଛାଇ ନାହାନ୍ତି। ସରକାରଙ୍କ ଏଭଳି ବେପରୁୱା ଓ ପକ୍ଷପାତ ଆଭିମୁଖ୍ୟ ଯୋଗୁ ସାମ୍ବାଦିକତା ଭଳି ପେଷା ଏବେ ରାଜ୍ୟରେ ନିଜର ଅସ୍ତିତ୍ୱ ସଙ୍କଟ ଦେଇ ଗତି କରିବାକୁ ବାଧ୍ୟ ହେଉଛି। ଆଉ ସାମ୍ବାଦିକତାକୁ ପେଷା କରୁଥିବା ଯୁବକଯୁବତୀମାନଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।
ସୂଚନା ଅନୁସାରେ, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନେ ଦୀର୍ଘବର୍ଷ ଧରି ନିଜର ସାମାଜିକ ସୁରକ୍ଷା ପାଇଁ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। ପ୍ରତିକୂଳ ପରିସ୍ଥିତିରେ ଦିନରାତି ପରିଶ୍ରମ କରୁଥିବା ସାମ୍ବାଦିକମାନେ ନିଜ ତଥା ପରିବାରର ନିରାପତ୍ତା ଓ ମୌଳିକ ଆବଶ୍ୟକତା ପୂରଣ ପାଇଁ ସରକାରୀ ସ୍ୱୀକୃତି ସହ ଅବସରକାଳୀନ ପେନସନ୍ ଦାବି କରିଆସୁଛନ୍ତି। ମାତ୍ର କାର୍ଯ୍ୟରତ ସାମ୍ବାଦିକଙ୍କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ହେୟଜ୍ଞାନ ମନେ କରିଛନ୍ତି। ଯେଉଁଥିପାଇଁ ଦୀର୍ଘ ୧୮ବର୍ଷ ତଳେ ଅର୍ଥାତ୍ ୨୦୦୬ ମସିହାରେ ସାମ୍ବାଦିକମାନଙ୍କୁ ପେନସନ୍ ଦେବା ନିମନ୍ତେ ରାଜ୍ୟ ସରକାରଙ୍କସ୍ତରରେ ଯେଉଁ ତତ୍ପରତା ପ୍ରକାଶ ପାଇଥିଲା ତାହା ଏତେବର୍ଷ ପରେ ବି ବାସ୍ତବ ରୂପ ନେଇପାରିନି।
ନବୀନ ପଟ୍ଟନାୟକ ସରକାରଙ୍କ ଦ୍ୱିତୀୟ ପାଳିରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପେନସନ୍ ପ୍ରଦାନ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏଥିପାଇଁ ତତକାଳୀନ ବିଭାଗୀୟ ସଚିବ ୨୦୦୬ ଜାନୁୟାରୀ ୧୭, ୨୦୦୬ ଫେବୃୟାରୀ ୨୫ ଓ ୨୦୦୬ ଏପ୍ରିଲ ୨୯ତାରିଖରେ ସମସ୍ତ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦକମାନଙ୍କୁ ଚିଠି ଲେଖି କାର୍ଯ୍ୟରତ ସାମ୍ବାଦିକମାନଙ୍କ ତାଲିକା ମାଗିଥିଲେ। ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ପେନସନ୍ ଯୋଜନା(ପାରସ୍ପରିକ ଭାଗିଦାରୀ) ଲାଗୁ କରିବାକୁ ଇଚ୍ଛୁକ ଥିବାରୁ ୧୫ଦିନ ମଧ୍ୟରେ ନିଜ ନିଜ ସଂସ୍ଥାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ତାଲିକା ଦେବାକୁ କହିଥିଲେ।
ତେବେ ଏହି ତାଲିକା ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ମାଲିକମାନେ ସେତେବେଳେ ଦେଲେ କି ନାହିଁ ତାହା ଜଣାପଡ଼ିନି। ମାତ୍ର ସରକାର ଯେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ପେନସନ୍ ଯୋଜନା ଲାଗୁ କରିବାକୁ ଚାହାଁନ୍ତି ତା’ର ସନ୍ଦେଶ ଦେଇଥିଲେ। କିନ୍ତୁ ଦୀର୍ଘବର୍ଷ ବିତିଯିବା ପରେ ମଧ୍ୟ ଏହି ପେନସନ ଯୋଜନାକୁ କାହିଁକି ଲାଗୁ କଲେନି ତାହା ବୁଝାପଡ଼ୁନି। ସାମ୍ବାଦିକମାନଙ୍କ ପ୍ରତି ସରକାରଙ୍କ ଅସୂୟା ମନୋଭାବ ଓ ସଂସ୍ଥାର ମାଲିକମାନଙ୍କ ଉପରେ ଚାପ ପକାଇ ନିଜ ମୁତାବକ କାର୍ଯ୍ୟ କରାଇ ନେବାର ଆଭିମୁଖ୍ୟ ଯୋଗୁ ସାମ୍ବାଦିକମାନଙ୍କ ସାମାଜିକ ସୁରକ୍ଷା ଓ ଭବିଷ୍ୟତ ବିପନ୍ନ ହୋଇପଡ଼ିଛି।
ଗୋଟିଏପଟେ ରାଜ୍ୟ ସରକାରଙ୍କ ପାଖରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ପ୍ରାୟ ୮ହଜାର ସାମ୍ବାଦିକମାନଙ୍କ ତାଲିକା ରହିଛି। ଯେଉଁମାନଙ୍କୁ ରାଜ୍ୟ ସରକାର ନିଜସ୍ୱ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ କରିଛନ୍ତି। ଏହି ସାମ୍ବାଦିକମାନଙ୍କ ପାଇଁ ସରକାର ଚାହିଁଲେ ପେନସନ୍ ଯୋଜନା କାର୍ଯ୍ୟକାରୀ କରିପାରନ୍ତେ। କୌଣସି ସାମ୍ବାଦିକ ୬୦ବର୍ଷ ବୟସ ଅତିକ୍ରମ କଲେ ତାଙ୍କୁ ସରକାର ପେନସନ୍ ସୁବିଧା ଦେଇପାରନ୍ତେ। ଯଦି ୨୦୦୬ ମସିହାରେ ସରକାର ଏଭଳି ଆନ୍ତରିକତା ଦେଖାଉଥିଲେ ତା’ହେଲେ ଏବେ ସେହି ସାମ୍ବାଦିକମାନଙ୍କ ତାଲିକା ଆଧାରରେ ପେନସନ୍ ଯୋଜନା କାର୍ଯ୍ୟକାରୀ କରିବାରେ ଅସୁବିଧା ରହିଲା କେଉଁଠି? ଏପରିକି ନିକଟରେ ବିଭିନ୍ନ ସାମ୍ବାଦିକ ସଂଗଠନ ଏନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଳେ। ମାତ୍ର ତାହା ସରକାରଙ୍କୁ ପ୍ରଭାବିତ କରିପାରିନଥିଲା।
ପଡ଼ୋଶୀ ରାଜ୍ୟଗୁଡ଼ିକରେ ସାମ୍ବାଦିକମାନଙ୍କୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ବିବେଚନା କରି ମୋଟା ଅଙ୍କର ଅବସରକାଳୀନ ପେନସନ ଓ ବିଭିନ୍ନ ପ୍ରକାରର ସୁବିଧାସୁଯୋଗ ଯୋଗାଇ ଦେଉଛନ୍ତି। କିନ୍ତୁ ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ପେନସନ ଯୋଜନା ଭଳି ନିଜସ୍ୱ ନିଷ୍ପତ୍ତିକୁ ନବୀନ ପଟ୍ଟନାୟକ ସରକାର ୧୮ବର୍ଷ ଧରି ଝୁଲାଇ ରଖିଛନ୍ତି। କରୋନା ମହାମାରୀ ଆଳରେ ସଚିବାଳୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପ୍ରବେଶକୁ ରାଜ୍ୟ ସରକାର ଦୀର୍ଘ ୪ବର୍ଷ ଧରି ବନ୍ଦ କରି ରଖିଛନ୍ତି। ସରକାରୀ ସଂସ୍ଥାରୁ ସାମ୍ବାଦିକମାନଙ୍କ ଖବର ସଂଗ୍ରହ ଉପରେ ଅଘୋଷିତ କଟକଣା ଜାରି କରିଥିବା ନବୀନ ପଟ୍ଟନାୟକ ସରକାରଙ୍କ ସଦବୁଦ୍ଧି ଉଦୟ ହେଉ ଓ ରାଜ୍ୟରେ ସାମ୍ବାଦିକମାନଙ୍କୁ ଉଚିତ୍ ସମ୍ମାନ କେବେ ମିଳୁ ବୋଲି ସାଧାରଣରେ ଦାବି ହେଉଛି।