Advertisment

ବବି ଭାଷଣ ଦେଲା ବେଳକୁ ସିଟ୍‌ ଖାଲି, ଲୋକେ ପଳାଇଲେ!

ସମ୍ୱଲପୁର ଲୋକସଭା ପ୍ରାର୍ଥୀ ହେଉଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ବବି। ବୁଧବାର ସେ ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ। ସେଥିପାଇଁ ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ବଡ଼ଚଣାରୁ ଆରମ୍ଭ ହୋଇଥିଲା ବିରାଟ ଶୋଭାଯାତ୍ରା।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ମହା ଆଡ଼ମ୍ୱରେ ସଭା କରିବା ପାଇଁ ବନ୍ଧା ଯାଇଥିଲା ଭବ୍ୟ ମଞ୍ଚ। ହେଲେ ସଭାରେ ଦେଖିବାକୁ ମିଳିଥିଲା ବିଚିତ୍ର ଚିତ୍ର। ମଞ୍ଚରେ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି ଭାଷଣ ଦେଲା ବେଳକୁ ଲୋକମାନେ ଉଠି ପଳାଇବା ଆରମ୍ଭ କରିଥିଲେ। ବବିଙ୍କ ମାଆ ଭାଷଣ ଦେଲା ବେଳକୁ ମଞ୍ଚ ସମ୍ମୁଖ ଏକ ପ୍ରକାର ଖାଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଯାଜପୁର ଜିଲ୍ଲା କୋରେଇ ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି ଏପରି ଚିତ୍ର।

Advertisment

ସମ୍ୱଲପୁର ଲୋକସଭା ପ୍ରାର୍ଥୀ ହେଉଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)। ବୁଧବାର ସେ ଯାଜପୁରର କୋରେଇରୁ ପ୍ରାର୍ଥୀ ହୋଇଥିବା ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ। ସେଥିପାଇଁ ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ବଡ଼ଚଣାରୁ ଆରମ୍ଭ ହୋଇଥିଲା ବିରାଟ ଶୋଭାଯାତ୍ରା। ଏଥିରେ ବବିଙ୍କ ସମେତ ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସ, ବିଧାୟକ ଅଶୋକ ବଳ ଓ ଯାଜପୁର ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ପ୍ରମୁଖ ସାମିଲ୍‌ ହୋଇ ଭୋଟ୍‌ ମାଗିଥିଲେ। ଅପରାହ୍ନ ପ୍ରାୟ ୫ଟା ବେଳେ କୋରେଇ ନିର୍ବାଚନମଣ୍ଡଳୀର ଧନେଶ୍ୱର ପଡ଼ିଆରେ ପହଞ୍ଚିଥିଲା ଶୋଭାଯାତ୍ରା।

ଶୋଭାଯାତ୍ରା ପରେ ଭବ୍ୟ ସଭା ପାଇଁ ଧନେଶ୍ୱର ପଡ଼ିଆରେ କରାଯାଇଥିଲା ଆୟୋଜନ। କର୍ମୀ ଓ ସାଧାରଣ ଲୋକଙ୍କ ପାଇଁ ପଡ଼ିଥିଲା ଚୌକି।ନିର୍ଦ୍ଧାରିତ ସମୟରେ ମଞ୍ଚକୁ ଉଠିଥିଲେ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ଅଶୋକ ବଳ। ତା’ପରେ ବିଧାୟକ ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ, ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଓ ଅନ୍ୟ ନେତାମାନେ ମଞ୍ଚକୁ ଚଢ଼ିଥିଲେ। ତା’ପରେ ଆରମ୍ଭ ହେଲା ଭାଷଣବାଜୀ। ସେହି ସମୟରେ ସାମାନ୍ୟ ବର୍ଷା ଓ ପବନ ହୋଇଥିଲା।

Advertisment

ବବି ଭାଷଣ ଦେଲା ବେଳକୁ ଲୋକମାନେ ମଞ୍ଚ ଛାଡ଼ିବା ଆରମ୍ଭ କରିଥିଲେ। ତେବେ ସନ୍ଧ୍ୟାରାଣୀ ଦାସଙ୍କ ଭାଷଣ ଶୁଣିବା ପାଇଁ ମଞ୍ଚ ସମ୍ମୁଖରେ କେହି ନଥିଲେ। ବହୁ ଚେୟାର ଖାଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଶୋଭାଯାତ୍ରାରେ ୧୦ ହଜାରରୁ ଅଧିକ ଲୋକ ଥିବା ବେଳେ ସଭାରେ ହାତ ଗଣତି କିଛି ଲୋକ ଥିବା ଦେଖିବାକୁ ମିଳିଥିଲା।

ଚର୍ଚ୍ଚା ହେଉଛି, ବବିଙ୍କୁ ଖସି କରିବା ପାଇଁ ଜିଲ୍ଲାର ବରିଷ୍ଠ କର୍ମକର୍ତ୍ତା ପଡ଼ୋଶୀ ନିର୍ବାଚନମଣ୍ଡଳୀ ଓ ଜିଲ୍ଲାର ଅନ୍ୟ ସ୍ଥାନରୁ କର୍ମୀଙ୍କୁ ଯୋଗାଡ଼ କରିଥିଲେ। ସେମାନଙ୍କୁ ଶୋଭାଯାତ୍ରାରେ ସାମିଲ କରାଯାଇଥିଲା। ହେଲେ ସଭା ଆରମ୍ଭ ହେଲା ବେଳକୁ ସନ୍ଧ୍ୟା ହୋଇଯାଇଥିବାରୁ ଲୋକମାନେ ତରତର ହୋଇ ପଳାଇ ଯାଇଥିଲେ। ତେଣୁ ବବି ଓ ବିଧାୟକ ପ୍ରାର୍ଥୀ ଭାଷଣ ଦେବା ବେଳକୁ ସେମାନେ ପଳାଇଥିଲେ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାସ

BjD Jajpur Pranab Prakash Das