Advertisment

ଅଡ଼ୁଆରେ ଭିନେଶ ଓ ବଜରଙ୍ଗ: ଇସ୍ତଫା ଗ୍ରହଣ କରିନି ରେଳବାଇ, କିନ୍ତୁ କଂଗ୍ରେସରେ ମିଶିଗଲେ

ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରାଯିବ ନାହିଁ ବୋଲି ରେଳବାଇ କହି ନଥିଲେ ହେଁ ଏହା ଗ୍ରହଣ ନ ହେବା ଯାଏ ଉଭୟ କୌଣସି ରାଜନୀତି ଦଳ କିମ୍ବା ନିର୍ବାଚନ ଲଢ଼ି ନ ପାରିବାର ପ୍ରାବଧାନ ରହିଛି।

ଅଦ୍ୟତନ ହୋଇଛି
Vinesh Phogat

Vinesh Phogat

Advertisment

କଂଗ୍ରେସରେ ଯୋଗ ଦେଇ ଅଡ଼ୁଆରେ ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ। ଉଭୟଙ୍କ ବିରୋଧରେ ହୋଇପାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ଉଭୟ ନର୍ଦ୍ଦନ ରେଳବାଇରେ ଚାକିରି କରୁଥିଲେ। ହେଲେ ଆଜି ଉଭୟ ରେଳବାଇକୁ ଇସ୍ତଫାପତ୍ର ପଠାଇ ଦେଇ କଂଗ୍ରେସରେ ମିଶିଥିଲେ। ତେବେ ସେମାନଙ୍କ ଇସ୍ତଫାପତ୍ର ଏଯାଏ ରେଳ ବାଇ ପକ୍ଷରୁ ଗ୍ରହଣ କରାଯାଇ ନାହିଁ।

Advertisment

ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରାଯିବ ନାହିଁ ବୋଲି ରେଳବାଇ କହି ନଥିଲେ ହେଁ ଏହା ଗ୍ରହଣ ନ ହେବା ଯାଏ ଉଭୟ କୌଣସି ରାଜନୀତି ଦଳ କିମ୍ବା ନିର୍ବାଚନ ଲଢ଼ି ନ ପାରିବାର ପ୍ରାବଧାନ ରହିଛି।

ନର୍ଦ୍ଦନ ରେଳବାଇରେ ଫୋଗାଟ ଓଏସ୍‌ଡି ସ୍ପୋର୍ଟ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ସମାନ ପଦରେ ବଜରଙ୍ଗ ପୁନିଆ ମଧ୍ୟ ରହିଥିଲେ। କଂଗ୍ରେସରେ ମିଶିବା ପୂର୍ବରୁ ଉଭୟ ନିଜ ନିଜ ପଦରୁ ଇସ୍ତଫା ଦେଇଥିବା କହିଥିଲେ।

Advertisment

କିନ୍ତୁ ରେଳବାଇ ସୂତ୍ରରେ କୁହାଯାଇଛି ଯେ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କ ଇସ୍ତଫାପତ୍ରକୁ ରେଳବାଇ ଗ୍ରହଣ କରି ନଥିଲେ ହେଁ ଉଭୟ କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି। ସର୍ଭିସ ନିୟମ କହୁଛି ଯେ ଇସ୍ତଫାପତ୍ର ଗ୍ରହଣ ନ ହେବା ଯାଏ ସେମାନେ କୌଣସି ରାଜନୀତିକ ଦଳରେ ଯୋଗ ଦେଇ ପାରିବେ ନାହିଁ କିମ୍ବା ନିର୍ବାଚନ ଲଢ଼ିପାରିବେ ନାହିଁ।

ରେଳବାଇ ପକ୍ଷରୁ ଭିନେଶ ଓ ବଜରଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି। ଏ ସମ୍ପର୍କରେ ଆଜି କଂଗ୍ରେସ ମହାସଚିବ କେସି ଭେନୁଗୋପାଲ ସୂଚନା ଦେଇଛନ୍ତି। ଭିନେଶ ଓ ବଜରଙ୍ଗ କଂଗ୍ରେସରେ ମିଶିବା ପରେ ଭେନୁଗୋପାଲ ଦାବି କରିଛନ୍ତି ଯେ ଉଭୟ ନିଜର ଇସ୍ତଫାପତ୍ର ଦାଖଲ କରିବା ପରେ ରେଳବାଇ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି।

ସେ କହିଛନ୍ତି, “ଏହା ପଛର କାରଣ କ’ଣ? ଗତକାଲି ମିଡିଆରେ ରାହୁଲ ଗାନ୍ଧିଙ୍କ ସହ ଭିନେଶଙ୍କ ଫଟୋ ଛାପି ଥିଲା। ଦେଶର ବିରୋଧୀ ଦଳ ନେତାଙ୍କ ସହ ଛିଡ଼ା ହେବା ଅପରାଧ? ରେଳବାଇ ଗୁଜବ ପରେ ଦୌଡ଼ୁଛି। ରେଳବାଇ କହିଛି ଯେ ଭିନେଶ ଫୋଗାଟ ହରିୟାଣା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ରେଳବାଇ କହିବା ସହ ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି। ବଜରଙ୍ଗ ମଧ୍ୟ ସମାନ ନୋଟିସ ପଠାଇଛନ୍ତି।

ରେଳବାଇ ଅଧିକାରୀ ଏହି ସବୁ ପ୍ରସଙ୍ଗରେ ରାଜନୀତି କରିବା କଥା ନୁହେଁ। ସେମାନେ ଇସ୍ତଫା ଦେଇ ସାରିଛନ୍ତି। ଏବେ ରେଳବାଇ ଏହାକୁ ଗ୍ରହଣ କରୁ ଓ ଉଭୟଙ୍କୁ ମୁକ୍ତ କରୁ।”

ତେବେ ରେଳବାଇ ସୂତ୍ରରେ କୁହାଯାଇଛି ଯେ କାରଣ ଦର୍ଶାଅ ନୋଟିସ ଶୁକ୍ରବାର ନୁହେଁ ବରଂ ବୁଧବାର ଦିଆଯାଇଛି। ଦୁଇ ରେସଲର ରାଜନୀତିକ କାର୍ଯ୍ୟକଳାପରେ ସାମିଲ ହୋଇଛନ୍ତି।

ସର୍ଭିସ ରୁଲରେ ଏଥିପାଇଁ ଅନୁମତି ନାହିଁ। ସେମାନଙ୍କୁ ଏହାର ଜବାବ ରଖିବାକୁ କୁହାଯାଇଥିଲା। ଏହାପରେ ଆଜି ସେମାନେ ଇସ୍ତଫା ଦେଇଛନ୍ତି ବୋଲି ଏହି ସୂତ୍ରରେ କୁହାଯାଇଛି।

Congress Bajrang Punia Vinesh Phogat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe