Advertisment

Bihar Election: ଅନେକଙ୍କୁ ଜିତାଇଥିଲେ, କିନ୍ତୁ ନିଜ ଦଳର ଖାତା ଖୋଲି ପାରିଲେ ନାହିଁ

ସମସ୍ତେ ଭାବିଥିଲେ ବିହାର ନିର୍ବାଚନ ଉପରେ ପ୍ରଶାନ୍ତ କିଶୋରଙ୍କ ପ୍ରଭାବ ପଡ଼ିବ। ପିକେ ବିହାରରେ କିଙ୍ଗ ମେକର ସାଜି ପାରନ୍ତି। ହେଲେ ଗଣତି ଦିନ ଲୋକମାନେ ପ୍ରଶାନ୍ତ କିଶୋର କିମ୍ବା ତାଙ୍କ ଦଳକୁ ଗ୍ରହଣ କରି ନଥିବା ସ୍ପଷ୍ଟ ହୋଇଛି।

PK

ପ୍ରଶାନ୍ତ କିଶୋର

Advertisment

ସବୁ ଭଲ କୋଚ ମ୍ୟାଚ ଜିତି ପାରନ୍ତି ନାହିଁ। ଏହା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେଙ୍କ କ୍ଷେତ୍ରରେ ସତ ପ୍ରମାଣିତ ହୋଇଛି। ନିର୍ବାଚନ ରଣନୀତିଜ୍ଞ ଭାବେ ପିକେ ଅନେକଙ୍କୁ ନିର୍ବାଚନ ବୈତରଣୀ ପାର କରାଇଛନ୍ତି। କିନ୍ତୁ ନିଜ ବେଳକୁ ସେ ‍ଫେଲ ମାରିଛନ୍ତି। ନିଜର ଡେବ୍ୟୁ ନିର୍ବାଚନ(Bihar Election)ରେ ତାଙ୍କୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।

Advertisment

ପିକେଙ୍କ ଜନ ସୂରାଜ ପାର୍ଟି ନିଜକୁ ବିହାର ରାଜନୀତିରେ ତୃତୀୟ ବିକଳ୍ପ ଭାବେ ତିଆରି କରିଥିଲା। ବିହାର ରାଜନୀତିରେ ଜନ ସୂରାଜ ଗୋଟିଏ ପରିବର୍ତ୍ତନ ଆଣିବ ବୋଲି ଆହ୍ୱାନ ଦେଇଥିଲେ ପିକେ। କିନ୍ତୁ ବିହାର ବିଧାନସଭା ନିର୍ବାଚନରେ ପିକେଙ୍କ ଦଳ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ।

ଅନ୍ୟ ରାଜନୀତିକ ଦଳ ପାଇଁ ଗୋଟି ଚାଳନା କରି ସଫଳତା ଆଣି ଦେଇଥିବା ପିକେ ନିଜ ଦଳ କ୍ଷେତ୍ରରେ ଫେଲ ମାରିଛନ୍ତି। ଏକଦା ପିକେ କହିଥିଲେ ଯେ ତାଙ୍କ ଦଳ ୧୦ରୁ କମ ଆସନ ଜିତିବ ନଚେତ ୧୫୦ରୁ ଅଧିକ ଆସନ ଦଖଲ କରିବ। ହେଲେ ୧୦ରୁ କମ ଶୂନ ବୋଲି ସେ କେବେ ହେଲେ କଳ୍ପନା ମଧ୍ୟ କରି ନଥିବେ।

Advertisment

ସ୍ଥିତି ଏପରି ହୋଇଛି ଜନ ସୂରାଜ ପାର୍ଟିର ଅଧିକାଂଶ ପ୍ରାର୍ଥୀ ନିଜର ଅମାନତ ହରାଇବା ସ୍ଥିତିରେ ରହିଛନ୍ତି। ତେଣୁ ପ୍ରଶାନ୍ତ କିଶୋର ଲଢ଼େଇ କରିଥିବା କଥା କହି ଶୋଚନୀୟ ପରାଜୟ ଦାଗରୁ ନିଜକୁ ରକ୍ଷା କରିପାରିବେ ନାହିଁ। 

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର 

୨୦୧୨ ଗୁଜରାଟ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ପାଇଁ ଗୋଟି ଚଳନା କରି ଚର୍ଚ୍ଚାକୁ ଆସିଥିଲେ ପ୍ରଶାନ୍ତ କିଶୋର। ସେ ବିଜେପିର ଗୁଜରାଟ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ସେତେବେଳେ ରାଜନୀତିକ ପରାମର୍ଶଦାତା ବା ନିର୍ବାଚନ ରଣନୀତିଜ୍ଞ ଭାବେ କାହାକୁ ନିଯୁକ୍ତି ଦେବା ଆଦୌ ସାଧାରଣ କଥା ନଥିଲା। ହେଲେ ବିଜେପିର ବମ୍ପର ବିଜୟ ପରେ ଲୋକଲୋଚନକୁ ଆସିଥିଲେ ପିକେ।

ଟିମ ମୋଦି ୨୦୧୪ ଲୋକସଭା ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଦକ୍ଷତାକୁ ବ୍ୟବହାର କରିଥିଲା। ବିଜେପି ପାଇଁ ୨୦୧୪ ଲୋକସଭା ନିର୍ବାଚନରେ ଗୋଟି ଚାଳନା କରିଥିଲେ ପିକେ। ଆଉ ୧୦ ବର୍ଷ ପରେ କେନ୍ଦ୍ରରେ ବଡ଼ ବିଜୟ ସହ କ୍ଷମତାକୁ ଫେରିଥିଲା ବିଜେପି। ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି।

ପରବର୍ତ୍ତୀ ବର୍ଷ ପ୍ରଶାନ୍ତ କିଶୋର ବିହାରରେ ମହାଗଠବନ୍ଧନ କ୍ୟାମ୍ପରେ ପହଞ୍ଚିଥିଲେ। ନୀତୀଶ କୁମାର-ଲାଲୁ ଯାଦବ ଯୋଡ଼ିଙ୍କୁ ସେ ବିହାରରେ ଜିତାଇଥିଲେ। 
୨୦୧୭ ପଞ୍ଜାବ ନିର୍ବାଚନରେ ଅମରିନ୍ଦର ସିଂହଙ୍କ ପାଇଁ ରଣନୀତି ପ୍ରସ୍ତୁତ କରି କଂଗ୍ରେସକୁ ବିଜୟ ଭେଟି ଦେଇଥିଲେ।

ଏହାପରେ ୱାଇଏସ୍‌ଆରସିପିର ଜଗନ ମୋହନ ରେଡ୍ଡୀଙ୍କ ପାଇଁ କାମ କରି ତାଙ୍କୁ ଆନ୍ଧ୍ରରେ ବିଜୟ କରାଇଥିଲେ। ୨୦୨୧ରେ ତାମିଲନାଡୁରେ ଡିଏମକେ ଓ ପଶ୍ଚିମବଙ୍ଗରେ ମମତାଙ୍କ ଟିଏମସି ମଧ୍ୟ ପିକେଙ୍କ ପାଇଁ ନିର୍ବାଚନରେ ବଡ଼ ବିଜୟ ପାଇଥିଲା। 

ଜେଡିୟୁରେ ପିକେଙ୍କ ଏଣ୍ଟ୍ରୀ 

୨୦୧୫ ନୀତୀଶ କୁମାରଙ୍କୁ ନିର୍ବାଚନରେ ଜିତାଇଥିବା ପିକେ ୨୦୧୮ରେ ସମସ୍ତଙ୍କୁ ଚକିତ କରି ଜେଡିୟୁରେ ସାମିଲ ହୋଇଥିଲେ। ତାଙ୍କୁ ନୀତୀଶ କୁମାର କୌଣସି ରାଜନୀତିକ ଅଭିଜ୍ଞତା ନଥାଇ ମଧ୍ୟ ଜେଡିୟୁର ଜାତୀୟ ଉପ ସଭାପତି କରି ଦେଇଥିଲେ। କିନ୍ତୁ ଏହାକୁ ସହଜରେ ଗ୍ରହଣ କରି ନଥିଲେ ଜେଡିୟୁର କିଛି ନେତା। କିନ୍ତୁ ନୀତୀଶ କୁମାର ନିଜ ଜିଦରେ ଅଟଳ ରହିଥିଲେ। 

୨୦୧୯ ଲୋକସଭା ନିର୍ବାଚନରେ ପ୍ରଶାନ୍ତ ଜେଡିୟୁ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜେଡିୟୁ ୧୬ଟି ଲୋକସଭା ଆସନ ଜିତିଥିଲା। ପରବର୍ତ୍ତୀ ଅବସ୍ଥାରେ ନୀତୀଶ କୁମାର ସିଏଏକୁ ସମର୍ଥନ କରିବାରୁ ପ୍ରଶାନ୍ତ କିଶୋର ଜେଡିୟୁରୁ ବାହାରି ଯାଇଥିଲେ। 

ଜନ ସୂରାଜ ପାର୍ଟି ଓ ବିହାର ଯାତ୍ରା 

୨୦୨୧ରେ ଡିଏମକେ ଓ ଟିଏମସିକୁ ବିଧାନସଭା ନିର୍ବାଚନରେ ଜିତାଇବା ପରେ ନିର୍ବାଚନ ରଣନୀତିଜ୍ଞ କାମରୁ ଅବସର ଘୋଷଣା କରିଥିଲେ ପିକେ। ପରବର୍ତ୍ତୀ ବର୍ଷ ସେ ଜନ ସୂରାଜ ଅଭିଯାନ ଆରମ୍ଭ କରିଥିଲେ। ୪ ମାସ ଧରି ସେ ବିହାରର ବିଭିନ୍ନ ସ୍ଥାନରେ ପଦଯାତ୍ରା କରିଥିଲେ। ଲୋକଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ବୁଝାଇବାକୁ ସେ ଏପରି କରୁଥିବା କହିଥିଲେ।

ବିହାରରେ ପରିବର୍ତ୍ତନ ନାରା ପିକେଙ୍କ ପକ୍ଷରୁ ଦିଆଯାଇଥିଲା। କିନ୍ତୁ ଲୋକସଭା ନିର୍ବାଚନର କିଛି ମାସ ପରେ ସେ ଜନ ସୂରାଜ ପାର୍ଟି ଗଠନ କରିଥିଲେ। ୨୦୨୫ ବିହାର ବିଧାନସଭା ନିର୍ବାଚନ ଜନ ସୂରାଜ ପାର୍ଟି ଲଢ଼ିବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଥିଲେ।

ସମସ୍ତେ ଭାବିଥିଲେ ବିହାର ନିର୍ବାଚନ ଉପରେ ପ୍ରଶାନ୍ତ କିଶୋର(prasant-kishore)ଙ୍କ ପ୍ରଭାବ ପଡ଼ିବ। ପିକେ ବିହାରରେ କିଙ୍ଗ ମେକର ସାଜି ପାରନ୍ତି। ହେଲେ ଗଣତି ଦିନ ଲୋକମାନେ ପ୍ରଶାନ୍ତ କିଶୋର କିମ୍ବା ତାଙ୍କ ଦଳକୁ ଗ୍ରହଣ କରି ନଥିବା ସ୍ପଷ୍ଟ ହୋଇଛି। 

Bihar Bihar Election prasant-kishore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe