Advertisment

ତୁକଡେ ତୁକଡେ ଗ୍ୟାଙ୍ଗ, ଅର୍ବାନ ନକ୍ସଲ: ରାହୁଲ ଗାନ୍ଧିଙ୍କ ନାଁ ନ ନେଇ ବର୍ଷିଲେ ମୋଦି

ଗଣେଷ ପୂଜାକୁ ନିଜର ତୁଷ୍ଟୀକରଣ ରାଜନୀତି ପାଇଁ ବିରୋଧ କରିବା ଆରମ୍ଭ କରିଦେଇଛି ବୋଲି ମୋଦି କହିଛନ୍ତି।

author-image
Hemant Lenka
PM Attacks Rahul Gandhi

PM Attacks Rahul Gandhi

ଆମେରିକାରେ ରାହୁଲ ଗାନ୍ଧି ଦେଇଥିବା ବିଭିନ୍ନ ମନ୍ତବ୍ୟକୁ ନେଇ ଆଜି ତାଙ୍କ ଉପରେ ନିଜର ଆକ୍ରମଣକୁ ଆହୁରି ଜୋରଦାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଦେଶ ମାଟିରେ କଂଗ୍ରେସ ନେତା ପ୍ରୟୋଗ କରିଥିବା ଭାଷା ଓ ସେମାନଙ୍କ ଭାରତ ବିରୋଧୀ ଏଜେଣ୍ଡା ଦର୍ଶାଉଛି ଯେ ଦଳ ତୁକଡେ ତୁକଡେ ଗ୍ୟାଙ୍ଗ ଓ ଅର୍ବାନ ନକ୍ସଲମାନଙ୍କ ଦ୍ୱାରା ପରିଚାଳିତ ବୋଲି ମୋଦି କହିଛନ୍ତି।

Advertisment

ଭାରତକୁ ଭାଙ୍ଗିବାକୁ ଓ ଭାଗଭାଗ କରିବାକୁ ଚାହୁଁଥିବା ଲୋକଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ନେତାମାନେ ସବୁବେଳେ ତୁକଡେ ତୁକଡେ ଗ୍ୟାଙ୍ଗ, ଅର୍ବାନ ନକ୍ସଲ ଭଳି ଶବ୍ଦ ପ୍ରୟୋଗ କରିବାର ନଜିର ରହିଛି।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଘରେ ଆୟୋଜିତ ଗଣେଷ ପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ। ଏ ପ୍ରସଙ୍ଗରେ ମଧ୍ୟ ମୋଦି ସଫେଇ ଦେବାକୁ ଚେଷ୍ଟା କରିଛନ୍ତି।

Advertisment

ଅବଶ୍ୟ ସେ ସ୍ପଷ୍ଟ ଭାବେ ଏହି ପ୍ରସଙ୍ଗ ଉଠାଇ ନାହାନ୍ତି। କିନ୍ତୁ କଂଗ୍ରେସ ଏବେ ଗଣେଷ ପୂଜାକୁ ନିଜର ତୁଷ୍ଟୀକରଣ ରାଜନୀତି ପାଇଁ ବିରୋଧ କରିବା ଆରମ୍ଭ କରିଦେଇଛି ବୋଲି ମୋଦି କହିଛନ୍ତି।

ମହାରାଷ୍ଟ୍ରର ୱାର୍ଦ୍ଧାରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦି ଜୋରଦାର ଢଙ୍ଗରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି। ଭାରତର ଧାର୍ମିକ ସ୍ୱାଧୀନତା ଓ ସଂରକ୍ଷଣ ଉଚ୍ଛେଦ ବୟାନକୁ ମୋଦି ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧିଙ୍କ ନାଁ ନେଇ ମୋଦି କହିଛନ୍ତି, “ଆଜିର କଂଗ୍ରେସ ମଧ୍ୟରେ ଦେଶଭକ୍ତିର ଭାବନା ମରି ସାରିଛି ଓ ଘୃଣାର ଭୂତ ଦଳ ମଧ୍ୟରେ ପ୍ରବେଶ କରିଛି।

କଂଗ୍ରେସର ଲୋକମାନେ ବ୍ୟବହାର କରୁଥିବା ଭାଷାକୁ ଥରେ ଦେଖନ୍ତୁ, ସେମାନଙ୍କର ଭାରତ ବିରୋଧୀ ଏଜେଣ୍ଡା ବିଦେଶ ମାଟିରେ ସାମ୍ନାକୁ ଆସିଛି। ସେମାନେ ସମାଜ ଓ ଦେଶକୁ ଭାଙ୍ଗିବା ପାଇଁ କହୁଛନ୍ତି। ଭାରତର ସଂସ୍କୃତି ଓ ବିଶ୍ୱାସକୁ ଅପମାନିତ କରୁଛନ୍ତି। ଏହି କଂଗ୍ରେସ ତୁକଡେ ତୁକଡେ ଗ୍ୟାଙ୍ଗ ଓ ଅର୍ବାନ ନକ୍ସଲଙ୍କ ଦ୍ୱାରା ପରିଚାଳିତ। କଂଗ୍ରେସର ରାଜ ପରିବାର ଦେଶର ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ପରିବାର।”

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଘରେ ଆୟୋଜିତ ଗଣେଷ ପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିରୋଧୀ ଅଙ୍ଗୁଳି ଉଠାଇଥିଲା। ଏହାର ଜବାବରେ ମୋଦି କହିଛନ୍ତି, “ଗଣେଷ ଉତ୍ସବରେ ସମାଜର ସବୁ ସଂପ୍ରଦାୟର ଲୋକ ଏକାଠି ହୁଅନ୍ତି। ଏଥିପାଇଁ ଗଣେଷ ପୂଜାକୁ ନେଇ କଂଗ୍ରେସ ବିରକ୍ତ ହେଉଛି।

ମୁଁ ଗଣେଷ ପୂଜା କାର୍ଯ୍ୟକ୍ରମକୁ ଯାଇଥିଲି। ଏହାକୁ ଦେଖି କଂଗ୍ରେସର ତୁଷ୍ଟୀକରଣ ରାଜନୀତି କଥା ମନେ ପଡ଼ିଯାଇଥିଲା। କଂଗ୍ରେସ ଏବେ ଗଣେଷ ପୂଜାକୁ ବିରୋଧ କରିବା ଆରମ୍ଭ କରିଛି। ତୁଷ୍ଟୀକରଣ ପାଇଁ କଂଗ୍ରେସ କିଛି ବି କରିପାରିବ।”

PM Modi Rahul Gandhi