BJP
ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୋଲା ଚ୍ୟାଲେଞ୍ଜ। ବିନା କାଗଜ ପଢ଼ି ଓଡ଼ିଶାର ୩୦ଟି ଜିଲ୍ଲା ଓ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ୧୦ଟି ଗାଁ ନାଁ କହିବାକୁ ନବୀନଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି। ଚଳିତ ନିର୍ବାଚନରେ ନବୀନଙ୍କୁ ଯେ ଏଭଳି କଡ଼ା ପ୍ରହାରର ସମ୍ମୁଖୀନ ହେବାକୁ ପଡ଼ିବ ତାହା ବିଜେଡି କେବେ କଳ୍ପନା କରିନଥିବ। ଆସନ୍ତାକାଲିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ରମଣାତ୍ମକ ଶୈଳୀରେ ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଶାଣିତ ସମାଲୋଚନା ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି। ରାଜ୍ୟର ୨୫ବର୍ଷର ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ସବୁ ଜିଲ୍ଲାର ନାଁ ନିଜେ କହିନପାରିବା ଓ ଯେଉଁ ନିର୍ବାଚନମଣ୍ଡଳୀରୁ ଲଢ଼ିବେ ସେଠାର ୧୦ଟି ଗାଁ ନାଁ ନଜାଣିବା ବାସ୍ତବରେ କେବଳ ତାଙ୍କ ପାଇଁ ନୁହେଁ ସମଗ୍ର ଓଡ଼ିଶାବାସୀ ପାଇଁ ଲଜ୍ୟାର ବିଷୟ ପାଲଟିଥିବା ସାଧାରଣରେ ଚର୍ଚ୍ଚା।
ପ୍ରଧାନମନ୍ତ୍ରୀ ମୋଦି ଆଜି କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ସଂସଦୀୟ କ୍ଷେତ୍ରରେ ୩ଟି ନିର୍ବାଚନୀ ସଭା ‘ବିଜୟ ସଂକଳ୍ପ ସମାବେଶ’କୁ ସମ୍ବୋଧିତ କରିବାବେଳେ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି । କନ୍ଧମାଳ ସଭାରେ ନବୀନ ପଟ୍ଟନାୟକଙ୍କ ନାଁ ଉଲ୍ଲେଖ କରିବା ସହ ସିଧା ହାମଲା କରିଥିଲେ ମୋଦି। ୨୫ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନା କାଗଜ ପଢ଼ି ରାଜ୍ୟର ୩୦ଟି ଜିଲ୍ଲା ନାଁ କହିପାରିବେ କି ବୋଲି ମୋଦି ଚ୍ୟାଲେଞ୍ଜ କରିଥିଲେ। ଏତିକିରେ ନବୀନଙ୍କୁ ମୋଦିଙ୍କ ଚ୍ୟାଲେଞ୍ଜ ସୀମିତ ନଥିଲା । ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ସଭାରେ ନବୀନଙ୍କୁ ପୁଣି ଟାର୍ଗେଟ୍ କରିଥିଲେ । କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ୁଥିବା ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ତ ପ୍ରଚାର ପାଇଁ ଆସିନାହାନ୍ତି । ଯଦି ଭୁଲରେ ବି ଆସିଯାନ୍ତି ଓ ତାଙ୍କୁ ସାକ୍ଷାତର ସୁଯୋଗ ମିଳେ ତା’ହେଲେ ତାଙ୍କୁ ବିନା କାଗଜ ପଢ଼ି କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ୧୦ଟି ଗାଁ ନାଁ କହିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଏପରିକି ଉପସ୍ଥିତ ଜନତାଙ୍କୁ ମଧ୍ୟ ନବୀନଙ୍କୁ ଏହି ପ୍ରଶ୍ନ ତାଙ୍କ ତରଫରୁ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ସେହିପରି ବରଗଡ଼ ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଆଉ ଦୁଇପାଦ ଆଗେଇ ଯାଇ ନବୀନଙ୍କ ‘ସବୁଠୁ ଦୁର୍ବଳ ସ୍ନାୟୁ’ ଉପରେ ପ୍ରହାର କରିଛନ୍ତି । ନବୀନଙ୍କ ଅପାରଗତାକୁ ଉଜାଗର କରିବା ସହ ରାଜ୍ୟରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାର ଚାଲୁନଥିବା ସ୍ପଷ୍ଟ କରିଛନ୍ତି। ଓଡ଼ିଶାରେ ବିଜେଡି ସରକାରକୁ କିଏ ଚଳାଉଛି ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ବିଜେଡି ସରକାରକୁ ଆଉଟସୋର୍ସିଂ କରିଦିଆଯାଇଛି। ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ବିଧାୟକ ଓ ବିଧାୟକମାନଙ୍କ ଦ୍ୱାରା ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ‘ସୁପରସିଏମ’ ଅଛନ୍ତି। ଯିଏ ଓଡ଼ିଶାକୁ ବୁଝିନାହାନ୍ତି ତାଙ୍କ ହାତକୁ ‘ଓଡ଼ିଶା’ ଯିବା ଉଚିତ୍ କି? ଓଡ଼ିଶାକୁ ବଂଚାଇବାର ଦାୟିତ୍ୱ କାହାର? ମୋଦି ଭାବପ୍ରବଣ ହୋଇ ମୋ’ ଓଡ଼ିଶାକୁ ବଂଚାନ୍ତୁ । ଓଡ଼ିଶା ବରବାଦ ହେଉଛି ବୋଲି କହିବା ସହ ବିଜେପିର ସ୍ୱାର୍ଥ ପାଇଁ ସେ ଏଠାକୁ ଆସିନାହାନ୍ତି ବରଂ ଓଡ଼ିଶାକୁ ବଂଚାଇବା ପାଇଁ ସମସ୍ତଙ୍କୁ ଅନୁନୟ କରୁଛନ୍ତି ଓ ହାତଯୋଡ଼ି ପ୍ରାର୍ଥନା କରୁଛନ୍ତି ବୋଲି ମୋଦି କହିଛନ୍ତି । ମୋଦିଙ୍କ ଏଭଳି ଭାବପ୍ରବଣ ଆହ୍ୱାନକୁ ସମଗ୍ର ବିଶ୍ୱ ଦେଖିବା ସହ ଓଡ଼ିଶାରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାରକୁ ଆଉଟସୋର୍ସିଂ କରାଯାଇଥିବା କଥା ଜାଣିବାର ସୁଯୋଗ ପାଇଛି ।
ମୋଦି ଆଜି ଓଡ଼ିଆ ଅସ୍ମିତା ଓ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବି ନବୀନ ପଟ୍ଟନାୟକ ସରକାରକୁ କଡ଼ା ସମାଲୋଚନା କରିବାକୁ ପଛାଇନାହାନ୍ତି । ମୋଦି କହିଛନ୍ତି ଯେ, ଓଡ଼ିଆ ସଂସ୍କୃତି ଆଜି ସଙ୍କଟରେ। ଓଡ଼ିଆ ଲୋକମାନେ ଅନ୍ୟାୟ ଆଗରେ ମୁଣ୍ଡ ନୁଆଁନ୍ତି ନାହିଁ। ଓଡ଼ିଶାର ଅସ୍ମିତା ସହ ରାଜ୍ୟର ବରପୁତ୍ରମାନେ କେବେ ସାଲିସ୍ କରିନାହାନ୍ତି। ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକଙ୍କ ଭଳି ମହାପୁରୁଷମାନଙ୍କ ଆତ୍ମା ଏବେ ଓଡ଼ିଶାର ସ୍ଥିତି ଦେଖି କେତେ ଦୁଃଖିତ ହେଉଥିବେ? ଓଡ଼ିଆ ଅସ୍ମିତା କିଭଳି ସୁରକ୍ଷିତ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି କେବେବି ଓଡ଼ିଆ ଅସ୍ମିତାକୁ କାହାରି ହାତରେ ବନ୍ଧା ପକାଇବ ନାହିଁ ବୋଲି କହିଛନ୍ତି ।
ମୋଦି ଗତକାଲି ଭୁବନେଶ୍ୱରରେ ରୋଡ୍ ଶୋ’ କରିବାବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଓଡ଼ିଶାରେ ଶାସନ ରାଜାମହାରାଜା ଅବସ୍ଥାକୁ ଟପିଯାଇଛି । ସରକାର ଓ ଲୋକଙ୍କ ଭିତରେ ସମ୍ପର୍କ କଟିଯାଇଛି । ଓଡ଼ିଶାରେ ଏକ ଟର୍ଣ୍ଣିଂ ପଏଣ୍ଟ ଆସିଛି ।
ଆଜି ପ୍ରଥମଥର ପାଇଁ ମୋଦିଙ୍କ ନବୀନ ପଟ୍ଟନାୟକଙ୍କୁ ଏଭଳି ଶାଣିତ ସମାଲୋଚନା ଓ ସିଧାସଳଖ ହାମଲାକୁ ନେଇ ବିଜେପି ଶିବିର ଉତ୍ସାହିତ ହୋଇପଡ଼ିଛି । ଆଉ ଦୀର୍ଘବର୍ଷ ଧରି ମୋଦିଙ୍କ ନାଁ ଧରି ସମାଲୋଚନା କରିବା ନିମନ୍ତେ ଭୟ କରୁଥିବା ବିଜେଡି ନିଜର ପୁଳାପୁଳା ଦୁର୍ନୀତି ଓ ଅପକର୍ମକୁ ଆଖିରେ ରଖି ଆଜି ବି ବେଶ୍ ମାପିଚୁପି ପ୍ରତିକ୍ରିୟା ଦେଇଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJP_1715442942.jpg)