PM Modi
ବିହାର ନିର୍ବାଚନ ପାଖେ ଆସୁଥିବା ବେଳେ ବିରୋଧୀ କଂଗ୍ରେସ ଓ ଆରଜେଡି ମେଣ୍ଟକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀ ମେଣ୍ଟର ଗୋଟିଏ ପ୍ରଚାର ସଭାର ଷ୍ଟେଜରେ ତାଙ୍କ ମା’କୁ ଗାଳି କରାଯାଇଥିଲା ଓ ଏଭଳି ଆଚରଣ ଦେଶର ସମସ୍ତ ମା’ ଓ ଭଉଣୀଙ୍କ ପ୍ରତି ଅପମାନ ବୋଲି ମୋଦି କହିଛନ୍ତି।
ନିର୍ବାଚନ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦି ବିହାର ରାଜ୍ୟ ଜୀବିକା ନିଧି ସାଖ ସହକାରୀ ସଂଘ ଲିଃର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ୱାରା ବିହାରର ମହିଳା ଉଦ୍ୟୋଗୀମାନଙ୍କୁ ଋଣ ଯୋଗାଇ ଦିଆଯିବ। ଏହାକୁ ଭିଡିଓ କନଫରେନ୍ସିଂ ଜରିଆରେ ଲଞ୍ଚ କରି ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି।
ନିକଟରେ କଂଗ୍ରେସ ଓ ଆରଜେଡି ପକ୍ଷରୁ ଆୟୋଜିତ ଭୋଟର ଅଧିକାର ଯାତ୍ରାର ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦିବଂଗତ ମା’ଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରାଯାଇଥିଲା। ଏହି ସମୟରେ ରାହୁଲ ଗାନ୍ଧି କିମ୍ବା ତେଜସ୍ୱୀ ଯାଦବ ଷ୍ଟେଜ ଉପରେ ନଥିଲେ। ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ ମଧ୍ୟ କରିଛି। ବିଜେପି ଏହାକୁ ପ୍ରମୁଖ ପ୍ରସଙ୍ଗ କରି ରାହୁଲ ଗାନ୍ଧିଙ୍କ କ୍ଷମା ପ୍ରାର୍ଥନା ଦାବି କରୁଛି। ଏହାକୁ ଆଧାର କରି ବିଜେପି କର୍ମୀମାନେ ପାଟନାରେ ଥିବା କଂଗ୍ରେସ ଅଫସିରେ ପଶିବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ପତାକା ଲଢ଼େଇ ଦେଖିବାକୁ ମିଳିଥିଲା।
ଏବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାକୁ ମୁଖ୍ୟ ପ୍ରସଙ୍ଗ କରି କଂଗ୍ରେସ ପ୍ରତ୍ୟେକ ମା’ଙ୍କୁ ଗାଳି ଦେଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ ମା’ ହେଉଛନ୍ତି ଆମର ବିଶ୍ୱ। ମା’ ହେଉଛନ୍ତି ଆମର ଆତ୍ମ ସମ୍ମାନ। କିଛି ଦିନ ତଳେ ବିହାରରେ ଯାହା ଘଟିଲା, ତା’କୁ ମୁଁ କେବେ ହେଲେ କଳ୍ପନା କରି ନଥିଲି। ବିହାରରେ କଂଗ୍ରେସ ଓ ଆରଜେଡି ମଞ୍ଚରୁ ମୋ ମା’ଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରାଗଲା। ଏହି ଅପଶବ୍ଦ କେବଳ ମୋ ମା’ଙ୍କ ପ୍ରତି ଅପମାନ ନଥିଲା, ବରଂ ଏହା ପୂରା ଦେଶର ମା’, ଭଉଣୀ ଓ ଝିଅଙ୍କ ପ୍ରତି ଅପମାନ। ଅପଶବ୍ଦ ଶୁଣି ମୁଁ ଯେତିକି ଯନ୍ତ୍ରଣା ପାଇଛି, ଆପଣମାନେ ମଧ୍ୟ ସେତିକି କଷ୍ଟ ଅନୁଭବ କରୁଥିବା ମୁଁ ଜାଣିଛି।”
ରାଜନୀତିରେ ମା’ଙ୍କ କୌଣସି ସମ୍ପର୍କ ନଥିବା ବେଳେ କାହିଁକି ତାଙ୍କ ପ୍ରତି ଏପରି ଦୁର୍ବ୍ୟବହାର କରାଗଲା ତା’ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, “ରାଜନୀତିକ ସହ ମୋ ମା’ଙ୍କ କୌଣସି ସମ୍ପର୍କ ନାହିଁ। ତଥାପି ଆରଜେଡି ଓ କଂଗ୍ରେସ କାହିଁକି ତାଙ୍କୁ ଦୁର୍ବ୍ୟବହାର କଲେ?”
ସ୍ୱର୍ଗତ ମା’ ହୀରାବେନ ଗରିବୀ ବିରୋଧରେ ସଂଘର୍ଷ କରି ତାଙ୍କୁ ଓ ତାଙ୍କ ଭାଇଭଉଣୀଙ୍କ ଲାଳନପାଳନ କରିଥିଲେ ବୋଲି ଭିଡିଓ କନଫରେନ୍ସିଂରେ ପ୍ରାୟ ୨୦ ଲକ୍ଷ ମହିଳାଙ୍କୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି, “ମା’ ଅସୁସ୍ଥ ଥିଲେ ମଧ୍ୟ କାମ କରନ୍ତି। ସେ ଗୋଟି ଗୋଟି ଟଙ୍କା ସଞ୍ଚୟ କରି ଆମ ମାନଙ୍କ ପାଇଁ ପୋଷାକ ତିଆରି କରନ୍ତି। ଏଭଳି କୋଟି କୋଟି ମା’ ଭାରତରେ ରହିଛନ୍ତି। ଦେବାଦେବୀଙ୍କ ଠାରୁ ମା’ଙ୍କ ସ୍ଥାନ ଯଥେଷ୍ଟ ଉପରେ।
କଂଗ୍ରେସ ଓ ଆରଜେଡି ମଞ୍ଚରୁ ବ୍ୟବହାର ହୋଇଥିବା ଅପଶବ୍ଦ କେବଳ ମୋ ମା’ଙ୍କ ପାଇଁ ନଥିଲା, କନ୍ତୁ ଏହା କୋଟି କୋଟି ମା’ ଓ ଭଉଣୀଙ୍କ ପାଇଁ ଥିଲା। ରାଜ ପରିବାରରେ ଜନ୍ମ ହୋଇଥିବା ରାଜକୁମାରମାନେ କେବେ ହେଲେ ଗରିବ ମା’ର ସଂଘର୍ଷକୁ ବୁଝି ପାରିବେ ନାହିଁ। ଏହି ଲୋକମାନେ ସୁନା ଓ ରୁପାର ଚାମଚ ସହ ଜନ୍ମ ନେଇଛନ୍ତି। ବିହାରର କ୍ଷମତା ସେମାନଙ୍କ ପରିବାର ବୋଲି ସେମାନେ ଭାବନ୍ତି। କିନ୍ତୁ ଆପଣମାନେ ଜଣେ ଗରିବ ମା’ର ପୁଅକୁ ଆଶୀର୍ବାଦ ଦେଇ ପ୍ରଧାନ ସେବକ କରିଛନ୍ତି। ନାମଦାରମାନେ ଏହାକୁ ହଜମ କରିପାରୁ ନାହାନ୍ତି।
ମୋ ବିରୋଧରେ ସେମାନେ ଅନେକ ଅପଶବ୍ଦ ବ୍ୟବହାର କରିଛନ୍ତି। ଏହାର ତାଲିକା ବେଶ ଲମ୍ବା। ବେଳେବେଳେ ସେମାନେ ମୋତେ ନିଚ, ଅଳିଆ ଗଦାର ପୋକ, ସାପ ଓ ଏବେ ସେମାନେ ମୋତେ ତୁ ତା’ କରିବା ଆରମ୍ଭ କରିଛନ୍ତି।”
ଗାଳି ରାଜନୀତିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, “ ମୋ ମା’ଙ୍କୁ ବିରୋଧୀ ଗାଳିଦେଲେ। ତାଙ୍କର କଣ ଭୁଲ୍ ଥିଲା? କେବଳ ମୋ ମା’ ନୁହେଁ, କଂଗ୍ରେସ ପ୍ରତ୍ୟେକ ମା’ଙ୍କୁ ଗାଳି ଦେଇଛି। ଆଜି ମୁଁ ଯାହା ବି କିଛି ଅଛି, ସେଥିରେ ମୋ ମା’ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅନେକ କଷ୍ଟ ସହି ମୋ ମା’ ଆମକୁ ଲାଳନପାଳନ କରିଥିଲା।
ରାଜନୀତିରେ ମୋ ମା’ର କୌଣସି ଭୂମିକା ନାହିଁ। ତଥାପି ସେମାନେ ତା’କୁ ଗାଳି କଲେ। ମା’ ଭଉଣୀଙ୍କୁ ଗାଳି କରିବା ଅର୍ଥ ମହିଳାଙ୍କୁ ଦୁର୍ବଳ କରିବା। ଆରଜେଡି ଶାସନରେ ବିହାରରେ ମହିଳା ରାସ୍ତାକୁ ବାହାରି ପାରୁ ନଥିଲେ। ବିହାରବାସୀ ଲମ୍ବା ଲଢ଼େଇ କରି ଅନ୍ଧାରରୁ ମୁକ୍ତି ପାଇଛନ୍ତି। ଆରଜେଡି-କଂଗ୍ରେସ ବିହାରରେ ମହିଳାଙ୍କୁ ଡରିଯାଇଛନ୍ତି। ଏହି ମହିଳାମାନେ ଏଥର ନିର୍ବାଚନରେ ସେମାନଙ୍କୁ ଜବାବ ଦେବେ। ଆରଜେଡି କେବେ ବି ମହିଳାଙ୍କୁ ଆଗକୁ ଛାଡୁ ନଥିଲା। ଗରିବ, ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ପରେ କଂଗ୍ରେସ ତାଙ୍କୁ ଅପମାନିତ କରିଛି। ମାତୃଭୂମି ମା’ର ଅପମାନକୁ କେବେ ବରଦାସ୍ତ କରିବନି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/PM_Modi_1756804124.jpg)