PM Modi
ରାଜସ୍ଥାନରେ କ୍ଷମତାସୀନ ଅଶୋକ ଗେହଲଟ ସରକାରଙ୍କୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଜୋରଦାର ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ସେ ୨୦୨୨ ମସିହା ଉଦୟପୁରେ ଜଣେ ଟେଲରଙ୍କୁ ନିର୍ମମ ଭାବେ କରାଯାଇଥିବା ହତ୍ୟା ଘଟଣାକୁ ପୁଣି ସମସ୍ତଙ୍କର ମନେ ପକାଇ ଦେଇଛନ୍ତି।
ପ୍ରଧାନନମନ୍ତ୍ରୀ ମୋଦି କହିଛନ୍ତି, “ଉଦୟପୁରରେ ଯାହା ଘଟିଥିଲା, କେହି ଏମିତି ଘଟଣା ଘଟିବ ବୋଲି କେବେ ହେଲେ ଭାବି ନଥିବେ? କପଡ଼ା ସିଲେଇ କରିବାକୁ ଲୋକ ଆସୁଛନ୍ତି, ତା’ପରେ ତଣ୍ଟି କାଟି ଦେଉଛନ୍ତି ଓ ଏହାର ଭିଡିଓ ମଧ୍ୟ ଭାଇରାଲ କରୁଛନ୍ତି।”
ଗତବର୍ଷ ଜୁଲାଇ ମାସରେ କହ୍ନୈୟା ଲାଲ ନାମକ ଜଣେ ଟେଲରଙ୍କୁ ଦୁଇ ଜଣ ବ୍ୟକ୍ତି ସିଲେଇ ଦୋକାନ ଭିତରେ ଗଳା କାଟି ହତ୍ୟା କରିଥିଲେ। ଏହାର ଭିଡିଓକୁ ମଧ୍ୟ ସେମାନେ ଶେୟାର କରିଥିଲେ। ଏହାକୁ ନେଇ ସେତେବେଳେ ବେଶ ସାଂପ୍ରଦାୟିକ ଉତ୍ତେଜନା ଦେଖାଯାଇଥିଲା। ଏବେ ରାଜସ୍ଥାନରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ମୋଦି ପୁଣି ସମସ୍ତଙ୍କୁ ଉକ୍ତ ଘଟଣା ମନେ ପକାଇ ଦେଇଛନ୍ତି।
ବିଜେପିରୁ ବିଦା ହୋଇଥିବା ନୂପୁର ଶର୍ମା ଗୋଟିଏ ଟିଭି ଶୋ’ରେ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅତ୍ୟନ୍ତ ଅଭଦ୍ର ଟିପ୍ପଣୀ କରିଥିଲେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଟେଲର ଜଣଙ୍କ ନୂପୁରଙ୍କୁ ସମର୍ଥନ କରିଥିଲେ। ଏଥିପାଇଁ ତାଙ୍କୁ ବାରମ୍ବାର ହତ୍ୟା ଧମକ ମଧ୍ୟ ମିଳୁଥିଲା। ଗତବର୍ଷ ଜୁନ ୨୮ରେ ଗସ୍ ମହମ୍ମଦ ଓ ରିୟାଜ ନାମକ ଦୁଇ ଜଣ ବ୍ୟକ୍ତି କହ୍ନୈୟା ଲାଲଙ୍କ ଦୋକାନକୁ ଗ୍ରାହକ ଭାବେ ଯାଇଥିଲେ। ଏହାପରେ ତାଙ୍କୁ ହତ୍ୟା କରି ଘଟଣା ବେଳର ଭିଡିଓ ଶେୟାର କରିଥିଲେ।
ଆଜି ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ରାଜସ୍ଥାନରେ ୭ ହଜାର କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାଶ କରିଛନ୍ତି। ଏହି ଅବସରରେ ଚିତ୍ତୋରଗଡ଼ରେ ଆୟୋଜିତ ଜନସଭାରେ ସେ ରାଜ୍ୟର କ୍ଷମତାସୀନ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି, ଲୋକଙ୍କୁ ବିଭ୍ରାନ୍ତ କରି କଂଗ୍ରେସ ରାଜସ୍ଥାନରେ ସରକାର ଗଠନ କରିଥିଲା।
କିନ୍ତୁ ସରକାରଙ୍କୁ ଠିକ ଭାବେ ଚଳାଇବାରେ ସେମାନେ ଫେଲ ମାରିଛନ୍ତି। କାରଣ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସବୁବେଳେ ତାଙ୍କ ଚେୟାର ବଞ୍ଚାଇବାରେ ଲାଗି ପଡ଼ିଛିନ୍ତି ବୋଲି ମୋଦି କଟାକ୍ଷ କରିଛନ୍ତି। ୨୦୨୦ରେ ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ଦେଖାଯାଇଥିବା କଳିକୁ କେନ୍ଦ୍ର କରି ମୋଦି ଏପରି କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଅଶୋକ ଗେହଲଟ ନିଜର ପରାଜୟ ଏବେ ଠାରୁ ସ୍ୱୀକାର କରି ସାରିଛନ୍ତି। ଏଥିପାଇଁ ସେ ବିଜେପିକୁ ଯୋଜନା ବନ୍ଦ ନ କରିବାକୁ ଅନୁରୋଧ କରିଛନ୍ତି। ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହେଁ ଯେ କୌଣସି ଜନକଲ୍ୟାଣ ଯୋଜନା କେବେ ହେଲେ ବନ୍ଦ ହେବ ନାହିଁ। ବିଜେପି ଜନକଲ୍ୟାଣ ସ୍କିମ ବନ୍ଦ କରିବ ନାହିଁ। ଏହାକୁ ଅଧିକ ଭଲ କରିବା ପାଇଁ ଚେଷ୍ଟା କରିବ। ଏହା ମୋଦିଙ୍କ ଗ୍ୟାରେଣ୍ଟୀ।”
ରାଜସ୍ଥାନ ବିଧାନସଭା ନିର୍ବାଚନରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତା’କୁ ନେଇ ଚାଲିଥିବା ଚର୍ଚ୍ଚା ସମ୍ପର୍କରେ ମଧ୍ୟ ମୋଦି ତାଙ୍କର ମତ ରଖିଛନ୍ତି। ସେ କହିଛନ୍ତି, “କମଳ ବା ପଦ୍ମ ହେଉଛି ଆମର ମୁହଁ। ପଦ୍ମ ହେଉଛି ଆମ ପ୍ରାର୍ଥୀ। ଆମେ ପଦ୍ମକୁ ଜିତାଇବା।”
ଅଶୋକ ଗେହଲଟ ସରକାରଙ୍କୁ ପୁଣିଥରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ମୋଦି ଟାର୍ଗେଟ କରିବା ସହ ରାଜସ୍ଥାନରେ ମହିଳା ବିରୋଧୀ ହିଂସା ବଢ଼ିଥିବା କଥା କହିଛନ୍ତି।
ସେ କହିଛନ୍ତି, “ଦେଶର ଯେକୌଣସି ସ୍ଥାନରେ ଯେତେବେଳେ ଝିଅମାନଙ୍କ ବିରୋଧରେ ଅତ୍ୟାଚାର ହୁଏ ସେତେବେଳେ ମୋତେ ବହୁତ କଷ୍ଟ ହୁଏ। କିନ୍ତୁ କଂଗ୍ରେସ ଏହାକୁ ରାଜସ୍ଥାନରେ ଗୋଟିଏ ପରମ୍ପରାରେ ପରିଣତ କରି ଦେଇଛି।”
ସେ ଆହୁରି କହିଛନ୍ତି, “ପେପର ଲିକ ଘଟଣାର ତୃଣମୂଳ ସ୍ତରକୁ ଆମେ ଯିବୁ। ଯେଉଁମାନେ ଲୋକଙ୍କ ଟଙ୍କା ଲୁଟ କରିଛନ୍ତି ଓ ଦୁର୍ନୀତିରେ ସାମିଲ ଅଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/PM_Modi_1696246444.jpg)