Advertisment

‘ଜୁନ୍ ୪ ବିଜେଡିର ଏକ୍ସପାରୀ ଡେଟ୍‌, ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ, ୧୦ରେ ଶପଥ ଗ୍ରହଣ’

ମୋଦି କହିଛନ୍ତି, ଚଳିତ ନିର୍ବାଚନରେ ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଆସିବ। ବିଜେପି ଯାହା କହିଥାଏ, ତାହା କରିକି ଦେଖାଇଥାଏ।

author-image
Niharika Rout
ଅଦ୍ୟତନ ହୋଇଛି
PM Modi

PM Modi

‘ଆସନ୍ତା ମାସ ୪ ତାରିଖରେ ସମଗ୍ର ଦେଶରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ। ଉକ୍ତ ଦିନ ଓଡ଼ିଶାର କାୟା ପଲଟିବ। ଦୀର୍ଘ ୨୫ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାରର ଜୁନ୍ ୪ ତାରିଖ ହେଉଛି ଏକ୍ସପାରୀ ଡେଟ୍‌।’ ଆଜି ଦକ୍ଷିଣ ଓଡ଼ିଶାରେ ପାୱାରଫୁଲ୍‌ ଶୋ’ କରି ଏପରି ଭାବେ ବିଜେଡି ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ବ୍ରହ୍ମପୁର ସହର ଉପକଣ୍ଠ କନିଷିରେ ମୋଦି ହଜାର ହଜାର ଲୋକଙ୍କ ଜନସମାବେଶକୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ବିଜେଡି ତଥା କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି ଖୁବ୍‌ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଓଡ଼ିଶାରେ ଆସିବ ଡବଲ ଇଞ୍ଜିନ ସରକାର

ଏହି ଅବସରରେ ମୋଦି କହିଛନ୍ତି, ଚଳିତ ନିର୍ବାଚନରେ ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଆସିବ। ବିଜେପି ଯାହା କହିଥାଏ, ତାହା କରିକି ଦେଖାଇଥାଏ। ଆସନ୍ତା ମାସ ୪ ତାରିଖରେ ବିଜେଡି ସରକାରର ଏକ୍ସପାରୀ ଡେଟ ଲେଖାଅଛି।

Advertisment

ଆଉ ମାସେ ପରେ ଅର୍ଥାତ ୬ ଜୁନ୍‌ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଫାଇନାଲ ହେବ। ୧୦ ଜୁନ୍‌ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ। ଉକ୍ତ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା।

ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଆମେ ସଙ୍କଳ୍ପପତ୍ରର ଗୋଟିଏ ଗୋଟିଏ ପ୍ରତିଶ୍ରୁତି ପୂରଣ କରିବୁ। ଏହା ମୋଦିର ଗ୍ୟାରେଣ୍ଟି ବୋଲି ଦୃଢ଼ତାର ସହ କହିଛନ୍ତି ପ୍ରଧାନମନ୍ତ୍ରୀ।

Modi On Stageସଭା ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

‘ଓଡ଼ିଶାରେ ବିଜେଡି ଅସ୍ତ, ବିଜେପି ଉଦିତ ସୂର୍ଯ୍ୟ’

ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ଅତିତ ହୋଇଛି। ଓଡ଼ିଶାରେ କେବଳ ବିଜେପି ଉଦିତ ସୂର୍ଯ୍ୟ ଭାବେ ଉଭା ହୋଇଛି। ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ଅଛି। ଓଡ଼ିଶାକୁ ମହାପ୍ରଭୁ ପ୍ରାକୃତିକ ସଂପଦରେ ଭରି ଦେଇଛନ୍ତି। ଏହାସତ୍ତ୍ୱେ ଏତେ ଧନୀ ଓଡ଼ିଶାର ଲୋକ କାହିଁକି ଗରିବ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମୋଦି।

ସେ କହିଛନ୍ତି, ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ନେତାଙ୍କ ଲୁଟ୍‌ ଏହି ପାପ ପାଇଁ ଦାୟୀ । ଓଡ଼ିଶାରେ ବିଜେଡିର ଛୋଟ ଛୋଟ ନେତା ବି ଖୁବ୍‌ ବଡ଼ ବଡ଼ କମ୍ପାନୀର ମାଲିକ। କିନ୍ତୁ ଏଠାକାର ଲୋକ ଗରୀବ। ଓଡ଼ିଶା ଧନୀ, କିନ୍ତୁ ଏହାର ଜନତା ଗରୀବ। ଏହି ସାଂଘାତିକ ପାପ ପ୍ରଥମେ କଂଗ୍ରେସ ଓ ବିଜେଡି କରିଛନ୍ତି। ଏବେ ଆମେ ଏହା ସୁଧାରିବାକୁ ପଣ କରିଛୁ।

ମୁଖ୍ୟମନ୍ତ୍ରୀଙ୍କ ଏହି ଜିଲ୍ଲାରୁ ସର୍ବାଧିକ ଶ୍ରମିକ ଦାଦନ ଯାଉଛନ୍ତି। ମେଡିକାଲରେ ଡାକ୍ତର ନାହାନ୍ତି, ପିଲା ଅଧାରୁ ପାଠ ଛାଡୁଛନ୍ତି। ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ, ପିଇବା ପାଣି ନାହିଁ ବୋଲି ବି କହି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

‘କାମ ନ କରି ବେଇମାନୀ କରୁଛି ବିଜେଡି ସରକାର’

ମୋଦି ଓଡ଼ିଶାର ବିକାଶ ପାଇଁ ବଜେଟର ଅଭାବ ରଖିନାହାନ୍ତି। ଏଥିନିମନ୍ତେ ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି। ଉକ୍ତ ଟଙ୍କାକୁ ଏଠା ସରକାର ଠିକ ଭାବେ ଖର୍ଚ୍ଚ କରିପାରିଲେନି। ମୋଦି ମାଗଣା ଚାଉଳ ଦେଉଛି, ଏଠାକାର ସରକାର ସେଥିରେ ନିଜ ଫଟୋ ଛାପୁଛି। ନିଜେ କିଛି କରିନାହାନ୍ତି, ତେଣୁ ବେଇମାନୀ କରିବାକୁ ପଡୁଛି। ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁନି।

Modi Showମୋଦିଙ୍କ ଜନସମାବେଶରେ ହଜାର ହଜାର ଲୋକଙ୍କ ଭିଡ଼ ।

‘ଜୁନ୍‌ ୧୦ରେ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା’

ବିଜେଡି ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରାଉନାହାନ୍ତି। ଲୋକଙ୍କୁ ଚିକିତ୍ସା ମିଳି ନ ପାରିବାର ଦୋଷୀ ଏଠାର ବିଜେଡି ସରକାର। ଜୁନ୍‌ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେଲେ ସଙ୍ଗେ ସଙ୍ଗେ ଆୟୁଷ୍ମାନ ଯୋଜନା ଲାଗୁ ହେବ। ୭୦ ବର୍ଷରୁ ଅଧିକ ବୟସ୍କଙ୍କ ଚିକିତ୍ସା ଖର୍ଚ୍ଚ ମାଗଣାରେ ହେବ। ତେଣୁ ଏଠାରେ ବିଜେପି ସରକାର ହେବା ବହୁତ ଜରୁରୀ ବୋଲି କହିଛନ୍ତି ମୋଦି।

ଏଥିସହ ସେ କହିଛନ୍ତି, ବିଜେଡି ସରକାର ମହିଳାଙ୍କ ହିତକୁ ଗୁରୁତ୍ୱ ଦେଉନାହାନ୍ତି। ଆପଣଙ୍କ ମୁଖ୍ୟମନ୍ତ୍ରୀ ଭଳି ମୁଁ ନୁହେଁ, ଓଡ଼ିଶା ଭାଇଭଉଣୀଙ୍କୁ ମୁଁ ଓଡ଼ିଆରେ ଚିଠି ଲେଖିବି।

‘ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବୁ’

ବିଜେପି ସରକାର ମହିଳା ସଶକ୍ତୀକରଣ ପାଇଁ ପ୍ରତିବଦ୍ଧ। ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରାଯିବାକୁ ଯୋଜନା ହୋଇଛି। ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବ ବିଜେପି ସରକାର।

‘ଥରେ ସୁଯୋଗ ଦିଅନ୍ତୁ, ୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍‌ କରିବୁ’

ଓଡ଼ିଶାର ଝିଅକୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ବିଜେପି ଦେଶର ସବୁଠାରୁ ବଡ଼ ପଦବୀ ଦେଇଛି। ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନରେ ମୁଁ ଓଡ଼ିଶା ପାଇଁ ବହୁତ କିଛି କରିବି। ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ଏ ପୁଅ ଓଡ଼ିଶା ପାଇଁ ବହୁତ କିଛି କରିବ। ଓଡ଼ିଆ ସଂସ୍କୃତି ପ୍ରତି ସମର୍ପିତ ବିଜେପିର ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ବନିବ। ଓଡ଼ିଶାର ଯୁବକଙ୍କ ମଧ୍ୟରେ ପ୍ରତିଭାର କୌଣସି ଅଭାବ ନାହିଁ। ଥରେ ସୁଯୋଗ ଦିଅନ୍ତୁ, ୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍‌ କରିବୁ।

‘ବିଜେପିକୁ ସୁଯୋଗ ମିଳିଲେ ବିକାଶ ଗତିଶୀଳ ହେଉଛି’

ଯେଉଁଠି ବିଜେପିକୁ ସୁଯୋଗ ମିଳିଛି, ସେଠି ବିକାଶ ଗତିଶୀଳ ହେଉଛି। ଓଡ଼ିଶାରେ ଡବଲ ଇଂଜିନ ସରକାର ହେଲେ ତ୍ୱରିତ ବିକାଶ ହେବ। ଓଡ଼ିଶାର ତ୍ୱରିତ ବିକାଶ ପାଇଁ ମୋଦି ଗ୍ୟାରେଣ୍ଟି ଦେଉଛି। ମୋଦି ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ନେଇଛି।

ଏଥିସହ ଅଧିକରୁ ଅଧିକ ଘରକୁ ଯିବାକୁ ସମସ୍ତଙ୍କୁ ପରାମର୍ଶ ଦେଲେ ମୋଦି। ଏଥିସହ କହିଲେ ପ୍ରତି ଘରକୁ ଯାଇ ମୋ’ ତରଫରୁ ଜୟ ଜଗନ୍ନାଥ ଜଣାନ୍ତୁ। ଆପଣ ଜୟ ଜଗନ୍ନାଥ କହିଲେ, ସେମାନେ ମୋତେ ଆଶୀର୍ବାଦ ଦେବେ। ସେମାନେ ମୋତେ ଆଶୀର୍ବାଦ କଲେ, ମୋର ତାକତ ବଢ଼ିଯିବ। ମୋର ତାକତ ବଢ଼ିଲେ, ପୁଣି ଥରେ ଆସିବ ମୋଦି ସରକାର।

ଏହି ସଭାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ଆସ୍କା ଲୋକସଭା ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ ମଧ୍ୟ ସମ୍ବୋଧନ କରିଥିଲେ। 

Bjp Ganjam PM Modi