Advertisment

ମିଶନ-୩୬, ଆଉ ଭିଜନ-୩୬ ପାଇଁ ବାଟ ବତାଇଲେ ମୋଦି

ଝିଅ-ବୋହୂ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଲେ, ବାପଘରେ ଝିଅକୁ କେହି କିଛି କୁହନ୍ତି ନାହିଁ। କିନ୍ତୁ ବୋହୂ ହେବା ପରେ ସମସ୍ତଙ୍କ ନଜର ତା’ ଉପରେ ରୁହେ। ଜିତିବା ପରେ ଏବେ ନିର୍ବାଚନମଣ୍ଡଳୀ ସହ ସମସ୍ତଙ୍କ ଆଖି ତୁମ ଉପରେ।

author-image
Manoranjan Sial
PM Modi

PM Modi

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଠଶାଳା। ହସି ହସି କହିଲେ ମଞ୍ଜ କଥା। ସାଧାରଣ କାର୍ଯ୍ୟକର୍ତ୍ତାରୁ ଦେଶର ପ୍ରଧାନମନ୍ତ୍ରୀ ଯାଏଁ ଯାତ୍ରା। ରାଜନୈତିକ ଜୀବନୀର କାହାଣୀ କହି ଦେଲେ ଗୁରୁମନ୍ତ୍ର। ମିଶନ-୩୬, ଆଉ ଭିଜନ-୩୬ ପାଇଁ ବାଟ ବତାଇଲେ ମୋଦି। ଝିଅ-ବୋହୂ ଉଦାହରଣ ଦେଇ ଆଚରଣ ଉଚ୍ଚାରଣ ସଜାଡ଼ିବାକୁ ପରାମର୍ଶ ଦେଇଥିଲେ।

Advertisment

ଶୁକ୍ରବାର ସଂଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ମନ୍ତ୍ରୀ ଓ ରାଜ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ, କାର୍ଯ୍ୟକର୍ତ୍ତା ଓ ଲୋକଙ୍କ ସହ ଯୋଡ଼ି ହୋଇ ରୁହ। ଅଭିଯୋଗ ଶୁଣ। ଏମିତିକି ତୁମକୁ ଭୋଟ୍‌ ଦେଇନଥିବା ଲୋକଙ୍କ କଥା ମଧ୍ୟ ବୁଝ। ଟ୍ରାନ୍ସଫର ବଦଳିକୁ ଗୁରୁତ୍ୱ ନଦେଇ ଲୋକଙ୍କ କାମରେ ମନ ଦିଅ। ଫୋନ୍‌ରେ କାହାକୁ ଗାଳି ଦିଅନି। ସଂଯମତା ରଖ। ଗାଳି ଦେଲେ, ଚିଡ଼ିଲେ ସୁଶାସନ ହୁଏନି ବୋଲି ମୋଦି କହିଥିଲେ।

ଝିଅ-ବୋହୂ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଲେ, ବାପଘରେ ଝିଅକୁ କେହି କିଛି କୁହନ୍ତି ନାହିଁ। କିନ୍ତୁ ବୋହୂ ହେବା ପରେ ସମସ୍ତଙ୍କ ନଜର ତା’ ଉପରେ ରୁହେ। ଜିତିବା ପରେ ଏବେ ନିର୍ବାଚନମଣ୍ଡଳୀ ସହ ସମସ୍ତଙ୍କ ଆଖି ତୁମ ଉପରେ। ତେଣୁ ଆଚରଣ ଆଉ ଉଚ୍ଚାରଣ ଠିକ କର। ଏମିତିକି, କେବଳ ଫାଇଲ ଦସ୍ତଖତ ବେଳେ ମୁଁ ପ୍ରଧାନମନ୍ତ୍ରୀ। ବାକି ସମୟ ମୁଁ କାର୍ଯ୍ୟକର୍ତ୍ତା ଭାବେ ବୋଲି କହିଥିଲେ ମୋଦି। ବିଜେପିର ଭିଜନ ୨୦୩୬କୁ ଲୋକଙ୍କ ପାଖରେ ରଖ। ବିଜେପି ୨୦୩୬ ଯାଏଁ କ୍ଷମତାରେ ରହିଲେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମିରେ କେଉଁ ପରିବର୍ତ୍ତନ ଆଣିବ, ତାହା ଲୋକଙ୍କ ପାଖରେ ପହଞ୍ଚାଅ ବୋଲି ମୋଦି କହିଥିବା ବିଜେପି ନେତାମାନେ କହିଛନ୍ତି।

Advertisment

ଦୁଇଘଣ୍ଟା ଧରି ନିଜ ରାଜନୈତିକ ଜୀବନର ଅନେକ ରୋଚକ କଥା କହି ପ୍ରଧାନମନ୍ତ୍ରୀ ମୋଦି ନିଜେ ହସିଲେ ଆଉ ବିଧାୟକ ଓ ମନ୍ତ୍ରୀମାନଙ୍କୁ ହସାଇଲେ। ପୂରା କାଜୁଆଲ୍‌ ଭାବେ ସମସ୍ତଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିଥିଲେ। ୬୦ ବର୍ଷରୁ ଅଧିକ କିଏ ଅଛନ୍ତି? ଗତ ୨ ବର୍ଷରେ କିଏ ମେଡିକାଲରେ ଭର୍ତ୍ତି ହୋଇଥିଲେ କି? ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ କହି ପ୍ରଧାନମନ୍ତ୍ରୀ କହିଥିଲେ ନିଜ ସ୍ୱାସ୍ଥ୍ୟ ଠିକ ରହିଲେ ଲୋକଙ୍କ ସେବା କରି ପାରିବେ। ଏହା ସହ ରାଜନୈତିକ ଜୀବନ ଭିତରେ ଘର ପରିବାର ପ୍ରତି ଅବହେଳା ନକରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ମୋଦି। କାହା ଘରେ ବଢିଲା ଝିଅ ଥିଲେ, ତା’ର ବାହାଘର ଓ ବୃଦ୍ଧ ବାପା -ମାଙ୍କ ପ୍ରତି ଯତ୍ନବାନ ହେବାକୁ ବୁଝାଇଥିଲେ।

ଆଉ ମଝିରେ ଆପଣ ବହୁତ ସରଳ ଜୀବନ ରଖି ମଧ୍ୟ ଲୋକ କାହିଁକି ଆପଣଙ୍କୁ ଷ୍ଟାଇଲିସ୍‌ କହୁଛନ୍ତି ବୋଲି ପଚାରିଦେଲେ ମନ୍ତ୍ରୀ ବିଭୁତି ଜେନା। ଉତ୍ତରରେ ମୋଦି କହିଥିଲେ, ମୁଁ କୌଣସି ସଉକ କିମ୍ୱା ଷ୍ଟାଇଲରେ କିଛି ପିନ୍ଧେନି। ଆବଶ୍ୟକତା ଦୃଷ୍ଟିରୁ ପୋଷାକ ପିନ୍ଧେ। ଗରମ ହେଲେ ହାତକଟା ଜାମା। ଆଉ ଯେଉଁଠି ଦରକାର ଲମ୍ବା ହାତ ଜାମା ପିନ୍ଧେ। ଲୋକ ତାକୁ ଷ୍ଟାଇଲ ବୋଲି କୁହନ୍ତି।

ଜନ ପ୍ରତିନିଧିମାନଙ୍କୁ ସଂପର୍କ ବଢ଼ାଇବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ। ବିଶେଷ କରି ଯୁବକମାନଙ୍କ ସହ ଅଧିକ ଯୋଡି ହେବାକୁ କହିଥିଲେ। ଏଥିପାଇଁ ସାଂସଦ କ୍ରୀଡ଼ା ମହାକୁମ୍ଭ ଭଳି ବିଧାୟକ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ।

Bhubaneswar Bjp Bhubaneswar News Narendra Modi PM Modi