/odisha-reporter/media/post_attachments/uploadimage/library/16_9/16_9_0/PM_Modi_1715427486.jpg)
PM Modi
ପାକିସ୍ତାନ ପାଖରେ ପରମାଣୁ ବୋମା ଥିବା କଥା କହିଥିବା କଂଗ୍ରେସ ନେତା ମଣି ଶଙ୍କର ଆୟରଙ୍କୁ ଆଜି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର କନ୍ଧମାଳରୁ ସେ ମଣି ଶଙ୍କରଙ୍କ ସହ ପାକିସ୍ତାନକୁ ମଧ୍ୟ କଟାକ୍ଷ କରିଛନ୍ତି। ଏଥିସହ କଂଗ୍ରେସ ଦେଶବାସୀଙ୍କୁ ଡରାଇବା ପାଇଁ ବାଟ ଖୋଜୁ ଥିବା କହିଛନ୍ତି।
ଏପ୍ରିଲ ୧୫ରେ ମଣି ଶଙ୍କର ଆୟର ଗୋଟିଏ ସାକ୍ଷାତକାରରେ କହିଥିଲେ ଯେ “ପାକିସ୍ତାନ ଗୋଟିଏ ସମ୍ମାନଜନକ ଦେଶ। ତା’ ପାଖରେ ପରମାଣୁ ବୋମା ମଧ୍ୟ ରହିଛି। ତେଣୁ ଭାରତ ସରକାର ଶାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନ ସହ ଆଲୋଚନା କରିବା ଦରକାର।”
ଏହାକୁ ମୋଦି ଓଡ଼ିଶାର କନ୍ଧମାଳରୁ କାଉଣ୍ଟର କରିଛନ୍ତି। ଫୁଲବାଣୀରେ ବିଜେପିର ନିର୍ବାଚନୀ ସଭାରେ ମୋଦି ଉକ୍ତ ପ୍ରସଙ୍ଗ ଉଠାଇଛନ୍ତି। ପାକିସ୍ତାନର ଅର୍ଥନୀତିକ ସ୍ଥିତିକୁ ମଧ୍ୟ କଟାକ୍ଷ କରିଛନ୍ତି।
ସେ କହିଛନ୍ତି, “ସବୁବେଳେ ଓ ପୁଣିଥରେ କଂଗ୍ରେସ ନିଜ ଦେଶକୁ ଡରାଇବାକୁ ଚେଷ୍ଟା କରିଛି। ସେମାନେ କହୁଛନ୍ତି ସମ୍ଭାଳି ଚାଲ, ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି। ଏଭଳି ମରି ପଡ଼ିଥିବା ଲୋକ ଦେଶର ଆତ୍ମାକୁ ମଧ୍ୟ ମାରିବାକୁ ଚାହୁଁଛନ୍ତି। ସେମାନେ ପାକିସ୍ତାନର ବୋମା ବିଷୟରେ କହୁଛନ୍ତି।
କିନ୍ତୁ ପାକିସ୍ତାନର ଅବସ୍ଥା ଏମିତି ହୋଇଛି ଯେ ସେମାନେ ଏହାକୁ କେମିତି ରଖିବେ ଜାଣି ପାରୁ ନାହାନ୍ତି। ସେମାନେ ବୋମା କିଣିବା ଲୋକଙ୍କୁ ଖୋଜୁଛନ୍ତି। ସେମାନେ ବୋମା ବିକ୍ରି କରିବାକୁ ଚାହୁଁଛନ୍ତି। କିନ୍ତୁ କେହି ବି ଏହାକୁ କିଣିବାକୁ ଚାହୁଁ ନାହାନ୍ତି। କାରଣ ପାକିସ୍ତାନର ବୋମାର ଗୁଣବତ୍ତା ସମ୍ପର୍କରେ ସମସ୍ତଙ୍କୁ ଜଣା।”
କଂଗ୍ରେସ ପାଇଁ ଜମ୍ମୁ-କଶ୍ମୀର ୬୦ ବର୍ଷ ଧରି ଆତଙ୍କବାଦ ଦ୍ୱାରା ପ୍ରଭାବିତ ହୋଇ ଚାଲିଥିଲା ବୋଲି ମଧ୍ୟ ମୋଦି କହିଛନ୍ତି। ସେ କହିଛନ୍ତି, “କଂଗ୍ରେସର ଏଭଳି ବ୍ୟବହାର ଓ ଆଭିମୁଖ୍ୟ ପାଇଁ ଜମ୍ମୁ-କଶ୍ମୀର ୬୦ ବର୍ଷ ଧରି ଆତଙ୍କବାଦର ସାମ୍ନା କରିଛି। ଦେଶରେ ଏକାଧିକ ଆତଙ୍କବାଦୀ ହମଲା ହୋଇଛି। ଆତଙ୍କବାଦୀ ସଂଗଠନ ସହ ସେମାନେ କରିଥିବା ବୈଠକକୁ କେବେ ହେଲେ ଲୋକମାନେ ଭୁଲିବେ ନାହିଁ।
୨୬/୧୧ ଭଳି ଭୟଙ୍କର ଆତଙ୍କବାଦୀ ହମଲା ପରେ ସେମାନେ ତଦନ୍ତ କରିବାକୁ ସାହାସ ଦେଖାଇ ନଥିଲେ। କାରଣ ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସାହାସ ସେମାନଙ୍କର ନଥିଲା। ଇଣ୍ଡି ମେଣ୍ଟ(ଇଣ୍ଡିଆ ମେଣ୍ଟ)ର ଲୋକମାନେ ସବୁବେଳେ ଭାବୁଥିଲେ ଯେ ଏପରି କାର୍ଯ୍ୟାନୁଷ୍ଠାନ ଦ୍ୱାରା ସେମାନଙ୍କ ଭୋଟ ବ୍ୟାଙ୍କ ପ୍ରଭାବିତ ହେବ।”
ବିଜେପି ନେତୃତ୍ୱାଧୀନ ଏନଡିଏ ଆସନ୍ତା ଲୋକସଭା ନିର୍ବାଚନରେ ୪୦୦ରୁ ଅଧିକ ଆସନ ପାଇବ ବୋଲି ଦେଶବାସୀ ନିଷ୍ପତ୍ତି ନେଇ ସାରିଥିବା ମୋଦି କହିଛନ୍ତି।
ସେ କହିଛନ୍ତି, “ଲୋକମାନେ ଚିନ୍ତା କରି ସାରିଛନ୍ତି ଯେ ଏନଡିଏ ଲୋକସଭାରେ ୪୦୦ ଆସନ ଅତିକ୍ରମ କରିବ। ବିରୋଧୀ ଦଳର ମାନ୍ୟତା ପାଇବାକୁ ମଧ୍ୟ ସେମାନେ ଆବଶ୍ୟକ ସିଟ ପାଇବେ ନାହିଁ। ସେମାନଙ୍କ ଆସନ ସଂଖ୍ୟା ୫୦ ତଳକୁ ଖସି ଆସିବ। ଏକଥା କଂଗ୍ରେର ଲୋକମାନେ ଲେଖି ରଖନ୍ତୁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
