ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ସନ୍ଧ୍ୟାରେ ପ୍ରାୟ ୨ଘଣ୍ଟା ଧରି ରହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳର ବିଧାୟକ, ସାଂସଦ,ମନ୍ତ୍ରୀ ଓ ପଦାଧିକାରୀମାନଙ୍କୁ ଗୁରୁମନ୍ତ୍ର ଦେଲେ,ଆଉ ସମସ୍ତଙ୍କ ସହ ମିଶି ଡିନର (ରାତ୍ରିଭୋଜନ) ବି କଲେ । ବେଶ୍ ହାଲକା ଓ ସହଜ ଢଙ୍ଗରେ ଦଳୀୟ ନେତାମାନଙ୍କ ସହ କଥା ହେଲେ । ସମସ୍ତଙ୍କ ସୁଖଦୁଃଖ ପଚାରି ବୁଝିଲେ । ଆଉ ସାର୍ବଜନୀନ ଜୀବନରେ ରହିବା ପାଇଁ ଦେଲେ ଗୁରୁମନ୍ତ୍ର । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସମୟ ବିତାଇବାପରେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି ବିଜେପି ନେତା-ମନ୍ତ୍ରୀମାନେ ।
ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରାୟ ୨ଘଣ୍ଟା ଧରି ଦଳର ବିଧାୟକ,ସାଂସଦ,ମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନଙ୍କ ସହ ସମୟ ବିତାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ରାତ୍ରିଭୋଜନ କରି ରାଜଭବନ ଫେରିଯାଇଛନ୍ତି । ପୁଲିସ ଡିଜି ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ଦଳୀୟ ପଦାଧିକାରୀ,ବିଧାୟକ ଓ ସାଂସଦମାନଙ୍କୁ ଭେଟିଛନ୍ତି । କର୍ମକର୍ତ୍ତାଙ୍କ ଭଳି ସମସ୍ତଙ୍କ ସହ ମିଶିଥିଲେ । ନିଜ ମନକଥା କହିବା ସହ ଲୋକଙ୍କ ସେବା କରିବା ଉପରେ ଗୁରୁତ୍ୱ ଦେଇଥିଲେ । ରାଜ୍ୟରେ ବିଜେପିର ସରକାର ଆସିଥିବାରୁ ଦଳୀୟ ପଦାଧିକାରୀ ଓ ନେତାମାନଙ୍କ ସହ ସମୟ ବିତାଇ ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କୁ ଉତ୍ସାହିତ କରିଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।
ମୋଦିଙ୍କ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କର ସୁଖଦୁଃଖ ପଚାରି ବୁଝିଲେ । ଆମ ନିମନ୍ତ୍ରଣ ରକ୍ଷା କରି ଆମମାନଙ୍କ ସହ ରାତ୍ରିଭୋଜନ କରିବାକୁ ଆସିଥିଲେ । କୌଣସି ସେଭଳି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇନି ।
Went to the @BJP4Odisha HQ and interacted with Party leaders and Karyakartas. We discussed how to keep strengthening the Party across the state and ways to keep working towards improving the lives of people. pic.twitter.com/H2OKjLz9OS
— Narendra Modi (@narendramodi) November 29, 2024
ସେହିପରି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଅତ୍ୟନ୍ତ ସାଧାରଣ ଭାବେ କଥାବାର୍ତ୍ତା ହୋଇଥିଲୁ । ଏଭଳି ଜଣେ ବ୍ୟକ୍ତିତ୍ୱ ଯାହାଙ୍କ ସହ ପଦେକଥା ହେଲେ ଆତ୍ମସନ୍ତୋଷ ମିଳେ । ଅନେକ କଥା ଜାଣିବାକୁ ମିଳେ,ଶିଖିବାକୁ ମିଳିଲା । ଲୋକଙ୍କ ବିଶ୍ୱାସଭାଜନ ହେଲେ ଦୀର୍ଘବର୍ଷ ଧରି ସରକାରରେ ରହିହେବ ଓ ସେଥିପାଇଁ କ’ଣ କରିବା ଦରକାର ତାହା ଉପରେ ଚର୍ଚ୍ଚା ହେଲା । ରିଲାକ୍ସ ମୁଡରେ କଥାବାର୍ତ୍ତା ହେଲେ । ସାର୍ବଜନୀନ ଜୀବନରେ ଆଚରଣ-ଉଚ୍ଚାରଣ କିଭଳି ହେବା ଦରକାର ସେସମ୍ପର୍କରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଲେ ବୋଲି ସେ କହିଛନ୍ତି ।
କଂଟାବାଞ୍ଜିର ବିଜେପି ବିଧାୟକ ଲକ୍ଷ୍ମଣ ବାଗ କହିଥିଲେ ଯେ, ଲୋକଙ୍କ ପାଇଁ କିଭଳି କାମ କରିବାକୁ ହୁଏ ସେବିଷୟରେ ପ୍ରଧାନମନ୍ତ୍ରୀ କହିଲେ । ଜଣେ ଦଳୀୟ କର୍ମକର୍ତ୍ତା ଭଳି ଆମମାନଙ୍କ ସହ ମିଶିଲେ । ସୁଖଦୁଃଖ ପଚାରିଲେ । ନିଜ କଥା କହିଲେ । ଯେଭଳି ମନକିବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କଥା ହୁଅନ୍ତି ସେପରି ଆଜି କଥା ହେଲେ । ପ୍ରଧାନମନ୍ତ୍ରୀଙ୍କ ଏହି କଥାବାର୍ତ୍ତା ଆମକୁ ଉତ୍ସାହ ଓ ପ୍ରେରଣା ଯୋଗାଇବ ନିଶ୍ଚୟ ।
ସେହିପରି ବିଜେପି ବିଧାୟିକା ସୀମାରାଣୀ ନାୟକ କହିଥିଲେ ଯେ, ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାଖରେ ଦେଖିବାର ସୁଯୋଗ ପାଇଲି । ଫିଲଡରେ କିଭଳି ସାଧାରଣ ଲୋକଙ୍କ ସହ ମିଶି କାମ କରିପାରିବୁ ସେନେଇ ବିଧାୟକ ଓ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ସେ କହିଥିଲେ।
ଆଜିର ରାତ୍ରିଭୋଜନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓଡ଼ିଆ ଶୈଳୀରେ ପ୍ରସ୍ତୁତ ଖାଦ୍ୟ ପରିବେଷଣ କରାଯାଇଥିଲା ।