PM Modi
ବେଙ୍ଗଲର ବସିରହାଟରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ବିଜେପି ଟିକେଟ ପାଇଥିବା ସନ୍ଦେଶଖାଲି ପୀଡ଼ିତା ରେଖା ପାତ୍ରଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି। ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ କ୍ଲିପ ଏବେ ଭାଇରାଲ ହେବାରେ ଲାଗିଛି।
ସନ୍ଦେଶଖାଲିରେ ନିଲମ୍ବିତ ଟିଏମସି ନେତା ଶେଖ ଶାହାଜାହାଁ ନିଜର ଗୁଣ୍ଡାଗର୍ଦ୍ଦି କରିବା ସହ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏଥିସହ ସେ କୁଆଡ଼େ ମହିଳାମାନଙ୍କ ଜମି ମଧ୍ୟ ବଳ ପୂର୍ବକ ଛଡ଼ାଇ ନେଇଥିଲେ।
ଶେଖ ଶାହଜାହାଁଙ୍କ ଗୁଣ୍ଡାଗର୍ଦ୍ଦିର ସମ୍ମୁଖୀନ ହୋଇଥିବା ଅନେକ ମହିଳାଙ୍କ ମଧ୍ୟରୁ ଜଣେ ହେଲେ ରେଖା ପାତ୍ର। ନିକଟରେ ଶାହାଜାହାଁଙ୍କ ଗିରଫଦାରୀ ଦାବିରେ ହୋଇଥିବା ବିକ୍ଷୋଭରେ ରେଖା ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ରେଖାଙ୍କ ନେତୃତ୍ୱରେ ହୋଇଥିବା ବିକ୍ଷୋଭ ଯୋଗୁ ଶାହାଜାହାଁ ଗିରଫ ହେବା ସହ ଜେଲରେ ଅଛନ୍ତି।
ଏବେ ସେହି ରେଖାଙ୍କୁ ବିଜେପି ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି। ଟିକେଟ ପାଇବା ପରେ ଆଜି ପ୍ରଥମଥର ପାଇଁ ତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଥା ହୋଇଛନ୍ତି। ଆସନ୍ତା ନିର୍ବାଚନ ପାଇଁ ସେ କେମିତି ନିଜକୁ ପ୍ରସ୍ତୁତ କରୁଛନ୍ତି ଓ ଲୋକଙ୍କ ମଧ୍ୟରେ ବିଜେପି ପ୍ରତି କି ପ୍ରକାରର ଭାବନା ରହିଛି, ସେକଥା ମୋଦି ତାଙ୍କୁ ପଚାରି ବୁଝିଛନ୍ତି।
ସାମ୍ନାକୁ ଆସିଥିବା ଅଡିଓ କ୍ଲିପରେ ମୋଦି ବସିରହାଟର ବିଜେପି ପ୍ରାର୍ଥୀ ରେଖାଙ୍କୁ ପଚାରୁଛନ୍ତି ଯେ “ଆପଣ ଏବେ ଗୋଟିଏ ବଡ଼ ଦାୟିତ୍ୱ ନିର୍ବାହ କରିବାକୁ ଯାଉଛନ୍ତି। କେମିତି ଅନୁଭବ କରୁଛନ୍ତି?”
ଏହାର ଜବାବରେ ରେଖା କହିଛନ୍ତି, “ମୋତେ ବହୁତ ଭଲ ଲାଗୁଛି। ଆପଣଙ୍କ ହାତ ମୋ ମୁଣ୍ଡ ଉପରେ ଓ ସନ୍ଦେଶଖାଲିର ସମସ୍ତ ମହିଳାଙ୍କ ମୁଣ୍ଡ ଉପରେ ରହିଛି। ଆପଣ ଆମର ଭଗବାନ ଭଳି। ଭଗବାନ ରାମଙ୍କ ହାତ ଆମ ମୁଣ୍ଡ ଉପରେ ଥିବା ଭଳି ମନେ ହେଉଛି।
ଗୋଟିଏ ବଡ଼ ଘଟଣା ଆମ ସହ ଘଟି ଯାଇଛି। କେବଳ ସନ୍ଦେଶଖାଲି ନୁହେଁ, ବସିରହାଟର ସମସ୍ତ ମହିଳା ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ଆମେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ। ୨୦୧୧ ଠାରୁ ଆମେ ଭୋଟ ଦେବାକୁ ସକ୍ଷମ ହୋଇ ନାହୁଁ। ଆଶା ଏଥର ଆମେ ଭୋଟ ଦେବୁ।”
ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ନିର୍ବାଚନ କମିଶନ ମହିଳାଙ୍କ ଦୁଃଖ ବୁଝିବା ସହ ସମସ୍ତେ କେମିତି ଭୋଟ ଦେଇ ପାରିବେ, ସେଥିପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବେ ବୋଲି ସେ ଆଶ ରଖିଥିବା କହିଛନ୍ତି।
ରେଖା ପାତ୍ରଙ୍କ ସାହାସକୁ ସାଧୁବାଦ ଜଣାଇ ମୋଦି କହିଛନ୍ତି, “ରେଖାଜୀ ଆପଣ ସନ୍ଦେଶଖାଲିରେ ଗୋଟିଏ ବଡ଼ ଲଢ଼େଇ କରିଛନ୍ତି। ଆପଣ ଜଣେ ଶକ୍ତି ସ୍ୱରୂପା। ଆପଣ ଅନେକ ବାହୁବଳୀ ଲୋକଙ୍କୁ ଜେଲ ପଠାଇଛନ୍ତି। ଆପଣ ନିଶ୍ଚିତ ନିର୍ବାଚନ ଜିତିବେ। ଆପଣ କେଉଁ ଭଳି ସାହାସ ଦେଖାଇଛନ୍ତି, ସେକଥା ଜାଣିଛନ୍ତି କି?”
ଏହାର ଜବାବରେ ରେଖା ପାତ୍ର କହିଛନ୍ତି, “ସନ୍ଦେଶଖାଲିର ସମସ୍ତ ମହିଳାଙ୍କ ସମର୍ଥନ ଯୋଗୁ ଏହା ହୋଇଛି। ଆଗକୁ ମଧ୍ୟ ଏହା ଜାରି ରହିବ। ଆପଣଙ୍କ ଆଶୀର୍ବାଦ ଆମ ସହ ରହିଛି।” ମୋଦି ମଧ୍ୟ ସବୁବେଳେ କେବଳ ସନ୍ଦେଶଖାଲି ନୁହେଁ, ପୂରା ବେଙ୍ଗଲର ବିକାଶ ପାଇଁ ମିଳିତ ଭାବେ କାମ କରିବେ ବୋଲି ରେଖାଙ୍କୁ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/PM_Modi_1711456077.jpg)