Advertisment

ସମ୍ବଲପୁର ଆସିବେ ମୋଦି; ୬୮ ହଜାର କୋଟି ଟଙ୍କାର ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ

ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସ ଲୋକାର୍ପଣ ସହ ପାଖାପାଖି ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

pm modi to visit

pm modi to visit

Advertisment

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସ ଲୋକାର୍ପଣ ସହ ପାଖାପାଖି ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ।

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ମଞ୍ଚ ପ୍ରସ୍ତୁତ। ଗୈରିକମୟ ହେଲାଣି ସମ୍ବଲପୁର ରେମେଡ ପଡ଼ିଆର ସଭାସ୍ଥଳ। ବିଶାଳ ଗ୍ୟାରେଣ୍ଟି ଜନସମାବେଶରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେବେ ୨୪ ପାଇଁ ପରିବର୍ତ୍ତନର ଆହ୍ୱାନ। ‘ଆମ ସଂକଳ୍ପ ବିକଶିତ ଭାରତ-ବିକଶିତ ଓଡ଼ିଶା’ ନାରାରେ ଫୁଙ୍କିବେ ନିର୍ବାଚନୀ ମହାଲଢ଼େଇର ବିଗୁଲ୍। ଲକ୍ଷାଧିକ ଦଳୀୟ କର୍ମୀ, ନେତା ଓ ଜନତାଙ୍କୁ ନିଜ ସରକାର ୧୦ ବର୍ଷର ଉପଲବ୍ଧି ବଖାଣିବେ। ବିଜେପି ଶିବିରରେ ବି ଉତ୍ସାହ ଭରି ଡବଲ୍ ଇଞ୍ଜିନ୍ ସରକାରର ମାହୋଲ ବନେଇବେ। ଏଥିପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା ରାଜନୀତି।

କାରଣ ନିର୍ବାଚନକୁ ଆଉ ମାତ୍ର ଦୁଇମାସ ବାକି ଥିଲା ବେଳେ ବଜେଟ୍ ପରେ ପ୍ରଥମ ଜନସମାବେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ। ତାହା ପୁଣି ଓଡ଼ିଶାର ବିଜେପି ଗଡ଼ ପଶ୍ଚିମ ଓଡ଼ିଶାରେ। ତେବେ ନିଜ ଭାଷଣରେ ରାଜ୍ୟ ସରକାରଙ୍କ ପ୍ରତି ମୋଦିଙ୍କ ସ୍ୱର କେତେ ଗରମ ରହିବ ତା ଉପରେ ନିର୍ଭର କରୁଛି ୨୪ ରାଜନୈତିକ ପୃଷ୍ଠଭୂମି। ହେଲେ ମୋଦିଙ୍କ ଗସ୍ତକୁ ନେଇ ଉତ୍ସାହିତ ରାଜ୍ୟ ବିଜେପି ସଭାପତି କିନ୍ତୁ କହିଛନ୍ତି ୨୪ ରେ ରାଜ୍ୟରେ ବିଜେପି ସରକାର ନିଶ୍ଚିତ।

Advertisment

ତେବେ ରେମେଡ ସାଧାରଣ ସଭା ପୂର୍ବରୁ ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସରେ ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମ ବି ରହିଛି। ସେଠି ଶିକ୍ଷା ବିଭାଗ ଦ୍ୱାରା ୪ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ୍ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସର ଲୋକାର୍ପଣ କରିବା ସହ ୬୮ ହଜାର କୋଟି ଟଙ୍କାର ଅନ୍ୟ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।

ଯେଉଁଥିରେ ସମ୍ବଲପୁର ରେଳଷ୍ଟେସନର ନବୀକରଣର ଶୁଭ ଦିଆଯିବା ସହ, ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନକୁ ସୋନପୁର ଆଗକୁ ଲୋକାର୍ପିତ ହେବା ସହ ସୋନପୁରରୁ ପୁରୀକୁ ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ ହେବ। ଏନଟିପିସିର ଦୁଇଟି ପ୍ରକଳ୍ପର ଲୋକାର୍ପଣ ସାଙ୍ଗକୁ ବ୍ରାହ୍ମଣୀ ନଦୀରେ ଦୁଇଟିକିଆ ପୋଲର ଉଦ୍‌ଘାଟନ, ଝାରସୁଗୁଡ଼ାର ପୁରାତନ ପୋଷ୍ଟ ଅଫିସକୁ ଐତିହ୍ୟ ପ୍ରକଳ୍ପ ଭାବେ ଲୋକାର୍ପଣର ବି କାର୍ଯ୍ୟକ୍ରମ ରହିଛି। ତେଣୁ ମୋଦିଙ୍କ ଆଇଆଇଏମ୍ ସଭା ପାଇଁ ବି ସବୁ ପ୍ରକାର ପ୍ରସ୍ତୁତି ସରିଛି।

ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅପରାହ୍ନ ୧.୧୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟଟର ଯୋଗେ ଅପରାହ୍ନ ୧ଟା ୪୫ରେ ଆଇଆଇଏମ୍ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସରେ ପହଞ୍ଚିବେ। ସେଠାରୁ କାର୍ଯ୍ୟକ୍ରମ ସାରି ୩ଟାରେ ହେଲିକପ୍ଟର ଯୋଗେ ରେମେଡ ସଭାସ୍ଥଳ ଅଭିମୁଖେ ବାହାରିବେ। ରେମେଡ ସଭାସ୍ଥଳରେ ୩ଟା ୧୫ରେ ପହଞ୍ଚି ସାଧାରଣ ସଭାରେ ଯୋଗ ଦେବା ପରେ ଅପରାହ୍ନ ୫ଟା ବେଳେ ନୂଆଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଦିଙ୍କ ଗସ୍ତ ବେଳେ ୭୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷା ଦାୟିତ୍ୱରେ ୭ ଜଣ କମାଣ୍ଡାଣ୍ଟଙ୍କ ସହ ପ୍ରାୟ ୩ ଶହ ଅଫିସରଙ୍କୁ ନିୟୋଜିତ କରାଯାଇଛି। ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଅନ୍ତର୍ଗତ ୪ଟି ଜିଲ୍ଲରା ଏସପି ଓ ଦୁଇଜଣ ଆଇଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ।

Sambalpur PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe