Advertisment

ଗାଡ଼କଣ ବସ୍ତିକୁ ଯିବେ ପ୍ରଧାନମନ୍ତ୍ରୀ ମୋଦି, ଅଧଘଣ୍ଟା ରହିବେ

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସନ୍ତାକାଲି ଅହମ୍ମଦାବାଦରୁ ଆସି ସକାଳ ୧୦ଟା ୫୦ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ କଡ଼ାସୁରକ୍ଷା ବଳୟ ମଧ୍ୟରେ ସିଧାସଳଖ ଗାଡ଼କଣ ବସ୍ତିକୁ ଯିବେ ।

author-image
Ordigital Desk
ଅଦ୍ୟତନ ହୋଇଛି
Narendra Modi

Narendra Modi

ନିଜର ଜନ୍ମଦିନରେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରର ଗାଡ଼କଣ ବସ୍ତିକୁ ଯାଇ ବସ୍ତିବାସିନ୍ଦାଙ୍କ ସହ ଭାବବିନିମିୟ କରିବେ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ଗାଡ଼କଣ ବସ୍ତିରେ ରହି ପ୍ରଧାନମନ୍ତ୍ରୀ ଆବାସ(ସହରାଂଚଳ)ର ହିତାଧିକାରୀ ଓ ସାଧାରଣ ବସ୍ତିବାସିନ୍ଦାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାରେ ମାତ୍ର ଅଢ଼େଇ ଘଂଟା ରହି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ଥିବାବେଳେ ସେଥିରୁ ଅଧଘଂଟା ବସ୍ତିବାସିନ୍ଦାଙ୍କ ସହ ବିତାଇବେ ବୋଲି ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଜନତା ମଇଦାନରେ ବିଶାଳ ମହିଳା ସମାବେଶରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

Advertisment

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସନ୍ତାକାଲି ଅହମ୍ମଦାବାଦରୁ ଆସି ସକାଳ ୧୦ଟା ୫୦ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ କଡ଼ାସୁରକ୍ଷା ବଳୟ ମଧ୍ୟରେ ସିଧାସଳଖ ଗାଡ଼କଣ ବସ୍ତିକୁ ଯିବେ । ସେଠାରେ ୧୧ଟା ୧୦ରୁ ୧୧ଟା ୪୫ମିନିଟ୍ ପର୍ଯ୍ୟନ୍ତ ପ୍ରାୟ ୩୫ମିନିଟ୍ ଧରି ରହିବେ । ଗାଡ଼କଣ ବସ୍ତିରେ ପ୍ରଧାନମନ୍ତ୍ରୀ ଆବାସ-ସହରାଂଚଳର ହିତାଧିକାରୀଙ୍କ ସହ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳ ପାଇବା ଉପରେ ଆଲୋଚନା କରିବେ । ନିଜ ଜନ୍ମଦିନରେ ସେ ବସ୍ତିବାସିନ୍ଦାଙ୍କ ସହ ସମୟ ବିତାଇବେ । ପରେ ୧୧ଟା ୪୫ମିନିଟରେ ସେଠାରୁ ବାହାରି ଜନତା ମଇଦାନର ସଭାସ୍ଥଳକୁ ଯିବେ । ଜନତା ମଇଦାନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଲୋକାର୍ପଣ କରିବା ସହ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବେ । ଦିନ ୧ଟାରେ ପ୍ରଧାନମନ୍ତ୍ରୀ ମୋଦି ସଭାସ୍ଥଳ ଛାଡ଼ିବେ ଓ ୧ଟା ୨୦ମିନିଟରେ ଭୁବନେଶ୍ୱର ବିମାନବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ସକାଳ ସାଢ଼େ ୭ଟାରୁ ୩ଟା ପର୍ଯ୍ୟନ୍ତ ଜୟଦେବ ବିହାରରୁ ନାଲକୋ ଛକ ପର୍ଯ୍ୟନ୍ତ ରାସ୍ତାକୁ ପୁଲିସ ସମ୍ପୂର୍ଣ୍ଣ ସିଲ୍ କରିଦେଇଛି । କେବଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପାସ୍ ପାଇଥିବା ବ୍ୟକ୍ତିମାନଙ୍କୁ ଯିବାଆସିବା ପାଇଁ ଅନୁମତି ମିଳିବ ବୋଲି ପୁଲିସ କହିଛି ।

Advertisment
Odisha PM Modi