Advertisment

ପୁଣି ଗର୍ଜିଲେ ରାହୁଲ ଗାନ୍ଧି: କହିଲେ- ସବୁଠାରୁ ବଡ଼ ଦୁର୍ନୀତିର ଓକିଲାତି କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

୨୦୧୭ରେ ମୋଦି ସରକାର ଆଣିଥିବା ନିର୍ବାଚନୀ ବଣ୍ତକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ କହିବା ସହ ଏହାକୁ ରଦ୍ଦ କରି ଦେଇଥିଲେ।

author-image
Hemant Lenka
Rahul Gandhi

Rahul Gandhi

ନିର୍ବାଚନୀ ବଣ୍ଡ ପ୍ରସଙ୍ଗରେ ପୁଣିଥରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରହୁଲ ଗାନ୍ଧି। ସବୁଠାରୁ ବଡ଼ ଦୁର୍ନୀତି କାଣ୍ଡକୁ ଠିକ ବୋଲି ପ୍ରମାଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଚେଷ୍ଟା କରୁଛନ୍ତି ବୋଲି ରାହୁଲ କହଛନ୍ତି।

Advertisment

କୋଝିକୋଡରେ ଗୋଟିଏ ନିର୍ବାଚନ ରାଲିକୁ ସମ୍ବୋଧନ କରି ରାହୁଲ କହିଛନ୍ତି, “ଗତକାଲି ଆପଣମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଟରଭ୍ୟୁ ଏଏନ୍‌ଆଇରେ ଦେଖିଛନ୍ତି କି ନାହିଁ, ଜାଣିନି। ଆପଣମାନେ ତାଙ୍କ ଆଖି, ମୁହଁକୁ ମାର୍କ କରିଛନ୍ତି କି ନାହିଁ, ସେକଥା ମଧ୍ୟ ଜାଣିନି।

କିନ୍ତୁ ସେ ସବୁଠାରୁ ବଡ଼ ଦୁର୍ନୀତିକୁ ଠିକ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି। ପୃଥିବୀର ସବୁଠାରୁ ବଡ଼ ଦୁର୍ନୀତି ଜରିଆରେ ବିଜେପି ଭାରତୀୟ ବ୍ୟବସାୟୀଙ୍କ ଠାରୁ ହଜାର ହଜାର କୋଟି ଟଙ୍କା ଲୁଟ କରିଛି।”

Advertisment

ଗତକାଲି ଏଏନ୍‌ଆଇକୁ ମୋଦି କହିଥିଲେ ଯେ ନିର୍ବାଚନରେ କଳା ଟଙ୍କାର ବ୍ୟବହାରକୁ ରୋକିବା ପାଇଁ ନିର୍ବାଚନୀ ବଣ୍ଡ ଆସିଥିଲା। ଏଥିରେ ସ୍ୱଚ୍ଛତା ଥିଲା। ଦିନେ ସମସ୍ତେ ଏଥିପାଇଁ ଅନୁତାପ କରିବେ ବୋଲି କହିଥିଲେ। ଏହାକୁ ନେଇ ଆଜି ମୋଦିଙ୍କୁ ରାହୁଲ ଟାର୍ଗେଟ କରିଛନ୍ତି।

ତେବେ ରାହୁଲଙ୍କ ଏପରି ସମାଲୋଚନାକୁ ବିଜେପି ସହଜରେ ହଜମ କରିନାହିଁ। ବିଜେପିର ଥିରୁଅନନ୍ତପୁରମ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, “ପାଣ୍ଠି ଯୋଗାଣ ଓ ସନ୍ଦେହଜନକ ଅବସ୍ଥାରେ ଆସିଥିବା ଟଙ୍କା ସମ୍ପର୍କରେ ମତ ରଖିବାରେ ରାହୁଲ ଗାନ୍ଧି ଶେଷ ବ୍ୟକ୍ତି। ଆମେ ବୋଫୋର୍ସ ବିଷୟରେ ଜାଣିଛୁ। ତାଙ୍କ ପରିବାର ଯେଉଁ ସବୁ ଦୁର୍ନୀତିର ଲିଜେଣ୍ଡାରୀ, ସେସବୁ ବିଷୟରେ ଆମେ ସମସ୍ତେ ଜାଣିଛେ।”

୨୦୧୭ରେ ମୋଦି ସରକାର ଆଣିଥିବା ନିର୍ବାଚନୀ ବଣ୍ତକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ କହିବା ସହ ଏହାକୁ ରଦ୍ଦ କରି ଦେଇଥିଲେ। ଏହାପରେ ବଣ୍ଡ ତଥ୍ୟ ସାର୍ବଜନୀନ କରିବାକୁ କହିଥିଲେ। ବଣ୍ଡ ଦ୍ୱାରା ଏକାଧିକ କମ୍ପାନୀ ବିଜେପିକୁ ସର୍ବାଧିକ ଚାନ୍ଦା ଦେଇଥିବାରୁ ଏହାକୁ ବିରୋଧୀ ମୁଖ୍ୟ ପ୍ରସଙ୍ଗ କରିଛନ୍ତି।

ରାହୁଲ ଗାନ୍ଧି ଆଜି ଆହୁରି ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୁଖ୍ୟ ପ୍ରସଙ୍ଗକୁ ଲୋକଙ୍କୁ ଧ୍ୟାନଚ୍ୟୁତ କରିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି, “ମୁଖ୍ୟ ପ୍ରସଙ୍ଗକୁ ବିଭ୍ରାନ୍ତ ଓ ଦୃଷ୍ଟି ଆଢ଼ୁଆଳରେ ରଖିବା ପାଇଁ ସେ କେତେବେଳେ ସମୁଦ୍ର ଭିତରକୁ ଯାଇ ପୂଜା କରୁଛନ୍ତି ତ ଆଉ କେତେବେଳେ ସେ ଦେଶବାସୀଙ୍କୁ ଭାରତରେ ଅଲିମ୍ପିକ୍ସ ହେବ ବୋଲି କହୁଛନ୍ତି।

ଆଉ କେତେବେଳେ ସେ କହୁଛନ୍ତି ଯେ ଜଣେ ବ୍ୟକ୍ତିଙ୍କୁ ଚନ୍ଦ୍ରକୁ ପଠାଇବେ। କିନ୍ତୁ ସେ କେବେ ହେଲେ ବେକାରୀ କିମ୍ବା ଦର ବୃଦ୍ଧି କଥା କହୁ ନାହାନ୍ତି। ସେ ଦେଶର ଧନୀ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି ଓ ସେମାନଙ୍କ ବ୍ୟାଙ୍କ ଋଣ ଛାଡ଼ କରିଛନ୍ତି।

ଆରଏସଏସ୍ ଓ ବିଜେପି ଭାରତର ସମ୍ବିଧାନ ଧ୍ୱଂସ ଓ ବଦଳାଇବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ସମ୍ବିଧାନର ସୁରକ୍ଷା ପାଇଁ ଲଢ଼ୁଛନ୍ତି।” ସେହିପରି ଅଗ୍ନିପଥ ଯୋଜନା ଭାରତୀୟ ସେନାକୁ ଅପମାନ ଓ ଇଣ୍ଡିଆ ବ୍ଲକ କ୍ଷମତାକୁ ଆସିଲେ, ଏହାକୁ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି।

Congress PM Modi Rahul Gandhi Electoral Bonds Scheme