Advertisment

ମହିଳା ସଂରକ୍ଷଣ ବିଲ୍‌ ପାଇଁ ବିଜେପି ମୁଖ୍ୟାଳୟରେ ସେଲିବ୍ରେଶନ, ପ୍ରଧାନମନ୍ତ୍ରୀ କହିଲେ- ଏହା ମୋଦି ଗ୍ୟାରେଣ୍ଟି

‘ନାରୀ ଶକ୍ତି ବନ୍ଦନ ଅଧିନିୟମ ଏକ ସାମାନ୍ୟ ବିଲ୍‌ ନୁହେଁ। ଏହା ଭାରତର ନୂଆ ଲୋକତାନ୍ତ୍ରିକ ପ୍ରତିବଦ୍ଧତା ଅଟେ।’

author-image
Niharika Rout
ଅଦ୍ୟତନ ହୋଇଛି
PM Modi

PM Modi

‘ନାରୀ ଶକ୍ତି ବନ୍ଦନ ଅଧିନିୟମ ଏକ ସାମାନ୍ୟ ବିଲ୍‌ ନୁହେଁ। ଏହା ଭାରତର ନୂଆ ଲୋକତାନ୍ତ୍ରିକ ପ୍ରତିବଦ୍ଧତା ଅଟେ। ଏହା ଅମୃତ କାଳରେ ବିକଶିତ ଭାରତ ନିର୍ମାଣ ଦିଗରେ ଏକ ବଡ଼ ପଦକ୍ଷେପ ଅଟେ। ତେଣୁ ଏହି ଅବସରରେ ଭାରତର ସମସ୍ତ ମା’, ଭଉଣୀଙ୍କୁ ଅଭିନନ୍ଦନ ଜଣାଉଛି।’ ଏପରି ଏକ ଐତିହାସକ ବିଲ୍‌ ପାସ୍‌ ହେବା ପରେ ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ମତବ୍ୟକ୍ତ କରିଛନ୍ତି। ଏଥିସହ ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ସମୃଦ୍ଧି ଦିଗରେ ଏହା ମୋଦି ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି। 

Advertisment

ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ସଂସଦରେ ଗୃହୀତ ହୋଇଛି। ଏହି ଅବସରରେ ବିଜେପି ମୁଖ୍ୟାଳୟରେ ସମ୍ମୁଖରେ ଚାଲିଛି ଉତ୍ସବ ପାଳନ। ଶତାଧିକ ସଂଖ୍ୟାରେ ମହିଳା ସଦସ୍ୟ ସେଲିବ୍ରେସନ କରୁଛନ୍ତି। ବାଜା ବଜାଇ ନାଚଗୀତ କରି ମହିଳାମାନେ ଉତ୍ସବ ପାଳନ କରିଛନ୍ତି।

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଶତାଧିକ ସଂଖ୍ୟାରେ ବିଜେପି ମହିଳା ମୋର୍ଚ୍ଚା ସଦସ୍ୟ ଓ କର୍ମୀ ଉପସ୍ଥିତ ଥିବା ବେଳେ ସେମାନେ ଜୋସ୍‌ର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିଛନ୍ତି। ଏଥିସହ ଏପରି ଏକ ଐତିହାସକ ବିଲ୍‌ ପାସ୍‌ କରାଇବା ନିମନ୍ତେ ବିଜେପି ମହିଳା ଶାଖା ପକ୍ଷରୁ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି।

Advertisment

ଏହି ଅବସରରେ ମୋଦି କହିଛନ୍ତି, ଦୀର୍ଘ ବର୍ଷର ସଂଘର୍ଷ ପରେ ଏକ ନୂଆ ଇତିହାସ ତିଆରି ହୋଇଥିବା ବେଳେ ଆମେ ସମସ୍ତେ ଏହାର ସାକ୍ଷୀ। କାରଣ ଆସନ୍ତା ବହୁ ବର୍ଷ ପର୍ଯ୍ୟନ୍ତ ଏହାର ଚର୍ଚ୍ଚା ଚାଲିବ। ବେଳେବେଳେ କିଛି ନିଷ୍ପତ୍ତି ଦେଶର କ୍ଷମତା ବଦଳାଇବାର କ୍ଷମତା ରଖିଥାଏ। ଏହା ଠିକ୍‌ ସେହିପରି ଏକ ନିର୍ଣ୍ଣୟ।

ଦେଶରେ ପୂର୍ଣ୍ଣ ବହୁମତ ସ୍ଥିର ସରକାର ଥିବାରୁ ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦର ଦୁଇ ଗୃହରେ ପାରିତ ହେବା ସମ୍ଭବ ହୋଇ ପାରିଲା। ତେଣୁ ଦେଶକୁ ଆଗକୁ ନେବା ନିମନ୍ତେ ପୂର୍ଣ୍ଣ ବହୁମତ ବିଶିଷ୍ଟ ସ୍ଥିର ସରକାର ଆବଶ୍ୟକ ବୋଲି କହିଛନ୍ତି ମୋଦି।

ଏହି ବିଲ୍‌କୁ ପାରିତ କରିବା ନିମନ୍ତେ ବିଜେପି ତିନି ଦଶନ୍ଧି ଧରି ଚେଷ୍ଟା ଚଳାଇଥିଲା। ଏହି ବିଲ୍‌ ପାସ୍‌ ହେବା ପରେ ଏହା ମୋଦି ଗ୍ୟାରେଣ୍ଟି ବୋଲି ପ୍ରମାଣିତ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ମହିଳାଙ୍କ ଜୀବନରେ ସୁଧାର ଆଣିବାକୁ ଏହା ଏକ ବଡ଼ ପଦକ୍ଷେପ। ଏହି ବିଲ୍‌ ପାସ୍‌ କରିବା ନିମନ୍ତେ ବହୁ ଘାତ ପ୍ରତିଘାତର ସାମନା କରିବାକୁ ପଡ଼ିଛି। କିନ୍ତୁ ମନୋବଳ ଦୃଢ ଥିଲେ ସବୁ ସମ୍ଭବ ବୋଲି ଏହା ପ୍ରମାଣ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି, ଯେଉଁମାନେ ପୂର୍ବରୁ ଏହାକୁ ବିରୋଧ କରୁଥିଲେ, ସେମାନେ ଏବେ ଏହା ସମର୍ଥନରେ ପାଟି ଫିଟାଉଛନ୍ତି। ଏହି ଅବସରରେ ସେ ସମସ୍ତ ରାଜନୈତିକ ଦଳ ତଥା ସାଂସଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କାରଣ ଏହି ବିଲ୍‌କୁ ପାସ୍‌ କରିବା ନିମନ୍ତେ ଦଳଗତ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ସମସ୍ତେ ଏହାର ସମର୍ଥନ କରିଥିଲେ।

ଏଥିସହ ସେ କହିଛନ୍ତି, ଆମ ସରକାର ମହିଳାଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଏପରି ଆଇନ୍‌ ଆଣିଛି ଯାହାକି ସେମାନଙ୍କୁ ସମ୍ମାନ, ସୁରକ୍ଷା ଓ ସମୃଦ୍ଧି ଆଣି ଦେଇଛି।

ରାଜ୍ୟସଭା ଓ ଲୋକସଭାରେ ପାସ୍ ହେବା ପରେ ଏବେ ରାଷ୍ଟ୍ରପତିଙ୍କ ଗ୍ରୀନ୍ ସିଗନାଲକୁ ଅପେକ୍ଷା କରିଛି ନାରୀ ଶକ୍ତି ବନ୍ଦନା ମହିଳା ସଂରକ୍ଷଣ ବିଲ୍। ଏହାପରେ ତାହା ଆଇନରେ ପରିଣତ ହେବ।

ଗତକାଲି ମହିଳା ସଂରକ୍ଷଣ ବିଲ୍‌କୁ ରାଜ୍ୟସଭାର ମୋହର ଲାଗିଛି। ଏ ବିଲ୍‌କୁ ନେଇ ସଂସଦର ଉଚ୍ଚ ସଦନରେ ଗତକାଲି ଦିନ ତମାମ ଚର୍ଚ୍ଚା ହୋଇଥିଲ। ଶେଷରେ ଭୋଟିଂ ବେଳେ ବିଲ୍ ସପକ୍ଷରେ ୨୧୫ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ କେହି ବି ଭୋଟ୍ ଦେଇନଥିଲେ। ଏହି ବିଲ୍‌ ଆଇନରେ ପରିଣତ ହେବା ପରେ ଏହାକୁ କେବେ ଲାଗୁ କରାଯିବ, ତାକୁ ବି ନେଇ ବିରୋଧୀ ଓ ସରକାରୀ ଦଳ ମଧ୍ୟରେ ପ୍ରବଳ ବିତର୍କ ହୋଇଥିଲା। ପୂର୍ବରୁ ମଧ୍ୟ ଲମ୍ବା ବିତର୍କ ପରେ ଲୋକସଭାରେ ବିପୁଳ ଭୋଟରେ ପାରିତ ହୋଇଥିଲା ଐତିହାସିକ ମହିଳା ସଂରକ୍ଷଣ ବିଲ୍।

Bjp Women Empowerment Parliament Rajya Sabha