ମୋଦି ମୋଦିରେ କମ୍ପିଲା ଜନପଥ: ଅପରାଜିତାଙ୍କୁ ଧରି କଲେ ରୋଡ୍ ଶୋ’ ବିଜେଡିର ନିଦ ହଜିଲା

ଦୁଇଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଆଜି ରାତିରେ ପହଂଚିବା ପରେ ବିଜେପି କାର୍ଯ୍ୟାଳୟଠୁ ତାଙ୍କର ରୋଡ୍ ଶୋ’ ଆରମ୍ଭ ହୋଇଥିଲା । ମୋଦିଙ୍କ ରୋଡ୍ ଶୋ’ରେ ଓଡ଼ିଶାର କଳା,ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନ ପାଇଁ ପ୍ରୟାସ ହୋଇଛି ।

ଭୁବନେଶ୍ୱରରେ ଆୟୋଜିତ ରୋଡ୍‌ ଶୋ

  • Published: Friday, 10 May 2024
  • , Updated: 10 May 2024, 10:49 PM IST

ମାତ୍ର ୩ଦିନ ବ୍ୟବଧାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣିଥରେ ଓଡ଼ିଶା ଗସ୍ତରେ ଆସି ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ୍ ଶୋ’ କରିଛନ୍ତି । ମୋଦିଙ୍କୁ ଦେଖିବାକୁ ରାଜଧାନୀର ଜନପଥର ପ୍ରାୟ ୨କିମି ଲମ୍ବ ଅଂଚଳ ଜନସମୁଦ୍ର ପାଲଟିଛି । ଭୁବନେଶ୍ୱରର ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସାଙ୍ଗରେ ନେଇ ମୋଦି ରୋଡ୍ ଶୋ’ କରିଛନ୍ତି । ବିଜେପି ରାଜ୍ୟ ମୁଖ୍ୟାଳୟଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ମୋଦିଙ୍କ ରୋଡ୍ ଶୋ’କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ମୋଦି ମୋଦି ସ୍ଲୋଗାନରେ ସମଗ୍ର ଜନପଥ ପ୍ରକମ୍ପିିତ ହୋଇଛି ।

ଦୁଇଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଆଜି ରାତିରେ ପହଂଚିବା ପରେ ବିଜେପି କାର୍ଯ୍ୟାଳୟଠୁ ତାଙ୍କର ରୋଡ୍ ଶୋ’ ଆରମ୍ଭ ହୋଇଥିଲା । ମୋଦିଙ୍କ ରୋଡ୍ ଶୋ’ରେ ଓଡ଼ିଶାର କଳା,ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନ ପାଇଁ ପ୍ରୟାସ ହୋଇଛି । କୋଣାର୍କ ଚକ୍ର, ଖଣ୍ଡଗିରି ଓ ଅନ୍ୟ ଐତିହ୍ୟକୁ ମଧ୍ୟ ପ୍ରଦର୍ଶନ କରାଯାଇଥିବାବେଳେ ୧୫୦ରୁ ଅଧିକ ମହିଳା ପଶାପାଲି ଶାଢ଼ୀ ପିନ୍ଧି ଏହି ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି । ସାଧାରଣ ଲୋକେ ମୋଦି ମୋଦି ସ୍ଲୋଗାନ ଦେବା ସହ ମୋଦିଙ୍କ କାରକେଡ୍ ଉପରକୁ ଫୁଲବର୍ଷା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ଶୋ’କୁ ନେଇ ରାଜ୍ୟ ବିଜେପି ଉତ୍ସାହିତ ହୋଇପଡ଼ିଛି । ଅପରାଜିତାଙ୍କୁ ଧରି ପ୍ରଧାନମନ୍ତ୍ରୀ ମୋଦି ରୋଡ୍ ଶୋ’ କରିବାକୁ ରାଜନୀତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି । ଭୁବନେଶ୍ୱରରେ ସାଂସଦ ପ୍ରାର୍ଥୀ ଅପରାଜିତାଙ୍କ ବିଜୟର ସମ୍ଭାବନା ଅଧିକ ହୋଇଛି । ମୋଦିଙ୍କ ଯୋଗୁ ଅପରାଜିତାଙ୍କ ଭୋଟହାର ଅଧିକ ବୃଦ୍ଧି ପାଇବ ଓ ଏହି ଆସନକୁ ବିଜେପି ପୁଣିଥରେ ନିଜ ପାଖରେ ରଖିବାରେ ସକ୍ଷମ ହେବ ବୋଲି ଚର୍ଚ୍ଚା ହେଉଛି । ଏହି ରୋଡ୍ ଶୋ’ର ପ୍ରଭାବ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଅନ୍ୟ ବିଧାନସଭା ଆସନଗୁଡ଼ିକ ଉପରେ ପଡ଼ିବ ଓ ବିଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ଜନମତ ସୃଷ୍ଟି ହେଉଥିବା ରାଜନୀତିକ ମହଲରେ ଚର୍ଚ୍ଚା ।

ମୋଦିଙ୍କ ରୋଡ୍ ଶୋ’ ଏବେ ବିଜେଡିର ନିଦ ହଜାଇ ଦେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିମ୍ବା ଦଳର ନମ୍ବରଟୁ ଭିକେ ପାଣ୍ଡିଆନ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ଯାଉଥିଲେ ମଧ୍ୟ କୌଣସି ପ୍ରାର୍ଥୀଙ୍କୁ ଧରି ରୋଡ୍ ଶୋ’ କରିନାହାନ୍ତି । ଯଦିଓ ନବୀନ ମାତ୍ର ୩ଥର ନବୀନ ନିବାସରୁ ବାହାରି ନିର୍ବାଚନୀ ସଭାରେ ସାମିଲ ହୋଇଛନ୍ତି କିନ୍ତୁ ପାଣ୍ଡିଆନ ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ କରୁଥିଲେ ମଧ୍ୟ ଦଳୀୟ ନେତା ଓ ପ୍ରାର୍ଥୀଙ୍କୁ ସାଙ୍ଗରେ ନେଉନଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ଦଳୀୟ ପ୍ରାର୍ଥୀଙ୍କୁ ସାଙ୍ଗରେ ନେଉଥିବାବେଳେ ବିଜେଡି ନେତୃତ୍ୱ ନିଜର ପ୍ରାର୍ଥୀଙ୍କୁ ଅଣଦେଖା କରୁଥିବାକୁ ମଧ୍ୟ ରାଜନୀତିକ ମହଲରେ ନାପସନ୍ଦ କରାଯାଇଛି ।

ସୂଚନାଯୋଗ୍ୟ, ଦୁଇଦିନିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି  ରାଜଭବନରେ ଆଜି ରାତିଯାପନ କରିବେ । ଆସନ୍ତାକାଲି ସକାଳ ସାଢ଼େ ୯ଟାରେ କନ୍ଧମାଳ, ସାଢ଼େ ୧୧ଟାରେ ବଲାଙ୍ଗୀର ଓ ଦିନ ୧ଟାରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ଏହି ମେଗା ରୋଡ୍ ଶୋ’ ପାଇଁ ଭୁବନେଶ୍ୱରରେ ୫୫ ପ୍ଲାଟୁନ ପୁଲିସ ଫୋର୍ସ ସହ ୨୦୦ରୁ ଅଧିକ ପୁଲିସ ଅଫିସରଙ୍କୁ ମୁତୟନ କରାଯାଇଥିଲା ।

 

Related story