୩ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଆମର ଲକ୍ଷ୍ୟ ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ମିଳୁ ପ୍ରାଥମିକତା

ଡବଲ ଇଞ୍ଜିନ ସରକାରର ସୁଫଳ ମିଳିବା ଆରମ୍ଭ ହୋଇଛି । ବିକାଶର ଗତି ଅଦ୍ଭୂତପୂର୍ବ । ରାଜ୍ୟର ବିଜେପି ସରକାର ଏଠାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉପରେ ଗୁରୁତ୍ୱ ଦେଉଛି ।

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

  • Published: Friday, 29 November 2024
  • , Updated: 29 November 2024, 07:34 PM IST

ଓଡ଼ିଶାକୁ କେବଳ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱର ମାନଚିତ୍ରରେ ପ୍ରାଥମିକତା ମିଳୁ । ସେଥିପାଇଁ ଏଠାରେ ଜି-୨୦ ସମ୍ମିଳନୀଠୁ ଆରମ୍ଭ କରି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ, ପୁଲିସ ଡିଜି ସମ୍ମିଳନୀ ଓ ନୌସେନା ଦିବସ ଆଦିର ଆୟୋଜନ କରାଯାଉଛି । ଏହା ଓଡ଼ିଶାକୁ ଦିଆଯାଉଥିବା ପ୍ରାଥମିକତାର ପ୍ରମାଣ । ପୁଲିସ ଡିଜି ସମ୍ମିଳନୀରେ ଯୋଗ ଦେବାକୁ ଆଜିଠୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ନିର୍ଦ୍ଧାରିତ ସମୟରେ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦର ପହଂଚିବା ପରେ ସେଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜୟ ଜଗନ୍ନାଥ’ କହି ନିଜର ଓଡ଼ିଆ ଭାଷାରେ ଆରମ୍ଭ କରିଥିଲେ । ପ୍ରଭୁ ଲିଙ୍ଗରାଜଙ୍କ ମାଟିକୁ ଆସିବାକୁ ଆଜି ସୁଯୋଗ ମିଳିଛି । ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଣାମ କରୁଛି । ବିମାନବନ୍ଦରରେ ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଓ ଏଭଳି ଭଲପାଇବା ଦେଇଥିବାରୁ ମୁଁ କୃତଜ୍ଞ । ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଓ ଦେଶରେ ବିଭିନ୍ନ ଉପନିର୍ବାଚନର ପରିଣାମ ସମଗ୍ର ଦେଶର ଲୋକଙ୍କ ମଧ୍ୟରେ କିଭଳି ଏକ ବିଶ୍ୱାସ ସୃଷ୍ଟି କରିଛି ତା’ର ଚମକ,ଖୁସି, ଆଗ୍ରହ ଓ ଉତ୍ସାହ ଏଠି ଉପସ୍ଥିତ ଲୋକଙ୍କ ମଧ୍ୟରେ ଅନୁଭବ କରୁଛି । ଓଡ଼ିଶାରୁ ଏହାର ଆରମ୍ଭ ହୋଇଥିଲା । ହରିଆଣା ଓ ମହାରାଷ୍ଟ୍ରରେ ବି ଦେଖିବାକୁ ମିଳିଲା । ଏହା ହିଁ ବିଜେପିର ବିଶେଷତ୍ୱ ଓ ଆମ ଦଳର କର୍ମୀମାନଙ୍କର ସାମର୍ଥ୍ୟ । ବିରୋଧୀ ଦଳ ସବୁବେଳେ ବିଜେପି ସରକାର ବିରୁଦ୍ଧରେ ଅପପ୍ରଚାର କରୁଛି । କିନ୍ତୁ ଲୋକେ ଆଶୀର୍ବାଦ ଦେଉଛନ୍ତି ।

ସେ କହିଥିଲେ ଯେ, ଦେଶରେ ପ୍ରାୟ ଶହେ ବର୍ଷ ଧରି ପୁଲିସ ଡିଜି ସମ୍ମିଳନୀ ହେଉଛି । କିନ୍ତୁ ଓଡ଼ିଶାରେ ଏହା ପ୍ରଥମଥର ପାଇଁ ଆୟୋଜିତ ହୋଇଛି । ଆଉ ୪ଦିନ ପରେ ପୁରୀରେ ‘ନୌସେନା ଦିବସ’ ପାଳନ କରାଯିବ । ପୁରୀ ବ୍ଲୁଫ୍ଲାଗ ବେଳାଭୂମିରେ ଏହି ଆୟୋଜନ ହେବ । ଏହା ଅର୍ଥ ଓଡ଼ିଶା ସମଗ୍ର ବିଶ୍ୱରେ କେନ୍ଦ୍ରବିନ୍ଦୁ ରହିବ । ଆଉ ଜାନୁୟାରୀ ମାସରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ହେବ । ଜି-୨୦ରେ ଭିନ୍ନ ପ୍ରକାରର ଲୋକେ ଆସିଥିଲେ । ଏବେ ବିଦେଶରେ ରହୁଥିବା ଆମ ଲୋକେ ଆସିବେ । ପର୍ଯ୍ୟଟନର ସୁଯୋଗ ବଢ଼ିବ । ଓଡ଼ିଶାକୁ ବିଶ୍ୱର ମାନଚିତ୍ରରେ ପ୍ରାଥମିକତା ଦେବାକୁ ଚାହୁଁଛୁ । ପ୍ରବାସୀ ଭାରତୀୟ ଦିବସର ଆୟୋଜନ ଶାନଦାର ଢଙ୍ଗରେ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଥିଲେ । ଓଡ଼ିଶାର ପ୍ରତ୍ୟେକ ଲୋକ ଅନୁଭବ କରିବା ଦରକାର ଯେ, ବିଶ୍ୱର ଲୋକମାନେ ତାଙ୍କ ଘରକୁ ଆସୁଛନ୍ତି ଓ ସେଭଳି ପ୍ରସ୍ତୁତି କରିବାକୁ ସେ ଆହ୍ୱାନ କରିଥିଲେ । ଆମେ ସମସ୍ତେ ମିଶି ଓଡ଼ିଶାର ଗୌରବ ବୃଦ୍ଧି କରିବା । ଡବଲ ଇଞ୍ଜିନ ସରକାରର ସୁଫଳ ମିଳିବା ଆରମ୍ଭ ହୋଇଛି । ବିକାଶର ଗତି ଅଦ୍ଭୂତପୂର୍ବ । ରାଜ୍ୟର ବିଜେପି ସରକାର ଏଠାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉପରେ ଗୁରୁତ୍ୱ ଦେଉଛି ।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ନିର୍ବାଚନର କିଛିମାସ ପୂର୍ବରୁ ବଡ଼ବଡ଼ ରାଜନୀତିକ ପଣ୍ଡିତମାନେ ଓଡ଼ିଶାରେ ବିଜେପିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରୁଥିଲେ । ଓଡ଼ିଶାରେ ବିଜେପି ଏତେବଡ଼ ଶକ୍ତି ନୁହେଁ ଯେ, ରାଜ୍ୟରେ ଏକାକୀ ସରକାର ଗଢ଼ିବ । କିନ୍ତୁ ଫଳାଫଳ ଆସିବାପରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଓଡ଼ିଶାର ଲୋକେ ବିଜେପିର କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ସ୍ୱୀକାର କରିଥିଲେ ଓ ବିଗତ ୧୦ବର୍ଷ ମଧ୍ୟରେ ଗାଁ ଗାଁ ଓ ଘରେଘରେ ଲୋକଙ୍କ ପାଖରେ କେନ୍ଦ୍ର ସରକାରଙ୍କ ଯୋଜନା ପହଂଚାଇବା ପାଇଁ କ୍ରମାଗତ କାର୍ଯ୍ୟ କରୁଥିଲୁ । ଏଠି ଆମ ଯୋଜନାର ନାଁ ପରିବର୍ତ୍ତନ କରିଦିଆଯାଉଥିଲା । ତଥାପି ଆମେ କାମ କରି ଚାଲିଥିଲୁ । କେନ୍ଦ୍ର ସରକାର ବା ମନ୍ତ୍ରିମଣ୍ଡଳରେ ଓଡ଼ିଆଙ୍କ ପ୍ରତିନିଧିତ୍ୱ ଯେତିକି ଏବେ ଅଛି ତାହା ପୂର୍ବରୁ କେବେ ନଥିଲା । ଓଡ଼ିଶା ପାଇଁ ବଜେଟ ପରିମାଣକୁ ୩ଗୁଣ କରିଥିଲୁ । କିଛି ଭେଦଭାବ କରିନଥିଲୁ । ସେଥିପାଇଁ ଓଡ଼ିଶାର ଲୋକେ ବିଜେପିକୁ ବିଶ୍ୱାସ କଲେ ଓ ଆଶୀର୍ବାଦ ଦେଲେ । ଆମର ଭାବ ଏତେ ସୁଦୃଢ଼ ଥିଲା ଯେ ଭାଷାଠୁ ବି ତାହା ବଳିଯାଇଥିଲା ।

ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସର ନାଁ ନେଇ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ରାଜନୀତିରେ ‘ନୀତିଗତ ବିରୋଧ’ ରହିବା ସ୍ୱାଭାବିକ କଥା । ଯେକୌଣସି ନିଷ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ମତ ରହିବ । ରାଜନୀତିକ ଦଳଗୁଡ଼ିକ ଭିନ୍ନ ଭିନ୍ନ କଥା ଲୋକଙ୍କ ନିକଟକୁ ନେଇଥାନ୍ତି । ସମ୍ବିଧାନର ମର୍ଯ୍ୟାଦା ଭିତରେ ରହି ନିଜର ବିଚାର ପରିପ୍ରକାଶ କରିଥାନ୍ତି । କିନ୍ତୁ ବିଗତ କିଛି ଦିନରେ ଏକ ବଡ଼ପରିବର୍ତ୍ତନ ଅନୁଭବ କରୁଥିବେ । ଗଣତନ୍ତ୍ରର ସବୁ ସୀମାକୁ ଉଲ୍ଲଘଂନ କରାଯାଉଛି । ଯେଉଁମାନେ କ୍ଷମତାକୁ ନିଜର ଜନ୍ମଗତ ଅଧିକାର ଭାବୁଥିଲେ ସେମାନେ କେନ୍ଦ୍ରରେ ଶାସନ ପ୍ରାୟ ଏକ ଦଶନ୍ଧି ଧରି ହରାଇଛନ୍ତି। ଏହି ଆକ୍ରୋଶ ସେମାନେ ଲୋକଙ୍କ ଉପରେ ଶୁଝାଉଛନ୍ତି । ଦେଶକୁ ଭୁଲ୍ ବାଟରେ ନେବା ପାଇଁ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ମିଛ ଓ ଅପପ୍ରଚାରର ଅଭିଯାନକୁ ଅଧିକ ଜୋରଦାର କରିବାରେ ଲାଗିଛନ୍ତି । ତେଣୁ ବିଜେପିର କର୍ମୀମାନଙ୍କ ସମେତ ଯେଉଁମାନେ ସମ୍ବିଧାନର ସମ୍ମାନ କରୁଛନ୍ତି,ଯିଏ ଗଣତନ୍ତ୍ରରେ ବଂଚୁଛନ୍ତି, ଯିଏ ଦେଶକୁ ଭଲ ପାଉଛନ୍ତି ସେମାନଙ୍କ ପାଇଁ ଏଭଳି ଲୋକଙ୍କ ଉଦ୍ଦେଶ୍ୟ ଓ କାର୍ଯ୍ୟ ବହୁତବଡ଼ ଚ୍ୟାଲେଞ୍ଜ ପାଲଟିଛି । ତେଣୁ କ୍ଷମତାଲୋଭୀ ଲୋକମାନଙ୍କ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଛନ୍ତି ।

ମୋଦି ଏହି ଅବସରରେ ନୂଆଦିଲ୍ଲୀରେ ଓଡ଼ିଶା ପରବରେ ସାମିଲ ହୋଇ ପିଇଥିବା ‘ମସଲା ଚା’ର ପ୍ରଶଂସା କରିଥିଲେ ଓ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତିର ପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଶା ପାଇଁ ଆଜି ଐତିହାସିକ ଦିନ । ପ୍ରଧାନମନ୍ତ୍ରୀଙ୍କ  ଏହା ହେଉଛି ଓଡ଼ିଶାକୁ ତୃତୀୟ ଗସ୍ତ । ଭୁବନେଶ୍ୱରରେ ପ୍ରଥମଥର ପାଇଁ ଓଡ଼ିଶାରେ ଡିଜିପି ସମ୍ମିଳନୀ ଆୟୋଜନ କରିବା ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି । ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦରେ ଆମ ସରକାର ଦକ୍ଷତାର ସହ ଓଡ଼ିଶାବାସୀଙ୍କ ସେବା କରିଚାଲିଛି । ଆମର ୫ମାସର ସରକାର ଅତ୍ୟନ୍ତ ଘଟଣାବହୁଳ ହୋଇଛି । ସବକା ସାଥ,ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସକୁ ମୂଳମନ୍ତ୍ର କରି ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରୁଛି । ଉତ୍କର୍ଷ ଓଡ଼ିଶା ମାଧ୍ୟମରେ ମୋଟ ୧.୮୦ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇ ଅନୁମୋଦନ ସହ ୧.୧୦ଲକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି । ଖୁବକମ୍ ଦିନରେ ୧୮ହଜାର ସରକାରୀ ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଇଛି । ‘ଉତ୍କର୍ଷ ଓଡ଼ିଶା’ ସମ୍ମିଳନୀ ଜାନୁୟାରୀ ୨୮ରେ ହେବ, ସେତେବେଳେ ବି ଆହୁରି ଅଧିକ ପୁଞ୍ଜି ଆସିବ । ଆମ ସରକାର ଏକ ସମ୍ବେଦନଶୀଳ ସରକାର ଭାବେ ସମସ୍ତଙ୍କ ପ୍ରତି ଯତ୍ନବାନ ଅଛନ୍ତି । ପ୍ରଧାନମନ୍ତ୍ରୀ ୨୦୪୭ ମସିହା ସୁଦ୍ଧା ‘ବିକଶିତ ଭାରତ’ ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ଓଡ଼ିଶାର ବହୁତ ବଡ଼ ଯୋଗଦାନ ରହିଛି । ୨୦୩୬ ମସିହାରେ ଯେବେ ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂରଣ ହେବ, ସେବେ ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ଗଠନ ହେବ ଯାହାକି ‘ବିକଶିତ ଭାରତ’ ନିର୍ମାଣରେ ବିଶେଷ ସହଯୋଗ ହେବ । କେନ୍ଦ୍ର ସରକାର ଓଡ଼ିଶାକୁ ସର୍ବାଧିକ ଗୁରୁ୍‌ତ୍ୱ ଦେଉଛନ୍ତି । ଓଡ଼ିଶା ପୂର୍ବୋଦୟ ବିକାଶର କେନ୍ଦ୍ରବିନ୍ଦୁ ହେବାସହିତ ଦେଶର ବିକାଶର ରେଳରେ ପ୍ରଥମ ବଗି ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଏହାକୁ ସାକାର ରୂପ ଦେବାପାଇଁ ଡବଲ ଇଞ୍ଜିନ ସରକାର ନିଶ୍ଚୟ ଏକ ଆହ୍ୱାନର ସହ କାର୍ଯ୍ୟ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ,ଜୁଏଲ ଓରାମ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟର ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Related story